ଅଦୃଶ୍ୟ ଆଶୀର୍ବାଦ

 

 

 

 

 

 

 

 

 

 

ଅଦୃଶ୍ୟ ଆଶୀର୍ବାଦ

ଶ୍ରୀ ରାମନାଥ ପଣ୍ଡା

 

ଗୋପୀ,

 

ଏବେ ନୁହେଁ, ଏ ଦେଶର ମାଟି, ପାଣି, ଆକାଶ, ପବନ ଓ ଆଲୋକ ଭିତରେ ଗଢ଼ି ଉଠିଥିବା ଭାରତୀୟ ସଂସ୍କୃତିର ଯେଉଁ ମୌଳିକ ବିଶାଳତା କ୍ରମେ ଭୂଷୁଡ଼ି ପଡ଼ୁଚି, ତାର ଲୁପ୍ତ ଓ ଅବିନାଶୀ ଅସ୍ତିତ୍ୱର ଗୋଚର ନିମନ୍ତେ ମନେ ମନେ ଦିନେ ଯେଉଁ ଧ୍ୟାନ ଆରମ୍ଭ କରିଥିଲି, ସେହି ଚିନ୍ତାରୁହିଁ ଏ ପୁସ୍ତକର ସୃଷ୍ଟି ସମ୍ଭବ ହୋଇଥିଲା । କେବଳ ସେତିକି ନୁହେଁ ସ୍ନେହ ଓ ପ୍ରୀତିରେ ଛନ୍ଦା ଛନ୍ଦି ଦୁଇଟି ମାନବ ଦୃଦୟ–ପରସ୍ପର ଯେତେ ନିକଟତର ହୁଅନ୍ତି, ଯେତେ ଯେତେ ନିମଗ୍ନ ହୋଇ ଆସନ୍ତି, ମନ ଆଉ କାୟାର ମାୟାରେ ଯେତେଦୂର ଆଚ୍ଛନ୍ନ ହୋଇ ପଡ଼ନ୍ତି, ପୁଣି ସେହି ସାନିଧ୍ୟ, ସେହି ନିମଗ୍ନତା ଓ ଆଚ୍ଛନ୍ନତାର ପରିସର ସର୍ଜନା କରି ନରନାରୀ ଭିତରେ ଭିତରେ ଅଧିକରୁ ଅଧିକତର କାତର ଓ ବିବ୍ରତ ହୋଇ ପଡ଼ନ୍ତି କାହିଁକି ? ଏ ପ୍ରଶ୍ନ ବି ଏଥିରେ ଜଡ଼ିତ ଅଛି । ମାତ୍ର ମୁଁ ନିଜେ ଜାଣେନା, ପୁସ୍ତକଟିରେ ତାର ସମାଧାନ କେତେଦୂର ସଫଳ ହୋଇଛି ।

 

ତେବେ ଭାରତରେ ଦିନେ ସାମାଜିକ ବା ପାରିବାରିକ ଓ ଦାମ୍ପତ୍ୟ ଧର୍ମର ଯେଉଁ ସମ୍ମାନ ଥିଲା, ମୂଲ୍ୟ ଥିଲା ଏବଂ ଏବେ ନାହିଁ ବୋଲି ଯେ ଦୁଃଖ କରାଯାଏ ମୁଁ ତା’ ସ୍ୱୀକାର କରିଥିଲେ ମଧ୍ୟ ସପକ୍ଷରେ ଯାଇନାହିଁ । କାରଣ ଦିନେ ଯାହା ଥାଏ, ଆଉ ଦିନେ ତା’ ଥାଇ ପାରେନା । କିନ୍ତୁ ସର୍ବଥା ନୂତନ ଆମକୁ ଗଢ଼ିବାକୁ ହେବ । ସୁତରାଂ ଭାରତର ସମୃଦ୍ଧ ସଭ୍ୟତା ଓ ସଂସ୍କୃତିକୁ ଚୂର୍ଣ୍ର ବିଚୂର୍ଣ୍ର କରି ଆଜି ଆମେ ଯେ ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ମୂର୍ତ୍ତିଟିଏ ଛିଡ଼ା କରେଇବାକୁ ଯାଉଚେ, କେବଳ ତା’ରି ସମାଲୋଚନା କରି ମୁଁ କ୍ଷାନ୍ତ ହୋଇନାହିଁ । ମୁଁ ଚାହିଁଚି, ମାନବ ସମାଜର ଚିନ୍ତା, ବିଚାର, ସିଦ୍ଧାନ୍ତ ଓ ସଫଳତା ସ୍ଥାନୀୟ ମାଟି ପାଣିର ଅନୁକୂଳ ହେଉ । ଏବଂ ସଚ୍ଚୋଟତା ହେଉ ତାର ପୁନାଦି । ମାତ୍ର ସେ ଭଳି ସଂଗଠନ ଭାରତର ସାମାଜିକ ଜୀବନରେ ଆଜି କାହିଁ ? ତେଣୁ ମୁଁ କହେ, ସବୁ ଜାଣି ଜାଣି, ନୂତନକୁ ପାଖରେ ପାଇ ବି ଆମେ ଅଣ ବାଟରେ ଆଗେଇ ଚାଲିଚେ । ବଗିଚା ଭିତରେ ଆତଯାତ ହୋଇ ଫୁଲର ରଙ୍ଗରେ ମୋହିତ ହୋଇଚେ ସିନା ବାସ୍ନା ସୁଙ୍ଘିବାର ଧାରଶାକୁ ଦୂରେଇ ଦେଇଚେ । ଫଳ ଫଳେଇବାର ପରିଶ୍ରମ କରି ଶିଖିନେ । ସବୁଜତାକୁ ବଞ୍ଚେଇ ରଖିବାର ଦାୟିତ୍ୱ ନେବା ପାଇଁ ଭୟ କରିଚେ । ଆଧୁନିକତାର ଆସ୍ଫାଳନ ଭିତରେ ନୂତନତାର ସ୍ଥିରତା ଓ ସଫଳତାକୁ ହତ୍ୟା କରି ଖଣ୍ଡ ବିଖଣ୍ଡ କରି ପକଉଚେ ।

 

ପୁଣି ଆମ ଭିତରେ ଆଜି ଯେଉଁ ସ୍ନେହ, ସହୃଦୟତା ଓ ସମ୍ୱନ୍ଧ ଦେଖାଯାଏ, ସେ’ ସବୁ ଅକାମି ନକଲି ଫାଉଣ୍ଟେନ ପେନ୍‌ ଭଳି ଶକ୍ତିହୀନ, ଉପର ଠାଉରିଆ ଓ ଅସାର୍ଥକ ମାତ୍ର । କିନ୍ତୁ ତାକୁ ଶକ୍ତିବନ୍ତ, ସତେଜ ଓ ଫଳପ୍ରଦ କରିବା ପାଇଁ ବାସ୍ତବିକ ଆମେ ସବୁ ପାଗଳ ହୋଇଯିବା ଉଚିତ କି ନାହିଁ, ବିଚାରିବାର ବେଳ ହାଜର ହୋଇ ଯାଇଚି । ସେଥିପାଇଁ ଭାରତର ମଣିଷ ସମାଜକୁ ଏହା ମୋର ଗୋଟିଏ ଆହ୍ୱାନ ମାତ୍ର ।

 

ମୁଁ ବୁଝିଚି, ମାନବର ପଶୁ ପ୍ରବୃତ୍ତିକୁ ନିୟନ୍ତ୍ରିତ କରି, ସଚେତ ମାନବିକତାକୁ ନିଶ୍ଚିତ ମାର୍ଗରେ ଉପଭୋଗ କରାଇବାହିଁ ଆମ ସମାଜର ମୌଳିକ ଉଦ୍ଦେଶ୍ୟ ଏବଂ ହୀନ ପ୍ରବୃତିର ଚପଳତା, ଅଳୀକ ଦେହ ଭୋଗ ଓ କ୍ଷଣସ୍ଥାୟୀ ମାନସିକ ବିଳାସକୁ ଜବତ କରି ସୁସ୍ଥ, ସବଳ, ପବିତ୍ର ଓ ଶାନ୍ତ ସରଳ ଜୀବନ ଯାପନ କରାଇବାହିଁ ଯେ କୌଣସି ଧର୍ମର ଲକ୍ଷ୍ୟ । କିନ୍ତୁ ଅନ୍ୟ ଦେଶର କଥା ଥାଉ, ଭାରତର ଏହି ସବୁ ମହା ମହା ସିଦ୍ଧାନ୍ତ ଆଜି ଉଜୁଡ଼ି ପଡ଼ିଲାଣି । କ୍ରମେ କ୍ରମେ ଆମେହିଁତ ସେ’ ସବୁ ନିୟମ ନିୟନ୍ତ୍ରଣ ଭାଙ୍ଗି ଡକେଇତ ପାଲୋଟି ଯାଉଚେ । ହିଂସା, ଈର୍ଷା, ଶଠତା ଓ ଆଳସ୍ୟର ଚରଣ ତିଳେ ଆତ୍ମସମର୍ପଣ କରି ସବୁ ଦୁର୍ବଳତାକୁ ବରଣ କରୁଚେ । ତେଣୁହିଁ ଆମ ସାମାଜିକ ଜୀବନରେ ଆଜି ଅହରହ ଅଶାନ୍ତି ଓ ଦହଗଞ୍ଜ ସହିବାକୁ ପଡ଼ୁଚି । କିନ୍ତୁ କାହିଁକି ଏ ସବୁ ହୁଏ ? ସଂକ୍ଷେପରେ କହିବାକୁ ଗଲେ ଏ ପ୍ରଶ୍ନହିଁ ମୋତେ ‘ଅଦୃଶ୍ୟ ଆଶୀର୍ବାଦ’ ଲେଖିବାକୁ ବାଧ୍ୟ କରିଥିଲା ।

 

ମୁଁ ସ୍ପଷ୍ଟ ଭାବରେ ଅନୁଭବ କରି ପାରିଚି, ପତି ପତ୍ନୀ, ଗୁରୁ ଶିଷ୍ୟ, ଭ୍ରାତା ଭଗ୍ନୀ, ପିତା ମାତା ଏବଂ ଶାସକ ଓ ଶାସିତଙ୍କ ମଧ୍ୟରେ ଥିବା ସମ୍ୱନ୍ଧ ଗୁଡ଼ିକର ଦୃଢ଼ତା, କଟକଣା ଓ କଠୋରତା ଭିତରେହିଁ ମାନବିକତା ସାର୍ଥକ ହୋଇପାରେ । ସାଧୁତାର ବିକାଶ ସମ୍ଭବ ହୋଇଥାଏ । ମାତ୍ର ସେ’ କଟକଣା ଗୁଡ଼ିକୁ ଆଜି ଆମେ ଚୋର ଭଳି ଅତି ନିର୍ଲଜ ଭାବରେ ହସି ଉଡ଼େଇ ଦେଉଚେ । ବ୍ୟକ୍ତିଗତ ପବିତ୍ରତା ଓ ସାମୁହିକ ସବଳତାକୁ କ୍ଷୁର୍ଣ୍ଣ କରି ପକଉଚେ । ଅତଏବ ଏହି ଅବସ୍ଥାରେ ‘ଅଦୃଶ୍ୟ ଆଶୀର୍ବାଦ’ର ଅକ୍ଷର ଖେଳ କେତେଦୂର ସଂଗତ ହୋଇଚି, ତା ତୁମେମାନେ ବିଚାର କରିବ । କେବଳ ଲକ୍ଷ ଲକ୍ଷ ଜୀବନର ଅଭିଜ୍ଞତା, ହଜାର ହଜାର ମନର ଅତୁଟ କାମନା ଓ ହୃଦୟର ସ୍ପନ୍ଦନକୁ ଏକାଠି କରି ମୁଁ ଗୁନ୍ଥି ଦେବା ଛଡ଼ା ଅଧିକ କିଛି କରିନାହିଁ ।

 

ଚରିତ୍ର ଚିତ୍ରଣ ଓ ବିଷୟ ଯୋଜନା ସମ୍ପର୍କରେ ମୁଁ ଏତିକି କହି ପାରେ ଯେ, ସଂସାରରେ ଯେତେ ଯାହା ଅସତ୍ୟ ନୁହେଁ, ସେ’ ସବୁକୁ ସତ୍ୟ ବୋଲି ଉପଲବ୍‌ଧି କରିବାରେ ବି ଜୀବନ ସ୍ରୋତ ଆଜି ବାଧା ପାଉଚି । ତେଣୁ ଉନ୍ନତ୍ତ ନରନାରୀ ସତ୍ୟର ଉଜ୍ଜ୍ୱଳ ଅସ୍ତିତ୍ୱକୁ ବି ସଂସାରିକ ଆଚରଣ ଭିତରେ ସ୍ୱୀକାର କରିବାକୁ ପଛଉଚନ୍ତି । ସେଥିପାଇଁ ମଣିଷକୁ ଧିର ପଦରେ ଚାଲୁ ଚାଲୁ ବି ଥରକୁ ଥର ଝୁଣ୍ଟି ପଡ଼ିବାକୁ ହେଉଚି ।

 

ଜନ୍ମ ଓ ମୃତ୍ୟୁ ମଝିର ଅର୍ଥପୂର୍ଣ୍ଣ ମାତ୍ର କେତେ ପହଣ୍ଡର ଦୂରତାକୁ ନ ବୁଝି ମଣିଷ ନିଜକୁ ଏତେ ଜଟିଳ ଏବଂ ଦୀର୍ଘ, ପ୍ରଶସ୍ତ କରି ତୋଳି ଧରେ ଯେ, ଏପରି ସହସ୍ରେ ବହି ଲେଖିଲେ ବି ସେ’ ସବୁର ସ୍ୱରୂପ ପ୍ରକାଶ କରି ହେବ ନାହିଁ । ତଥାପି ଏଥିଦ୍ୱାରା ମୁଁ ଅସଂଖ୍ୟ ତରୁଣ ତରୁଣୀଙ୍କ ସ୍ନେହ–ପ୍ରୀତିବନ୍ଧନଯୁକ୍ତ ହୃଦୟର ଦାହ ଓ ଗୋପନ କାମନା ଗୁଡ଼ିକର ସଂକେତ ମାତ୍ର ଦେଇ ପାରିଚି ବୋଲି ଆଶ୍ୱସ୍ତ ହେଉଚି । ଜାଣେନା, ଏହା କେତେଦୂର ସତ ।

 

ଭାଷାର ସାବଲୀଳତା ଯଦି ଖଣ୍ଡିତ ହୋଇଥାଏ, ସେଥିପାଇଁ ମୁଁ ଦାୟୀ ନୁହେଁ । କାରଣ ସବୁବେଳେ ମୁଁ ଇଚ୍ଛା କରିଚି, ଭାବନାର ସୁସ୍ପଷ୍ଟ ଅଭିବ୍ୟକ୍ତି ।

 

ମାତ୍ର ପ୍ରକାଶ ପୂର୍ବରୁ ସାହିତ୍ୟପ୍ରେମି ଶ୍ରୀ ଗୋପାଳକୃଷ୍ଣ ସାମନ୍ତରାୟ ବି.ଏ. (ଅନର୍ସ) ଡି.ଇଡ଼ି. ଯେଉଁ ପରିଶ୍ରମ କରି ଏ ପୁସ୍ତକର ଭାଷା, ଭାବନା ଓ ଅକ୍ଷର ଗୁଡ଼ିକୁ ସଜାଡ଼ିବା ପାଇଁ ଯତ୍ନ କରିଛନ୍ତି, ସେଥିଲାଗି ମୁଁ ତାଙ୍କ ନିକଟରେ କୃତଜ୍ଞ ।

 

ଆଉ ପିଲା ଦିନୁ ଏ ଦିଗରେ ମୋତେ ତୁ’ ଉତ୍ସାହିତ କରି ଆସିଚୁ ବୋଲି, ଏଥିରେ ଗାଁ ଦାଣ୍ଡର ଧୂଳି ଖେଳ ସ୍ମୃତିକୁ ଏ ବଢ଼ନ୍ତା ଜୀବନର ଶେଷଯାଏ ଓଟାରି ଧରି ରଖିବା ପାଇଁ ସାମାନ୍ୟ ଚେଷ୍ଟା କରିଚି । ଆଶାକରେ, ଏ ବଳକା କଥାର ଅବତାରଣା ଭିତରେ ସମ୍ପର୍କଟା ଅଙ୍କିତ ହୋଇଗଲା ବୋଲି ରୁଷ୍ଟ୍ର ହେବୁ ନାହିଁ ।

 

ଧୂଳି ଖେଳର ସହଚର ଓ ଶୈଶବର ସାହିତ୍ୟିକ ଉପଦେଷ୍ଟା

ଶ୍ରୀ ଗୋପୀନାଥ ଭଟ୍ଟ, ବି.ଏ.,

ସମୀପେଷୁ

କୃତଜ୍ଞ

ରାମନାଥ ପଣ୍ଡା

ଡୋଙ୍ଗରପାଉଁସି

ପଣା ସଂକ୍ରାନ୍ତି, ୧୯୫୪

Image

 

ରାତି ଗଭୀର ହୋଇ ଆସୁଥିଲା ।

 

ରାସ୍ତା କଡ଼ର ବିଜୁଳି ଆଲୁଅ ସେ ପାଖେ, ଦିଗ୍‌ ବିଦିଗ୍‌ ଘୋଡ଼େଇ ଅନ୍ଧାର ମାଡ଼ି ଆସିଲାଣି । ତା’ ଭିତରୁ ନୀଳ ପୋଷାକଧାରୀ କିଏ ଜଣେ ଦର ଆଉଜା କବାଟକୁ ଠେଲି ପଶି ଆସିଲା ଘର ଭିତରକୁ–ଧୀରେ, ଅତି ଧୀରେ । ସନ୍ତର୍ପଣରେ ।

 

ନିରୁ ଚମକି ପଡ଼ିଲା ।

 

ଶୋଇଲା ପୁଅର ଛାତି ଉପରକୁ ଚଦରଟା ଟାଣି ଆଣୁ ଆଣୁ ଆସନ୍ନ ମରଣାପନ୍ନ ରୋଗୀର ଶୁଶ୍ରୂଷା କାରିଣୀ ପରି, ଶଙ୍କାକୁଳ ଆଖିରେ ସେ’ ଚାହିଁଲା ।

 

ଅଧ ଘଣ୍ଟା ତଳେ ଖିଅର ହୋଇଥିବା ସ୍ନୋ ବୋଳା ଲସଲସିଆ ତରୁଣ ମୁହଁଟିଏ ! ବାସ୍ନା ଜର୍ଜର !

 

ବର୍ଷା ବିଭୋଳ ଶ୍ରାବଣ ରଜନୀର ସିଁ ସିଁ ପବନ ପରି ଚାପା ସ୍ୱରରେ ହିଁ ହିଁ ହୋଇ ହସି ଉଠିଲା ଆଗନ୍ତୁକ ଯୁବକଟି ।

 

–ଓଃ ତୁମେ ?

 

–ରକ୍ଷା ପାଇଗଲି ନିରୁ !

 

–ଏଁ କେଉଁଥିରୁ ?

 

–ହଠାତ୍‌ମୋତେ ‘ମୁଁ’ ବୋଲି ଗ୍ରହଣ କରିବ ନାହିଁ ପରା ଏହି ଭୟରୁ ।

 

ଆଁ......

 

ନିରୁପମାର ଅଯତନରେ କପାଳ ଉପରକୁ ଲମ୍ୱି ପଡ଼ିଥିବା କେରି କେରି, କୁଞ୍ଚି କୁଞ୍ଚି ବାଳ ତଳେ ଥୋପି ଥୋପି ହୋଇ ଫୁଟି ଉଠିଲା ଉଜ୍ଜ୍ୱଳ ଝାଳ ବିନ୍ଦୁ ! ଖପୁରି ତଳର ସତେଜ ଯନ୍ତ୍ରଟା ବନ୍ଦ ହୋଇଗଲା ପରି ବୋଧହେଲା ତାକୁ । ଏଇ... ଏଇ ତାର ପଢ଼ା ସାଥୀ–ପ୍ରେମ–ପ୍ରାର୍ଥୀ ରୁଦ୍ର ପ୍ରସାଦ ! ତ୍ରସ୍ତ କଣ୍ଠରେ ସେ’ ପଚାରିଲା, ଜାଣିଚତ, ପ୍ରଫେସର ଆଜି ଘରେ ନାହାନ୍ତି !

 

–ଜାଣିଚି, ଆଜି ଆସିବେ ନାହିଁ ବୋଲି ମଧ୍ୟ ।

 

ଫୁଲାଣିଆ ଶଙ୍ଖି ଭିତରେ ଛେପ ଢୋକି ଢୋକି ରୁଦ୍ରପ୍ରସାଦ ଜବାବ ଦେଲା ।

 

–ଅର୍ଥାତ୍ ?

 

–ଅତି ନିଶ୍ଚିନ୍ତ ଓ ଚମତ୍କାର ବେଳାଟାରେ ଆସି ପାରିଚି ଭାଗ୍ୟ ମୋର ଭଲ ।

 

–ଓଃ କି ଭୀଷଣ ତୁମେ !

 

–ଭୀଷଣ ! ମୁଁ ?

 

–ଏପରି କଂଚା ଅଭଦ୍ର ହୋଇପାର ବୋଲି ମୋର ଧାରଣା ନ ଥିଲା । ଆଦୌ ନ ଥିଲା ରୁଦ୍ର !

–ମୁଁ ?

 

–ହଁ । ଜଲଦି–ଜଲଦି ଦୂର ହୋଇଯାଅ ଏଠୁ ।

 

ରୁଦ୍ର ହସିଲା । ପୂର୍ଣ୍ଣଛେଦ ପରି ସସୀମ ହସ ଟିକକ ଭିତରେ କୋଟିଏ ନିର୍ଭୀକତା, ତାଚ୍ଛଲ୍ୟର ଉଜାଣି ! ତର ତର ହୋଇ ସେ’ ଜବାବ ଦେଲା–

 

–କିନ୍ତୁ ସେଥିପାଇଁ ମୁଁ ଆସିନାହିଁ ନିରୁ–

 

–ଆଉ ?

 

–ପାଖରେ କରି ଟିକିଏ ଦେଖା କରିବାକୁ ।

 

–କାହିଁକି ?

 

–ଅତୀତର ଦରଲିଭା ସମ୍ପର୍କ ନେଇ । ତମେ କିନ୍ତୁ ଖୁବ୍‌ ନିଷ୍ଠୁର ହେଇ ପାରିଚ ନିରୁ । ଦିନ କେତେଟାରେ ସାତ ପର କରି ଦୂରେଇ ଦେଇ ପାରିଚ ।

 

–ଇସ୍‌, କି’ ସାହସ....

 

–ନୁହେଁ, ଦୁଃସାହସ ।

 

–କେଉଁଠୁ ପାଇଲ ?

 

–ଉଃ ଏତେ ଚଞ୍ଚଳ ଭୁଲି ଗଲଣି ? ତଳ ଦିନେ ଯେଉଁ ସାହସ ଦେଇଚ ତମେ–ଯେଉଁ କାମନାର ଶିଖା ଜଳେଇଚ ଅନ୍ତରରେ ମୋର–

 

–ଥାଉ ରୁଦ୍ର, ଅନୁନୟ କରୁଚି, ତମେ ଫେରିଯାଅ ।

 

–ଫେରିଯିବି ?

 

–ହଁ, ଫେରି ଯିବାକୁହିଁ ହେବ । ଅତିଶୀଘ୍ର ।

 

–କାହିଁକି ନିରୁ ?

 

ନିରୁପମା ଖାଲି ଚାହିଁଲା, ଚାହିଁଲା ସେ ଅନ୍ତର ଓ ବାହାର ଦେଇ ଶୋଇଲା ପୁଅର ମୁହଁଟିକୁ । ଛୋଟ ମଣିଷଟିଏ ! ଅତି ଛୋଟ–ଲଦା ଲଦି ଦି’ଟା ଦୂବ ଘାସର ଗଣ୍ଡିରୁ ଓହଳି ପବନରେ ହଲୁଥିବା କେରାଏ ଖେନ୍ଦା ପରି ! ମାତୃତ୍ୱର ଡିଣ୍ଡିମ ପିଟି ଯିଏ ଅସ୍ଥି, ମଜ୍ଜା ଚହଲା, ଦେହ ଥରା ପ୍ରେମର କାହାଣୀକୁ ଜଳି ପକଉଚି । ଖାଲି ମାତୃତ୍ୱ–ଦୃଢ଼ ମାତୃତ୍ୱର ଗୌରବ ବାହୁନିବା ତା’ର ଶ୍ରେଷ୍ଠ ନିବେଦନ । ସେହି ପୁଅ–ଦେହ ଭିତରର ଗୌରବକୁ ବିଦାରି ଜନମ ହେଇଚି, ଏଇ ତା’ର ଆତ୍ମା ଭିତରେ ଅନ୍ୟ ଆତ୍ମାର ଲଜ୍ଜା ଜନକ ମିଶ୍ରଣ–ଇତର ଆତ୍ମାର ମହାତ୍ମ୍ୟ–ଛାୟା ବିସ୍ତାର କରି ପେଟ ଫାଡ଼ି ସୃଷ୍ଟିର ସଂହତି ବର୍ଣ୍ଣନା କରୁଚି–କରିବାକୁ ଆସୁଚି । କରୁଥିବ । ତଥାପି ଅନ୍ୟ ଜଣେ ଅଧିକାର ବିସ୍ତାର କରିବାକୁ...

 

ନିରୁ ଧ୍ୟାନମଗ୍ନ ଥିଲା । ଧ୍ୟାନ ଦେଇ ସେ’ ନିରେଖୁ ଥିଲା ପୁଅଟିକୁ । କାରଣ, ପୁଅର ସେହି ଟିକି ଦେହଟି ଭିତରେ ସେ’ ଦେଖୁଥିଲା କିଶୋର ବାବୁଙ୍କ ଖେଞ୍ଚା ଖେଞ୍ଚି ପତିତ୍ୱ ! ପୁଲକ ଭରା ସାନିଧ୍ୟ । ନିରୁ–ତରୁଣୀ ! ପ୍ରଫେସର କିଶୋର ବାବୁଙ୍କ ପତ୍ନୀ !

 

ଜହ୍ନ ପରି ଚକା ମୁହଁଟିଏ । ମନୋରମ ସାନ ସାନ ଜ୍ୟୋତିବନ୍ତ ଆଖିର ଝଲ ଝଲ ଦୀପ୍ତି–ନୀଳ ଆକାଶ ମଝିର ପାଖ ଛଡ଼ା ଢଳ ଢଳ ତାରକା ପରି ଥରୁଥିଲା ।

 

ଚାହାଣୀର ଅସ୍ଥିରତା ଦେଇ ଝରି ପଡ଼ୁଥିଲା ଅପୂର୍ବ ଆବେଗ ଓ ଶଙ୍କାକୁଳ ଭାବନା । ରୁଦ୍ର ଚଞ୍ଚଳ ହୋଇ ପଡ଼ିଲା । ତା’ର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ଏବଂ ସେ ନିତାନ୍ତ ଧୈର୍ଯ୍ୟ ହରେଇ ପକେଇଲା । ଧସେଇ ଯାଇ ନିରୁର ସେହି ଟଳ ଟଳ ମାଂସଳ ଚିବୁକ ଉପରେ ବିଷ ଆଙ୍ଗୁଠିର ଟିପ ଛାଟି ଟିବୁସି ମାରି କହିଲା–ନିରୁ, ପୁନରାବୃତ୍ତି କରିବାକୁ ଲଜ୍ଜା ଲାଗୁଛି ନା....

 

ପଛକୁ ଦୁଇ ପାଦ ହଟିଯାଇ ନିରୁ କହିଲା–

 

–ଓଃ କି ସାଂଘାତିକ ତମେ ରୁଦ୍ର–ପୁନରାବୃତ୍ତି କଣ ? କଣ କହୁଚ ତମେ ? କାହାର ପୁନରାବୃତ୍ତି ? ରୁଦ୍ର–ଶୀଘ୍ର ଦୂରେଇ ଯାଅ ମୋ’ ପାଖରୁ । ନ ହେଲେ ପାଟି କରିବି । ଅନିଷ୍ଟ ହେବ-!

 

ରୁଦ୍ର ଆହୁରି ପାଖକୁ ଲାଗି ଆସିଲା । ତାର କଣ୍ଠ ସ୍ୱର ଲାଗି ଯାଉଥିଲା ।

 

–ଜାଣେ ନିରୁ, ଅତୀତରେ–ହଁ ତମର ଏହିପରି ଆଚରଣ ଅନେକ ବାର ମୋତେ ଦବେଇ ଦେଇଚି । କିନ୍ତୁ ଆଜି...? ଅନେକ ବାର ଅଟକି ଯାଇ ଥିବାରୁ ମୁଁ ଆଜି ଅନୁତପ୍ତ । ଏଇଥର କିନ୍ତୁ....

 

–ଅନେକ ବାର ? ନିରୁ ଅସ୍ଥିର ହୋଇ ପଡ଼ିଲା । କଣ ଅନେକ ବାର ? ତା’ର ଭୀତ ମନରେ ଝଲସି ଉଠିଲା ଦୋଳାଇତ ଅତୀତ–ନିକଟ ଅତୀତ–ଦର୍ପଣ ପରି । ମନର ବହୁଦୂର କନ୍ଦରରେ ଅଯତ ସାଇତା ସେହି ଦର୍ପଣରେ ଝଲସି ଉଠିଲା ସହପାଠୀ ରୁଦ୍ର ପ୍ରସାଦ ତରୁଣ, ଆତୁର ରୁଦ୍ରର ଧଳା ଦାଉ ଦାଉ ଧାରେ ଖିଲି ଖିଲି ହସ ! ସେଥିରେ ତା’ ଛାତ୍ରୀ ଜୀବନର ପବନ ପରି ଅଦେଖା, ଆକାଶ ପରି ଅଛୁଆଁ, ଆଗାମୀ ଜନମର ଅଧ୍ୟାୟ ପରି ଏକ ଅଜଣା ଅସାବଧାନତାର ବାଉଳା ବୟସ ବିକାରର ବିବସନ ଅଭିନୟ ! ସେଥିରେ କେତେ କାଳୁ ଭାଡ଼ି କୋଣରେ ଫିଙ୍ଗା ହୋଇଥିବା କଂସା ବାସନର ଫନ୍ଦ ପରି କଳଙ୍କି ଲଗା ଇତିହାସର ଆବୃତ୍ତ ।

 

ନିରୁ ଆଉ କିଛି କହିଲା ନାହିଁ, ଭାବିଲା କେବଳ–ରୁଦ୍ରକୁ ସେ’ ଦବେଇଚି–ନା ପ୍ରଶ୍ରୟ ଦେଇଚି ? ନ ହେଲଷ ପ୍ରଫେସର କିଶୋରର ପତ୍ନୀ ନିରୁପମାର ଘର ଭିତରକୁ ନିଛାଟିଆ ବେଳଟାରେ ପଶି ଆସି ପାରିଥାନ୍ତା, ଜଣେ ସାଧାରଣ ଛାତ୍ର ରୁଦ୍ର ପ୍ରସାଦ ? ଓଃ !

 

ତଥାପି ପୁରୁଣା ହେଲାଣି ସେ କଥା ! ତିନି ବର୍ଷ ବିତି ଗଲାଣି ।

 

ସେ ଦିନର ଅବଲମ୍ୱନ ହୀନ, ନଦୀଧାରର ଉଚ୍ଚ ଗଡ଼ନ୍ତି ଅତଡ଼ା ପରି ଖଣ୍ଡିଆ ଖାବଡ଼ା, କୁଲ୍‌ହିଆ ପାହାର ଭଳି ଫମ୍ପା ଏବଂ ସେ’ ପାହାର ଭିତର ପରି ଦୁକୁ ଦୁକୁ ଜୀବନ–କାଳର ସ୍ରୋତରେ ଆଜି ଭାଜି ରୁଜି ଗଢ଼ି ଉଠିଲାଣି । ଜିରି ଜାରି ସମାନ ହେବାକୁ ବସିଲାଣି ।

 

ବର୍ତ୍ତମାନ ସମାଜର ବନ୍ଧା କାନୁନ ଭିତରେ ଆବଦ୍ଧା ସେ । ତାର ପ୍ରମାଣ ଘୋଷଣା କରି ଦସ୍ତାବେଜର ଅବିକଳ ନକଲ ଭଳି ଜଗତ ଆଗରେ ଜୀବନ୍ତ ହୋଇ ପ୍ରକାଶ ପାଇଚି–ପୁଅଟିଏ ବି ।

 

ଅତଏବ ସେ’ ସଂପୂର୍ଣ୍ଣ ବଦଳି ଯାଇଚି । ଆଉ ରୁଦ୍ର–ଠିକ୍‌ସେହିପରି ଛାତ୍ରଟିଏ ।

 

ତିନି ବର୍ଷ–ତେତେ ଅନ୍ତର ନୁହେଁ ! ତଥାପି ସେହି ତଳ ଦିନେ ରୁଦ୍ର ଯେମିତି ତା’ ଘର ଭିତରକୁ ପଶି ଆସୁଥିଲା ସହପାଠୀ ହିସାବରେ, ଆଜି ବି ସେମିତି ଆସିବାଟା ମଙ୍ଗଳ ନୁହେଁ । ନିରାପଦ ନୁହେଁ । ହୁଏତ ସେ ଦିନ ଏହା ସୁଖକର, ଉଲ୍ଲାସମୟ ହେଉଥିଲା । ଆଜି କିନ୍ତୁ ତାର ଦାୟିତ୍ୱ ତୁଳନାରେ ଏହା ପୂର୍ଣ୍ଣ ଗୃହିଣୀ ଜୀବନ ପାଇଁ ଏକ ଗୁରୁତର ଅଭିଶାପ ହେବ ।

 

ରୁଦ୍ର କଣ ଏହା ଜାଣେ ନାହିଁ । ସେ ତ ବିବାହିତା ! ତାର କଣ ଧାରଣା ହେଉ ନାହିଁ ? ଶିକ୍ଷିତ ଛାତ୍ର ପରା !

 

ହଠାତ୍‌ ଘର ଭିତରକୁ ପଶି ଆସି ପର ସ୍ତ୍ରୀର ଦେହ ଉପରେ ହାତ ଦେବାଟାକୁ ଆଶ୍ଳେଷ ମନେ କରେ ? ଅତୀତରେ ଯେତେ ନିବିଡ଼ ସଂପର୍କ ଥିଲେ ମଧ୍ୟ–ଯେତେ ଆପଣାର ବଂଧୁ ହେଲେ ବି–ବିବେଚନା ନାହିଁ ? ଦୁର୍ବୃତ୍ତ !

 

ମନେ ମନେ ନିରୁ ରାଗି ଯାଉଥିଲା ଭୀଷଣ ଭାବେ । ତାର ମଥା ଟାଇଁ ଟାଇଁ ହୋଇ ଫାଟିଗଲା ପରି ଲାଗୁଥିଲା ।

 

ହୁଏତ ରୁଦ୍ରକୁ ଅତୀତରେ ସେ’ ପ୍ରଶ୍ରୟ ଦେଇଚି । କିନ୍ତୁ ସେ ଅବସ୍ଥା ଆଜି ସଂପୂର୍ଣ୍ଣ ବଦଳି ଗଲାଣି ।

 

ଏହା କଣ ଜାଣେ ନାହିଁ ରୁଦ୍ର ? ଏହି କଲେଜର ଛାତ୍ର । ଅତଏବ ସବୁ ଜାଣେ ସେ ।

 

ନିରୁ ଆଜି ଅବିବାହିତା ସହପାଠିନୀ ନୁହେଁ । ବିବାହିତା, ପ୍ରଫେସରଙ୍କ ପତ୍ନୀ ।

 

ରୁଦ୍ର ଜାଣେ–

 

ଅନ୍ତତଃ ମା ହେବାର ଦାୟିତ୍ୱ ନେବା ଦିନରୁ କେତେ ସଂଯତ ହୋଇ ଶିଖିଲାଣି ସେ ।

 

ତଥାପି ରୁଦ୍ର ସାହସ କରି ଧସେଇ ପଶି ଆସିଚି ?

 

ଢେଲା ଢେଲା ନ୍ତ୍ରୋଧାକ୍ତ ଆଖିରେ ଚାହିଁ ନିରୁ କହିଲା, ବିନୟ କରି, ଅନୁରୋଧ କରି କହୁଚି ତମେ ଫେରିଯାଅ ।

 

ପରାଜିତ ଜୁଆଡ଼ିଆଙ୍କ ପରି ଆବେଗପୂର୍ଣ୍ଣ ଗଳା ତା’ର ଭାଙ୍ଗି ପଡ଼ିଲା ।

 

–ଫେରିଯିବି ?

 

ରୁଦ୍ର ପ୍ରସାଦର ଚାହାଣୀରେ ମାଛ ଜଗା ବକର ଏକାଗ୍ରତା ।

 

–ହଁ ।

 

–କିନ୍ତୁ...

 

–କିଛି ମୁଁ ଚାହେଁନା । ଜଲଦି ଫେରିଯାଅ ।

 

–ଭୁଲି ଯାଇଚ ସବୁ ?

 

ସବୁ ? ନିରୁର ପ୍ରସାରିତ ଆଖି ଆଗରେ ଅତୀତର ସବୁ ପୃଷ୍ଠା ଯାକ ତନ୍ନତନ୍ନ ଛିନ୍ନ ଭିନ୍ନ ହୋଇ ବିଛେଇ ହୋଇ ପଡ଼ିଲା–

 

ହଁ ଇଏ ! ଏଇ ତରୁଣ ରୁଦ୍ର ପ୍ରସାଦ–କିଶୋରକୁ ଆଖି ଉହାଡ଼ରେ ରଖି ଦିନେ ୟାକୁହିଁ ବଡ଼ ସୁନ୍ଦର ବୋଲି ପସନ୍ଦ କରିଥିଲା ସେ । ମେଳାପି । ସୁସ୍ଥ-ଖୁସ୍‌ମିଜାଜ । କୌତୁକିଆ ପିଲାଟା କଥାରେ କଥାରେ ମଣିଷକୁ କୁତୁକୁତେଇଲା ପରି ହସେଇ ଗଡ଼େଇ ଦିଏଁ । ଜାଣି ଜାଣି ଦେହ ଉପରେ ନ ଜାଣିଲା ପରି ଛେପ ପକାଏ; ଅତି ଭଦ୍ରତା ଦେଖାଇ ଗଭୀର ଦୁଃଖ ପ୍ରକାଶ କରି ପୁଣି ଚାଟି ଦିଏ । ମହାଳିଆ କଥାରେ ଜୀବନ ହଜା ରହସ୍ୟ ସୃଷ୍ଟି କରି ଚଲା ବାଟର ଅଚିହ୍ନା ଲୋକକୁ ଟାଣି ନେଇପାରେ ।

 

କଲେଜର ଖୋଲା ‘ଦେଖା ଚାହାଁ’, ମିଳା ମିଶାର ବଜାରରୁ ନିରୁକୁ ସେ’ ଆକୃଷ୍ଟ କରି ନେଇଥିଲା–ହୁଏତ ନିଛାଟିଆରେ ତରୁଣୀ ସାଙ୍ଗରେ ଖେଳିବା ପାଇଁ ବାଧାହୀନ ଅବସର ପାଇଥିଲା ବୋଲି । ଛାତ୍ରୀ ଜୀବନର କଠୋରତା ଶୂନ୍ୟ, କଟକଣା ହୀନ ଚଳଣି ତାକୁ ସେ ସୁଯୋଗ ଦେଇଥିଲା ବୋଲି । ନିରୁବି ତାକୁ ପଛେ ପଛେ ଧାଇଁବାକୁ ବାରଣ କରି ନଥିଲା । ବୟସର କୁଳୁ କୁଳୁ ସ୍ରୋତରେ ଲହରେଇ ଲହରେଇ ତରୁଣୀତ୍ୱ ତା’ର ଭାସୁଥିଲା । ଲଗାମ ଛିଣ୍ଡା ଯୌବନରେ ସବାର ସାଜି, ସେ, କଲେଜର ଗଡ଼ ଗଡ଼ ଗଡ଼ାଣିଆ ଆଲକାତରା ଢଳା ଖସଡ଼ିଆ ରାସ୍ତାରେ ରୂପ ଓ ଯୌବନର ଘୋଡ଼ା ଛୁଟେଇ ଥିଲା । ତାରା ଖଚିତ ଆକାଶ ପରି ନୀଳ ଶାଢୀ, ଚଇତ ସନ୍ଧ୍ୟାର ପବନ ଭଳି ହୁଗୁଳା ପିନ୍ଧା ପଣତ, ଉଡ଼ୁଥିଲା ଫର ଫର-ଫର ଫର । ପାଖେ ପାଖେ ଚରି ବୁଲୁଥିଲା ରୁଦ୍ରର ଲୋଭିଲା ଆଖି–ଆଇଁସିଣିଆ ଚାହାଣୀ; ଥରକୁ ଥର ତାକୁ ସାବଧାନ କରି ଦେଉଥିଲା । ପୁରି ରହିଥିଲା ସେଥିରେ ଯୌନ ଲାଳସା ଜନିତ ଶିହରଣ । ତଥ୍ୟ ହୀନ ଦିଗ୍‌ବଳୟର ସୌନ୍ଦର୍ଯ୍ୟ ଭଳି ଆନନ୍ଦ । ତଥାପି ରୁଦ୍ରର ଲହ ଲହ ବହ୍ନି ପରି ଜଳିଲା କାମନାକୁ ଗ୍ରହଣ କରି ନଥିଲା ସେ । ରୁଦ୍ର ଯେବେ ଚାହିଁଥିଲା ଅବାଧ ମିଳନର ମାୟା ସାଗର ଭିତରେ ହଜି ଯିବା ପାଇଁ, ନିରୁ ତାକୁ ନିର୍ମମଭାବେ ଅଟକେଇ ଦେଉଥିଲା ! ତଥାପି ସାଧାରଣ ବନ୍ଧୁ-ସାନିଧ୍ୟ ପାଇଁ ବାରଣ କରି ନଥିଲା । ଏଣୁ ହୁଏତ ବାଧା ଦେଇ ଦେଇ–ଦେଇଥିଲା ପ୍ରଶ୍ରୟ ।

 

ପାଖରେ ଥିଲେ କିଶୋର ହୁଏତ ରୁକ୍ଷତା ଦେଖାଇ ବାଧା ଦେଇଥାନ୍ତେ କିନ୍ତୁ ସେ ଥିଲେ ବିଲାତରେ । ପାଠ ପଢ଼ୁଥିଲେ । ଆଉ ବାପା ? ଆଧୁନିକ ସଭ୍ୟତାର ପ୍ରେମ ତାଙ୍କୁ ସମ୍ପୂର୍ଣ୍ଣ ପାଗଳ କରିଥିଲା । ସେ ସୁଶିକ୍ଷିତା ଝିଅର କୌଣସି ରୁଚି ଉପରେ ହସ୍ତକ୍ଷେପ କରିବାକୁ ଚାହୁଁ ନଥିଲେ । ତେଣୁ ହୁଏତ ସବୁବେଳେ ରୁଦ୍ରର ଚଗଲା ଅର୍ଦଳିରେ ଉସ୍ୱାସିଆ ଜୀବନ ଯାପନ କରିବାକୁ ଭଲ ବି ତାକୁ ଲାଗୁଥିଲା । ସେଥିପାଇଁ ରୁଦ୍ରର ବନ୍ଧୁତାକୁ ବାନ୍ଧି ରଖିବାକୁ ଯତ୍ନ ବି କରିଥିଲା ସେ ।

 

ରୁଦ୍ରର ମୁହଁକୁ ଚାହିଁ ନିରୁ ଆଉ ଥରେ ଭୟଭୀତ ହୋଇ ପଡ଼ିଲା । ମନ ଭିତରର ତାପ ଆଡ଼େଇ, ମାଡ଼ି ପଡ଼ିଲା ଅତୀତର ଛାଇ । ସତେତ ! ନିଜେହିଁ ନିଜର ଅତୀତକୁ ଜଟିଳ କରି ପକେଇଚି ସେ !

 

ଯେତେବେଳେ ରୁଦ୍ର ଠିକ୍‌ ତାର ଏହି ବଳି ହୋଇ ପଦାରେ ବାହାର ଚମକୁ ଠେଲି ଉସ୍‌କି ପଡ଼ିଥିବା ମାଂସଳ ହାତର ବନ୍ଧନ ଭିତରକୁ, ଛମାସିଆ କଅଁଳ ଶିଶୁଟି ପରି ତାକୁ ଟେକି ନେଇଯିବା ପାଇଁ ସରାଗରେ ମିଶି ଆସୁଥିଲା ଓ ଦେହକୁ ଦେହରେ ମାଜି ଦେବା ପାଇଁ ବୁକ ଥରେଇ ଭାବୁଥିଲା, ନିରୁ ସବୁ ଜାଣୁଥିଲା । ଫଁ ଫଁ ନିଶ୍ୱାସର ତାତିଲା ନିଷ୍କାସନ–କରି ଦେଉଥିଲା ତାକୁ ସାବଧାନ । ରୁଦ୍ରର ନିଆଁ ଜାକିଲା ପରି ତୀବ୍ର ଚାହାଣୀର ଉତ୍କଟ ତାପରେ ଜଳି ଯାଉଥିଲା ତାର ମନ ।

 

ତିନି ବର୍ଷ ତଳେ–

 

ରୁଦ୍ର ଯେତେବେଳେ ତାର ଉଲ୍ଲସିତ ବକ୍ଷ ଉପରର ଧଳା ମଲ ମଲ ପତଳା ବ୍ଲାଉଜର ତୁଙ୍ଗ ତରଙ୍ଗ ମଙ୍ଗକୁ ତୁହାଇ ତୁହାଇ ଚାହୁଁଥିଲା, ସେତେବେଳେହିଁ ନିରୁ ଭାବିଥିଲା–

 

ତାର ଅନ୍ୟତମ ସାଧାରଣ ବନ୍ଧୁ ନୀରଦ ପରି ରୁଦ୍ର ନୁହେଁ । ରୁଦ୍ର ତାର ନିମନ୍ତ୍ରିତ ବନ୍ଧୁତା ମାଧ୍ୟମରେ ନିରୁର ଶରୀର ଓ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିବାକୁ ଚାହେଁ । ତେଣୁ ସେ ନାନା ପ୍ରକାର ବାଧା ସୃଷ୍ଟି କରି ଉତ୍ତେଜିତ ରୁଦ୍ରକୁ ନିବର୍ତ୍ତେଇ ନେଉଥିଲା । ଏଥିରେ ମର୍ମାନ୍ତିକ କଷ୍ଟବି ଅନୁଭବ କରୁଥିଲା । କାରଣ ସେ ଜାଣୁଥିଲା, ଯାହାର ବନ୍ଧୁତାକୁ ନିରୁ ସ୍ୱାଗତ କରୁଚି, ସେ ଅତି ନୀଚ ପ୍ରକୃତିର ଲୋକ । ହୁଗୁଳା ମନର ବ୍ୟକ୍ତି । ତଥାପି ନିରୁ ତାରି ବନ୍ଧୁତାକୁ ତ୍ୟାଗ କରୁ ନ ଥିଲା-। ସେ ଚାହୁଁଥିଲା, ତାର ମାର୍ଜିତ ସାହଚର୍ଯ୍ୟ ଭିତରେ ରୁଦ୍ର ତାର ଚରିତ୍ରକୁ ଶକ୍ତ ଓ ନିଷ୍କଳଙ୍କ କରିବାର ଅଭ୍ୟାସ କରୁ । ନିଜେ କଣ କରିବାକୁ ଯାଉଚି, ବିଚାର କରିବାର ଅବସର ପାଉ ।

 

ତେଣୁ ସେ ରୁଦ୍ରକୁ ଭଲ ପାଇବା ପାଇଁ ବଳେଇ ଯାଉଥିଲା । ଏବଂ.....

 

ଏବଂ–ଚମକି ପଡ଼ିଲା ନିରୁର ଭାବନାମଗ୍ନ ମନ ।

 

ଏବଂ କିଶୋରର ନୈବେଦ୍ୟ ହୋଇ ଆସୁଥିଲା ସେ । ତା’ ପାଇଁତ ବାପା ଏତେ ହକ୍‌ ଟଙ୍କା ଦେଇ ପର ପୁଅ କିଶୋରକୁ ପାଠ ପଢ଼ାଉ ଥିଲେ ।

 

ନ ହେଲେ ହୁଏତ ସେ ରୁଦ୍ରର ଉନ୍ମତ୍ତ ଆବେଦନକୁ ଦାରୁଣ ଭାବେ ଉପେକ୍ଷା ନ କରି ତା’ ସହିତ ପ୍ରେମ କରିବା ପାଇଁ ଲହଁପି ପଡ଼ିଥାନ୍ତା । କିନ୍ତୁ କିଶୋର ବାବୁଙ୍କ ଗମ୍ଭୀର ସ୍ୱଭାବ ଦୂରରେ ଥିଲେବି ନିରୁକୁ ସାବଧାନ କରି ଦେଉଥିଲା ସବୁବେଳେ ।

 

ତେବେ ଏତେଦୂର ଆଗେଇ ଯିବା ପାଇଁ କାହିଁକି ସେ ରୁଦ୍ରକୁ ପ୍ରଶ୍ରୟ ଦେଇଥିଲା ?

 

ତା’ ପୂର୍ବରୁ ନୀରଦ ଥିଲା ତାର ବାଲ୍ୟ ବନ୍ଧୁ । ସେ କିନ୍ତୁ ଅନ୍ୟତ୍ର ଚାଲି ଯାଇଚି ଓ ତା’ ସ୍ଥାନ ମାଡ଼ି ବସିଚି ରୁଦ୍ର !

 

ଗରିବ ହେଲେ ମଧ୍ୟ କିଶୋର ବୁଦ୍ଧିମାନ–ଜ୍ଞାନି ବାପା ତାଙ୍କୁ ଖୁବ୍‌ ଆଦର କରୁଥିଲେ । ନୀରଦକୁ ବି ସେ’ ସ୍ନେହ କରନ୍ତି । କିନ୍ତୁ ନୀରଦ ଟିକିଏ ଦୁଷ୍ଟ ଥିଲା ଓ ଚାଲି ଗଲାଣି ।

 

ନିରୁପମା ନିବିଷ୍ଟ ଚିତ୍ତରେ ଭାବୁଥିଲା–

 

ବାପାଙ୍କ ଚେଷ୍ଟାରେ କିଶୋର ବାବୁଙ୍କର ଦ୍ରୁତ ଉନ୍ନତି ହୋଇଥିଲା ।

 

କିନ୍ତୁ ରୁଦ୍ର–

 

ବଜାରି–ସବୁବେଳେ ଖେଁ ଖେଁ ହେଉଥାଏ । ଖେଚଡ଼....

 

ତଥାପି ଅଜାଣତରେ ରୁଦ୍ରକୁ ସେ’ କଣ କେବେ....

 

ନିରୁପମାର ଆଖି ବୁଜି ହୋଇଗଲା । ସେ’ ଆଉ କିଛି ଭାବି ପାରିଲା ନାହିଁ ।

 

–କଣ ଭାବୁଚ ନିରୁ ? ନୀରବତା ଭାଙ୍ଗି ରୁଦ୍ର ପଚାରିଲା ।

 

–ହଁ ହଁ...ଖୋଜୁଥିଲି ତମ ପ୍ରଶ୍ନର ଜବାବ । ବାଧ୍ୟ ହୋଇଛି ଭୁଲିଯିବା ପାଇଁ ।

 

–ଏତେ ଖୋଜି ଖୋଜି ମାତ୍ର ଏତିକି ଜବାବ ପାଇଲ ?

 

–ଆହୁରି ଅଛି ।

 

–କଣ ?

 

–ଭୁଲିଯାଇ ଭଲ କରିଚି ବି ।

 

–ଏଁ ? ରୁଦ୍ର ଚହଲି ପଡ଼ିଲା ।

 

–ହଁ ।

 

–କିନ୍ତୁ....

 

–ଓଃ କିନ୍ତୁ କଣ ରୁଦ୍ର ? ମୋର ତ ସବୁ କଥା ଜାଣିଚ । ଫେରି ଯାଅ, ଜଲଦି ଯାଅ–

 

–ଇଚ୍ଛା କଲେ ଏବେ କଣ ମନେ ପକାଇ ପାରିବ ନାହିଁ ନିରୁପମା ?

 

–ଲାଭ ନାଇଁ । ଚାଲିଯାଅ ତୁମେ । ପରେ ଭାବି ଭାବି ବିଚାର କର ମୋର ଅବସ୍ଥା ବର୍ତ୍ତମାନ ମୁଁ କଣ; ଶୀଘ୍ର ଚାଲିଯାଅ ଏଠୁ ।

 

–ବେଶ୍‌ । ଚାଲିଯିବି ।

 

–ହଁ, ଜଲ୍‌ଦି ଯାଅ । ଚଲାବାଟ ତୁମର ଅମୃତ ହେଉ ।

 

–ଅର୍ଥାତ ?

 

–ଏପରି ଦି’ ଦିନର ଗୋଡ଼ଖସା ସମ୍ପର୍କ ନେଇ ସାରା ଜୀବନ ପାଇଁ କାଉଳି ହୁଅନି । ହଁ, ଶୁଣ–ଏହାହିଁ ହେଉ ମୋ’ ସହିତ ତୁମର ଶେଷ ଆଳାପ ।

 

–ଶେଷ !

 

–ହଁ, ଶେଷ ।

 

–ତେବେ....

 

–ଆଃ ! ଚଞ୍ଚଳ ଚାଲିଯାଅ ତୁମେ । କି ବିପଦ । ଯାଅ–ଚାଲିଯାଅ ।

 

–ଖାଲି ଖାଲି... ?

 

–ଆଉ–କଣ ଚାହଁ ? କହ, ସ୍ପଷ୍ଟ କହିଦିଅ ।

 

–ତମର ସେହି ରଙ୍ଗ ଠୁଳୁ ଠୁଳୁ ଅନିନ୍ଦ୍ୟ ହାତ ପାପୁଲିର ମୁଠିଏ ସ୍ପର୍ଶ–କଅଁଳ, ଅତି ସ୍ନିଗ୍‌ଧ ଆଞ୍ଜୁଳେ ଉଷୁମ୍‌ ଆଲିଙ୍ଗନ....

 

–ଇସ୍, କି ବର୍ବରତା !

 

ନିରୁପମା ଅତି ଚଞ୍ଚଳ ହୋଇ ପଡ଼ିଲା । ଆଖି ବୁଜି ସେ’ ଭାବିବାକୁ ଲାଗିଲା କଣ କରିବ ।

 

–ଅସମ୍ଭବ !

 

ବେଶୀ ନୁହେଁ । ରାତି ପ୍ରାୟ ଦଶଟା ଉପରେ ହେବ । ଚାକରାଣୀଟା ହାଲିଆ ହୋଇ ଶୋଇ ପଡ଼ିଚି । ଘରେ ଆଉ କେହି ନାହିଁ ।

 

ଦାଣ୍ଡ ପଟ ଝରକା ପାଖକୁ ଛପି ରହି ସବୁ କଥା ଲକ୍ଷ୍ୟ କରୁଚି କେବଳ ଜଣେ–ସୁଷମା-। ଅନ୍ୟ ପ୍ରଫେସରଙ୍କ ସାନ ଦେଢ଼ଶାଶୁ–ଅବିବାହିତା–ନାରୀନେତ୍ରୀ–ନିରୁପମାର ପ୍ରାୟ ପଡ଼ୋଶୀ ।

 

ସେ ଆଡ଼େ ନିଘା ରଖିବା ପାଇଁ କାହାରି ଅବସର ନାହିଁ ।

 

ନିରୁପମା ଭାବୁଥିଲା, ଅନ୍ତତଃ ଚାକରାଣୀଟାର ନିଦ ଯଦି ଭାଜେ.... ସେ’ ବିବ୍ରତ ହୋଇ ପଡ଼ିଲା ।

 

–ଖୁବ୍‌ଚିନ୍ତା କରି ଦେଖ ରୁଦ୍ର । ବର୍ତ୍ତମାନ ମୁଁ ସମୁଦାୟ ପରର । ଚଞ୍ଚଳ ଫେରିଯାଅ । ନଚେତ୍‌ବିପଦ ।

 

–ପରର ?

 

–ହଁ ।

 

–ତେବେ ମୁଁ କଣ ପର ନୁହେଁ ନିରୁ ? ମୋତେ ବି’ତ ତମେ ନିଜର କରିପାର ।

 

–ଅସମ୍ଭବ ।

 

–ଅର୍ଥାତ ?

 

–ତୁମର ହୋଇପାରେ ନା ।

 

–ଆଉ ?

 

–ଅନ୍ୟର ।

 

–ମୁଁ କଣ ‘ଅନ୍ୟ’ ନୁହେଁ ନିରୁ ?

 

–ଜଲଦି ଫେରିଯାଅ ରୁଦ୍ର । ପାରିବି ନାହିଁ ତମ ସଙ୍ଗେ ଆଉ ଯୁକ୍ତିତର୍କ କରି ।

 

ଅନୁତାପ କରିବା ପାଇଁ ବି ଏବେ ବେଳ ନାହିଁ । ନିରୁ ଭାବୁଥିଲା, କାହିଁକି ଏ ଚଗଲା ଟୋକାଟାକୁ ସେ’ ଏତେଦୂର ପ୍ରଶୟ ଦେଇଥିଲା–

 

ଯୁବତୀ ଦେହ ନେଇ କଲେଜର ଅନାକଟ ବାଟରେ ସୁନ୍ଦର ଆଉ ବଳିଷ୍ଠ ଯୁବକର ହସହସ ବନ୍ଧୁତାର ନିବେଦନକୁ ଆଡ଼େଇ ଦେଇପାରି ନଥିଲା । କିଶୋର ଯଦି ବର୍ଷ ବର୍ଷ ଧରି ତା’ ପାଖରେ ଅନୁପସ୍ଥିତ ରହୁ ନଥାନ୍ତେ, ହୁଏତ ଏତେ ସୁବିଧା ରୁଦ୍ର ପାଇ ନଥାନ୍ତା ଓ ଏତେଦୂର ବହପି ପାରି ନଥାନ୍ତା ।

 

ପିପାସିତ ଯୌନ ଜୀବନର ନିରୋଳା ବେଳା ଗୁଡ଼ିକୁ ଖାଲି ବହି ପଢ଼ି ପଢ଼ି ବିନାଶ କରି ଦେବାକୁ ତାକୁ ଭଲ ଲାଗୁ ନଥିଲା ଏବଂ ଏ ସୁଯୋଗ ଗ୍ରହଣ କରି ପାରିଥିଲା ରୁଦ୍ରର ସରସ ସୁନ୍ଦର ଯୁବକ ବନ୍ଧୁତାର ଆବେଦନ ।

 

ଆଜି ତାର ମନେ ପଡ଼ୁଚି, କିଶୋର ଯେତେବେଳେ ଛୁଟିରେ ଫେରନ୍ତି ବିଲାତରୁ, ରୁଦ୍ର ଆଉ ଭରସି ପାରେ ନାହିଁ । ଘରକୁ ମୋଟେ ଆସେ ନାହିଁ । କଲେଜରେ ଦେଖା ହେଲେ ବି ସାହାସ କରି ପାଖେଇ ପାଖେଇ ହସେ ନାହିଁ । ସେ ମଧ୍ୟ ବଳାତ୍କାର କରେ ନାହିଁ । କିନ୍ତୁ ଛୁଟି ଶେଷରେ କିଶୋର ଫେରିଗଲେ, ସେ’ ଏକାନ୍ତ ନିଛାଟିଆରେ ବିବ୍ରତ ହୋଇପଡ଼େ । ବେଳ ସରେ ନାହିଁ । ଢଳ ଢଳ ତରୁଣୀତ୍ୱ ତାର ଗମ୍ଭିରତା ଭିତରେ ମରିବା ପାଇଁ ଭୟ କରେ । ରୁଦ୍ର ବନ୍ଧୁତା ଦେଖେଇ ପାଖକୁ ଆସେ । ନମସ୍କାର କରେ । ସେ’ ବାରଣ କରେ ନାହିଁ–ହୁଏତ ଏହି ବାରଣ ନ କରିବା ହୋଇଚି ଆଜି ତା’ର ଭୁଲ ।

 

ମା’ତ ନ ଥିଲେ ଶିଖେିବାକୁ । ଆଉ ଘରେ କିଏ ବା ଥିଲା ? ବାପା–ପକ୍କା ଆଧୁନିକ ବିଳାସୀ । ସେ’ ଝିଅର ପୂର୍ଣ୍ଣ ସ୍ୱାଧୀନ ବିଳାସ କାମନା କରୁଥିଲେ ।

 

କଲେଜର ଫାଷ୍ଟ ଇୟର ଠାରୁ ଅପରିଚିତ ଛାତ୍ର ରୁଦ୍ର ପ୍ରସାଦ–ଘନିଷ୍ଟ ବନ୍ଧୁ ହୋଇ ଆସିଥିଲା । ଅନେକବାର ତାକୁ କନକନିଆ ଦୃଷ୍ଟିରେ ଅନେଇ ଛନ୍ନଛନ୍ନ ହୋଇ ପଡ଼ିଥିଲା । ହାତ ଧରି ଅନେକ ବାଟ ଯାଏ ଚାଲିଥିଲା । ଚାଲିବାରେ ସେ’ବି ପାଇଥିଲା ଶିଥିଳ ଆନନ୍ଦ । କାରଣ–ତା’ ମନ ଆଉ ରୁଦ୍ରର ରୂପ ଏବଂ ତେଜ ଗୋଟିଏ ବଂଶୀର ତାନରେ ତାଳ ସର୍ଜିଥିଲେ ।

 

ମାତ୍ର କେବେ ବନ୍ଧୁ ହୋଇ ଏପରି ଦୁଃସାହସ କରିବ ବୋଲି ସେ ଆଶା କରି ନଥିଲା ।

 

ସୁଷମା ପାଟି କାମୁଡ଼ି ଆଖି ଢେଲା ଢେଲା କରି ଝରକା ବାଟେ କାନେଇ ଥିଲା । ଯେମିତି ସେ ଗୋଟାଏ ଅତି ମୂଲ୍ୟବାନ ଭୂଗର୍ଭର ତଥ୍ୟ ଆବିଷ୍କାର କରୁଚି । ସେ’ ପାଦ ଚିପି ଚିପି ଘର ପଛ ପଟର ଝରକା ପାଖକୁ ଚାଲିଗଲା ।

 

–ତା’ ହେଲେ....ତା’ ହେଲେ ସ୍ୱୀକାର କର–ଆଜି ହାରିଚ ତମେ–ଆସ–ମୋତେ ବାଧା ଦିଅନା–

 

ରୁଦ୍ର ଖୁବ୍‌ଉତ୍ତେଜିତ ହୋଇ ପଡ଼ିଥିଲା ।

 

–ନା ନା, ଓଃ ! କଣ କରିବି ମୁଁ ? ନିରୁ ବେହୋସ୍‌ ହେଲା ଭଳି କାନ୍ଥ କଡ଼କୁ ଢଳି ପଡ଼ିଲା ।

 

ଭାବୁଥିଲା, ଗୋଟାଏ ଗୋଇଠା ମାରି ଆତୁର, କାମୁକ ରୁଦ୍ର ପ୍ରସାଦକୁ ଦୁଆର ସେପାରି ଫୋପାଡ଼ି ଦେବ । କିନ୍ତୁ ଫଳାଫଳ ? ତା’ର ବିଚାର ବିଚକ୍ଷଣତାରେ ନିରୁ ଦେଖୁଥିଲା, ଗୋଳମାଳ ହେବ; ଲୋକେ ଜାଣିବେ । ଛ’କୁ ନ କରି ଦାଣ୍ଡରେ ଥୋଇବେ–ଶୁଣିବେ ଯଦି କିଶୋର, କଣ କହିବେ ? ତେଣୁ–ତେଣୁ ସେ’ ନିର୍ବାକ୍‌, ନିସ୍ପନ୍ଦ ଓ ଅବଶ ହୋଇ ପଡ଼ିଲା ।

 

ସଁ ସଁ କରି ଆଗେଇ ଆସିଲା ରୁଦ୍ର । ଏବେ ମଧ୍ୟ ସେ’ ଛାତ୍ର । ଆଧୁନିକ ସଭ୍ୟତାର ବିଶୃଙ୍ଖଳା ଭିତର ଦେଇ ଛାତ୍ର ହୋଇ, ସେ’ ଯେଉଁ କଦର୍ଯ୍ୟ ମନୋବୃତ୍ତି ପାଇଁ ପ୍ରେରଣା ପାଇଚି, ତାରି ଚୋଦନାରେ ବଳିଷ୍ଠ ହାତ ଦୁଇଟାକୁ ପ୍ରସାରି ଦେଇ ମୁଠେଇ ଧରିଲା ନିରୁପମାର ନାଲି ଧାର ଧାର ରେଖାଇତ ପାପୁଲି ଦୁଇଟାକୁ । ଅତି ଅସ୍ଥିର ଭାବେ କଂପି ଉଠିଲା ନିରୁପମାର ଅଙ୍ଗ ପ୍ରତ୍ୟଙ୍ଗ-। ଝଞ୍ଜା ଘାତରେ ଧଳା ମେଘ ଖଣ୍ଡ ପରି ଘୂରିବାକୁ ଲାଗିଲା ତା’ର ବ୍ୟଥିତ ମନ, ହୃଦୟ । କଣ କରିବ ?

 

ସେ’ କେବଳ ଚିନ୍ତା କରୁଥିଲା–

 

କିଶୋର ସହିତ ତାର ବିବାହ ହେବା ଦିନ ଠାରୁ ରୁଦ୍ର ସହିତ ଆଉ ତାର କେବେ ଦେଖା ହୋଇ ନଥିଲା । କଥା ବାର୍ତ୍ତାତ ଦୂରର କଥା । ଚାହିଁ ନଥିଲା ବି ।

 

ରୁଦ୍ର ମଧ୍ୟ ନିରୁ ସହିତ ମିଶିବାର ସାହସ କରିପାରି ନଥିଲା । କାରଣ, ପ୍ରଫେସର କିଶୋରଙ୍କ ଉପସ୍ଥିତି ତାକୁ ସବୁବେଳେ ଦବେଇ ଦେଉଥିଲା ।

 

ନିରୁର ଭାବନା ଭାଙ୍ଗିଗଲା । ରୁଦ୍ର ତାର ହାତକୁ ଆହୁରି ଜୋରରେ ଟାଣୁଥିଲା । ହୁଏତ ସେ’ ନିସ୍ତୁକ ଧକ୍କାଟିଏ ଦେଇ ପେଲି ଦେଇଥାନ୍ତା । ଚିତ୍କାର କରି ଶୋଇବା ଲୋକଙ୍କୁ ଉଠେଇଥାନ୍ତା-! କିନ୍ତୁ ସେ’ ଭାବୁଥିଲା, ଏହାଦ୍ୱାରା ତାର ଅତୀତ ବୋଳା ବର୍ତ୍ତମାନର ଅବସ୍ଥା ଉପରେ ଦୋହଲୁ ଥିବା ଉନ୍ନତ ଭବିଷ୍ୟତରେ କଳଙ୍କ ଲାଗିବ ନାଇଁତ ?

 

ଭୟ ଓ ଲୋଭର ସଂଘର୍ଷ ଜନିତ ଉତ୍ତେଜନା ଭିତରେ ରୁଦ୍ର ସାଉଁଟି ତୋଳି ନେଉଥିଲା ନିରୁପମାକୁ । ଶିହରଣ ଖେଳି ଯାଉଥିଲା ରକ୍ତରେ ରକ୍ତରେ ।

 

ହଠାତ୍‌ ଦୁଆର ଏ ପାଖେ ଖଉର୍‌ କଲା ଇତର ପାଦର ଜୋତା ଶବ୍ଦ !

 

ଏଁ.... ରୁଦ୍ର ଚମକି ପଡ଼ିଲା ।

 

ନିରୁ ଛାନିଆଁ ହେଲା ।

 

ଓଃ !

 

କିଶୋର ଥର ଥର ଦେହ । ଥଳ ଥଳ ଆଖି । କଟକରୁ ସଦ୍ୟ ପ୍ରତ୍ୟାଗତ କିଶୋରଙ୍କ ହାତରୁ ବେଗ୍‌ଟି ଖସି ପଡ଼ିଲା ।

 

ରୁଦ୍ର ଚାହିଁ ପାରିଲା ନାହିଁ । ତା’ରି ଦର୍ଶନ ଅଧ୍ୟାପକ–

 

ନିରୁପମା ହାଣଖିଆ ସାପ କାନ୍ଥରୁ ଖସିଲା ପରି ଖସି ପଡ଼ିଲା ତଳେ ।

 

ତଳ ଉପର ହୋଇ, ଖଣ୍ଡ ବିଖଣ୍ଡ ହୋଇ ବସୁନ୍ଧରାଟା ଯେମିତି ଚକ୍ର ପବନରେ ଉଠି ଯାଉଚି ଉପରକୁ । କମ୍ପିତ ପାଦକୁ ବୁଲେଇ ନେଇ ଫର୍‌ କିନା ଫେରି ପଡ଼ିଲେ କିଶୋର !

 

ସାମାଜିକ ମଣିଷ ସଂସାରର ସର୍ବାପେକ୍ଷା ଗର୍ହିତ ତିରସ୍କାର–

 

ସେ’ ଘଡ଼ିଏ ବି ସେଠି ଠିଆ ହୋଇ ରହି ପାରିଲେ ନାହିଁ । ଚାହିଁ ପାରିଲେ ନାହିଁ ।

 

ଆଉ କଣ କରିଥାନ୍ତେ ?

 

ତାଙ୍କର ଭର୍ତ୍ତା ସୁଲଭ ଇର୍ଷାନ୍ୱିତ ମନ ଚାହୁଁଥିଲା, କୋରାପୁଟ ଜିଲ୍ଲାର ବଣ୍ଡା ଧାଙ୍ଗ୍‌ଡ଼ା ପରି ବିଷାକ୍ତ ଶର ବିଦ୍ଧ ରୁଦ୍ର ପ୍ରସାଦର ପେଟ କଣା କରି ଦିଅନ୍ତେ । ନିରୁପମାର ଚକ୍‌ ଚକ୍‌ ଜଳିଲା ସୁନାର ଦିହକୁ ବଣ ଭିତରର ଝୋଲା ପାଖ ସୁଖିଲା ଖୁଣ୍ଟରେ ଭୁସିଦେଇ ଟିକି ଟିକି କରି ଛିଣ୍ଡେଇ ଛିଣ୍ଡେଇ ସିଝେଇ ସିଝେଇ ମାଉଁସ ଖାଆନ୍ତେ ।

 

କିନ୍ତୁ ତା’ କରି ପାରିଲେ ନାହିଁ ।

 

ନରହତ୍ୟା !

 

ଇସ୍‌..... ଆଖି ତାଙ୍କର ବୁଜି ହୋଇଗଲା ।

 

ରୁଦ୍ରର ଯୌବନ ଓ ଅତି ସାହାସିକତାର ଯେତେ ଉଦ୍ଧତ ପଣିଆ, ଧଇର୍ଯ୍ୟ, ସବୁ ଜଳି ଯାଇଥିଲା । ସେ ହୋଇ ପଡ଼ିଥିଲା ନିତାନ୍ତ ମର୍ମାହତ ଓ ନିସ୍ତେଜ ।

 

ଯେତେବେଳେ ରୁଦ୍ର ମନମୁଗ୍‌ଧ ନାଗ ସାପ ପରି ଗୋଟିଏ କୋଣରେ ଠିଆ ହୋଇ ଦେଖିଲା, କିଶୋର ସଙ୍ଗେ ସଙ୍ଗେ ଦ୍ରୁତ ପଦକ୍ଷେପରେ ବାହାରକୁ ଚାଲି ଯାଉଛନ୍ତି–କ୍ଷଣ, ମାତ୍ର ବିଳମ୍ବ ନ କରି କ୍ଷେପାମାରି ସେ’ ପାଚେରି ଡେଇଁ ଚାଲି ଯିବାକୁ ବାହାରି ଆସିଲା । ଅସହାୟ ଭାବେ ତାର ଗୋଡ଼ ଥରୁଥିଲା । ତେଣୁ ସେ’ ଯେତେ ଚଞ୍ଚଳ ଯିବାକୁ ଚେଷ୍ଟା କରୁଥିଲା, ତାର ଗୋଡ଼ ହାତ ତେତେ ବିଶୃଙ୍ଖଳ ହୋଇ ପଡ଼ୁଥିଲା ।

 

ପାଚେରି ଡେଇଁ ଯିବାକୁ ସେ’ କଲେଜ ଦୁଆର ଏ ପଟର ରାସ୍ତା ଅତିକ୍ରମ କରି ଚାଲି ଯାଉଥିଲା; ରାସ୍ତା ଉପରୁ ଟର୍ଚ୍ଚ ପକାଇ ସୁଷମା ପଚାରିଲା, କିଏ ?

 

ମୁଁ–ରୁଦ୍ର ଜାଣେ, ସୁଷମା ତାକୁ ଭଲ କରି ଚିହ୍ନେ । ତେଣୁ ତାର ଦଉଡ଼ି ପଳେଇବାର ଶକ୍ତି ସ୍ତବ୍‌ଧ ହୋଇ ପଡ଼ିଲା । ସେ’ ଠିଆ ହୋଇ ସୁଷମାକୁ ନମସ୍କାର କଲା । ରୁଦ୍ର ତେତେ ବିଚଳିତ ନ ହୋଇ ମନେ ମନେ ଦମ୍ଭ ବାନ୍ଧିଲା, କାରଣ ସେ’ ଜାଣେ, ସୁଷମା କେବେ ତା’ ପ୍ରତି କଠୋର ହୁଏ ନାହିଁ ।

 

–କିଏ–ରୁଦ୍ର ?

 

–ହଁ । ଓଃ ଆପଣ ! ଆଉ କିଏ ବୋଲି ମୁଁ ଡରି ଯାଉଥିଲି ।

 

–ଡରିବାର କାରଣ ?

 

–ନାଇଁ ଯେ....

–ଏତେ ରାତିରେ କୁଆଡ଼େ ?

–ବୁଲି ଯାଇଥିଲି ।

–ଚୋରୀ କରିବାକୁ ?

–ଧରନ୍ତୁ–

ସୁଷମା ହସିଲା । ତା’ ମାନେ–ନିରୁ ସହିତ ତୁମର ଭଲ ବନ୍ଧୁତା ଥିଲା ପରା....–ଥିଲା ।

–କିଶୋର ଫେରି ନାହାନ୍ତି ତ ?

–ଛାଡ଼ନ୍ତୁ ।

–ଖୁବ୍‌ ତ୍ରସ୍ତ ଦେଖା ଯାଉଛ ଯେ !

–କ୍ଷମା କରିବେ । ମୁଁ.....

ରୁଦ୍ର ଚଞ୍ଚଳ ପଳେଇଯିବା ପାଇଁ ଉଦ୍ୟତ ହେଉଥିଲା । ଅଟକେଇ ଦେଇ ସୁଷମା କହିଲା–

 

–ଯା’ ହଉ, ବର୍ତ୍ତମାନ ନିର୍ଭୀକ ହୋଇଯାଅ । ଆସ ମୋ’ ସହିତ ।

 

ଆଉ ଉପାୟ ନ ଥିଲା ।

 

ସୁଷମାର ପଛେ ପଛେ ରୁଦ୍ର ଚାଲିଲା, ଅନ୍ୟ ପ୍ରଫେସରଙ୍କ ଘରର ଗୋଟିଏ ନିର୍ଜନ–ସୁଷମାର ଶୟନ କକ୍ଷ ଭିତରକୁ ।

 

ଗୋଟାଏ ଆରାମ ଚଉକି ଦେଖାଇ ଦେଇ ସୁଷମା କହିଲା, ଶୁଣିଲ ରୁଦ୍ର, ମୁଁ ତୁମକୁ ଖୁବ୍‌ଭଲ କରି ଜାଣେ । ବିଶେଷତଃ ଚେସ୍‌ ଓ ଫୁଟବଲ ଖେଳବେଳେ ତୁମର ଯେଉଁ ପରାକ୍ରମ–ଭାରି ଶ୍ରଦ୍ଧା ଲାଗେ । ଜାଣେ, ନିରୁ ପରି କଲେଜର ବହୁ ଛାତ୍ରୀ ତୁମର ନିବିଡ଼ ବନ୍ଧୁତା ଚାହାନ୍ତି । ମୁଁ ମଧ୍ୟ ତୁମର ସବୁ ପ୍ରକାର ବିଜୟ କାମନା କରେ । ଆଚ୍ଛା ନିରୁ କଣ ଆଗରୁ ତୁମକୁ ଭଲପାଏ ?

 

–ହଁ ସେମିତି....

 

–ସେମିତି ! ଅର୍ଥାତ୍‌? ଅନ୍ତର ଭରି ନୁହେଁ ?

 

ରୁଦ୍ରକୁ ବଡ଼ ଲାଜ ଲାଗିଲା । ତଥାପି ତୁଣ୍ଡରୁ ତାର ବାହାରି ପଡ଼ିଲା–ଖାଲି ଭଣ୍ଡେଇ ଭଣ୍ଡେଇ ନେଇଚି । ରାଢ଼ୁଣୀଟା !

 

ସୁଷମାର ମନରେ ବଡ଼ ଇର୍ଷା ହେଲା । ନିରୁ ରୁଦ୍ର ସହିତ ମିଶେ ! ତଥାପି ତାର ରୂପର ମୋହରେ ମୋହିତ ହୋଇନାହିଁ ? ରୁଦ୍ର–କି ସୁନ୍ଦର ଯୁବକ ! ଅନେକ ସମୟରେ ସୁଷମାର ପାଟିରୁ ଲାଳ ଗଡ଼ିପଡ଼େ ।

 

–ତଥାପି ଖୁବ୍‌ସାହସ କରି ପାରିଚ । ମୋର ବି ନିରୁର ଏ ଢଙ୍ଗ ଦେଖି ହାଡ଼ ଜଳି ଉଠେ ରୁଦ୍ର । ଟିକିଏ ରୂପ ପାଇଚି ବୋଲି, ନିଜକୁ ସତୀ ବୋଲି ଘୋଷଣା କରିବାକୁ ଯାଇ କମ୍‌ ଗର୍ବ କରେ ? ତେଣୁ ତା’ ଉପରେ ମୋର ଭାରି ରାଗ ହୁଏ । ଯା’ ହଉ ତମେ ବିଜୟୀ ହୁଅ । କିନ୍ତୁ ମୁହଁ ଶୁଖେଇଚ କାହିଁକି ?

 

ରୁଦ୍ର ଥଙ୍ଗ ଥଙ୍ଗ ହେଲା ।

 

–କହ, ମୁଁ କଣ କାହାକୁ କହି ଯାଉଚି ?

 

–କିଶୋର ପହଞ୍ଚି ଗଲେ ।

 

କିଛି ନ ଜାଣିଲା ପରି ସୁଷମା କହିଲା–ବାପ୍‌ରେ, ତା’ ହେଲେ.... ହଁ କଣ ହେଲାକି ? ଦେଖିଲା ?

 

–ଦେଖିଦେଲେ ଏବଂ ସଙ୍ଗେ ସଙ୍ଗେ ଚାଲିଗଲେ ।

 

–ଚାଲିଗଲା ?

 

–ହଁ ।

 

–କିଛି କହିନାହିଁ ?

 

–ନା ।

 

–ମାଇଚିଆଟେ । ତା’ ହାତରେ ହେବ କଣ ? ହଉ, କଣ କରି ପକେଇବ ? ନିଶ୍ଚିନ୍ତରେ ଚାଲିଯାଅ । ବେଳେ ବେଳେ ଇଆଡ଼େ ବି ଆସୁଥିବ । ବୁଝିଲ ?

 

ନମସ୍କାର କରି ରୁଦ୍ର ଟିକିଏ ସ୍ୱସ୍ତିର ନିଶ୍ୱାସ ମାରି ଚାଲିଗଲା ।

 

ସଡ଼କରେ ବିଜୁଳି ବତୀ ଜଳୁଥିଲା । ଝାଳ ଗମ ଗମ ହୋଇ ଚାଲି ଯାଉଥିଲା ରୁଦ୍ର । ସଡ଼କ କଡ଼ର ସିମେଣ୍ଟ ହିଡ଼ ଉପରୁ ଓହ୍ଲେଇ ଆସ ନିରଞ୍ଜନ କହିଲା, କି’ବେ–କାମଟା ସରିଗଲାତ ଅକୁହା ଅପୋଛା ମାରି ଦଉଚୁ ଛୁ ? କେଉଁଠିକା ପାଠରେ ?

 

–ଆ ଭାଇ ଆ । ସବୁ କହିବି । ଏବେ ବି ରୁଦ୍ରର ମୁହଁରେ ଆଶଙ୍କାର ଗଭୀର ଛାୟା ।

 

–ନିରଞ୍ଜନ ଟିକିଏ ଘୁଞ୍ଚି ଆସି ପଚାରିଲା, କଣ ହେଲାରେ ?

 

–ଆଉ ହବ କଣ....

 

–କହ ମ, ହେଲା କଣ ?

 

–ଆଚ୍ଛା, ଏକ୍‌ସପ୍ରେସ୍‌ ବସ୍‌ ଆସିଲା କେତେବେଳେ ?

 

–ଆଜି ଆସି ନଥିଲା ।

 

–ବୋଧହୁଏ ଏବେ ପହଞ୍ଚିଲା ।

 

–ହଁ, କଣ ହେଲା ତା’ ହେଲେ ।

 

–ପ୍ରଫେସର.....

 

–ପହଞ୍ଚି ଗଲେ ?

 

–ହଁ ।

 

–ଦେଖିଲେ ?

 

–ହଁ ।

 

–କଣ କରୁଥିଲୁ ?

 

–ତା’ ହାତକୁ ମୁଠେଇ ଧରିଥିଲି ।

 

–ନିରୁ ମନା କରୁଥିଲା କି ?

 

–ସାମାନ୍ୟ ଟାଣି ଓଟାରି ହେଉଥିଲା ।

 

–ହଁ, ପ୍ରଫେସର କଣ....

 

–ହଠାତ୍‌ଫେରିଗଲେ ।

 

–ଫେରିଗଲେ ? କୁଆଡ଼େ ?

 

–ଜାଣେ ନାହିଁ ।

 

–ଆବେ, ଚା ଜଲ୍‌ଦି ପଳେଇବା ।

 

ବାଟ ଭାଙ୍ଗି ଦୁହେଁ ଦ୍ରୁତ ଗତିରେ ଚାଲିଗଲେ ।

 

କିଶୋର ଭାବୁଥିଲେ–

 

ରକତ ମାଉଁସ–ହଲ ହଲ, ରଙ୍ଗ ରଙ୍ଗ, ତାଜା ଫୁଟନ୍ତା ରକତ ମାଉଁସକୁ ଚୁଚୁମା ଦେଇ ଶୋଷଣା ସୁଖ ଅନୁଭବ କରିବା ପାଇଁ ଯେଉଁ ସାମାଜିକ ଅନାଚାର, ଆଧ୍ୟାତ୍ମିକ ଦୁର୍ବିଚାର ଓ ବ୍ୟକ୍ତିଗତ ବ୍ୟଭିଚାର ଚାଲିଚି ତାଙ୍କର ଆଖି ଆଗରେ, ସେ ସବୁର ଧ୍ୱଂସ ସାଧନ କରି ଖୁନି ଆସାମୀ ହୋଇ କୋର୍ଟ କଚେରୀକୁ ଯିବେ ସେ ? କିଶୋର ?

 

ସାରା ଦେଶରେ ନା’ ପଡ଼ିଚି ଯା’ର–ପ୍ରଫେସର କାବ୍ୟ ବ୍ୟାକରଣତୀର୍ଥ, ଏମ.ଏ., ପିଏଚ୍‌. ଡି.,–ପଣ୍ଡିତ–ଦେଶର ଜଣେ ତଥାକଥିତ ଜ୍ଞାନି–

 

ପତ୍ନୀ ହତ୍ୟା ! ଛାତ୍ରକୁ ଖୁନି କରି, ନିରିମାଖି–ନିଶା ଛାଡ଼ିଥିବା ମଦୁଆ ଡମ୍ୱ ପରି କାଲି ସକାଳେ ଦାଣ୍ଡରେ ଠିଆ ହେବେ ?

 

କିଶୋର ଫେରି ଆସିଲେ । ହଠାତ୍‌ ଫେରି ଆସିଲେ । କିଛି କହି ପାରିଲେ ନାହିଁ । କଣ ବା କହିଥାନ୍ତେ ?

 

ଛାତ୍ର ରୁଦ୍ର ପ୍ରସାଦକୁ କ୍ଳାସରେ ଧମକ୍‌ ଦେଲା ପରି କଣ ଧମକେଇ ଧମକେଇ ପଚାରି ଥାନ୍ତେ–ତମେ ଭୁଲ କରିଚ । ମୋର ସ୍ତ୍ରୀ ସହିତ ପ୍ରେମ କରିବା ଉଚିତ ହୋଇନି । ପଚାରନ୍ତେ ? କେଉଁ ମୁହଁରେ ?

 

ଆଉ ?

 

ନିରୁକୁ ପଚାରିଥାନ୍ତେ–ତୁମେ ପରା ବିବାହିତା ? କାହିଁ ତମର ସତୀତ୍ୱ ? ପର ପୁରୁଷ, ଛାତ୍ର ସହିତ ପ୍ରେମ କରୁଚ ? ଏଟା କଣ ତୁମର ଅପରାଧ ନୁହେଁ ?

 

ସ୍ୱାମୀ ପରା ସେ ! ପଚାରି ପାରିଥାନ୍ତେଟି ?

 

ଖୁବ୍‌ଜୋରରେ ଲୁହା ଚଉକିଟାକୁ ଦୁଇ ହାତରେ ଉଠାଇ ନେଇ ଦିହିଁଙ୍କ ମୁଣ୍ଡ ଉପରେ ପିଟି ଦେଇଥାନ୍ତେ ? କିନ୍ତୁ କିଶୋର–ଶାନ୍ତ, ଶିଷ୍ଟ, ବିବେକୀ ବୋଲି ପରା ପିଲା ଦିନରୁ ଆଦର ପାଇ ଆସିଚନ୍ତି । ଏ ଜାଣିମାର ବୟସରେ ଫୋପଡ଼ା ମୁର୍ଖାମିକୁ ଆବରି ନେଇଥାନ୍ତେ ? ଖୁବ୍‌ ଧୈର୍ଯ୍ୟ ଧରି ପାରିଛନ୍ତି । ଅଢ଼େଇ ଦିନିଆ ଜୀବନର ବିହ୍ୱଳ ପରିସ୍ଥିତିରେ ସେ’ କଣ ଦୁଇ ଆଖି ବୁଜି ଦେଇଥାନ୍ତେ ? ସଂସାରକୁ ଖୁବ୍‌ବିଶ୍ୱାସ କରନ୍ତି । ଜୀବନକୁ ସମ୍ମାନିତ କରିବାକୁ କୁଦି ପଡ଼ନ୍ତି । ଯଦିବା ସଂସାରର ରୁଚି ଆଉ ଆଚାରକୁ ନୁହେଁ ।

 

କଟା ମେଣ୍ଢାର ଅନ୍ତ ବୁଜୁଳା ପରି କମ୍ପିବାକୁ ଲାଗିଲେ ଖାଲି ।

 

ହଠାତ୍‌ ତାଙ୍କର ମନେ ପଡ଼ିଲା, ଛୁଆଟି । ତାଙ୍କରି ଭାତ, ଡାଲି, ମାଉଁସ ଆଉ ଚାହା ସିଗାରେଟରେ ପୁଷ୍ଟ ଆୟୁଷକୁ ନିଗାଡ଼ି ଅସ୍ଥି ମଜ୍ଜା ଚୁଚୁମି ଚୁଚୁମି ସେ’ ପରା ଜନମ ହେଇଚି ?

 

ତାଙ୍କର ସନ୍ତାନ–ଉତ୍ତରାଧିକାରୀ !

 

ଆଉ ନିରୁ–ତାର ଜନନୀ । ଗରୀୟସୀ !

 

ବାଃ ! କିଶୋର ବାବୁଙ୍କର ଓଠରେ ତାଚ୍ଛଲ୍ୟର ହସ ।

 

ବିଜୟନଗରଠୁ ଜୟପୁର ଯିବା ବାଟର ‘ସାଲୁର’ ଘାଟି ଉପରେ ମଟର ଛୁଟିଲା ପରି, ଅଣନିଶ୍ୱାସି ହୋଇ, ଉଠି ପଡ଼ି, ବୁଲି କିନ୍ଦରି, ଘିର୍କା ମାରି ମନର ଭାବନା କିଶୋର ବାବୁଙ୍କ ମରମ ଦେଇ ଦଉଡ଼ିବାକୁ ଲାଗିଲା । ଯୁକ୍ତି ତର୍କର କେତେ ଉଠାଣି ପଡ଼ାଣିର ଧକ୍କାରେ କଚଡ଼ା ଖାଇ ଖାଇ ସେ’ ଭାବିବାକୁ ଲାଗିଲେ–ସେ ଦିନ ନିରୁ ନିଜେ ପୁରାଣରେ ପଢୁଥିଲା, ‘ପତ୍ନୀ ଅସତୀ ହେଲେ ସ୍ୱାମୀ ଅଳ୍ପେଇଷା ହୁଏ’ । ସତରେ ? ତା’ ହେଲେ ସେ କଣ ମରିଯିବେ ?

 

‘କାର୍ତ୍ତିକ ମହାତ୍ମ୍ୟ’ର ବୃନ୍ଦାବତୀ ଦେବୀଙ୍କୁ ମାୟାରେ ବିଷ୍ଣୁ ରମଣ କରି ସାରିବା ପରେହିଁ ଜଳନ୍ଧରର ଶିରଚ୍ଛେଦ କରିବାକୁ ଶିବ ସକ୍ଷମ ହୋଇଥିଲେ ?

 

ହିଁ ହିଁ ହୋଇ ହସି ଉଠିଲେ କିଶୋର ! ଏତେ ଦୃଢ଼ ସମ୍ପର୍କ ? ନାରୀ–ପୁରୁଷ ! ପତି–ପତ୍ନୀ !

 

ନ’ ହୋଇ ପାରେ କାହିଁକି ? ସହସା ଏପରି ଏକ ଦୁର୍ଘଟଣା ଘଟିଯାଇ ପାରେ, ଯେଉଁଥିରେକି କ୍ରୋଧାନ୍ଧ ହୋଇ ପଡ଼ିଲେ ହଠାତ୍‌ ମୃତ୍ୟୁ ହୋଇଯାଇ ପାରେ ।

 

ହାର୍ଟଫେଲ୍......

 

ହଁ, ହଁ, ପୋଥି ପୁରାଣର କଥା ମିଥ୍ୟା ନୁହେଁ । ତଥାପି କ’ଣ ଦୃଢ଼ ବନ୍ଧନହୀନ ସାମାଜିକ ତରୁଣୀ କେବେ ଚୋରା ପ୍ରୀତିର ସହଜ ଲଭ୍ୟ ସୁଖକୁ ଛାଡ଼ିଦେଇ ପାରେ ?

 

ନିରୁପମା କଣ ରୁଦ୍ର ପ୍ରସାଦ ସହିତ....

 

କିଶୋର ତଟସ୍ଥ ହୋଇ ପଡ଼ିଲେ ।

 

ସମୁଦାୟ ମୋର କରି ଯେଉଁ ତାଜା ଯୌନ କାମନାରେ ଆଉଟୁ ପାଉଟୁ ଦେହଟିକୁ ସେ’ ଆଉଜେଇ ଆଣିଥିଲେ ଚିର ଦିନ ଲାଗି ନିଜର କରି, ସେହି ନିରୁ–ଖିଲି ଖିଲି ହୋଇ ତାଙ୍କର ମାଉଁସିଆ ଜଂଘ ଉପରକୁ କୁଦି ପଡ଼ି ଯେ’ ବେକକୁ ଧରି ଓହଳି ପଡ଼ି କାନ ପାଖରେ ଚୁପେଇ ଚୁପେଇ କହୁଥିଲା, ‘‘ମୋ’ ରାଣ ଦେଇ କହଟି, କେବେ ମୋତେ ଗାଳି ଦେବ ନାଇଁ !’’

 

ସେହି ନିରୁ ଆଜି ଇତର ତରୁଣର ଧୈର୍ଯ୍ୟହୀନ କ୍ଷଣିକ ସ୍ୱପ୍ନ ବଲବଲ ଅଣ୍ଟିରେ ଉତ୍ତେଜିତ ବକ୍ଷର କ୍ଷୁଧାକୁ ଅଜାଡ଼ି ଦେଇଚି ! ପର ପୁରୁଷର ଉତ୍ତେଜିତ, କାମ–ଦଗ୍‌ଧ ଶରୀରକୁ ଖୋଳି ଆହାର ଖୋଳିଚି ! ପାରିଚି ? ହାୟ–

 

କିଶୋର ଘରୁ ବାହାରି ସିଧା କଲେଜ ହତା ଡେଇଁ ଚାଲିଲେ । ଆଗରେ କଳାରାତି–ପଛରେ ନିରୁ ଆଉ ରୁଦ୍ରର ଜଳିଲା ଜଳିଲା ସାମନା ସାମନି ଆଖି ଚାରୋଟି ! ମଝିରେ ଅନନ୍ତ ସମସ୍ୟା–

 

କଣ କରିବେ ସେ ?

 

କ’ଣ ତାଙ୍କର କର୍ତ୍ତବ୍ୟ ?

 

ଉଦ୍ଦାମ ଯୌବନ ଭରା, ରଣଝଣ ସୁନା ପରି ଦୀପ୍ତ, ନିରୀହ, ଅକ୍ଷମ ତରୁଣୀ ଦେହଟିଏ-! ନିରୁ–

 

କୋଳରେ ଗଦାଏ ତୁଳା ପରି ଶିଶୁ–

 

ରୁଦ୍ର ପ୍ରସାଦ ! ତରୁଣ–ଛାତ୍ର !

 

ଆଉ ସେ–ପ୍ରଫେସର !

 

ଛପେଇ ପାରିବେ ନିଜକୁ ?

 

ଜହ୍ନ ଉଇଁ ନ ଥିଲା ।

 

ଭଲ କରିଛନ୍ତି, ନିରୁର ଅନୁରକ୍ତି ବେଳା ରସାଳ ଅନୁରୋଧଟିକୁ ସେ’ ରଖି ପାରିଛନ୍ତି । ଗାଳି ଦେଇ ନାହାନ୍ତି । ହାତ ଉଠେଇ ନାହାନ୍ତି ।

 

କିନ୍ତୁ–

 

ମନରେ ତାଙ୍କର ସନ୍ଦେହର ଛାଇ । ରୁଦ୍ର ସହିତ ନିରୁର କ’ଣ ଆଗରୁ ଏ ପ୍ରକାର ବନ୍ଧୁତା ଥିଲା ? ସେ’ ଜାଣନ୍ତି, ନିରୁ ଆଉ ରୁଦ୍ର ଗୋଟିଏ କ୍ଲାସରେ ପଢ଼ୁଥିଲେ । ପଢ଼ୁଥିଲେ ସିନା, ସମ୍ପର୍କଟା ପବିତ୍ର ଥିଲା ବୋଲି ତାଙ୍କ ଧାରଣା ଥିଲା । କାରଣ ନିରୁର ଚରିତ୍ରଗତ ଦୁର୍ବଳତା କେବେ କେଉଁଠି ତାଙ୍କ ଆଖି ଆଗରେ ପଡ଼ି ନ ଥିଲା ।

 

ରୁଦ୍ରବି ଆଗରୁ ତାଙ୍କୁ ଭକ୍ତି କରୁଥିଲା । କିଶୋର ବାବୁ ଅଧ୍ୟାପକ ହେବା ଆଗରୁ ରୁଦ୍ର ଯଦି କେବେ ତାଙ୍କୁ ଅକାଳେ ସଖାଳେ କେଉଁଠି ଦେଖୁଥିଲା, ହାତ ଯୋଡ଼ି ନମସ୍କାର କରୁଥିଲା । ମୁଣ୍ଡ ନୁଆଇଁ ଚାଲିଯାଉ ଥିଲା । ରୁଦ୍ର କିନ୍ତୁ ବର୍ତ୍ତମାନ ତାଙ୍କର ଛାତ୍ର । ଏପରି ଭାବରେ ବର୍ବରତା ଦେଖାଇବା ପାଇଁ ଆଗେଇ ଆସି ପାରିଚି ?

 

ସେ ଜାଣନ୍ତି, ଯେତେବେଳେ ସେ ବିଲାତରେ ପଢ଼ୁଥିଲେ, ନିରୁ ଆଉ ରୁଦ୍ର ପଢ଼ୁଥିଲେ ଏହି କଲେଜରେ । ଦୁହେଁ ଥିଲେ ସହାଧ୍ୟାୟୀ । ସୁତରାଂ–

 

ସନ୍ଦେହ ନ କରିବା ପାଇଁ ଆଉ କିଛି କାରଣ ଥାଇପାରେ । ଆଖି ଆଗରେ ତାଙ୍କର ଝଲସି ଉଠିଲା ପୁନର୍ବାର ସେହି ଶେଷ ଦୃଶ୍ୟଟା....

 

ତାତିଲା କପାଳର ଦୁଇ ପାଖରେ ଦୁଇଟା ହାତ ପାପୁଲିକୁ ଚାପି ଦେଇ କିଶୋର ବସି ପଡ଼ିଲେ ରାତ୍ରିର ଅସ୍ପଷ୍ଟ ପାର୍କର ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ । ପାଖରେ ତାଙ୍କୁ ଖତେଇ ହେଲା ପରି ଗୋଟିଏ ବୁଢ଼ା ବର ଗଛ । ତାଙ୍କର ଏଡ଼େ ଟିକିଏ ମନ ଭିତରେ ହଜାରେ ଭାବନା, ଆଶଙ୍କା ଏବଂ ଉଦ୍‌ବେଗ ।

 

ଅଧ୍ୟାପକ କିଶୋର–ଏମ.ଏ., ପିଏଚ୍ ଡି. । ଗୋଟିଏ ସୁଚିନ୍ତିତ ଏବଂ ନିୟନ୍ତ୍ରିତ ଜୀବନ ! କିନ୍ତୁ ଏ କ’ଣ ? ଏଡ଼େ ଉଚ୍ଚ ସ୍ତରର ଗୋଟିଏ ଜୀବନ ବିରୁଦ୍ଧର କାହିଁକି ଏଇ ଶସ୍ତା ଷଡ଼ଯନ୍ତ୍ର ?

 

ଫେର ପୁଣି ମନ ତାଙ୍କର ଥରି ଥରି କହି ଉଠିଲା, ଷଡ଼ଯନ୍ତ୍ର ନୁହେଁ, ବିଂଶ ଶତାବ୍ଦୀର ବିପୁଳ ବିଜୟ ! ନହେଲେ, ବିବାହ ନ କରିବା ଲାଗିତ ପ୍ରତିଜ୍ଞା କରିଥିଲେ । ବିବାହ କଲେ କାହିଁକି-? ନିରୁକୁ ସେ ବିବାହ କଲେ କାହିଁକି ? ନିରୁପମା ବଢ଼ିଲା ଝିଅ ହୋଇ ମଧ୍ୟ ପ୍ରଚୁର ସ୍ୱାଧୀନତା ପାଇଥିଲା ବୋଲି ଜାଣି ଥିଲେତ ? ନିରୁ, ତାଙ୍କ ପରି କେତେ କେତେ ଯୁବକଙ୍କ ଆଖି ଆଗରେ ବଢ଼ି ଆସିଥିବା କଥାଟା ମଧ୍ୟତ ତାଙ୍କର ଅଜ୍ଞାତ ନଥିଲା । ତେବେ ତାକୁ ବିବାହ କଲେ କାହିଁକି ?

 

ଆଧୁନିକ ସଭ୍ୟତାର ପରିକଳ୍ପନା ଭିତରେ ନିଜେ ସେ ବଢ଼ି ଆସିଥିଲେ ଏବଂ ନିରୁପମାର ଆଧୁନିକା ଜୀବନକୁ ବେପସନ୍ଦ କରି ନ ଥିଲେ ବୋଲି । ତା’ ଚରିତ୍ର ଉପରେ ଅବିଶ୍ୱାସ କରିବା ଭଳି କୌଣସି ପ୍ରତ୍ୟକ୍ଷ କାରଣ ଦେଖି ନଥିଲେ ବୋଲି ।

 

ବିବାହ ପରେ, ପତି–ପତ୍ନୀ ଭାବେ ରହି ସେ’ ଓ ନିରୁ ଯେଉଁ ଆନନ୍ଦ ଅନୁଭବ କରି ଆସୁଥିଲେ, ତାରି ଯୋଗୁଁ ପାରିବାରିକ ଜୀବନର ବିରାଟ ସଫଳତା ଉପରେ ସେ’ କେବେ ସନ୍ଦେହ କରି ନଥିଲେ । ତେଣୁ ନିରୁ ଯେ ଏପରି ହୁଗୁଳା ଓ କଦର୍ଯ୍ୟ ପନ୍ଥା ଅବଲମ୍ୱନ କରି ନିଜର ଉନ୍ନତ ଚରିତ୍ରକୁ ବଳି ଦେଇ ତାଙ୍କ ପତିତ୍ୱର ସର୍ବନାଶ କରିବ, ଏ କଥା କେବେ ସେ ଭାବି ନଥିଲେ ।

 

ଏଣୁ ଭାବି ନଥିବା କି ଅନୁମାନ କରି ନଥିବା ଗୋଟିଏ ଉତ୍କଟ, ଆକସ୍ମିକ ଘଟଣା ଘଟିଯିବା ଫଳରେ ତାଙ୍କ ହୃଦୟ ଭାଙ୍ଗି ପଡ଼ିଲା ।

 

କେତେ ବୁଦ୍ଧି ଖଟେଇ, ସୁଚିନ୍ତିତ ଉପାୟ ଅବଲମ୍ୱନ କରି ପାରିବାରିକ ଅଭିରୁଚିକି ସଂଜୀବିତ କରିବାକୁ ସେ ଯେଉଁ ଅକ୍ଳାନ୍ତ ଚେଷ୍ଟା କରୁଥିଲେ, ତାର ଶେଷ ପରିଣତି କ’ଣ ଏଇୟା ?

 

ପରିଣତି ଏଇୟା ହେବ ବୋଲି ତାଙ୍କର ଧାରଣା ନଥିଲା । କିଶୋର ବିଶ୍ୱାସ କରୁଥିଲେ, ମାନବ ଜାତି ଭିତରେ ଶୃଙ୍ଖଳିତ ସାମାଜିକ କାନୁନ ଚଳେଇବା ପଛରେ ମଣିଷର ସଫଳ ଚିନ୍ତା ରହିଛି । ରହିଛି ଯୁଗ ଯୁଗର ଅଭିଜ୍ଞତା ଏବଂ ତପସ୍ୟା ।

 

ଯେତେବେଳେ ଏହି ମଣିଷ ପାହାଡ଼ ପାହାର କନ୍ଧରେ ଜୀବନ ବିତଉ ଥିଲା, ସେତେବେଳୁହିଁ ପରମ୍ପରା ଉପରେ ନିଘା ରଖି ଚଳିବା ତାର ଅଭ୍ୟାସ ହୋଇଚି । ଆଉ ସେ ଅଭ୍ୟାସ ବନେଇଚି ତାକୁ ସାଧକ । ଯେଉଁ ମଣିଷ ଦିନେ ସମଝି ଥିଲା, ବଳବାନ ପୁରୁଷ ଆଉ ସୁନ୍ଦରୀ ନାରୀ ସବୁ ଦିନେ ପାଖାପାଖି ହୋଇ ରହି ପାରନ୍ତି, ସେହି ମଣିଷହିଁ କେତେ କାଳ ପରେ ଅନୁଭବ କଲା ଓ ଶତ କଣ୍ଠରେ ଘୋଷଣା କଲା, ରୂପ ଆଉ ସୌନ୍ଦର୍ଯ୍ୟହିଁ ନାରୀର ଭୂଷଣ ନୁହେଁ । ଦୈହିକ ବଳହିଁ ପୁରୁଷର ବିଶେଷତ୍ୱ ନୁହେଁ । ଏହି ତଥ୍ୟକୁହିଁ ସ୍ପଷ୍ଟ କରି, ବିସ୍ତାରିତ କରି ଗଢ଼ି ଉଠିଛି କଳା, ସଂସ୍କୃତି, ସଭ୍ୟତା । ଆଉ ତା’ ଭିତରେ ଆଗେଇ ଯିବା ପାଇଁ ଜୀବନକୁ ନିୟନ୍ତ୍ରିତ କରିବାରେ ମଣିଷ ସର୍ବଦା ତତ୍ପର ।

 

କିଶୋର ଜାଣନ୍ତି ଯେ ତାଙ୍କ ଠାରୁ ବଳବାନ ଏବଂ ଶକ୍ତିବନ୍ତ ପୁରୁଷ ଏ ଦୁନିଆରେ ବହୁତ ଅଛନ୍ତି । କିନ୍ତୁ ନିରୁ ଯେ ତାଙ୍କୁ ପ୍ରତାରିତ କରି ଅନ୍ୟକୁ ଭଜିବ, ଏହି ଆଶଙ୍କା କେବେ ତାଙ୍କ ମନରେ ଜାତ ହୋଇ ନଥିଲା । କାରଣ, ତାଙ୍କର ବିଶ୍ୱାସ ଯେ ଯୁଗ ଯୁଗର ସାଧନା ଫଳରେ ଯେଉଁ ସଭ୍ୟତା ଓ ସାମାଜିକ ଆଚରଣ ଆଜି ମୁଣ୍ଡ ଟେକି ଠିଆ, ତାରି ବେଷ୍ଠନୀ ଭିତରେ ସେ’ ଓ ନିରୁ, ତଥା ସମଗ୍ର ସଭ୍ୟଶିକ୍ଷିତ ମାନବ ଜାତି ବନ୍ଧା । ତାଙ୍କର ଧାରଣା ଯେ ବଳ ଏବଂ ସୌନ୍ଦର୍ଯ୍ୟବାଦ ଉପରେ ପ୍ରେମ ପ୍ରତିଷ୍ଠିତ ନୁହେଁ । ସେ ଉପଲବ୍‌ଧି କରି ଆସିଛନ୍ତି ଯେ ଅନ୍ୟର ହୃଦୟକୁ ଅଧିକାର କରିବା ପାଇଁ, ଭଲ ପାଇବା ପାଇଁ ଏବଂ ମାନବିକତାର ଯୋର ପୋଷଣ କରିବା ପାଇଁ ମାନବର ଅନ୍ୟ ବିଶେଷତ୍ୱ ଅଛି । ସେ ସବୁ ହେଉଛି ବଳିଷ୍ଠ ନୈତିକତା, ବିଚାର ଶୀଳତା, ପବିତ୍ରତା, ମାନସିକ ଚେତନା, ସହୃଦୟତା, ରସକତା ଏବଂ ଶୃଙ୍ଖଳା ଭିତରେ ଆନନ୍ଦ ଉପଭୋଗ କରିବାର ଆଗ୍ରହ । କିନ୍ତୁ ଏ କ’ଣ ? ସବୁ ଧାରଣା, ସମସ୍ତ ଭାବନା ତାଙ୍କର ଭୁଲ ? ଏହି ସଭ୍ୟ, ଉନ୍ନତ ମାନବ ବି ହଟି ଯିବାକୁ ଚାହେଁ ସେ ପଛର ଅସଭ୍ୟ ଆଦିମ ଜାତି ପାଖକୁ ! ନିରୁ ଆଜି ଚାହେଁ ଶୃଙ୍ଖଳା ଭାଙ୍ଗି ଅତି ନିକୁଛ ଭାବେ ଇନ୍ଦ୍ରିୟ ଲାଳସାରେ ପରିତୃପ୍ତି ସାଧନ କରିବାକୁ ?

 

ତେବେ ଏ ବିବାହ, ଏ ଘର ସଂସାର କାହିଁକି ? କ’ଣ ଥିଲେ ସେ, କ’ଣ ହେବେ ବୋଲି ଆଶା କରିଥିଲେ ଏବଂ ଶେଷରେ କ’ଣ ହେଉଛି ଏ ସବୁ ?

 

କିଶୋର ବାବୁଙ୍କ ମଥା ଭିତରେ ହଜାରେ ରକମର ପ୍ରଶ୍ନ, ଚିନ୍ତା, ଭାବନା, ସମସ୍ୟା ଏବଂ ଅସ୍ଥିରତାର ସଂଘର୍ଷ । ପୃଥିବୀର ସତ୍ୟାନାଶୀ ଯୁଦ୍ଧ, ଦୁର୍ଭିକ୍ଷ, ଅନାଟନ ଏବଂ ଅନ୍ୟାନ୍ୟ ଘଟଣାରେ କାତର ଶାନ୍ତିପ୍ରିୟ ନେତାଙ୍କ ମୁଣ୍ଡ ଭିତରେ ଏତେ ଚିନ୍ତା, ଭାବନା, ଅସ୍ଥିରତା ଥିବ କିନା ସନ୍ଦେହ ।

 

ଅଧ୍ୟାପକ କିଶୋର ବାବୁଙ୍କ ପତ୍ନୀ ନିରୁ । ଯୁବକ ଛାତ୍ର ରୁଦ୍ର ପ୍ରସାଦକୁ ପ୍ରେମ କରେ । ଲୁଚେଇ ଛପେଇ ପ୍ରେମ କରେ । ସାମାନ୍ୟ କଥାଟିଏ ? କିଶୋର ବାବୁଙ୍କ ସାରା ଅଙ୍ଗ କମ୍ପି ଉଠିଲା-

 

ଏଥିପାଇଁ ପରା ସମାଜ, ଶୃଙ୍ଖଳାର ଲୁହା ପାଚେରୀ; ଗଦା ଗଦା ପୋଥି, ଆଇନ କାନୁନ, ଦଣ୍ଡ ଏବଂ ଶାସନ, ଜନମତ୍ତ ଏ ମୁଣ୍ଡରୁ ଲମ୍ୱିଛି ମରଣର ସେ ମୁଣ୍ଡ ଯାଏ । ଶ୍ମଶାନରେ, ମଣିଷ ଦେହର ରୂପ ରେଖ ନଷ୍ଟ ହୋଇ ହାଡ଼ ପାଉଁଶରେ ପରିଣତ ହେଲା ପରେ ବି ପରା ରହିଛି ଶ୍ରାଦ୍ଧ, ବାର୍ଷିକୀ, ତର୍ପଣ, କେତେ କଣ !

 

ପ୍ରେମ କରିବା, କଅଁଳିଆ ଲୋଭିଲା ମାଉଁସ ଦେଖି ଭଲ ପାଇବା ନାଁରେ ରକତ ତତେଇ ଯେତେ ଯେତେ ହିଁସାର ତାତିଲା କମ୍ପନ ମଣିଷ ଅଙ୍ଗରେ ଉତ୍ପନ୍ନ କରାହୁଏ, ତାହା କ’ଣ ଅନ୍ୟ କେଉଁଥିରେ ସମ୍ଭବ ହୋଇପାରେ ? ଏଥିପାଇଁ ପରା ହଜାର ହଜାର ପୃଷ୍ଠାର ଇତିହାସ ରହିଛି । ଆଜିର ମଣିଷକୁ ସତର୍କ କରେଇ ଦେଉଛି; ପୁରାତନ ମଣିଷର ଅନୁଭୂତି ସବୁ ଲିପିବଦ୍ଧ କରି, ନୂତନ ମଣିଷ ନିଜର ଭବିଷ୍ୟତ ପନ୍ଥା କିପରି ସ୍ଥିର କରିବ, ତାର ଇସାରା ଦେଉଛି ।

 

ମଣିଷ ଜାତିର ଏହି ଅଭିଜ୍ଞତାର ନିର୍ଦ୍ଦେଶ ଉପରେ ସିନା ଆମର ଏ ସମାଜ, ସଂସ୍କୃତି ସବୁ ଗଢ଼ା । ତଥାପି ଏତେ ଗଲ୍‌ତି ! ଲୁକା ଛପା, ହଟ ହଟା !! କାଳ ତାର କାମ କରି ଚାଲିଛି !!!

 

ତଳ ଦିନର କାହାଣୀ–

 

କିଶୋର–ଅଳ୍ପ ଦିନ ତଳର ମେଧାବୀ ଛାତ୍ରଟିଏ ! ହୃଷ୍ଟ ପୃଷ୍ଟ, ସୁନ୍ଦର ଚେହେରା । ସ୍କୁଲରେ ପଢ଼ିଲା ବେଳେ ଖେଳ ପଡ଼ିଆରୁ ଫେରୁ ଫେରୁ ଦିନେ ପ୍ରତିଜ୍ଞା କରି ପକେଇ ଥିଲେ, କେବେ ବାହା ହେବେନି ।

 

ସେ କାହିଁକି ପ୍ରତିଜ୍ଞା କରିଥିଲେ, ଆଜି ଭାବିବାର କଥା ନୁହେଁ । ଦୁନିଆରେ ପ୍ରତ୍ୟେକ ଜିନିଷର ଯେମିତି ବିଭିନ୍ନ ସ୍ତର ରହିଛି, ସେମିତି ମଣିଷ ଜୀବନରେ ବି ଅମାପ ସ୍ତର ରହିଛି । କେଉଁ ସ୍ତରରେ ଥିଲା ବେଳେ କେଉଁ ପ୍ରେରଣା ତାକୁ କେଉଁ ତଡ଼କୁ ଆଉଜେଇ ନିଏଁ । ଲହଡ଼େଇ ଲହଡ଼େଇ ଖେଳାଉ ଥାଏ ।

 

ସ୍ତର ପରେ ସ୍ତର, ଅବସ୍ଥା ପରେ ଅବସ୍ଥା ଡେଇଁ ଭିନ୍ନ ଭିନ୍ନ ଗତିରେ କିଶୋର ବାବୁଙ୍କ ଜୀବନ ପହଁଣ୍ଡ ପକେଇ ଆଗଉ ଥାଏ ।

 

କେତେ ବଡ଼ ବଡ଼ ପରିକଳ୍ପନା ! ଆଶା ଏବଂ ଅଭିଳାଷ, କର୍ତ୍ତବ୍ୟ ଏବଂ ଉତ୍ତେଜନା ।

 

କେଉଁ ପତ୍ରିକାରେ ଜହର ଲାଲଙ୍କ ନାଁରେ ଲମ୍ୱା ଚଉଡ଼ା ପ୍ରଶଂସା ପୂର୍ଣ୍ଣ ପ୍ରବନ୍ଧ ଦେଖିଲେ ମନ ହାଇଁ ପାଇଁ ହୁଏ ନେତା ହେବାକୁ । ମୁଣ୍ଡ ଭିତରେ ସ୍ପିରିଟ ପକେଇ ରାଜ ନୀତିର ନିଆଁ ଲଗେଇବାକୁ । କେବେ ‘ଫିଲିମ ଇଣ୍ଡିଆ’ ରଙ୍ଗିନ ମଲାଟରେ ସୁରେୟା, ଦେବାନନ୍ଦଙ୍କ ବୁକ ଯୁଝା ଯୁଝି ଫୋଟ ଦେଖିଦେଲେ ଜିଭରୁ ଲାଳ ଗଡ଼ି ପଡ଼େ ଅଭିନେତା ହେବାକୁ ।

 

ସେପରି ଲେଖକ, ଶିଳ୍ପୀ, ମିଲ ମାଲିକ, ଗାନ୍ଧୀ, ବୁଦ୍ଧ, ବାଲ୍ମୀକୀ କେତେବେଳେ କ’ଣ ହେବା ଲାଗି ନାନା ରକମର କଳ୍ପନା ଜଳ୍ପନା ।

 

ସେପରି ଗୋଟାଏ ଝୁଙ୍କ । ପ୍ରତିଜ୍ଞା କରି ପକେଇଥିଲେ, ବିବାହ କରିବେ ନାହିଁ । ବିବାହ କଲେ ସ୍ୱାଧୀନତା ହରେଇବାକୁ ପଡ଼ିବ । ସମାଜର କଣ୍ଟାଳିଆ ବନ୍ଧନରେ ଛନ୍ଦି ହେବାକୁ ପଡ଼ିବ । ନା, ତାଙ୍କ ଜୀବନରେ ଏଇ ଅଧଃପତନ ଘଟିବ ନାହିଁ । ଘଟିବାକୁ ସେ ଦେବେ ନାହିଁ ।

 

କିନ୍ତୁ ତାଙ୍କର ସେ’ କଳ୍ପନାର ସମ୍ମାନିତ ଜୀବନ ଗଛରେ ଏ ଝଡ଼ ଝଞ୍ଜାର ଧକ୍କା ବାଜିଲା କାହିଁକି ? କେଉଁଠୁଁ ଆସିଲା ସେଇ ଝଞ୍ଜା ? କାହାକୁ ଘେନି ?

 

ଏକମାନ୍ତ୍ର ଉତ୍ତର–ନିରୁପମା । ସେ କିଏ ? ତାଙ୍କର ପତ୍ନୀ । ବିବାହିତା ପତ୍ନୀ ! ଉଚ୍ଚ ଶିକ୍ଷିତା, ଆଧୁନିକା, ଓଢ଼ଣା–ଲଗାମ୍‌ ହୀନା ରୂପସୀ ।

 

ନିରୁକୁ ସେ’ ବିବାହ କରିଛନ୍ତି ?

 

ପଣ କରିଥିଲେ ପରା !

 

କରିଥିଲେ । କଲେଜ ଗଲାଯାଏ କେଉଁ ତରୁଣୀକି ଆଡ଼ ଆଖିରେ ଅନେଇ ନଥିଲେ ବି-। ହୁଏତ ଅନେଇ ଥିଲେ, କିନ୍ତୁ ପରେ ପରେ ନିରୁକୁ ସେ’ ଯେମିତି ଅନେଇ ଥିଲେ, ସେମିତି ନୁହେଁ-। ଭିନ୍ନ ରକମର ସେ’ ଅନାଣି । ଦାଣ୍ଡରେ ଚାଲି ଯାଉଥିବା ଭୋକିଲା ଭିକ୍ଷୁକ ପର ଅଗଣାର ଭାତ କଂସାକୁ ଚାହିଁଲା ପରି !

 

ବୋଧହୁଏ ନିରୁପମାକୁ ବି ସେ’ ଏତେ ଚଞ୍ଚଳ ଏଡ଼େ ସହଜ ଦୃଷ୍ଟିରେ ଅନେଇ ନଥାନ୍ତେ, କିନ୍ତୁ ଉଚ୍ଚ ଚିନ୍ତାକୁ ସଫଳ କରିବା ବାଟରେ ବିଶ୍ୱବିଦ୍ୟାଳୟର ପାଉଣା ସଂଗ୍ରହ ପାଇଁ ସେ ଏହା କରିବାକୁ ବାଧ୍ୟ ହେଲେ ।

 

ନିରୁକୁ ବିବାହ କରିବେ ବୋଲି ଅଗ୍ରୀମ ଜବାବ ଦେଇ ନ ଥିଲେ ହୁଏତ ସେ’ ବି.ଏ., ପରୀକ୍ଷାଟା ବି ଦେଇପାରି ନଥାନ୍ତେ । ଆଉ ଏମ୍‌.ଏ., ପିଏଚ୍‌.ଡି. (ଲଣ୍ଡନ), ଏ ସବୁତ ଦୂରର କଥା-। ପରାହତ ସ୍ୱପ୍ନ ପରି ରହିଯାଇ ଥାନ୍ତା ।

 

ବିବାହ କରି ନଥିଲେ ହୁଏତ ଆଜି ଖୁବ୍‌ ସୁଖରେ ତାଙ୍କର ସମ୍ମାନିତ ଜୀବନ ଆଗେଇ ଚାଲିଥାନ୍ତା ।

 

କିନ୍ତୁ–ଆଧୁନିକ ସଭ୍ୟ ମଣିଷ ଭିତରେ ଜଣେ ହେବା ପାଇଁ ଉଚ୍ଚ ଶିକ୍ଷା ଲାଗି ଯେଉଁ ଆଶା, ତାହା ପୂର୍ଣ୍ଣ ହୁଅନ୍ତା କିମିତି ? ଡିଗ୍ରି ହାସଲ କରିବା, ଭଲ ସାର୍ଟିଫିକେଟ୍‌ପାଇବାର ମୋହ ଏବଂ ସେଥିପାଇଁ ପରୀକ୍ଷା ଫିସ୍‌ଦେବା, ଗଦା ଗଦା ବହି କିଣିବା ହୋଇ ପାରନ୍ତା କୁଆଡ଼ୁ ? ଛାତ୍ରର ଗୌରବ ବଜାୟ ରଖିବା ପାଇଁ କେତେ କଥା ଦରକାର; କେତେ ଫେସନ୍‌, ଲୁଗା ପଟା, ଚା’ ସିଗାରେଟ୍‌, ନାଚ ତାମ୍‌ସା ଏ ସବୁ ତୁଲା ହୋଇ ପାରନ୍ତା କିମିତି ?

 

ଦରକାର ଟଙ୍କା । ହଜାର ହଜାର ଟଙ୍କା; ଗୋଟିଏ ଫୁଟୁକିରେ ଜୀବନକୁ ବଡ଼ କରି ଥୋଇ ଦେବା ପାଇଁ ଜାଲ୍‌ !!

 

ଫନ୍ଦି ! ଦେଶବାସୀଙ୍କ ବାସ୍ତବ କର୍ମ ଜର୍ଜର ନିଦୁଆ ଆଖିରେ ଧୂଳି ମାରି ନିଜକୁ ବଡ଼ କରି ଦେଖେଇ ହେବା ପାଇଁ ଷଡ଼ଯନ୍ତ୍ର କରିବାକୁ, ବିଶ୍ୱବିଦ୍ୟାଳୟର ଯନ୍ତ୍ର ତିଆରି କାରଖାନାରେ ଭର୍ତ୍ତି ହେବାକୁ, କିଏ ତାଙ୍କ ପାଖକୁ ଦଫା ଦଫା କରି ବିଡ଼ା ବିଡ଼ା କରି ପଇସା ପଠାନ୍ତା ? ସବୁ ସ୍ୱପ୍ନ ସ୍ୱପ୍ନରେହିଁ ରହି ଯାଇଥାନ୍ତା ସିନା । ପିତୃ ମାତୃ, ସାହା ସମ୍ୱଳହୀନ ପିଲାଟାକୁ ପଚାରନ୍ତା କିଏ ?

 

ଏଥିପାଇଁ ନିରୁକୁ ସେ’ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଗୋପସୁନ୍ଦର ବାବୁଙ୍କ ଠାରୁ ଟଙ୍କା ପାଇଥିଲେ । ବାଧ୍ୟ ହୋଇଥିଲେ ।

 

ସ୍କୁଲ ଜୀବନର ପ୍ରତିଜ୍ଞା କଲେଜ ବାରଣ୍ଡଶରେ ମୁଣ୍ଡ ବାଡ଼େଇ ଚୁରମାର ହୋଇଯାଇଥିଲା ।

 

ନିରୁକୁ ସେ’ ବିବାହ କରିଥିଲେ । ନିଜର ସୁଖମୟ, ସମ୍ମାନୀୟ ଭବିଷ୍ୟତ ଗଢ଼ିବାରେ ସକ୍ଷମ ହୋଇ ପାରିବେ ବୋଲି ଆଶା କରିଥିଲେ ।

 

ଝିଅଟିଏ ଜନ୍ମ କରିଥିଲେ ବୋଲି ସମାଜର ଆବଶ୍ୟକତା ମେଣ୍ଟେଇବା ପାଇଁ କିଶୋରକୁ ଯିଏ ନିଜର ଭିତରେ ଗଢ଼ି ଆଣିଥିଲେ, ଅତି ଯତ୍ନରେ ଫୁସୁଲେଇ ଫୁସୁଲେଇ, ଭାତ ମାଉଁସ ଖିଲେଇ, ଟଙ୍କା ଉପରେ ଟଙ୍କା ପଠେଇ ନିକଟ ସମ୍ପର୍କର ରବର ଦଉଡ଼ିରେ ବାନ୍ଧି ପକଉ ଥିଲେ, ନିରୁର ସେହି ଶୁଭାକାଂକ୍ଷୀ ବାପା ଆଜି ଆଉ ଇହଧାମରେ ନାହାନ୍ତି । ମା’ ତ ଆଗରୁ ଖସିଥିଲେ । ଇସ୍କୁଲ ପିଲେ ଯେମିତି ‘ଏକ’ ଯିବା ବାହାନାରେ ଛୁ’ ମାରନ୍ତି ପକୋଡ଼ି ଆଉ ଭୂଇଁଚଣା ପସରା ପାଖକୁ, ଠିକ୍‌ ସେମିତି । ‘ଜର ହଉଚି’, ‘ଦିହ ଶୀତଉଚି’ ବୋଲି ବୋଲି ସେ’ ଶୋଇଲେ । ଆଉ କିଏ ? ନିଜର ବୋଲି ଆଉ କେହି ନାହାନ୍ତି ନିରୁପମାର ।

 

‘‘ତୁମ ବିନା ଆଉ କିଏ ଅଛି ଦୁନିଆରେ ? ମୋ’ ରାଣ, ଦିନଟିକରୁ ବେଶୀ ରହିବ ନାହିଁଟି ।’’

 

ହେଟି ଏଇଥର ଛୁଟି ନେଇ ସମାବର୍ତ୍ତନ ଉତ୍ସବକୁ କଟକ ଗଲାବେଳେ ତ ନିରୁ ଆଖିଟାକୁ ଛଳ ଛଳେଇ, ଛଳ ଛଳେଇ କହିଥିଲା ଗେହ୍ଲେଇ କରି ।

 

କହିଥିଲା ସତ । ସୁତରାଂ.....

 

କିଶୋର ବାବୁଙ୍କ କପାଳ ଦି’ ପାଖର ସନ୍ଧି ଦିଓଟି ଝୁଣଝୁଣେଇ ଉଠିଲା । ଆଖି ଭିତରେ ପୁଳା ପୁଳା କରି ଅନ୍ଧାର ସବୁ ଗଳି ଯାଉଥିଲା ଯେମିତି । ତା’ ଭିତରେ ଫୁଟି ଦିଶୁଥିଲା, ଛାତ୍ର ରୁଦ୍ର ପ୍ରସାଦର ଲୁହା ଇଞ୍ଜିନ୍‌ପରି ବକ୍ଷ ଉପରେ ପତ୍ନୀ, କିଶୋରୀ ନିରୁର ରବର ବନ୍ତୁ ପରି ଟାଣ–ନରମ ଛାତି ! ଇସ୍‌, କି’ ଦାରୁଣ ! କିଶୋରଙ୍କ ଆଖି ଆଗରେ ଜୁଳୁଜୁଳା ପୋକ ଦେଖା ଦେଲା ।

 

ହାୟରେ ବିଂଶ ଶତାବ୍ଦୀର ଶିକ୍ଷିତ ସଭ୍ୟ ଯୁବକ ଯୁବତୀ ! ଛାତ୍ର ଏବଂ ଗୁରୁପତ୍ନୀ ଭିତରେ ଏକି କଦର୍ଯ୍ୟ ସମ୍ପର୍କ !!

 

କିଶୋର ଆଗେଇ ଚାଲିଲେ ।

 

ଯାହାହେଉ, କିଛିତ ଗୋଟାଏ ହୋଇ ଗଲାଣି । ବର୍ତ୍ତମାନ ତାଙ୍କର କର୍ତ୍ତବ୍ୟ କଣ ? ଯେ’ କୌଣସି ଦିଗରୁ ବିଚାର କଲେ ମଧ୍ୟ, ଭ୍ରଷ୍ଟାଚାରିଣୀ ସବୁବେଳେ ପରିତ୍ୟଜ୍ୟା । କିନ୍ତୁ ସମାଜିକତା ଦୃଷ୍ଟିରୁ ଯେଉଁ ଚରମ ଅପମାନ, ତାକୁ ଖଣ୍ଡିତ କରିବେ କେଉଁ ପନ୍ଥାରେ ? ନିରୁକୁ ପରିତ୍ୟାଗ କରିବେ ?

 

ନିରୁର ବାପା, ଗୋପସୁନ୍ଦର ବାବୁ ଜଣେ ବିଶିଷ୍ଟ ଓକିଲ; ହଜାର ହଜାର ଟଙ୍କା କମେଇ ବି, ଆଧୁନିକ ସାଜସଜ୍ଜାରେ ନିଜକୁ ତଥା ପରିବାରକୁ ଗଢ଼ିବାକୁ ଯାଇ ମଲା ବେଳକୁ କିଛି ସଞ୍ଚିପାରି ନାହାନ୍ତି । ଏକା ଝିଅକୁ ସଭ୍ୟ ଜଗତରେ ଆଖି ଦୃଷ୍ଟିଆ କରି ଗଢ଼ିବେ ବୋଲି ପ୍ରଚୁର ଉପାର୍ଜନକୁ ସମୂଳେ ବିନିଯୋଗ କରିବାକୁ କୁଣ୍ଠିତ ହୋଇ ନଥିଲେ । ତାଙ୍କର ଆତ୍ମା ସ୍ୱର୍ଗରେ ରହି ଏ କଥା ଦେଖି କଣ ଭାବିବ ? ସେଥିପାଇଁ କିଶୋର ଦାୟୀ ହେବେ ନାହିଁତ ?

 

କୁଆଡ଼େ ଯିବେ ?

 

ପାଠ ପଢ଼ିଛନ୍ତି ବୋଲି ତଳିଆ ଜୀବନ ସହିତ କେବେ ସମ୍ପର୍କ ରଖି ନାହାନ୍ତି । ବଡ଼ ବଡ଼ିଆ ଜୀବନ; ଦୂର କଳ୍ପନା ଗହନର ଯେଉଁ କାହାଣୀ, ତାରି ରଙ୍ଗରେ ବାସ୍ତବ ଜୀବନକୁ ରଙ୍ଗେଇବା ପାଇଁ ଏବଂ ନିମ୍ନ ସ୍ତରର ଧୂଳି ମଳିରୁ ସାତ ଅଲଗା ହୋଇ ଚମକି ଦେଇ ଇସ୍ତ୍ରୀ କରା ଜର୍ଜେଟ ଶାଢୀ ପରି ଚକ୍‌ ଚକିଆ ଜୀବନ ଯାପନ କରିବା ସ୍ୱପ୍ନକୁ ସଫଳ କରିବା ପାଇଁତ ଚାକିରି କରି ସହର ଗହଳି ଭିତରେ ଏକୁଟିଆ ଘର କରି ରହିଛନ୍ତି । ଆପଣାର ରକତ–ଲଗା ବନ୍ଧୁ ବୋଲି ଆଉ କିଏବା ଅଛି ଏଇଠି ? ଅଛନ୍ତିବା ଆଉ କେଉଁଠି ?

 

ବାପା, ମା, ଭାଇ, ଭଉଣୀ କିଏ କେବେ ଥିଲେ କି ନାହିଁ, ସେ କଥାତ କିଶୋର ଜାଣନ୍ତି ନାହିଁ । ବୁଦ୍ଧି ଜାଣିଲା ବେଳଠୁଁ ଗୋପସୁନ୍ଦର ବାବୁଙ୍କ ବିନା ଅନ୍ୟ କାହାର ତାଙ୍କ ସହିତ ସମ୍ପର୍କ ଅଛି ବୋଲି ସେ’ତ ମନେ କରି ନଥିଲେ । ଏବେ ବି ଚାକିରୀ ସମ୍ପର୍କୀୟ କେତେ ଚା ପାନଖିଆ, ସିନେମା ଦେଖା ଶସ୍ତା ବନ୍ଧୁଙ୍କୁ ବାଦ୍‌ ଦେଲେ ନିରୁପମା ଛଡ଼ା ତାଙ୍କର ଆଉ କିଏ ନଥିଲା ।

 

ଗୋପସୁନ୍ଦର ବାବୁ ଥିଲେ କିଶୋରଙ୍କ ପିତାଙ୍କ ବନ୍ଧୁ । କିଶୋର କେବଳ ଏତିକି ଶୁଣିଥିଲେ ଏବଂ ଅନୁଭବ କରୁଥିଲେ ଯେ ଆଗାମୀ କାଳର ଜ୍ୱାଇଁ କରିବାକୁ କେବଳ ଗୋପସୁନ୍ଦର ବାବୁ ତାଙ୍କୁ ନିଜର କରି ରଖିଛନ୍ତି । ସେ’ବିତ ମରିଛନ୍ତି । ସେ ପଟରେ ବି ତାଙ୍କର ଆଉ କେହି ନାହାନ୍ତି ।

 

କେଉଁଠିକି ଯିବେ ଆଉ ? କାହା ଘରକୁ ? ଝିଅ ଜନମ କରି ପର୍ବତ ମୁଣ୍ଡେଇ ଥିଲେ ବୋଲି ଗୋପ ବୁଢ଼ା ଆଶ୍ୱାସନା ଦେବାକୁ ଆଗେଇ ଆସୁଥିଲେ । ପାକୁଆ ପାଟିରେ ମଣ୍ଡା ରେଗିଡ଼ିଲା ପରି ହସ ଫୁଟେଇ ମାଡ଼ି ପଡ଼ୁଥିଲେ କିନ୍ତୁ ଆଜି

 

–ଆଜି ଆଉ ଅଛି କିଏ ?

 

କିଶୋର ବାବୁଙ୍କର ଗତି ବନ୍ଦ ହେଲା ନାହିଁ । ପାର୍କର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯେତେ ଥର ପାରି ତେତେ ଥର ସେ’ ଘୂରି ବୁଲୁ ଥିଲେ ।

 

କିଶୋର ଓ ନିରୁପମା–କିଏ କ’ଣ ? କାହା ଜୀବନର ଦାବୀ କେଉଁ ସ୍ତରର ? ଜାଣନ୍ତି ନାହିଁ । ତଥାପି ଗୋଟିଏ ଅନୁଭୂତି । ଉଭୟ ଜୀବନରେ ସମାନ କମ୍ପନ ।

 

‘ହେଃ ହେଃ ହେଃ’, ମନେ ମନେ ଗୋଟିଏ ବିକଟ ହସର ଉମ ଛୁଟେଇ କିଶୋର ବସି ପଡ଼ିଲେ ପାର୍କ ମଝିର ଗାନ୍ଧୀ ମଣ୍ଡପ ଉପରେ ।

 

ବିବାହ କରିବେ ନାହିଁ ବୋଲି ପଣ କରିଥିଲେ ବି ବିଶ୍ୱବିଦ୍ୟାଳୟର ମାୟା ବଜାରରୁ ସାର୍ଟିଫିକେଟ କିଣିବା ନିମନ୍ତେ ଟଙ୍କା ପାଇଁ ନିରୁକୁ ସେ ବାଧ୍ୟ ହୋଇ ବିବାହ କରିଥିଲେ । ତଥାପି–କ’ଣ ନିରୁର ଚମ୍ପାଫୁଲ ପରି ଦୀପ୍ତ ଚେହେରା ଆଉ ମଦିରା ବିହ୍ୱଳ ମହୁଲ ଫୁଲ ପରି ଟୁଳୁଟୁଳୁ ଦେହ ପ୍ରତି ମୋଟେ ଆକର୍ଷଣ ନଥିଲା ? କିଶୋର ଟିକିଏ ଆଦର୍ଶବାଦୀ ହେଲେ ବି ପାଷାଣ ନିର୍ମିତ ବୁଦ୍ଧ ନଥିଲେ । ରକ୍ତରେ ଥିଲା ଉତ୍ତେଜନା, ମନରେ ଥିଲା ବିକାର, ଅନ୍ତରେ ଗୁହ, କଣ୍ଠରେ କଫ, ନାକରେ ସିଂଘାଣି, ଆଖିରେ ଲେନ୍ଧୁ ଓ ପ୍ରାଣରେ ତାଙ୍କର ଆବେଗମୟ କାମନା ।

 

ବିବାହ କରି ଟଙ୍କା ଆଣି ଶିକ୍ଷା ତଥା ଜ୍ଞାନ କିଣି ପାରିଥିଲେ । ସାର୍ଟିଫିକେଟ କିଣି ପାରିଥିଲେ–ଯଦ୍ୱାରାକି ଟଙ୍କା କମେଇବା ବାଟ ସଫା ହୋଇଯାଇ ଥିଲା ।

 

ତଥାପି ନିରୁକୁ ସେ ଘୃଣା କରୁ ନଥିଲେ । ତରୁଣୀ ନିରୁକୁ ଦେଖିଲେ ଆଖୁ ପଣା ପରି ଧାର ଧାର ସୁଆଦିଆ ଗନ୍ଧଭରା ଭବିଷ୍ୟତ୍‌ ସୁଖର ସ୍ରୋତ ତାଙ୍କ ଆଗରେ ଲମ୍ୱି ଯାଉଥିଲା ।

 

କଳାକାରର ହାତଗଢ଼ା କଣ୍ଢେଇ ପରି ଝିଅଟିଏ । ମାର୍ଜିତ ଚିର ନୂତନ ବେଶ; ନାଭୀର ଭଉଁରି ପରି, ଆକାଶର ମେଘ ପରି, ଉଦ୍ଦେଳ ଜଳ–ଚନ୍ତ୍ର ଭଳି ଥୋପି ଥୋପି ଚିତ୍ର ବିଚିତ୍ର ଛପା ପତଳା ଖିନ୍‌ଖିନ୍‌ ଶାଢୀର ଆଭରଣ ଭିତରେ କଅଁଳିଆ, ଉଷୁମ୍‌ କୁଳୁକୁଳୁ ଦେହ । ଅପୂର୍ବ କେଶ ବିନ୍ୟାସ, ପାଉଡର ମଖା ତୋଫା ଗୋଲାପି ମୁହଁରେ ସଲ୍ଲଜତାର ରକ୍ତିମ ଆଭା, ଅକାଣ୍ଡିଆ ଚାଉଳର ଖପୁରିର ବର୍ଣ୍ଣ ପରି ! କମ୍ପିତ ଅଧରରେ ଆଉଟା ରୂପା ଧାରର ଛିଡ଼ିକା ପରି ହସ । ଚନ୍ଦ୍ର କିରଣର ପ୍ରଣାମ ଭଳି ସ୍ନିଗ୍‌ଧ ବିନୀତ ଚାହାଣୀ ! କଣ୍ଠରେ ପ୍ରେମ ଜର୍ଜର ସଂଗୀତର କୀର୍ତ୍ତନ ! ବାଃ କି ସୁନ୍ଦର ! ସର୍ବସ୍ୱ ନିଜର ହୋଇ ନିରୁ ଆସିବ ତାଙ୍କ ଘରକୁ ତାଙ୍କ କୋଳ ଭିତରକୁ, ସମୁଦାୟ ନିଜର ବାହୁ ବନ୍ଧନ ଭିତରକୁ ଚିର ଦିନ ପାଇଁ !! ଚମତ୍କାର !!!

 

ଏ କଥା ଭାବି ବସିଲେ ତାଙ୍କର ଦିଗ୍‌ବଳୟ ଭଳି ଧୂସର ଗମ୍ଭୀର ଏକୁଟିଆ ଜୀବନ ବିଭୋର ହୋଇ ପଡ଼ୁଥିଲା । ଥରେ ନୁହେଁ, କେତେ ଥର ସେ’ ଚଇତର କନକନିଆ ପବନ ଭରା ପାହାନ୍ତିର ସୁଖ ପାଉଥିଲେ ।

 

ବିଶ୍ୱାସ କରିଥିଲେ, ନିରୁ ତାଙ୍କୁହିଁ ଭଲ ପାଏ । ପୁରାପୁରି ଭଲ ପାଏ । ତେଣୁ ବିବାହ ପୂର୍ବରୁ ବି ସେ ନିରୁକୁ ପ୍ରେମ କରୁଥିଲେ !

 

ପ୍ରେମ ? ହଁ ପ୍ରେମ । ଚୋରା ପୀରତି; ହୁଏତ ନୁହେଁ ସହବାସ ! ବିଭୋର ହୋଇ ନିରୁ ତାଙ୍କ କୋଳକୁ ଆଉଜି ଆସୁଥିଲା । ସେ’ ମଧ୍ୟ ବିଭୋର ହୋଇ ପଡ଼ୁଥିଲେ ।

 

ନିରୁକୁ ସେ’ ଖୁବ୍ ବିଶ୍ୱାସ କରୁଥିଲେ । ପ୍ରେମ କରୁଥିଲେ । ଭଲ ପାଇ ଆସିଥିଲେ । ତା’ର ଲାଲ ଠୁଳୁଠୁଳୁ କାନ ତଳେ ନାଲି, ନୀଳ ଓ ଧଳା ଖଣ୍ଡି ବସା ଦୁଲହଳକ ଦୋହଲିବାର ଦେଖି ମଥା ନତ କ୍ଷେତର ଉଲ୍ଲାସ ଅନୁଭବ କରୁଥିଲେ । ନିରୁର ଲୁଗା ଖସି ପଡ଼ିଥିବା ବକ୍ଷ ଉପରେ ଛନ୍ଦପକା ଲତା ଡାଳ ଘେରା ଲମ୍ୱା ହାରର ଘେରଉ ଦେଖି ଅଭିଭୂତ ହୋଇ ପଡ଼ୁଥିଲେ ।

 

କିନ୍ତୁ–‘‘ନିରୁ ଆଜି ତାଙ୍କୁ ଫାଙ୍କି ଦେଇଚି !’’

 

କିଶୋର ମୁଣ୍ଡ ଉପରର ଗମ୍ଭୀର ଆକାଶକୁ ଚାହିଁଲେ । ସେଠି ଗୋଟିଏ ଗୋଟିଏ ତାରକା, ଦର ନିଦୁଆ ଲେକ୍‌ଚରରଙ୍କ ପରି ଗୋଟିଏ ଗୋଟିଏ ଜୀବନର ଇତିହାସ କହୁଛନ୍ତି ।

 

ତାଙ୍କ ବିବାହିତ ଜୀବନର ମାନ୍ତ୍ର ତିନିଟା ବର୍ଷ କଟି ଆସୁଚି । କିଶୋର କେବେ ପଛେଇ କରି ଭାବି ନାହାନ୍ତି ।

 

ନିରୁର କୋଳରେ ନାଚି ନାଚି ଖେଳୁଚି ଶିଶୁଟିଏ । ପୁଅ !

 

ଭାବନା ତାଙ୍କ ଅଗ୍ନି ଉଦ୍‌ଗାର କରି ଉଠିଲା । ସେ’ ଲାଲ୍‌ହୋଇ ପଡ଼ିଲେ । ସତରେ ପିଲାଟି କ’ଣ ତାଙ୍କର ?

 

କିଶୋର ଭାବି ପାରିଲେ ନାହିଁ । ବିଚାରପତିଙ୍କ ବିଚାରଣା ବେଳର ଚାହାଣୀ ପରି ସବୁ ସନ୍ଦେହଜନକ ।

 

ନିରୁ ତାଙ୍କୁ ଫାଙ୍କି ନାହିଁତ ? କିଶୋରଙ୍କ ମଥାରେ ଭାବନାର ଛାତି ଚମକା ଘୂର୍ଣ୍ଣିବାତ୍ୟା-!

 

ନିରୁ ତାଙ୍କୁ ଫାଙ୍କି ନାହିଁ । ହୁଏତ ଜୀବନରେ ଛାତ୍ରୀ ହେବାର ଗୌରବ ଭିତରେ କଲେଜ ଅଗଣାରୁ ତା’ର ସରଳ ଜୀବନ ଗ୍ରହଣ କରି ନେଇଚି ଏ ପନ୍ଥା ଓ ଆଚରଣ । ଅନ୍ୟାନ୍ୟ ଶିକ୍ଷା ସହିତ ଏହା ବି ସେ ଶିଖିଚି । କେବଳ ତାଙ୍କୁହିଁ ଯେ’ ସେ ପ୍ରେମ କରୁଥିଲା, ପ୍ରମାଣ କଣ ? ହୁଏତ କଲେଜରେ ତାର ଛ’ କୋଡ଼ି କି ଅଢ଼େଇ ଶହ ପଢ଼ା ସାଥିଙ୍କର ମହାକାଳ ଫଳ ପରି ସାମାଜିକ ବ୍ୟବହାର ଭିତରେ ସେ’ ସୋରିଷ ଫୁଲ ପରି ଫୁଟିଥିଲା । ସହ ଶିକ୍ଷାର ଚିର ଚଞ୍ଚଳ ଆର୍ତ୍ତନାଦ ଭିତରେ ନିରୁ ହଜାରେ ଜୀବନ ହଜା କାକୁତି ମିନତିର ସମ୍ମୁଖୀନ ହୋଇ ଥାଇପାରେ । ଏଇ ରକମର ରୀତିନୀତି ଅଭ୍ୟାସ କରି ଶିଖିଥାଇ ପାରେ, କସରତ କରି ଅଭ୍ୟସ୍ତ ହୋଇଥାଇ ପାରେ । କ୍ଷେତ୍ରତ ବିସ୍ତାରିତ, ବାଧାହୀନ ଥିଲା ।

 

ଟି ପାର୍ଟିରେ ମନଇଚ୍ଛା ଯୋଗଦାନ, ନିମନ୍ତ୍ରଣ ରକ୍ଷା, ସାନ୍ଧ୍ୟ ମିଳନ, ବନ୍ଧୁ ସଙ୍ଗେ ସିନେମା ଦେଖା, କମନ୍‌ରୁମରେ ନୀରବ କାକୁତି । ସାନ୍ଧ୍ୟ ଭ୍ରମଣ, ଚୁପ୍‌ ଚୁପ୍‌ ଆଳାପ, ଉତ୍ସବରେ ଯୋଗଦାନ, ଡ୍ରାମାରେ ଅଭିନେତ୍ରୀ, ଏକୁଟିଆ ଘରେ ସାରା ରାତି ଉନିଦ୍ରା ପାଠ ପଢ଼ା । ଆହୁରି କେତେ କ’ଣ । ଅଗଣନ ସୁବିଧା । ଦୈହିକ କାମନାର କସରତରେ ଯୌବନକୁ ନିଗାଡ଼ି ଦେବା ପାଇଁ ବିଶାଳ କ୍ଷେତ୍ର ।

 

ସାକ୍ଷ କିଏ ଦେଉଚି ? ସେ’ ସବୁ ଗଲା ବର୍ଷ ପରି ।

 

କିନ୍ତୁ ଏବେ ବି, ସାମାଜିକ ବେଡ଼ି ପିନ୍ଧି ମଧ୍ୟ ନିରୁ ପାଚେରୀ ନଥିବା ବଗିଚାର ଫୁଲ ପରି ବ୍ୟବହାର କରେ ? ରୁଦ୍ର ପ୍ରସାଦର ଚୁମା ଖାଏ ?

 

କିଶୋରଙ୍କ ହୃଦୟ ଭିତରେ ବାରୁଦର ନିଦାରୁଣ ବିସ୍ଫୋରଣ । ସେ’ ଅସ୍ଥିର ହୋଇ ପଡ଼ିଲେ ।

 

ନିରୁ କଣ ଅଶିକ୍ଷିତା, ଅଜାଣିମା ନିଆଶ୍ରୀ ଲଳନା ହେଇଚି ? ନାହିଁତ ! ଆଉ ? ତା’ର ବର୍ଷ ବର୍ଷ ଧରି ପରିଶ୍ରମ କରି ଅରଜି ଥିବା ଶିକ୍ଷା କଣ ଏହା କରନା ବୋଲି ଶିଖେଇ ନାହିଁ ? ଶିଖେଇ ଥିଲେ ଏମିତି ହୁଅନ୍ତା ସେ ?

 

ସତୀତ୍ୱ ନାହିଁ । ନୈତିକତା ତା’ର ଚାଲିଚି ସେ’ ପୁରର ଗୌରବ ନର୍କ ଅଭିମୁଖେ । ତଥାପି ଶିକ୍ଷିତା ସେ ! ସଭ୍ୟ ଯୁଗର ସମ୍ମାନୀୟା ମହିଳା !!

 

ନିରୁ କେବଳ ତାଙ୍କର ନୁହେଁ । ରୁଦ୍ର ପ୍ରସାଦକୁ ସେ’ ପ୍ରେମ କରେ । ଏମିତି ଅନେକଙ୍କୁ ବି କରୁଥାଇ ପାରେ ।

 

ତେବେ ? ଆଉ କେଉଁଥି ପାଇଁ ଘର ସଂସାର, ସମାଜର ବନ୍ଧନ ?

 

ପିଲାଟି ଯାହାର ହେଉ, ନିରୁ ପାଖରେ ସେ, ନିରୁର ସେ ।

 

ନିରୁପମା ବି ତାଙ୍କର ନୁହେଁ । ଅନ୍ୟକୁ ପ୍ରେମ କରେ ଯେବେ, ଅନ୍ୟର ।

 

ମନେ ମନେ ସେ’ ତାଙ୍କ ମୁଣ୍ଡ ଭିତରେ ଗେଞ୍ଜି ହୋଇ କୁତା ହୋଇଥିବା ଦର୍ଶନ ତତ୍ତ୍ୱର ଦଣ୍ଡ ଧରି ଦୁନିଆଟାକୁ ତଉଲିବାକୁ ବସିଲେ ।

 

କିନ୍ତୁ କିଏ ସେ ? ଘଡ଼ିକ ଭିତରେ ତଉଲି ତଉଲି ଓଜନ ନିର୍ଦ୍ଧାରଣ କରି ପକେଇବେ ଏଡ଼େବଡ଼ ଦୁନିଆଟାର ?

 

ଭାରତରେ ବିଂଶ ଶତାବ୍ଦୀର ଉଦ୍ଦଣ୍ଡ ନୃତ୍ୟ ଲକ୍ଷେ ନିରୁ ଆଉ କୋଟିଏ ରୁଦ୍ର ପ୍ରସାଦ ସୃଷ୍ଟି କରି ପକେଇଚି ବୋଲି କିଶୋର ପରି ଆଗୁଆ ଚିନ୍ତକ କଣ ତାଙ୍କରି ପଛରେ ଖଣ୍ଡା ଧରି ଗୋଡ଼େଇ ଗୋଡ଼େଇ ଜୀବନଟାକୁ ସାରି ଦେବେ ? ଛିଃ ଇଏ କିମିତିକା କଥା ।

 

କିଶୋର ଉପରକୁ ଚାହିଁଲେ–

 

ଆକାଶର କଳା ବଉଦ ଭିତରେ ସେ ଦିନର ଚନ୍ଦ୍ରଟା ଘାଣ୍ଟି ହେଉଥିଲା । ପାର୍କର ତଡ଼ାଗ ଭିତରେ ପଡ଼ିଥିଲା ତା’ର ଅସ୍ପଷ୍ଟ ଛାୟା !

 

କିଶୋର ଭାବୁଥିଲେ–ଦୁନିଆଟା ସାନ ନୁହେଁ । କ୍ଷୁଦ୍ର ମଣିଷ ଜୀବନ ସେଥିରେ କୁଣ୍ଡାଖିଆ ପୋଢ଼ ତୁଣ୍ଡର ଫେମ୍ପର ବୁନ୍ଦା ପରି ଟୋପିଏ ଟୋପିଏ । ଯାହା ପୋଢ଼ର ଥିର ନିଶ୍ୱାସରେ ଉଡ଼ିଯିବ, ଖୁରା ଚାପରେ ପାତାଳରେ ଲୀନ ହୋଇଯିବ । ତେବେ ମଣିଷ କାହିଁକି ଏଇ ନିଆଁ ଜଳାଏ ପର ଜୀବନଟା ଯାର ତାପରେ କି ସିଝିଯାଏ ?

 

ଗୋଟାଏ ସନ୍ତାନର ମା, ଜଣେ ପରିପୂରିତ ପୁରୁଷ ସିଂହର ପତ୍ନୀ, ତଥାପି ନିରୁ....

 

ପୁଣି ଭାବନାର ଘୂର୍ଣ୍ଣିବାତ୍ୟା–

 

କଣ ଗୋଟାଏ ହୋଇଗଲା ? ସୃଷ୍ଟିର ପିଠିଟା କଣ ଖଣ୍ଡିଆ ହୋଇଗଲା ଟିକିଏ ? ତାଙ୍କ ମନରେ ତାଚ୍ଛଲ୍ୟର ବିକାର ।

 

ଧରାଯାଉ, ନିରୁକୁ ସେ ବିବାହ କରି ନାହାନ୍ତି । ତା’ ହେଲେ ? ଛିଣ୍ଡିଗଲା କଥା ।

 

ବିବାହ ହୋଇ ନଥିଲେ ଭଲ ହୋଇଥାନ୍ତା । ରୁଦ୍ର ସହିତ ସମ୍ପର୍କ ତାର ହୋଇଥାନ୍ତା ବାଧାହୀନ । ସେ ବି ପାଇଥାନ୍ତେ ବାଧାହୀନ ଜୀବନର ଉନ୍ନତ ପନ୍ଥା ।

 

କିନ୍ତୁ ନିରୁକୁ ବିବାହ କରିବେ ବୋଲି ସିନା ପଢ଼ିବାକୁ ଟଙ୍କା ପାଇଥିଲେ । ଶେଷରେ ତାକୁ ବିବାହ କରି, ଏବେ ବିବାହ କରି ନାହାନ୍ତି ବୋଲି ଭାବିବେ ? ସମସ୍ତଙ୍କୁ କହିବେ ? ଅନ୍ୟାୟ, ଅବିଚାର ହେବ ନାହିଁ ?

 

ତେବେ ଘରକୁ ଫେରିଯିବେ ? କାହିଁକି ? କେଉଁ ମୁହଁରେ ? କି ସୁଖ ଅନୁଭବ କରିବା ପାଇଁ ?

 

ସୁଷମା ଆଉ ନିରଞ୍ଜନ ଯଥେଷ୍ଟ ଆଶ୍ୱାସନା ଦେଇଥିଲେ ମଧ୍ୟ ରୁଦ୍ରର ମନ ସ୍ଥିର ହୋଇ ପାରିଲା ନାହିଁ । ଭୀଷଣ ଭାବେ ତାର ମନଟା ଖଟ୍‌ ଖଟ୍‌ କରୁଥିଲା । ସେ ଏତେ ଭୀତ ହୋଇ ପଡ଼ିଥିଲା ଯେ ରାତିରେ ପାଖରେ ଶୋଇବା ପାଇଁ ନିରଞ୍ଜନକୁ ଅନୁରୋଧ କରିବାକୁ ବାଧ୍ୟ ହୋଇଥିଲା ।

 

ରାତି–ଶେଯରେ ପଡ଼ି ନିରଞ୍ଜନ ଘୁଙ୍ଗୁଡ଼ି ମାରିଲାଣି ଅଥଚ ରୁଦ୍ରର ଆଖିରେ ନିଦ ନାହିଁ; ଚିତ୍‌ ହୋଇ ଶୋଇ ସେ କେବଳ ଛଟପଟ ହେଉଥିଲା । ମନ ଭିତରକୁ ତାର ଥରକୁ ଥର ଓହ୍ଲେଇ ଆସୁଥିଲା ନିରୁପମା । ତାର ଆଖି ଆଗରେ ଚଳ ଚିତ୍ର ପରି ଦେଖାଦେଇ ପୁଣି ଉଭେଇ ଯାଉଥିଲା ଗୋଟାକ ପରେ ଅନ୍ୟ ଗୋଟାଏ, ଗତ ଦିନର ଘଟଣା, ଅନୁଭୂତି ଏବଂ ଅନ୍ୟ ସବୁ କଥା ।

 

ତିନି ବର୍ଷ ତଳର ଅବିବାହିତା ସହପାଠିନୀ ନିରୁ; ସରଳ ସୁନ୍ଦର ଅବୟବ, ଚକ୍‌ଚକିଆ ବେଶ, ବୁକୁ ଥରା ଚାହାଣୀ, ମନ ମତାଣିଆ କଥା । ଆପଣା ଛାଏଁ ନିରୁ ରୁଦ୍ର ସହିତ ବନ୍ଧୁତା ବାନ୍ଧି ନଥିଲେ ବି ରୁଦ୍ରର ସାନିଧ୍ୟକୁ ଅସ୍ୱୀକାର କରୁ ନଥିଲା ତ !

 

ଅବଶ୍ୟ ସବୁବେଳେ ତାକୁ ଆକୃଷ୍ଟ କରିବା ପାଇଁ ରୁଦ୍ର ନିଜେହିଁ ଚେଷ୍ଟା କରୁଥିଲା । ନିରୁର ସୁନ୍ଦର ଆଉ କୋମଳ ତାଜା ଶରୀରଟିକୁ ନିଜର ବାହୁ ବନ୍ଧନରେ ଗୁଡ଼େଇ ଧରିବାକୁ ସବୁବେଳେ ସେ ଲାଳାଇତ ହୋଇ ପଡ଼ୁଥିଲା । କିନ୍ତୁ ସଫଳ ହୋଇପାରି ନଥିଲା । ସାହସ କରି ତେତେ ବଳେଇ କରି କହିପାରୁ ନଥିଲା ।

 

ଏତେ ସୁଯୋଗ ନିରୁ ତାକୁ ଦେଇଥିଲା ଯେ, ବୋଧହୁଏ ଯଦି ସେ କହିଥାନ୍ତା ବିବାହ ହେବା ପାଇଁ, ନିରୁ ରାଜି ହୋଇ ଯାଇଥାନ୍ତା । ମାନ୍ତ୍ର ନିଜେ ତ ସେ’ ବିବାହିତ । ସେହି ଦୃଷ୍ଟିରୁ ବିବାହ ପ୍ରସ୍ତାବ ଦେବାକୁ ସବୁବେଳେ ସେ’ ଡରୁଥିଲା । ମାନ୍ତ୍ର ନିଜ ମନର ଲଜ୍ଜିତ ବିକାରକୁ ଚପେଇ ନ ଦେଇ ନିରୁର ରୂପ ସୁଧାକୁ ନିଜର ଅସ୍ଥି ମଜ୍ଜା ଦେଇ ଶୋଷିବାକୁ ଖୁବ୍‌ ବ୍ୟାକୁଳ ହୋଇ ପଡ଼ୁଥିଲା-। ନିରୁ ବି ସେ ଦିଗରେ ତାକୁ ଉତ୍ତେଜିତ କଲା ଭଳି ନିଷ୍କଣ୍ଟକ ବ୍ୟବହାର ଦେଖଉ ଥିଲା ।

 

ମନେ ପଡ଼ୁଚି–

 

ଗୋଟାଏ ଜ୍ୟୋତ୍ସା ଜର୍ଜର ଅସମ୍ଭାଳ ରଜନୀ । ରାତି ବେଶୀ ହୋଇ ନଥିଲା । ନିରୁର ବାପା ଘରକୁ ଫେରି ନଥିଲେ । ଦାଣ୍ଡ ଦରଜା ବନ୍ଦ ଥିଲା ।

 

ନିରୁ ବସିଥିଲା ହଲି ହଲି ଆରାମ ଚଉକିରେ । ତା’ ଦିହରୁ ଭାସି ଆସୁଥିଲା ଦିବ୍ୟ ଅତରର ମରମ ଥରା ଗନ୍ଧ । ପାଖରେ ବସି ରୁଦ୍ର ନିରୁକୁ ଖୁବ୍‌ ଗାଡ଼େଇ ଗାଡ଼େଇ ଚାହୁଁଥିଲା ଏବଂ ସେ ଦିନ ରୁଦ୍ର ଏତେ ଅସ୍ଥିର ହୋଇ ପଡ଼ିଥିଲା ଯେ ମନେ ହେଉଥିଲା ଯେମିତି ଗୋଟାଏ ସଂଘର୍ଷ ଘଟି ଯାଉଚି । କିନ୍ତୁ ହଠାତ୍‌ ନିରୁ ପଚାରି ଦେଇଥିଲା–

 

–ରୁଦ୍ର, ତମେ ସବୁବେଳେ ଏତେ ସୁନ୍ଦର କରି ସଜେଇ ହେବା ପାଇଁ ଚେଷ୍ଟା କର କାହିଁକି ?

 

–ତମରି ପାଇଁ ।

 

–ମୋରି ପାଇଁ ? କାହିଁକି ?

 

–ତମେ ମୋତେ ଭଲ ପାଅ ବୋଲି ।

 

–ମୁଁ ଭଲ ପାଏ ? ଜାଣିଲ କିପରି ?

 

–ତମର ସିଗାରେଟ ପରି ସାହଚର୍ଯ୍ୟ ।

 

–କଣ କହିଲ ?

 

–ତମର ବ୍ୟବହାରରୁ ।

 

–ସମସ୍ତଙ୍କ ସଙ୍ଗେ ତ ମୋର ଠିକ୍‌ ଏଇ ବ୍ୟବହାର ।

 

–ତଥାପି.....

 

–କଣ ?

 

–ମୁଁ ଭାବେ, ମୋ’ ନିକଟରେ ତା’ ଅନ୍ୟ ରକମର ।

 

–ଖାଲି ଭାବିନେଲେ ହୁଏ ?

 

–ଆଉ ?

 

–ଭାବିବାଟାହିଁ ଭୁଲ୍‌ ହୋଇପାରେ ।

 

–ଭୁଲ୍‌? କିନ୍ତୁ–ଆଛା ନିରୁ, ବିବାହ ହେବା ପାଇଁ ତମ ମନ ଆତୁର ହୁଏ ନାହିଁ ?

 

–ହୁଏ ।

 

–ହୋଇ ଯାଉନ ?

 

–ହେବି ।

–କେବେ ?

 

–ଯେବେ ଦରକାର ହେବ ।

 

–ଏବେ ?

 

–ଦରକାର ନାହିଁ ।

 

ରୁଦ୍ର ନିଜେ ଏହି ପାଖରେ ଅଟକି ଯାଉଥିଲା । ଅଧା ଚମିକିଲା ଠାଣି ଦେଖାଇ ଠିକ୍‌ମନର ଏହି ଅବସ୍ଥା ବେଳେ ନିରୁ ତାକୁ ଦବେଇ ଦେଇ ସୀମା ଟପେଇ ଦେଉ ନଥିଲା ।

 

ରୁଦ୍ର ପୁଳେ ସିଗାରେଟ ଟାଣି ନେଇ ପୁଣି ଭାବନାରେ ବୁଡ଼ି ରହିଥିଲା ସେ ଦିନ ।

 

ଆଉ ଗୋଟିଏ ସନ୍ଧ୍ୟା–

 

ହେଇଟି କାଲି ପରି ରୁଦ୍ରର ମନେ ପଡ଼ୁଚି । ଦିହେଁ ଏକାଠି ବସିଥିଲେ । ରାତି ପ୍ରାୟ ସାତଟାକୁ ଟିକିଏ ବେଶୀ ହେବ । ଅନ୍ଧାର ରାତି–ପ୍ରଥମ ଆଷାଢ଼ର ମଞ୍ଜୁଳ ମୃଦୁ ଝଡ଼ ବହୁଥିଲା ବାହାରେ । ଝରକାର ପରଦା ହଲି ଦମକାଏ ତୋଫାନିଆ ବାଆ ନିରୁର ପଢ଼ା ଘର ଭିତରକୁ ପଶି ଆସି ଲେମ୍ପଟିକୁ ଲିଭେଇ ଦେଲା । ସଙ୍ଗେ ସଙ୍ଗେ ଅଧୀର ହୋଇ ପଡ଼ିଥିଲା ସେ । ଦିଆସିଲି ଖୋଜୁ ଖୋଜୁ ନିରୁ ତା’ ଉପରେ ଅଜାଡ଼ି ହୋଇ ପଡ଼ିଥିଲା ଏବଂ ସେ ଏକ ମୁଗ୍‌ଧ ଅସ୍ଥିର କମ୍ପନରେ ବିବ୍ରତ ହୋଇ ତୋଳି ନେଉଥିଲା ନିରୁର ଅବହେଳିତ ତନୁଟିକୁ । କିନ୍ତୁ ହଠାତ୍‌ ଖସିଯାଇ ନିରୁ କହିଥିଲା–

 

‘‘ଆମ୍ଭମାନଙ୍କର ଇଷ୍ଟ ଜଟିଳ ନ ହେଲେ ବି ଅନ୍ଧାରରେ ଅଣ୍ଡାଳି ହେବାଟା କଦାପି ଠିକ୍‌ ନୁହେଁ ରୁଦ୍ର ।’’

 

ଏହି ପାଖରେ ମଧ୍ୟ ସେ’ ଭୀଷଣ ଭାବେ ଦବି ଯାଇଥିଲା ।

 

ତା ପରେ ହଠାତ୍‌ ସେ’ ନିରୁ ପାଖରୁ ଫେରି ଆସିଥିଲା । ସେ ଦିନଠୁ ଆଉ କେବେ ନିରୁର ଘରକୁ ଯିବା ପାଇଁ ବି ସୁଯୋଗ ପାଇ ନଥିଲା । କାରଣ, ତା’ ପର ମାସରେ ହିଁ କିଶୋର ବିଲାତରୁ ଫେରି ଆସିଲେ ଏବଂ ତାଙ୍କର ବିବାହ ହୋଇ ଯାଇଥିଲା ।

 

ବିବାହ କରି ନିରୁ କଲେଜ ଛାଡ଼ିଲା । ବାହାରେ ଆଉ ତାର ଦେଖା ମିଳିଲା ନାହିଁ । ତଥାପି ଗୋପନରେ ରୁଦ୍ରର ଚେଷ୍ଟା ଚାଲିଥିଲା ଅନବରତ । ତାର ପାଶବିକ ପ୍ରବୃତ୍ତି ତାକୁ ଅଧିକ ଉତ୍ତେଜିତ କରୁଥିଲା ଯେମିତି । ସେ ଭାବୁଥିଲା, ନିରୁ ଶେଷ ମୁହୂର୍ତ୍ତରେ ଦୂରେଇ ଯିବାକୁ ଚେଷ୍ଟା କରୁଥିଲା ସତ, ତଥାପି ଖରାପ ଭାବୁ ନଥିଲା ତ । ପୁନର୍ବାର ତା’ ସହିତ ଭଲ ବ୍ୟବହାର ତ କରୁଥିଲା ।

 

ରୁଦ୍ର ଭାବୁଥିଲା ବିବାହ କରିଥିଲେ ମଧ୍ୟ ନିରୁ ତାକୁ ଭୁଲିଯିବ ନାହିଁ । ଉପେକ୍ଷା କରିବ ନାହିଁ । ବରଂ ପୂର୍ବର ବନ୍ଧୁତାକୁ ଲୁଚେଇ ଲୁଚେଇ ନିବିଡ଼ କରିବାକୁ ଚେଷ୍ଟା କରିପାରେ । କାରଣ, ତାର ଅନ୍ୟତମ ସହପାଠିନୀ ନୀଳିମା ବିବାହ କରିଥିଲେ ମଧ୍ୟ ସିନେମା ପେଣ୍ଡାଲରେ ଭେଟିବା ପାଇଁ ବାରମ୍ୱାର ଖବର ପଠାଏ ।

 

କିନ୍ତୁ ଦିନ ଦିନ ଧରି ତିନି ବରଷ ଗଡ଼ି ଯାଇଥିଲେ ବି ନିରୁ ଠାରୁ ସେ’ ଏ ସୁଯୋଗ ପାଇପାରି ନଥିଲା । ତଥାପି ତୃଷା ତାର ଦବୁ ନଥିଲା । ତୁହାଇ ତୁହାଇ ବଢ଼ୁଥିଲା ଉତ୍କଣ୍ଠା ।

 

ରୁଦ୍ରର ବିବାହିତା ପତ୍ନୀ ଥିଲା, ଏବଂ ପ୍ରଫେସରଙ୍କ ସ୍ତ୍ରୀ ହେବା ପରେ ନିରୁ କଲେଜ ହତା ଭିତରକୁ ଆସିଲା ନମସ୍ୟା ସାମାଜିକ ମହିଳା ହୋଇ; ତଥାପି ରୁଦ୍ର ତାର ପଶୁ ପ୍ରବୃତ୍ତିକୁ ଛାଡ଼ିଲା ନାହିଁ । ଯା’ ଫଳରେ କି ସେ’ ରାତି ରାତି ଧରି ଚେଷ୍ଟା କରି ଆସିଚି ନିରୁ ସହିତ ମିଶିବା ପାଇଁ ।

 

ନିରୁ ଯେତିକି ଯେତିକି ଗୃହିଣୀ ହୋଇ ଘର ଭିତରେ ଆବଦ୍ଧା ହୋଇଚି, ସେତିକି ସେତିକି ବ୍ୟାକୁଳ ହୋଇ ପଡ଼ିଚି ରୁଦ୍ରର ଅନ୍ତର । ବର୍ବରତା ତାକୁ ଗ୍ରାସ କରି ଦେଇଚି । ଅନ୍ତରର ନିକୁଚ୍ଛ କାମନାକୁ ଲହ ଲହ କରି ଜଳାଇ ନିଜେ ଜଳି ପୋଡ଼ି ଚେଷ୍ଟା କରିଚି ସାଙ୍ଗ ସୁଖ ପାଇବା ପାଇଁ । ନିରୁର ପୁଅଟିଏ ହୋଇଚି ବୋଲି ଶୁଣିଲା ପରେ ବି ହଟି ଯାଇ ନାହିଁ ।

 

ଆଜି–ଆଜି ଖୁବ୍‌ସାହସ ବାନ୍ଧି ଆଗେଇ ଯାଇଛି ସେ; ଯା’ ଫଳରେ କି ଘଟି ଯାଇଛି ଆଜିର ଏ ଆକସ୍ମିକ ଘଟଣା ।

 

ରୁଦ୍ରର ଦେହ ଶୀତେଇ ଉଠିଲା ଭୟରେ । ଭାବି ବସିବାରୁ ଏବେ ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଏକା ନିରୁ ନୁହେଁ, ତା ପରି କଲେଜର ଆଉ ଚାରିଟା ସହପାଠିନୀଙ୍କ ଗଭୀର ସଂସ୍ପର୍ଶରେ ଆସି ପାରିଛି ସେ; ସମସ୍ତଙ୍କୁ ପ୍ରେମ କରିବା ପାଇଁ ହୃଦୟ ତାର ଅସ୍ଥିର ହୋଇଛି । ତାକୁ ପ୍ରେମ କରିବା ପାଇଁ ବି କିଏ କିଏ ଲହଁପି ପଡ଼ିଛନ୍ତି । ଅନେକ ଧରା ଦେଇ ପଳାଇ ଯାଇଛନ୍ତି ଏବଂ ନୀଳିମା ପରି କେତେ ଜଣ ନିଜର ସ୍ୱର୍ଗୀୟ ତନୁ ସମ୍ପଦ ନେଇ ତାର ଶରଣାଗତ ହୋଇଛନ୍ତି । କିନ୍ତୁ ନିରୁ....

 

ରୁଦ୍ର ବୋକାଙ୍କ ପରି ପଡ଼ି ରହିଲା ଶେଯ ଉପରେ ।

 

ନିରୁ ସେହିପରି କାନ୍ଥ ତଳେ କୁଢ଼େଇ ହୋଇ ବସି ପଡ଼ିଥିଲା ।

 

ସ୍ୱାମୀ ହଠାତ୍‌ଫେରିଗଲେ ।

 

ରୁଦ୍ର ଦଉଡ଼ି ପଳେଇଲା ।

 

ଚାକରାଣୀଟା ଅନ୍ୟ ଘରେ ଶୋଇଥିଲା । ଖଡ଼୍‌ କରି କବାଟ ଖୋଲିଲାଣି ଏବେ ।

 

ନିରୁପମାର ଆଖିବାଟେ ଜଳିଲା କେନ୍ଦୁ କାଠର ନିଆଁ ଛିଡ଼ିକା ବିଛୁଡ଼ି ପଡ଼ୁଚି । ମଥାରେ ଯେମିତି ବଡ଼ ପଥରଟାଏ ମଡ଼େଇ ଦେଇଚି କିଏ । ସାରା ଶରୀର ତାର ଘର୍ମ ଜର୍ଜର ହୋଇ ଯାଇଥିଲା ଓ ଆଖି ବାଟରୁ ବହି ଆସୁଥିଲା ଲୋତକ ।

 

ଯେ’ ତାକୁ ପ୍ରାଣ ଭରି ଭଲ ପାଇ ଆସୁଥିଲେ, ତାଙ୍କ ମନରେ କି ଧାରଣା ହୋଇଥିବ ଏବେ ? କଣ ଭାବିଥିବେ ? ଫେରିଗଲେ କାହିଁକି ?

 

କାଳେ ବାହାରେ ଚିନ୍ତାମଗ୍ନ ହୋଇ ଠିଆ ହୋଇଥିବେ ପରା ! ଅଧ ଘଣ୍ଟା କାଳ କୁଢ଼େଇ କୁଢ଼େଇ ଦେହର ସବୁ ବଳ ଲଗେଇ ନିରୁ ଠିଆ ହେଲା । ଆଖି ଉପରୁ ବାଳ ଆଡ଼େଇ ଦୁଆର ବନ୍ଧରେ ବାହୁ ଭରା ଦେଇ ସେ’ ବାହାରକୁ ଅନେଇଲା ।

 

କାହିଁ ? ଫାଙ୍କା ଅଗଣାରେ ଅନ୍ଧାରକୁ ଫଟେଇ ରାସ୍ତା ଉପରର ବିଜୁଳି ଆଲୁଅ କ୍ଷୀଣ ଧାରରେ ପଡ଼ୁଚି । ଆଉ କିଛି ନାହିଁ । ନିରେଖି ନିରେଖି ସେ’ ବଗିଚା ଭିତର ଗଛ ବୁଦା ଗହଳିକୁ ଚାହିଁଲା । ଖାଲି ଚାହିଁ ରହିଲା ।

 

କିଛି ଶବଦ୍‌ ନାହିଁ । କେବଳ କିଶୋର ଛାଡ଼ି ଯାଇଥିବା ବେଗ୍‍ଟି ତଳୁ ଉଠାଇ ନେଲା । ସେମିତିରେ କିଛି ସମୟ ଗଲା । ବେଗ୍‌ଟି ଘର ଭିତରେ ରଖି ଦେଇ ପୁଣି ସେ ଫେରି ଆସିଲା । ହଠାତ୍‌ ଆଖି ତାର ଝଲସି ଉଠିଲା । ସେ’ ଦେଖିଲା, ଯେମିତି କି ବଗିଚା ଭିତରୁ ହାତରେ ଗୋଟାଏ ବଡ଼ ଛୁରୀ ନେଇ କିଶୋର ତା’ ଉପରକୁ ଧୂପି ଆସୁଛନ୍ତି ! ଚିତ୍କାର କରି ସେ ଘର ଭିତରକୁ ପଳେଇଲା !

 

ଧାଇଁ ଆସି ଚାକରାଣୀ ଶୁତ୍ରୀ କହିଲା, କି’ ହେଲା ମା ?

 

ଏଁ–ନିରୁ ତା’ ଆଡ଼କୁ ଅନେଇ ରହି କହିଲା, କିଛି ନାହିଁ । ସ୍ୱପ୍ନ ଦେଖିଲି । ସନ୍ଦେହ କରି ପୁନର୍ବାର ସେ’ ବଗିଚା ଭିତରକୁ ଅନେଇଲା, କିନ୍ତୁ କିଛି ନାହିଁ !

 

ଧିରେ ଯାଇ ପିଲାଟି ପାଖରେ ଶୋଇ ପଡ଼ିଲା । କିଛି ବୁଝି ନ ପାରି ଶୁତ୍ରୀ ଫେରିଗଲା ଶେଯ ପାଖକୁ ।

 

ବାଚାଳତା ଯେମିତି ଛାତି ଫୁଲେଇ କିଶୋର ବାବୁଙ୍କୁ ଆହ୍ୱାନ କରୁଥିଲା ଯୁଝିବାକୁ; ନିଶ ମୋଡ଼ି ଡାକ ଦେଉଥିଲା ପଁଝାରେ ପଁଝା ମିଳେଇବାକୁ ।

 

ନିରୁପମାକୁ ବିବାହ ନ କରି ହୁଏତ ସେ’ ସୁଖି ହୋଇ ପାରିଥାନ୍ତେ । କିନ୍ତୁ ଏଇ କାର୍ଯ୍ୟ କରି କଣ ନାରୀ ଜାତି ପ୍ରତି ନିରୁ ଅନ୍ୟାୟ ଆଚରଣ କରି ନଥାନ୍ତା ?

 

ଅନ୍ୟାୟ କଣ ? କଣ ହୁଅନ୍ତା ? ଆଜି କାଲିର ଆଉ ଚାରିଟା ନାମ ମାତ୍ର ଚିର କୁମାରୀ ବ୍ରତଧାରିଣୀ ମହିଳା ଗ୍ରାଜୁଏଟଙ୍କ ପରି ସେ’ବି ଲକ୍ଷେ ରୁଦ୍ର ପ୍ରସାଦଙ୍କ ଆଖିର ପିତୁଳା ହୋଇ ରହିଥାନ୍ତା । ବିଚ୍‌ ବଜାରର ରଙ୍ଗିନ୍‌ ପିସ୍‌ ମିଠେଇ ବାକ୍‍ସ ଚାରିପାଖେ ନେଳିଆ ମାଛି ବେଢ଼ିଲା ପରି, ଭୋଖିଲା ମଣିଷ ତା’ ପିଛା ଲୋଭିଲା ଦୃଷ୍ଟି ଲମ୍ୱେଇ, ଓଠ ଲହଁପେଇ ଝରକା ଏ ପଟୁ ହେଉ ପଛେ ଆଉଟୁ ପାଉଟୁ ହେଉଥାନ୍ତେ ।

 

ନର୍ସ ମାଧବୀ ଆଉ କଣ କରୁଚି ? ତା’ର ସ୍ୱାମୀ ବୋଲି କେହି ନାହିଁ । ସନ୍ତାନ ନାହିଁ । ସେ’ତ କାହାର ପତ୍ନୀ ନୁହେଁ । ତଥାପି ବ୍ୟର୍ଥ ହୋଇନି ତାର ବୟସ । ନିରୋଳାରେ, ଖାଲି ଖାଲି କଟିଯାଉନି ରୂପ, ଯୌବନ । ମାଛି ବେଢ଼ିଛନ୍ତି ଭଣଭଣ । କାମୁଡ଼ିଛନ୍ତି, ଦାନ୍ତେଇ ଦାନ୍ତେଇ, ନଖେଇ ନଖେଇ ଉଷୁମ ରସ ପିଇଛନ୍ତି, ତା’ର ଥଳ ଥଳ ଚକ୍‌ଲେଟ୍‍ହୁଁ ବଳି ସୁଆଦିଆ ମାଉଁସକୁ ମିନିଟ୍‌ ମିନିଟ୍‌ ଧରି ରେଗିଡ଼ିଛନ୍ତି ।

 

ଧର, ସେ’ ବାହା ହୋଇ ନାହାନ୍ତି । ତା’ ହେଲେ ସାଧାରଣ ଛାତ୍ରୀ ହିସାବରେ ନିରୁ କଣ ଗୋଟାଏ ବଡ଼ କଥା କରି ପକେଇଲା ?

 

ସତୀତ୍ୱ, ପାତିବ୍ରତ୍ୟ, ସାମାଜିକ ଶୃଙ୍ଖଳା ଏ ସବୁକୁ ନେଇ ସିନା ବାସ୍ତବ ଜୀବନରେ ଆଧ୍ୟାତ୍ମିକ ଧାରଣାର ସୂତ୍ରପାତ ହୁଏ ।

 

କାହିଁ କେତେଟା ଲେକ୍‌ଚର ଛଡ଼ା କଲେଜର କେଉଁ ପିରିଅଡ଼ରେ ତାକୁ ଏ ସମ୍ୱନ୍ଧରେ ମନକୁ ଭେଦିଲା ଭଳି ଶିକ୍ଷା ଦିଆ ଯାଇଛି ? ଅଧିକରେ ପଶ୍ଚିମ ଆଡ଼କୁ ମୁହାଁଇ ଦେଇ ଅମାର୍ଜନୀୟ ତୃଟି ତାକୁ ଧରେଇ ଦିଆ ହୋଇଚି ସିନା ?

 

ପୁରୁଷ ଠାରୁ ନାରୀର ଶକ୍ତି କମ୍‌ ନୁହେଁ । ପୁରୁଷ ସହ ନାରୀକୁ ବି’ତ ସମାନ କରି ଶିକ୍ଷା ଦିଆ ଯାଉଛି ଏକା ଶିକ୍ଷା, ସହ ଶିକ୍ଷା ।

 

ଛାତ୍ରୀ ହିସାବରେ ନିରୁ ଶିଖିଚି ଆଉ କଣ ? ପୁରୁଷ କାର୍‌ ଚଳାଇଲେ ନାରୀ ଚଳେଇବ-। ଘୋଡ଼ା ଚଢ଼ିଲେ ଚଢ଼ିବ । ପୁରୁଷ ଯେଉଁଆଡ଼େ ଦଉଡ଼ିଲେ ନାରୀ ସେ ଆଡ଼େ ଦୌଡ଼ିବ । ପୁରୁଷ ତଳକୁ ମୁହଁ କଲେ, ସେ’ ବି କରିବ । ପୁରୁଷ ଉପରକୁ ଉଠିଲେ, ସେ’ବି ଉଠିବ । କେଉଁଠି ପାର୍ଥକ୍ୟ ନାହିଁ । ସମାନ ସବୁ ।

 

ହାୟ ! ଶତାବ୍ଦୀର ବିକୃତ ମାନସିକ ବିକାର !

 

ନର୍ସ ମାଧବୀ ଉଦାହରଣ ହୋଇ ତାଙ୍କର ଆଖି ଆଗରେ ଜଳୁଚି ।

 

ପୁରୁଷ ସଙ୍ଗେ ସମାନ ଲମ୍ଫ ଦିଆ ଶିକ୍ଷାରେ ସମୃଦ୍ଧ ତାର ଆଚରଣ । ଠିକ୍‌କାନ୍ଧକୁ କାନ୍ଧ ମିଳେଇ ଚାଲିଚି । ମରଦ ଜାତିର ଛାତି ଚିରି ବାହାର କରିଚି ବର୍ବରତା । ଆଗେଇ ଚାଲିଚି ସେ, ଯୁବତୀ ଅବିବାହିତା । ଆଧୁନିକ ପଦ୍ଧତିର ଛାପା ମରା ରେଜଷ୍ଟ୍ରି କରା ଚଳନ–ସେ’ ସେବିକା । ତାର କୌଣସି କାର୍ଯ୍ୟରେ ବାଧା ଦେବାକୁ ସମାଜର କ୍ଷମତା ନାହିଁ ।

 

ନିଷ୍କୃତି ପାଇଚି ସେ । ସନ୍ତାନର ଗୁହ ମୂତ, ସ୍ୱାମୀର ନାଲି ଆଖି, ଠିକଣା ଅଠିକଣାରେ ସାଇ ପଡ଼ିଶାଙ୍କ ମୁରବୀ ପଣିଆ, ଶାଶୁ ନଣନ୍ଦ ଜଞ୍ଜାଳ, କିଛି ନାହିଁ । ରନ୍ଧା ବଢ଼ା, ନିଆଁ ଚୁଲ୍ଲୀ, ପାଣି ପାଉଁସ–ସବୁଥିରୁ ନିଷ୍କୃତି ପାଇଚି ।

 

ତଥାପି କଞ୍ଚା ମାଉଁସର କାମନା, ଯୌବନର ଥର ଥର ହଲିଲା ସ୍ରୋତ ପରି ଇଚ୍ଛା, ଅପୂରଣ ହେଇନି । ଦର ଫୁଲି ଆସିଲା ପେଟକୁ ଦାବି ଦେବା ପାଇଁ ଫର୍ମାସିରେ ପ୍ରଚୁର ଔଷଧ ଅଛି । ଜନ୍ମ ନିରୋଧ !! ଆକଟ କରୁଚି କିଏ ?

 

ଗୋପନରେ ଘଟୁଚି ବୋଲି ତୁନେଇ ତୁନେଇ ଭାସକୁଟି ହେଉଚନ୍ତି ସମସ୍ତେ । ଗୋପନ କଥା । ଖୋଲା ପ୍ରତିକାର ପାଇଁ ଦୁର୍ବଳ ନୈତିକତାର ସାହସ ଅଣ୍ଟୁ ନାହିଁ । ଘରର ନିଆଁ ବୋଲି ଅଣ୍ଟିରେ ପୁରେଇ ପୁରେଇ ସମାଜର ମେଢ଼, ମଣ୍ଡପ ଆଜି କୁହୁଳି ଉଠିଲାଣି । ଅନ୍ତଃପୁରରେ କୁହୁଳା ଗନ୍ଧ ଚହଟି ଉଠିଲାଣି ।

 

କେତେ ଦିନର ଏ ଜୀବନ ? ଟିକିଏ ଲହଁପି ଦେଖିବାର ଶକ୍ତି ମାଧବୀର ନାହିଁ । ସୋଲ କାଠ ପରି ଫୁଲୁଫୁଲିଆ, ଭସାଣିଆ ବୟସ–ଭାସୁଚି ।

 

ହୁଏତ ସେମିତି ଭାସୁଚି ନିରୁପମା । ଭାସୁଥାଉ । ବଳେ ବଳେ ଠିକ୍‌ ହୋଇଯିବ । ଦୁନିଆ ବୁଝିବ ଯେତେବେଳେ, ସେ ବୁଝିବ ଦୁନିଆକୁ, ଜୀବନକୁ ।

 

ଓଃ କେତେ ଡେରିର କଥା ଏଇଟା ! ୟା’ ଭିତରେ ଜନମଟା ତାର ସରିଯିବ । ବ୍ୟର୍ଥ ହୋଇଯିବ ! ନିଉଛୁଣା ହୋଇ କଟିଯିବ !!

 

କଟୁ । ମାଟି ଦେହ ତାର ମାଟିରେ ମିଶିଯାଉ । ସେ’ ମରିଯାଉ । ଦୁନିଆ ସୂଚୀ ପତ୍ରରୁ ନା’ ତାର ଉଠିଯାଉ ।

 

ପ୍ରଫେସରଙ୍କ ମନରେ ପ୍ରଶ୍ନ ଉଠିଲା, ତଥାପି ତାଙ୍କ ହୃଦୟରେ କଞ୍ଚା ବେଦନାର ଏ ତୀବ୍ର ଚୁମୁଟା କାହିଁକି ?

 

ସାମାଜିକ ମଣିଷ ସେ । ତେଣୁ !

 

କାହିଁକି ତେଣୁ ? ସମାଜ କଣ ? ନିରୁ କିଏ ? କିଏ ରୁଦ୍ର ପ୍ରସାଦ ? ତାଙ୍କର ତ ପୁରାପୁରି ନଦୀ ମଝିର ଭାଷିଲା ଖଣ୍ଡେ କାଠ ପରି ଅଲଗା ଦିହଟିଏ । ସେଥିରେ ଏତେ କନକନିଆ ଜ୍ୱାଳା କାହିଁକି ? ସାଁପ ତାଙ୍କୁ କାମୁଡ଼ିଚି ନା’ ଭିରୁଡ଼ି ଭୁଷି ଦେଇଚି ଆଖି ପତାରେ ?

 

କିଛି ନାହିଁ । କାହିଁ ଖଣ୍ଡିଆ ହେଇନି ତାଙ୍କର ଦେହ । ରକ୍ତ ବୋହୂନି । ତଥାପି ଦେହରୁ ରକ୍ତ ଶୁଖି ଯାଉଚି । ଶେଥା ଦିଶୁଛନ୍ତି ।

 

ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସାରି କେଡ଼େ ଖୁସିରେ, ପ୍ରଫୁଲ୍ଲ ଚିତ୍ତରେ ଫେରୁଥିଲେ ଘରକୁ । ପତ୍ନୀ ସଙ୍ଗରେ କଟେଇବେ ବୋଲି ଛୁଟିରୁ କେତେଟା ଦିନ ସେ’ ବଳେଇ କରି ଆଣିଥିଲେ । ଫେରିଲା ବେଳେ କୁନି ପୁଅଟି ପାଇଁ ଯେଉଁ ଜାମାଟି କିଣି ଆଣିଥିଲେ, ଗାଢ଼ ରଙ୍ଗ ଅଧେ, କଇଁ ରଙ୍ଗ ଅଧେ ଓ ସେହି ଜହ୍ନ ପାଖର ନେଳିଆ ରଙ୍ଗ ପରି ଅଧେ, ମିଶାମିଶି ବର୍ଣ୍ଣ । କେଡ଼େ ଗେହ୍ଲାରେ କିଣିଥିଲେ । ଏବେ ପ୍ୟାଣ୍ଟ ପକେଟ ଭିତରେ ସେଇଟା ଖତେଇ ହେଉଚି ତାଙ୍କୁ । କହୁଚି ଯେମିତି–ସେଟା ତାର ପୁଅ ନୁହେଁରେ ପ୍ରଫେସର, ତୋ ପୁଅ ନୁହେଁ । ନିତାନ୍ତ ଅସହନୀୟ !!

 

କିଶୋର ପାଗଳଙ୍କ ପରି ପକେଟରୁ ଜାମାଟା କାଢ଼ିଆଣି ଦାନ୍ତରେ ଟିକି ଟିକି କରି ଚିରି ଦେଲେ, ଚୋବେଇ ଚୋବେଇ ବିଦାରି ପକେଇଲେ ବୁଢୀମା କାହାଣୀର ଭୂତଙ୍କ ପରି ।

 

ଦୁର୍ଭାବନା କାମୁଡ଼ୁଚି ମୁଣ୍ଡ ଭିତରେ !

 

ହଁ ସାମାଜିକ ମଣିଷ ସେ । ସମାଜ ! ଯେଉଁ ସମାଜରେ ସେ’ ପ୍ରଫେସର, ଗୁରୁ । ଯା’ର ନିପୁଣ ବକ୍ତୃତା (ଲେକ୍‌ଚର) ଶୁଣି ତରୁଣ ତରୁଣୀ ସାମାଜିକ ମଣିଷ ହୋଇ ଠିଆ ହୁଅନ୍ତି । ଠିକ୍‌ ନିରୁପମା ପରି, ରୁଦ୍ର ପ୍ରସାଦ ସଦୃଶ୍ୟ । ସେହି ସମାଜର ମଣିଷ ସେ । ଯେଉଁଠି ବାସ କରନ୍ତି, ନାରୀ ନେତ୍ରୀ ସୁଷମା, ନର୍ସ ମାଧବୀ ।

 

କିଶୋରଙ୍କ ଇଚ୍ଛା ହେଉଥିଲା, ପାଖରେ ପିସ୍ତଲ ଥିଲେ ସେ’ ଗୁଳି କରି ନିଜର ଜ୍ଞାନପୂର୍ଣ୍ଣ ଛାତି କି କଣା କରି ଦିଅନ୍ତେ । ଆଉ ସେ ଜ୍ଞାନ ଜର୍ଜର ରକ୍ତକୁ ଧାର ଧାର କରି ମାଟି ତଳେ ମିଳେଇ ଦିଅନ୍ତେ ।

 

ନା ନା, ଏଟା ହେୟ ଦୁର୍ବଳତା । ନିପଟ କାପୁରୁଷତା !

 

ନିଶ୍ଚୟ ସେ’ ସାମାଜିକ ମଣିଷ ହୋଇ ରହିବେ । କେତେ ହାଲୁକା, ଅସ୍ଥାୟୀ, ନକଲି ସମାଜ ନାୟକଙ୍କ ଶ୍ୱେତ ବୁଦ୍ଧିର ଗଳା ଖଙ୍କାରରେ ସିନା ଆଜି ଭାରତର ସଂସ୍କୃତି ସାଙ୍ଗରେ ସମାଜଟା ବି ଦୃଢ଼ତା ହରେଇ ଭଙ୍ଗା କୋଠା ପରି ହୋଇ ପଡ଼ିଚି । ଦଦରା, ଚିଲ୍‌ଚିଲା । ତା’ ବୋଲି ପେଟ କାକୁର୍ତ୍ତିରେ ଦାଢ଼ି ବଢ଼େଇ ଝୁଲି ପକେଇ ବାବାଜି ସାଜିଲା ପରି ସମାଜ ଛାଡ଼ି ଦଉଡ଼ି ପଳେଇବେ ସେ !

 

ହଁ, ପଇସା ଦେଇ ପଇସା ପାଇଁ କିଣା, ପୋଥି ବନ୍ଧା ଜ୍ଞାନ ବିଜ୍ଞାନରେ ସମୃଦ୍ଧ ସମାଜକୁ ପରିତ୍ୟାଗ କରି ସେ’ ଚାଲିଯାଇ ପାରନ୍ତି । ଏ କିଣା ଶିକ୍ଷାର ବଡ଼େଇ ଦେଖେଇ ନିଜକୁ ବଡ଼ କରିବା କାମନାର ବହୁ ଦୂରକୁ ଚାଲିଯାଇ ପାରନ୍ତି । ବହୁ ଦୂରକୁ ।

 

କୁଆଡ଼କୁ ? ଓଡ଼ିଶା ଛାଡ଼ି ଯିବେ ? ମାଡ୍ରାସ ଚାଲିଯିବେ ?

 

ସେଠି କଣ ନିଃସ୍ୱ ମଣିଷ ଛୁଆ ବିନା ପଇସାରେ ବାସ୍ତବ ଜ୍ଞାନ ଅର୍ଜନ କରି ସକ୍ଷମ ସଂସାରୀ ହୁଏ ? ଛାତ୍ର–ଛାତ୍ରୀଙ୍କ ନିର୍ମଳ ଜୀବନରେ ଲଙ୍ଗଳା ଯୌନ ପ୍ରବୃତ୍ତିର ବ୍ୟଭିଚାର ନାହିଁ ? ଗୃହସ୍ଥ ଜୀବନରେ ଟଙ୍କା ପଇସାର ଝଣ ଝଣ ଭିଡ଼ା ଓଟରା ନାହିଁ ? ଧନ ଦଉଲତ, କ୍ଷମତା ମାୟାର ପ୍ରତିଯୋଗିତାରେ ଜୀବନ ସବୁ ଆଉଟୁ ପାଉଟୁ ହେଉନାହିଁ ?

 

ହିଁ ହିଁ ହୋଇ ହସି ଉଠିଲେ କିଶୋର । ଆଉ ବଙ୍ଗଳା ? –ତଥୈବଚ । ସାରା ଭାରତ ବି ସେୟା ।

 

ଆଉ ଦୁନିଆଁ ?

 

ସବୁଠିତ ସେଇ ପୁଞ୍ଜି ଉପରେ ନିର୍ଭର କରୁଚି ଜ୍ଞାନ, ବିଜ୍ଞାନ । କଠୋରତା ହୀନ, ଫିଟାଫିଟି ଗାଇ ଗୋଠ ପରି କୁଢ଼ା କୁଢ଼ା ମଣିଷ ପଲ । ଯେଉଁମାନେ ତା’ ଭିତରୁ ଜ୍ଞାନ ଲାଭ କରି ସମାଜ ଗଢ଼ିବାରେ ସକ୍ଷମ ହେବେ ବୋଲି ଭାବି ବିଦ୍ୟାଳୟର ଭକ୍ତ ହୋଇ, ପରେ ଆଗେଇ ଆସନ୍ତି ସଂସାର ଭିତରକୁ ଆଉ ଥରେ, ହୁଏତ ତାଙ୍କରି ପରି ଟଙ୍କା ପାଇଁ ଜ୍ଞାନ କିଣା ବିକା କରନ୍ତି । ନଚେତ୍‌ ରୁଦ୍ର ପ୍ରସାଦ ପରି ଜୀବନ ଯାପନ କରନ୍ତି, ନହେଲେ ବେକାର ହୋଇ ବୁଲୁଥାନ୍ତି ।

 

ପ୍ରଫେସରଙ୍କ ଭାବନା ଭିତରେ ଦାଣ୍ଡ, ବାଟ, ବଜାରର ସମସ୍ୟା । କର୍ତ୍ତବ୍ୟ ନିର୍ଦ୍ଧାରଣ ପାଇଁ ବାଟ ଖୋଜି ଖୋଜି ମନେ ମନେ ବାଉଳା ହୋଇ ଉଠୁଛନ୍ତି ସେ । ବ୍ୟାକୁଳ ଭାବନାର ବତାସ ବହି ଯାଉଛି ।

 

ହଁ, ବେକାର ! ବେକାର ସମସ୍ୟା । ସମାଧାନ ପାଇଁ ଆମ୍ପୁଡ଼ି ଛିଣ୍ଡେଇ ହେଉଚି ଜାତିଟା-। ବଇଶାଖ ମାସିଆ କ୍ଷେତ ଚାଷରେ ବ୍ୟସ୍ତ ଲଙ୍ଗଳ ମୁନରେ ଓଲଟି ପଡ଼ିଥିବା ବଡ଼ ବଡ଼ ଟାଣ ଟେଳା ପରି ପାଠ ପଢ଼ା ମଣିଷ ଗୁଡ଼ାକ ଏଠି ସେଠି ଗଡ଼ୁଛନ୍ତି।

 

ନେତାମାନଙ୍କ ମୁଣ୍ଡରେ ଭୂତ ସିଙ୍ଖା–ରୁଚି । କଣ ହେବେ ଏ ଗୁଡ଼ା ?

ସରକାରୀ କଳ, ଦିନକରେ ବାଇଶି ମାଇଲ ଖେଦି ଥିବା ହଡ଼ାର ମୁହଁ ପରି ମୁହଁକୁ ଫୁଲେଇ ଖିଙ୍କାରୁଚି–ନୋ’ ଭେକେନ୍‌ସି ପ୍ଳିଜ୍‌।

 

ତଥାପି ଆନ୍ଦୋଳନ, ହୁ’ ହଟା ତୀବ୍ରରୁ ହେଉଚି ତୀବ୍ରତର । ଦେଶରେ ଇସ୍କୁଲ ସଂଖ୍ୟା ବଢ଼ାଅ । କଲେଜ ବସାଅ । ମାଷ୍ଟ୍ର ପଠାଅ । ଅଧିକା ଦରମା ଦିଅ ।

 

ଦେଶର ସନ୍ତାନ ଆମଦାନୀ ଢେର ବଢ଼ି ଚାଲିଛି । ଶିକ୍ଷା ଲୋଡ଼ା । ଶିକ୍ଷାନୁଷ୍ଠାନର ପ୍ରସାର ଲୋଡ଼ା ।

 

ଏଣେ ଶିକ୍ଷିତ ସଂଖ୍ୟା ବି ଉତ୍‌ପାତ୍‌ ହୋଇ ବଢ଼ି ଚାଲିଛନ୍ତି । ଶୁଖିଲା ଖଡ଼ ଖଡ଼ ସାର୍ଟିଫିକେଟ ପଡ଼ାକୁ ଦାନ୍ତରେ କାମୁଡ଼ି ପାଟି କରୁଚନ୍ତି–ଭାତ ! ଭାତ ଦିଅ । କାମ ଦିଅ । ଚାକିରୀ ମିଳୁ ନାହିଁ । ବର୍ଷା ଦିନିଆ ଭେକର ଚିତ୍କାର ଭଳି ନିଷ୍ଫଳ ଆକାଶ ତଳେ ଖାଲି ଚିତ୍କାର !!

 

ତେଣେ ରାଜ ନୀତିର ଫମ୍ପା ଖୋଳପା ଭିତରେ ଦଳ ଗଢ଼ି ଉଠୁଛି, ଇଜମ୍‌ ସବୁ ପାଉଛ ପାଉଛ କରି ନିଶୁଣି ପକେଇଲାଣି ଆକାଶ ପର୍ଯ୍ୟନ୍ତ !

 

ଶାନ୍ତି ପାଇଁ ଶତଚେଷ୍ଟା, ସ୍ୱାଚ୍ଛନ୍ଦ୍ୟ ପାଇଁ ଶତ ଆନ୍ଦୋଳନ, ସତ୍ୟାଗ୍ରହ, ଅନଶନ, ବିପ୍ଳବ-

 

ତା’ ତଳକୁ ମୁନ ଭଙ୍ଗା ଛୁଞ୍ଚିରେ ଫୋଡ଼ି ଦେଲା ପରି ଜାତିର ବୁକରେ ଜଳା ପଶୁଚି; ବେକାର ସମସ୍ୟା, ଦୁର୍ଭିକ୍ଷ, ବ୍ୟଭିଚାର, ଡକେଇତି, ଲାଞ୍ଚ, ଟାଉଟରି, ହାଣକାଟ ।

 

ଭିତରେ ଭିତରେ ପୋକ କାଟିଲାଣି ସମସ୍ତ ରକମର ପରିଚାଳନାକୁ । ନା’ ଏହି ସମାଜରେ ସେ’ ରହି ପାରିବେ ନାହିଁ । ଏତେ ସନ୍ତାପିତ ହୋଇ ପାରିବେ ନାହିଁ ।

 

ଏଟା କଣ ରହିଲା ଭଳି ସମାଜ ? ଅଢ଼େଇ ଦିନିଆ ନିଜତ୍ୱ ନେଇ ଅସ୍ଥିର ମଣିଷ ଯେଉଁଠି ଭଲ ମନ୍ଦ ଭୁଲି, ଚାଲିବା ବାଟରେ ଗାଡ଼ ଖୋଳୁଚି । ଦେଶସେବା ପାଇଁ ଆଗୁଆ ହୋଇ ବାହାରୁଚି ଯିଏ, ତାର ଲୋଡ଼ା ଟଙ୍କା, ବେଶୀ ଟଙ୍କା । ଟଙ୍କା ନ ହେଲେ ଦେହ ଶୁଖିଯିବ । ଏ ସମାଜର ମଣିଷ ଖାଲି ଟଙ୍କା ଖାଏ, ଟଙ୍କା ହଗେ । ଟଙ୍କା ଲୋଡ଼ା !
 

ଆଉ ମନ ଭିତରେ ଭାସି ବୁଲେ କଳ୍ପନାର ଫଟା ଡଙ୍ଗାରେ । ବିଭିନ୍ନ ମଣିଷ ମୁଣ୍ଡରେ ଭିନ୍ନ ଭିନ୍ନ ରଙ୍ଗର କଳ୍ପନା–

 

ଛାତ୍ର ହେବି–ସହରରେ ବାଇସିକଲ ଛୁଟେଇ ପାଠ ପଢ଼ିବ ।

 

ମନ୍ତ୍ରୀ ହେବି–କ୍ଷମତା, ଅଧିକା, ଗୌରବ; କଳ୍ପନାର ଜାଲ ଓହଳି ଆସେ ଛାଇ ନିଦ ଭିତରେ ।

ଏମ୍‌.ଏଲ.ଏ.–

 

ଅନାଚାର ଘୋଡ଼େଇବା ପାଇଁ ଗୌରବର ଖୋଳପା ।

 

ବ୍ୟବସାୟୀ–ତେଲରେ ମିଶେଇବ ଅଗରା । ଟଙ୍କା ତ ଲୋଡ଼ା ! ହୋଟେଲ ମାଲିକର ଛାତି ଫୁଲି ଉଠେ–ଭାତରେ ଦୁର୍ଗନ୍ଧ ପାଉଡର !

 

ଚାଷି ବି ପଛାଏ ନାହିଁ; ଧାନରେ ଆଞ୍ଜୁଳା ଆଞ୍ଜୁଳା କରି ଅଗାଡ଼ି ଅଜାଡ଼ିବା ପଛରେ ଆନନ୍ଦ ଅଛି । ମଣିଷ ବଜାରରେ ନିତି ନିତି ଚାଲିଚି ଦିଆ ନିଆ, କିଣା ବିକା; ବଞ୍ଚିବା ପାଇଁ ସତ ହେଉ ପଛେ ମିଛ । କଳା ହେଉ ପଛେ ଧଳା । ଆଉ ତା’ ପଛକୁ କଣ ?

 

ନିୟନ୍ତ୍ରଣ ନାଁରେ ଫାଙ୍କିବା–

 

ଆଇନ ନାମରେ ଫନ୍ଦି–

 

ଶଳା ନାଁରେ ପର୍‌ମିଟ୍‌

 

ସ୍ତ୍ରୀ ନାଁରେ ଜମି ବାଡ଼ି–

 

କଳାବଜାର !

 

ଲନ୍ଦ ଫନ୍ଦ !!

 

ସମାଜଟା ବି ମସ୍ତ କଳାବଜାର । ଠକାମିର ବୃହତ୍‌ ତାଲିମ୍ କେନ୍ଦ୍ର ! ଷାଠିଏଟା ବର୍ଷର ଆୟୁଷ ନେଇ ଗର୍ବିତ ମଣିଷ ଆହୁରି ଭୋଳ ! ଚମ୍‌ଲୁଡୁ ଲୁଡୁ, ପାଟି ଥୁଡ଼ୁ ଥୁଡ଼ୁ ବୁଢ଼ା ଦାବୀ କରେ ତାର ସ୍ୱାତନ୍ତ୍ର୍ୟ ସୁଖ–ବିଳାସ ! ବ୍ୟକ୍ତିଗତ ହକ୍‌–ସଂପତ୍ତିର ବଣ୍ଟା । ଅନ୍ୟ ପୁଅ ଯେମିତି ହେଉ । ମାଇପ ଯାହା କରୁ ।

 

ପତ୍ନୀ ଚାହେଁନା ପତିତ୍ୱର ସଙ୍ଗତ ଚାପ । ତାର ଦୈହିକ କାମନା ପ୍ରବଳ । ଚାହେଁ ସେ’ ସ୍ୱାଧୀନତା । ଅସ୍ଥିର ମଣିଷ ବାନ୍ତି କରେ ଅବିକୃତ ପଶୁତ୍ୱ ।

 

ବାପ ପୁଅ, ଭାଇ ଭାଇ, ମଣିଷ ମଣିଷ, ସ୍ତ୍ରୀ ପୁରୁଷ, ସମସ୍ତଙ୍କର ଧୁଡ଼ୁ ଧୁଡ଼ୁ ମାନବିକତା ଆଜି ଗାଢ଼ ଅବିଶ୍ୱାସ ଅଠାରେ ଜୁଡ଼ୁ ଜୁଡ଼ୁ ହେଲାଣି ।

 

ଯେଉଁ ନିରୁପମାକୁ ସେ’ ଏତେ ଆପଣାର କରି ତୋଳି ଆଣିଥିଲେ, ସର୍ବସ୍ୱ ତା’ ଛାତିରେ କୁଢ଼େଇ ଦେଇ, ନିଶ୍ଚିନ୍ତରେ ନିଜ ଜ୍ଞାନ ଗରିମାର ଆବୃତ୍ତି କରିବାକୁ ଆଶା ବାନ୍ଧିଥିଲେ, ଦଉଡ଼ୁଥିଲେ ଯା’କୁ ନେଇ ବଡ଼ପଣିଆ ଦେଖେଇ, ଭଲ ସଂସାର ଗଢ଼ିଛନ୍ତି ବୋଲି ସୁଖର ସ୍ୱପ୍ନ ଦେଖିୁଥିଲେ, ସେ–ପତ୍ନୀ ତାଙ୍କରି, ଅନୁପସ୍ଥିତିର ସୁବିଧା ଖୋଜେ ? ଖୋଜେ ପର ପୁରୁଷକୁ ଦାଣ୍ଡରୁ ଟାଣିଆଣି ବୁକରେ ଜାକି ଧରିବା ପାଇଁ । ନିଜର କରିବା ପାଇଁ ।

 

ଛାଡ଼ପତ୍ରର ନାଁ ଧରିଲା ବେଳକୁ କିନ୍ତୁ ଓକୀଲ ବାହାରିବେ ଗଣ୍ଡା ଗଣ୍ଡା । ଏତେ ଧାରାର ଅମୁକ ଉପଧାରା ଅନୁସାରେ–ପକା ପଇସା, ପାଉଣା । ହକ୍‌ ସଂପତ୍ତିରୁ ବଣ୍ଟା, ଭାତ ଲୁଗା, ଟଙ୍କା !

 

ଏଇତ ସମାଜ ! ଏହି ସମାଜରେ ରହି ପାରିବେ ନାହିଁ ସେ । ନା, ଏଠି ନୁହେଁ ।

 

ଉଠି ବସି, ବସି ଉଠି, ବାରବାର କରି କିଶୋର ଭାବିବାକୁ ଲାଗିଲେ । ନା’, ଆଉ ଗୋଟାଏ କିଛି–

 

ଆସ୍ତେ ଆସ୍ତେ ରାତି ବଢ଼ିଲା । ଚିତ୍‌ହୋଇ ସେ’ ଶୋଇ ପଡ଼ିଲେ ପାର୍କର ସେହି ସିମେଣ୍ଟ ବେଞ୍ଚ ଉପରେ ।

 

ଭାବନା ସରିଲା ନାହିଁ ।

 

ନିଦ ଲାଗିଲା ନାହିଁ ।

 

ରାତି ସରିଲା ନାହିଁ ।

 

ମନକୁ ମନ ଦୀର୍ଘ ଚାରି ଘଣ୍ଟା ବିତିଗଲା । ପାଖ କୁଡ଼ିଆ ଘର ପାଖରୁ କୁକୁଡ଼ା ଡାକିଲା, କକ୍କରେ କଁ......

 

ଛାଇ ନିଦ ଲେଉଟି ପଡ଼ିଲା । ଧଡ଼ପଡ଼ ହୋଇ ଉଠି ବସିଲେ କିଶୋର । ଅନ୍ଧାର ଘୁଞ୍ଚି ନାହିଁ । ତାଙ୍କ ଆଖିରେ ସହରଟା ଦିଶୁଛି କିମ୍ଭୁତ କିମାକାର !

 

ଧୀରେ ଧୀରେ ସେ’ ପାର୍କର ଫାଟକ ଡେଇଁ ଛୁଟିଲେ ସହର ତଳ ରାସ୍ତାରେ । ଯେଉଁ ରାସ୍ତାଟାକି ବିସ୍ତୃତ ଗହୀର କ୍ଷେତ ଦେଇ ପାହାଡ଼ ଉପରକୁ ଉଠିଛି ।

 

ସହରିଆ ନିଦ ଭାଜି ନଥିଲା ।

 

ଦୂରକୁ ଦୂରକୁ କଳା ପ୍ରେତଟିଏ ପରି ଚାଲିଗଲେ ସେ ।

 

ପାହାନ୍ତି ପହର ।

 

ନିରୁ ନିସ୍ତେଜ ହୋଇ ପଡ଼ି ରହିଥିଲା ।

 

ପାହାଡ଼ ଶିଖରୁ ଖସି ପଡ଼ିଥିବା ଭଙ୍ଗା ଧଳା ପଥରର ଭିତର ପରି ଦାଉ ଦାଉ ମୁହଁଟା ଦିକି ଦିକି ଲଣ୍ଠନ ଆଲୁଅରେ ଚଟୁ ତରାସ ଦେଖାଇ ଥିବା ଫୁଲା ପାପୁଲି ପରି ନାଲିଆ ଦିଶୁଥିଲା ।

 

କଡ଼ ଲେଉଟାଇବାକୁ ସମୟ ପାଇ ନାହିଁ । ତାର ଆତଙ୍କ କାତର ଚିନ୍ତାନି ତ ମନଟାକୁ ସେ’ ଛୁଟି ଦେଇ ନାହିଁ । ଦେଇ ପାରି ନାହିଁ ।

 

ସଂସାରକୁ ଦୋଷ ଦେଇ ସେ’ ଅନେକ କଥା ଭାବୁଚି । ଯେମିତି ସଂସାର ସହିତ ତା’ର କୌଣସି ସୁଆଦିଆ ସମ୍ପର୍କ ନାହିଁ । କେବଳ ସଂସାର ତାକୁ ଧକ୍କା ଆଉ ତିରସ୍କାରହିଁ ଯାଚି ଦେଇଚି । ବଳେ ବଳେ ଅଣ୍ଟିରେ କୁଢ଼େଇ ଦେଇଚି । ଯା’ ଫଳରେ ନିଜ ଜୀବନ ପାଇଁ ଅକାରଣରେ ବରଣ କରି ଚାଲିଚି, ଲାଞ୍ଚନାର ଜଳିଲା ନିଆଁ ହୁଳା । ଜଳି ଜଳି ସିଝି ହେବା ପାଇଁ । ସିଝି ସିଝି ସନ୍ତୁଳି ହେବାକୁ ।

 

ଧଳା କୁକ୍କୁରୀର ଆରାମ କୁଣ୍ଡଳି ମଧ୍ୟରେ କୁକ୍କୁର ଛୁଆ ଥନ ଝୁଣି ଉଦ୍‌କା ମାରିବା ପରି, ପିଲାଟା ମୁହାଁଇ ଆସିଚି ବୁକ ଯାଏ । ଧଳା ପଣତ ତଳେ ହାତ ପୁରେଇ ଉଚୁକୁଚି । ଟାଣୁଚି ।

 

ନିରୁର ଭାବନା ବଦଳିଚି–

 

ଏଇତ, ତା’ ଶରୀରର ରକ୍ତ ପର୍ଯ୍ୟନ୍ତ ସଂସାର ଲମ୍ୱେଇଚି ଲାଙ୍ଗୁଡ଼ । ସଂସାର ଠାରୁ ସେ’ ବିଚ୍ଛିନ୍ନ ନୁହେଁ ।

 

ଏତେବେଳ ଯାଏ ନିରୁ କବାଟଟାକୁ ଦର ମୁକୁଳା ରଖିଚି । ତାର ଆଶା ମନ ଭିତରେ ନାଲି ମହମ ବତୀ ଜଳେଇ ଉଜାଗର ରହିଚି । ପ୍ରତୀକ୍ଷା କରିଚି–କିଶୋର ଫେରି ଆସିବେ ।

 

ସେ’ ରୁଦ୍ର ପ୍ରସାଦର ହାତ ମୁଠାରେ ତାକୁ ଦେଖି ରାଗିଛନ୍ତି । ଭ୍ରମରେ ମନ ବୁଡ଼ିଛି । ରାଗରେ ହଟି ଯାଇଛନ୍ତି ଦୂରକୁ । ବାହାରେ ପବନରେ ଥଣ୍ଡା ଖେଳିଲାଣି । ମନକୁ ବୁଝାଇ ଫେରି ଆସିବେ । ହୁଏତ ପତ୍ନୀକୁ ଶୋଧିବା ପାଇଁ ଘର ବୋଲି ଫେରି ଆସିବେ ।

 

ଭାବିଲା ସିନା, ନିରୁର ମନରେ ଘନେଇ ଆସିଲା ଚିନ୍ତା । ସେ’ ନିଶ୍ଚୟ ତାକୁ ସନ୍ଦେହ କରିଛନ୍ତି ।

 

ଲୁହ ଧାର ସୁଖି ନାହିଁ । ଆଖି କଷା ପଡ଼ିନାହିଁ ।

 

ନିରୁପମା ଗଡ଼ି ଗଡ଼ି ଅପେକ୍ଷା କରିଚି । ଏକି ଘଟଣାଟିଏ ଯେ ସେ’ ଘରୁ ଚାଲିଗଲେ ? ସଂସାରରେତ କେତେ ୟାଠୁ ବଡ଼ ଘଟଣା ଘଟେ ।

 

ନିରୁର ମନେ ପଡ଼ୁଚି–ତାଙ୍କ ଗାଁର ଟୋକାଟା, ରଞ୍ଜନ । ଏଇ ଜୟପୁର ‘ସହରରେ କି’ ଅଫିସର ହୋଇଥିଲା । ନିରୁର ପ୍ରହରୀ ପରି ଜାଗ୍ରତ ଆଖି ଆଗରେ ଭାସି ଉଠିଲା ରଞ୍ଜନର ପତ୍ନୀ ରଶ୍ମିର ମାଡ଼ ଖାଇ ଲୋଳା ଫାଟିଯାଇ ଧାର ଧାର ରକ୍ତ ବୋହୂଥିବା ପିଠି ! ବିଚାରି ସ୍ୱାମୀ ହାତରୁ କେତେ ମାଡ଼ ନ ଖାଉଥିଲା ! ତଥାପି ସେ’ ଚୋରଣୀ, ଚୋରାଇ ଚୋରାଇ ପର ଲୋକ ସହିତ ମିଶୁଥିଲା । ସ୍ୱାମୀ ତାର ଦେଖୁ ଥିଲା । ଜଗି ଜଗି ଧରୁଥିଲା । ମାଡ଼ ଦେଉଥିଲା । ତଥାପି କଣ ସେ’ ଘରକୁ ଫେରୁ ନଥିଲା ?

 

ଉଚ୍ଚ ଶିକ୍ଷିତା, ସ୍ୱାମୀର ପ୍ରଚୁର ଉପାର୍ଜନ, ସୁନ୍ଦର ଘର କରିଥିଲା । ପରଜା ଝିଅର ବେକଠୁ ଛାତିଯାଏ ଲମ୍ୱି ପଡ଼ିଥିବା ସାନ ବଡ଼ ପୋହଳା ମାଳ ପରି ସନ୍ତାନ ସନ୍ତତି, ତା’ ତଳକୁ ତା’ ତଳକୁ ଗୋଟିଏ ପରେ ଗୋଟିଏ, ଚାରିଟା ସନ୍ତାନର ମା ହୋଇ ଘର କରିଛି । ଦାଣ୍ଡ ଲାଜକୁ ରଞ୍ଜନ ମଧ୍ୟ ସେହି ଘରେ ଅଛି ।

 

କିନ୍ତୁ ରୋହିଣୀ ? ବୈଶାଖ ମାସରେ ଐଶାନ୍ୟ କୋଣର ବିଜୁଳି ଭଳି ହଠାତ୍‌ ନିରୁର ମନେ ପଡ଼ିଚି ।

 

ତାର ସଙ୍ଗାତ ମାମୁଁର ଝିଅ ନା କ’ଣ ହେବ । ପିଲା ବେଳେ ସମ୍ୱନ୍ଧ ଥିଲା । ଏବେ ସେ’ କିଏ, ଏ କିଏ । ବିବାହ ହେଲା ପରେ ବି ପାଠ ପଢ଼ିଥିଲା ବୋଲି ଚାକିରୀ କରୁଥିଲା । ମାଷ୍ଟରାଣୀ । ବର୍ଷ ପୁରି ନଥିଲା । କୋଳରେ ପୁଅ ଦେଖିଲା । ହତଭାଗିନୀ ତହିଁ ଆର ବରଷ କେଉଁ ଯୁବକ ମାଷ୍ଟ୍ର ସହିତ ଗୁପ୍ତ ପ୍ରେମ ସମ୍ପର୍କ ବାଢ଼ୁଥିଲା । ସ୍ୱାମୀ ତାକୁ ପରିତ୍ୟାଗ କରିଚି । ଅଲକ୍ଷଣୀ, ଗାଁ ମୁଣ୍ଡର ନିଉଁଚ୍ଛା ଦିକି ଦିକି ଦୀପ ପରି ଜଳୁଚି ଏକୁଟିଆ । ସ୍ୱାମୀ ତାର ଅନ୍ୟଠି ବାହା ହୋଇ ସୁଖରେ ଅଛି । ନିରୁ ଶିହରି ଉଠିଲା–ତେବେ ? ସେ’ତ ସେମାନଙ୍କ ଠାରୁ ସଂମ୍ପୂର୍ଣ୍ଣ ଅଲଗା ।

 

ବିଲ ମଝିରେ ଆଣ୍ଠୁଏ କାଦରେ କାର୍ଯ୍ୟବସ୍ତ ଥିବା ଚଷାଝିଅ ମୁଣ୍ଡର ଉକୁଣିକୁ ନଖେଇ ଧରିବା ଭଳି କାନ ତଳକୁ ନଖେଇ ନଖେଇ ନିରୁ ଭାବୁଚି, କଣ ବୋଲି ପ୍ରବୋଧିବ ତାର ସ୍ୱାମୀଙ୍କୁ-? ଶେଷ ଦୃଶ୍ୟଟିକୁତ ନିଶ୍ଚୟ ସେ’ ଲକ୍ଷ୍ୟ କରି ପାରିଛନ୍ତି । ସବୁ କଥା କଣ ଖୋଲି କରି ସେ’ କହିଦେବ ?

 

କଣ କରନ୍ତାଟି । ଏ ଯାଏ ତ କିଶୋର ଫେରୁ ନାହାନ୍ତି ।

 

କଲେଜର ଦୋତାଲା ଉପରୁ କୁଆ କାନ୍ଦିଲେ । କୋଳ ଭିତରେ ମୁହଁ ଲୁଚେଇ ପିଲାଟି ପାଟି କଲା–ବା, ବା, ବା,...ମା–

 

ପାଖେଇ ପାଖେଇ କୁଆ କାନ୍ଦିଲେ କା, କା, କା–କାଆ......

 

ଚାକରାଣୀଟି ପିଣ୍ଢା ଅଳେଇଲା–ଖର୍‌, ଖର୍‌, ଖର୍‌ର ।

 

ସକାଳ ପାହିଲା ।

 

ନିରୁପମାର ଆଖି ବାଟେ ବାହାରି ଗଲା ହୁଳା ହୁଳା ନିଆଁ । କୁଆଡ଼େ ଗଲେ ସେ ?

 

ତାର ଆଖିରୁ ପାଣି ଶୁଖି ଯାଇଥିଲା । ରକ୍ତରୁ ଶୁଖି ଯାଇଥିଲା ଶୀହରଣ । ସେ’ ନିତାନ୍ତ ଦୁର୍ବଳ ହୋଇ ପଡ଼ିଥିଲା । ମାଲେରିଆ ରୋଗିଣୀ ପରି । ପାଣ୍ଡୁର ମୁହଁ, ରଙ୍ଗ ଆଖି, ମଳିନ ଜ୍ୟୋତି, ଅସଜଡ଼ା ବେଶ ।

 

ରୁଦ୍ର ପ୍ରସାଦ ଭୂତ ହୋଇ ଟୋକା ଫିଙ୍ଗୁଥିଲା ତା’ ଛାତି ଉପରକୁ । ଟେକା ନୁହେଁ, ପଥର ।

 

କବାଟ କେଁ କଲା । ଫକ୍‌ ଫକ୍‌ ଡେଇଁ ଉଠିଲା ନିରୁର ହୃଦୟ । ଆସିଗଲେ ? ଭୂଇଁ ଉପରେ ସେମିତି ଚୁପ୍‌ଚାପ୍‌ ପଡ଼ି ରହି ଧୀରେ ଧୀରେ ଆଖି ମେଲେଇ ଚାହିଁଲା । ଓଃ ! ଚାକରାଣୀଟା......

 

ତା’ ଆଡ଼ୁ ହଠାତ୍‌ ଆଖିଟା ଫେରାଇ ଆଣି ପୁଣି ଭାବି ଲାଗିଲା । ବହୁତ ଦିନ ତଳେ–

 

ରୁଦ୍ର ସ ସେ’ ଗୋଟିଏ କଲେଜରେ ଭର୍ତ୍ତି ହୋଇଥିଲେ । ସେତିକି ହେଲା ତାର ଏବଂ ରୁଦ୍ରର ବିଶେଷ ସମ୍ୱନ୍ଧର ମୂଳ ହେତୁ । ତା’ ଛଡ଼ା ଆଉ ଚାରିଟା ସହପାଠିନୀ ଯେତେବେଳେ ରୁଦ୍ରର ରୂପ ଆଉ ବଳିଷ୍ଠ ଦେହର ତେଜକୁ ନିରେଖି ନିରେଖି ଅନାନ୍ତି, ସେ’ବି ସେପରି ଅନେଇ ଥିଲା । ଅବଶ୍ୟ ସେପରି ଅନେଇବାରେ ତାର ଉଦ୍ଦେଶ୍ୟ କିଛି ପ୍ରଚ୍ଛନ୍ନ ନଥିଲା । ଅନେଇବାକୁ ମନ ହୁଏ ବୋଲି ଅନଉ ଥିଲା । ତେଣୁ ଅତି ସହଜରେ ରୁଦ୍ର ତାର ବନ୍ଧୁ ହେବାର ସୁବିଧା ପାଇ, ତାର ସର୍ବନାଶ କରିବାକୁ ଝପଟି ଆସିବାକୁ ସାହସ କରୁଥିଲା ।

 

ନିରୁ ସେକେଣ୍ଡ ଇୟର ପାଶ୍‌ ହେବାଯାଏ, ବାରମ୍ୱାର ଫେଲ୍‌ ହୋଇ ରୁଦ୍ର ନିରୁର ପଛରେ ଘାରି ହେଉଥିଲା ଏବଂ ନିରୁ ତାକୁ ହତାଦର କରି ପାରି ନଥିଲେ ବି ଦେହ ଉପରେ ପଡ଼ିବା ପାଇଁ ପଣତ ଆଡ଼େଇ ହୃଦୟ ଖୋଲି ନଥିଲା । ନ’ହେଲେ ସେତେବେଳୁହିଁ ସେ’ ରୁଦ୍ରର ଏ ଲାଳାଇତ ବନ୍ଧୁତାକୁ ଚିତା କାଟିଥାନ୍ତା ।

 

ଯେତେବେଳେ ତାକୁ ୧୯ ବର୍ଷ ବୟସ, ରୁଦ୍ର ସେକେଣ୍ଡ ଇୟରରେ ଫେଲ୍‌ ମାରି ମୁହଁ ମାଡ଼ି ପଡ଼ିଲା ଏବଂ ନିରୁ ପାଶ୍‌ କରି ଘରକୁ ଫେରିଲା । ଠିକ୍‌ ସେହି ବର୍ଷ କିଶୋର ବିଲାତରୁ ବିପୁଳ ଜୟଲାଭ କରି ଫେରି ଆସିଲେ ଏବଂ ଗୋଟାଏ ପ୍ରବଳ ଉତ୍ସାହ ଭିତରେ ତାର ବାହା ଘର ହୋଇ ଯାଇଥିଲା । ସେ ଦିନଠୁ ସେ’ ରୁଦ୍ରକୁ ସଂପୂର୍ଣ୍ଣ ଭୁଲି ଯାଇଥିଲା ।

 

କିନ୍ତୁ କେଜାଣି କେଉଁ ଦୁର୍ଭାଗ୍ୟବଶରୁ ଝଡ଼ ପରି ସେ’ ଘର ଭିତରକୁ ପଶି ଆସି ଆଜି ତା’ ଜୀବନକୁ ଏତେଦୂର କ୍ଷତିଗ୍ରସ୍ତ କରିଗଲା ।

 

ସେହି ବର୍ଷ ଏଇ ଘଟଣାଟା ହୋଇଥିଲେ ହୁଏତ ଏହା ଏକ ସାଧାରଣ କଥା ହୋଇଥାନ୍ତା । କିନ୍ତୁ ବିବାହିତ ଜୀବନ ତାର, ଏଥିରେ ସେ କେଉଁ ଦୁଃସହ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ, ତାହା ଭାଳି ଭାଳି ନିରୁ ଅସ୍ଥିର ହୋଇ ପଡ଼ିଲା ।

 

ଅସ୍ଥିରତାକୁ ଟଳମଳ କରି ପୁଣି ମାଡ଼ି ଆସୁଥିଲା ଭାବନାର ସୁଅ ।

 

କଣ କହିଲା ରୁଦ୍ର–‘‘ଅତୀତରେ ତମେ ଯେଉଁ ସାହସ ଦେଇଚ’’ । ସାହସ ଦେଇଚି ତାକୁ ? କାମନାର ଶିଖା ଜଳେଇଚି ? ନିରୁ ଏ କଥା ଜାଣିଥିଲେ ବି ଆଜି ଯାକେ ଭାବି ନଥିଲା । ଜାଣି ନଥିଲା, ଗୋଟାଏ ଯୁବକକୁ ପରୋକ୍ଷରେ ସେ ଖୁବ୍‌ଆଗେଇ ଯିବା ପାଇଁ ଉତ୍ତେଜନା ଦେଇ ଥିବାର ପରିଣାମ ଏଇୟା ହେବ ବୋଲି !

 

ସେ’ ଯେତେବେଳେ ଏକୁଟିଆଟା କଲେଜରୁ ଫେରୁଥାଏ, ପଥ ଓଗାଳି ରୁଦ୍ର ନମସ୍କାର କରେ । ସେ ଖୁସିହୁଏ । ଖୁସିହୁଏ କାହିଁକି କେଜାଣି, କିନ୍ତୁ ରୁଦ୍ରର ସରଳ ବ୍ୟବହାର, ହସ ହସ ମୁହଁକୁ ସେ’ ଆଗ୍ରହରେ ଘେନୁଥିଲା । ତେଣୁ ତା’ ସହିତ ଖୁସି ଗପ କରି କରି ଘରକୁ ଫେରୁଥିଲା । ଘରକୁ ଫେରି ଏକୁଟିଆଟାରେ ପଡ଼ନ୍ତା କାହିଁକି ? ସେଥିପାଇଁ ରୁଦ୍ରକୁ ଚାହା ଜଳଖିଆ ଦେଇ ଘଣ୍ଟା ଘଣ୍ଟା ଧରି ଘରେ ଅଟକେଇ ରଖୁଥିଲା । ବାପାତ କେତେ ରାତିକି ଯାଇ ଫେରନ୍ତି । ସେତେବେଳ ଯାଏ ରୁଦ୍ର ସହିତ ନିରୋଳାରେ ସେ ବସିବାକୁ ଭଲ ପାଉଥିଲା । କେହି ବାଧା ଦେଉ ନଥିଲେ । ହଁ, ଆଉ ଗୋଯିଏ ବଡ଼ କଥା, ରୁଦ୍ରର ସୁମଧୁର ରୂପ ଆଉ ଆକୃତି ଭିତରେ ସେ’ ପାଉଥିଲା ଦୂର ଦେଶସ୍ଥ କିଶୋର ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ମହନୀୟ ସତ୍ତା । ତେଣୁ ରୁଦ୍ରର ଚକ ଚକିଆ ସାନିଧ୍ୟକୁ ଅବାଂଛିତ, ନିରର୍ଥକ ବା ଅନର୍ଥକ ମନେ କରି ନଥିଲା ।

 

ତେଣୁ ରୁଦ୍ର ଆଜି ଏ ଦୁଃସାହସ କରି ପାରିଚି । ହଁ ହଁ ସେଇଥି ପାଇଁହିଁ, ଅର୍ଥାତ ?

 

ପବିତ୍ର ଶିକ୍ଷା ପାଇବା ବାଟରେ ସମଧର୍ମି ମଣିଷ ସହ ବନ୍ଧୁ ବାନ୍ଧବା କଣ ତାର ଭୁଲ ହୋଇଚି ?

 

ନହେଲେ ଆଜି ରୁଦ୍ର ଏ ଦୁଃସାହସ କରି ପାରିଥାନ୍ତା ? କଦାପି ନୁହେଁ ।

 

ଶୁତ୍ରୀ ଗୋଟାଏ ହାତରେ ଝାଡ଼ୁଟାକୁ ମୁଠେଇ ଧରି ପଚାରିଲା, ‘‘ବିସ୍ତାର ବେଲ୍‌ ହେଲାଣ୍‌ନି ମା, କେମନ୍ତାର ଶୋଇ ପଡ଼ିଲା ଆଚାସ ? ଧି ଭଲ ନାଇଁ କି ?’’

 

‘‘ହଁ, ପାଣି ଢାଳେ ନେଇ ଆ ।’’ ନିରୁ ଉଠିଲା ।

 

ମଣିଷର ଧୀର ସ୍ଥିର ସ୍ରୋତ ମଝିରେ ହଠାତ୍‌ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ସେହି ମଣିଷହିଁ କାହିଁକି ବଡ଼ ଆଗ୍ରହ ଦେଖାଏ କେଜାଣି ! କିନ୍ତୁ ଘଟଣା ସମ୍ୱନ୍ଧରେ ମୂଳ ଶେଷର ବାସ୍ତବ ରହସ୍ୟ ଭେଦ କରିବାର ଧୈର୍ଯ୍ୟ ସୁଷମା ଠେଇଁ ନଥିଲା । ସେ ଦିନ ରାତିର ଘଟଣାଟାକୁ ଲୁଚେଇ ନପାରି, ଡଉଲ ଭାଷାର ରଙ୍ଗ ଦେଇ ମିଠେଇ ମାଠେଇ ବିତରି ବୁଲିଲା ଏଠି ସେଠି । ସେ ଜାଣେ, ରୁଦ୍ର ନିରୁର କିଛି କ୍ଷତି କରି ନାହିଁ ଏବଂ ନିରୁ ସଂପୂର୍ଣ୍ଣ ନିର୍ଦ୍ଦୋଷୀ ! ତଥାପି ଈର୍ଷାପ୍ଳୁତ ହୃଦୟ ତାର ସତ କହିବାକୁ ମାନିଲା ନାହିଁ । ଯାହା ସଙ୍ଗେ ହେଉ କଥା ହେଉ ହେଉ ଯଦି ସୁବିଧା ପାଇଲା, କଥାଟାକୁ ଗୁଞ୍ଜେଇ ଦେଇ ସେ’ କହିବାକୁ ଲାଗିଲା–କଣ ହେବଟି ! ନିରୁ ଆଉ କିଏ ଜଣେ ଯୁବକ କଥା ହେଉଥିଲେ । କିଶୋର ଘରେ ପହଁଚୁ ପହଁଚୁ ପୁଣି ଫେରି ଯାଇଛନ୍ତି ।

 

ପ୍ରିନ୍‌ସପାଲଙ୍କ କାନକୁ କଥାଟା ନେବା ପାଇଁ ମଧ୍ୟ ତାକୁ ଲାଜ ଲାଗି ନାହିଁ । ବାର କଥାର ରାହା ଧରି ସେ’ ନିରୁ ଆଉ କିଶୋରଙ୍କ ସମ୍ୱନ୍ଧେ ବାର କଥା ବାହୁନିଚି । ଯେମିତି କାହାର ଅବିଶ୍ୱାସ ହେବ ନାହିଁ । ତା’ ଉକ୍ତିର ଟେକ ରହିବ ।

 

କିନ୍ତୁ ରକ୍ଷା ହୋଇଚି । ରୁଦ୍ରର ନା ସେ’ କେଉଁଠି ପ୍ରକାଶ କରି ନାହିଁ । କାହିଁକି କରି ନାହିଁ, ସେ ଜାଣେ । ସୁତରାଂ ରୁଦ୍ରର ନା ପ୍ରକାଶ କରିବ କି’ ନାଁ ସେଥିପାଇଁ ସେ’ ବହୁତ ଭାବିଚି ।

 

ୟା’ ଭିତରେ ତାର ସାମ୍ୱାଦିକ ବନ୍ଧୁଙ୍କ ତୁଲେ ମଧ୍ୟ ଦେଖା ହୋଇଥିଲା । କିନ୍ତୁ କଣ ଭାବି ସୁଷମା ତାଙ୍କ ହାତ ଧରି ପକେଇ ଅନୁରୋଧ କରିଚି, ମୋର ଗୋଟିଏ କଥା ରଖିବେଟି । ଏଡ଼େ ଚଞ୍ଚଳ ଏ ଘଟଣାଟାକୁ ଖବର କାଗଜକୁ ଦେବେ ନାହିଁ । କାରଣ, ମଜାଟା ଜମିବ ନାହିଁ । ସବୁ ଅବସ୍ଥା ବଦଳି ଯିବ ।

 

ସୁଷମାର ଲାଳାଇତ ମୁହଁକୁ ଚାହିଁ, ସାମ୍ୱାଦିକ ବି ହଁ କରିଛନ୍ତି ।

 

ରବିବାରର ଉପଭୋଗ୍ୟ ଆଲୋକ ଜଳିଲା ।

 

ସକାଳ ପାହି ଗଲାଣି ।

 

ରୁଦ୍ରର ବସାରେ ଦାନ୍ତ ଘଷି ସାରି ନିରଞ୍ଜନ ଫେରୁଥିଲା । ବାଟରେ ନିରଞ୍ଜନର ଅନ୍ୟତମ ଛାତ୍ରବନ୍ଧୁ ମନ୍ମଥ । କ୍ୟାପଷ୍ଟାନ ସିଗ୍ରେଟ ଖଣ୍ଡେ ବଢ଼େଇ ଦେଉ ଦେଉ କହିଲା, ଚା ଆଜି ହୋଟେଲ୍‌ରେ ଜଳଖିଆଟା ବଢ଼ିଯାଉ ।

 

ଧନ୍ୟବାଦ୍‌ । ପକେଟ ଗରମ୍‌ ଅଛି ତ ?

 

ଦିହେଁ ହୋଟେଲ୍‌ ଭିତରେ ପଶିଲେ । ରାମାୟଣର ଦୈତ୍ୟ ପରି ନିରଞ୍ଜନ ଖୁବ୍‌ ଗୋଟାଏ ହସି ପକାଇଲା । ମନ୍ମଥ ପଚାରିଲା, କଣରେ ! ଫୁଲାଣିଆ ପଣରେ ମୁହଁଟାକୁ ଜକେଇ ଦେଇ ନିରଞ୍ଜନ କହିଲା, ଗୋଟାଏ ଗୁରୁତର କଥା ମନ୍ମଥ ଭାଇ, ଶୁଣିଲେ ଆଶ୍ଚର୍ଯ୍ୟ ହେବୁ । ବିସ୍ମିତ ହେବୁ ।

 

ସତେ ?

 

ହଁ ରେ ହଁ ।

 

ଆଛା, ଜଲ୍‌ଦି ଜଳଖିଆଟା ବଢ଼ିଯାଉ ।

 

ଜଳଖିଆ ଖିଆ ଚାଲିଚି–

 

ଆବେଗରେ ନିରଞ୍ଜନ ଫୁସ୍‌ଫୁସ୍‌ କରି କହିଲା–ତୁ ଜାଣିନୁ, ରୁଦ୍ର ଆଉ ନିରୁର ସମ୍ପର୍କ କଣ ଥିଲା । ଆମେମାନେତ ବେଶୀ କିଛି ଭାବିଥିଲୁ । କିନ୍ତୁ ବିଚରା ଏ ଯାଏ କୃତକାର୍ଯ୍ୟ ହୋଇ ନାହିଁ କି ଇଚ୍ଛାକୁ ଦବେଇ ପାରି ନାହିଁ । ସେ ଦିନ ବଡ଼ ସାହସରେ ତା’ ଘର ଭିତରକୁ ଯାଇ ଧରି ପକେଇ ଥିଲା ।

 

–ଧରି ପକେଇ ଥିଲା !!

 

ମନ୍ମଥ ହାତରୁ ଚା’ ଗିଲାସଟା ଟପ୍‌ କରି ଟେବୁଲ ଉପରେ ଖସି ରହିଗଲା । ନିରଞ୍ଜନ ଗୋଟାଏ ବଡ଼ ଚମକପ୍ରଦ ଖବର କହୁଚି ବୋଲି ଖୁବ୍‌ ଗର୍ବ ଅନୁଭବ କରୁଥିଲା ଏବଂ ବଡ଼ ଚଢ଼ା ଗଳାରେ ସଡ଼୍‌ର ସଡ଼୍‌ର କରି ଚା’ ଢୋକୁ ଥିଲା ।

 

ଠିକ୍‌ ସେତିକି ବେଳେ ପାଠାଗାରର ସେକ୍ରେଟେରୀ କାନ ଲମ୍ୱେଇ ଆଣି ପଚାରିଲେ, କଣ ନିରଞ୍ଜନ ?

 

କିଛି ନୁହେଁ ଯେ, ଆମ ପ୍ରଫେସର କିଶୋର ବାବୁଙ୍କ କଥା–

 

କଟକ ଯାଇଥିଲେ ପରା ?

 

ହଁ ।

 

ସେକ୍ରେଟେରୀ ସେହି ଟେବୁଲ ପାଖରେ ବସି ଜଳଖିଆ ପାଇଁ ଅର୍ଡର ଦେଲେ । ମନ୍ମଥ ପଚାରିଲା, ଦେଖିଲେ ?

 

ହଁ । ଚୁପେଇ ଚୁପେଇ କରି ନିରଞ୍ଜନ କହିଲା ।

 

କଣ କରୁଥିଲା ଇଏ ?

 

ଧରିଥିଲା ।

 

କଣ କହିଲେରେ ?

 

ନୀରବରେ ଲେଉଟି ଗଲେ ।

 

ତୁ କିମିତି ଜାଣିଲୁ ?

 

ମୋତେ ପରା ସାଙ୍ଗରେ ଡାକି ନେଇ ରୋଡ ଉପରେ ଅପେକ୍ଷା କରିବାକୁ କହିଥିଲା ।

 

କୁଆଡ଼େ ଫେରିଗଲେ ?

 

ଜାଣେ ନାହିଁ ।

 

ଆରେ ବାଃ ବଡ଼ ଚମକପ୍ରଦ କଥାଟା ! ଦିହେଁ ହସି ହସି ହୋଟେଲ ବାହାରକୁ ଚାଲି ଆସିଲେ ।

 

ମନ୍ମଥ କହିଲା, କଣ ସାବାସ୍‌ ନେବା ପାଇଁ କଥାଟାକୁ ନୂଆ କରି କହୁଚୁରେ ?

 

ଆଉ କଣ ?

 

ମୁଁ ତ ଆଗରୁ ଶୁଣିଚି । କଲେଜ ଭିତରେ କଥାଟା ସଞ୍ଚରି ଗଲାଣି ।

 

କିଏ କହିଲା ?

 

ସୁଷମା । ଜାଣିନୁ ?

 

କାଳର ଅବିଚ୍ଛିନ୍ନ, ଅନାକଟ ଗତି । ରାତି ପରେ ଦିନ ଏବଂ ଦିନ ପରେ ରାତି ! ତିନି ଦିନ ବିତି ଗଲାଣି ।

 

ପିଠିକି ଲାଗି ଯାଇଥିବା ଅଖିଆ ପେଟ ତଳେ ପେପେର୍‌ମେଣ୍ଟ ପରି ଉଜ୍ଜ୍ୱଳ ବର୍ଣ୍ଣ ବିହ୍ୱଳ ପୁଅଟିକୁ ଜାକି ନିରୁପମା ଦିନ କାଟୁଚି । ଆଜି ହେଲେ ଫେରିବେ ପରା ! କାଲି ହେଲେ ଆସିବେ ପରା ! ଆଧୁନିକ ସଭ୍ୟତାର ଟେନିସ୍‌ ବଲ୍‌ ସେ । ଓଡ଼ିଆ ନାରୀଙ୍କ ପୁରୁଣା ଧାରଣା ଉପରେ ତାର ତେତେ ବିଶ୍ୱାସ ନାହିଁ । ଚାଳ ଉପରେ ବସି ସକାଳଠୁ କୁଆଟା ବୋବେଇ ଲାଗିଚି । ନଜର ନାଇଁ ତେଣିକି । ଚାକରାଣୀ ଶୁତ୍ରୀ ତାର ପୁରୁଣା ମାଲିକାଣୀ ଠାରୁ ଶିଖିଥିବା ପ୍ରଥାରେ ଓଳି ତଳେ ତିନି ଗଦା ଚାଉଳ ରଖିଦେଇ ମନାସୁଚି–ବାବୁ ଆସିବେ କି ନାହିଁ !

 

କୁଆ ଚାଉଳ ଖାଉ ନାହିଁ ।

 

ତା’ ମନରେ ସନ୍ଦେହ ହେଉଚି ।

 

ବାର ଆଡ଼ୁ ଅଝଟ ରାହା ଧରି ସନ୍ଦେହ ରଚୁଚି ଖେଳ । ଲୁଚ ଲୁଚାଣି ଖେଳ । ସୁନା ଖଡ଼ିକା ଖେଳ । କାନ୍ଥକୁ ଆଉଜି ନିରୁ ବସିଚି । ଦାଣ୍ଡ ଦରଜା ପେଲେଇ ସୁଷମା ପଶି ଆସିଲା ।

 

ନିରୁର ସନ୍ଦେହର ପାତ୍ରୀ । ଅନ୍ୟ ପ୍ରଫେସର ସୁକୁମାରର ସାନ ଦେଢ଼ ଶାଶୁ । ବୟସ ଛବିଶି । ବାହା ହୋଇନାହିଁ । ଦେଶର ଦୁଃଖ ଦୈନ୍ୟରେ ଲୁହ ଗଡ଼ାଏ । ଖଦଡ଼ ଲୁଗା, ମୋଟା ଶାଢୀ ପିନ୍ଧେ । ରାଜ ନୀତିରେ ଯୋଗ ଦେଇଚି । ଦେଶର ଅନ୍ୟାନ୍ୟ ନେତାଙ୍କ ପହଣ୍ଡ ଗଣି ନେତ୍ରୀ ହେବାର ଲାଳସା ଜିଭ ଅଗରେ ଲାଳ କୁଢ଼େଇ ଟାକିଛି । ଦେଶ କାମରେ ଜୀବନ କରିଚି ଉତ୍ସର୍ଗ । ସଭା, ଶୋଭାଯାତ୍ରାରେ ଯୋଗଦିଏ । ବକ୍ତୃତା ଭିତରେ ଅଗ୍ନି ଉଦ୍‌ଗାର କରେ । ସଁ ସଁ ହୋଇ ଗର୍ଜେ-। ଶାସନର ତୀବ୍ର ସମାଲୋଚନା କରେ ।

 

ମୁହଁର ଦୀପ୍ତି ସୁନ୍ଦର । ସେ ବକ୍ତୃତା ଦେଲାବେଳେ ଖୁବ୍‌ ତାଳି ବାଜେ । ଅନେକ ତାକୁ ସମର୍ଥନ କରନ୍ତି । ବାଃ ବାଃ କରନ୍ତି । ସ୍ନେହ ବନ୍ଧନରେ ଛନ୍ଦି ହେବାକୁ ଆଗେଇ ଆସନ୍ତି । ଲହ ଲହ କାମନାର ଅନଳ ଶିଖା ଲମ୍ୱେଇ ଯୁବକ କର୍ମୀମାନେ ବି ତା’ ଲାଗି ଚିର କୁମାର ରହିବାର ସଂକଳ୍ପ କରନ୍ତି ।

 

ସେ’ କାହାକୁ ବାଧା ଦିଏନା । ବାରଣ କରେନା । ଯାହାକୁ ପାରି ତା’ ସଙ୍ଗେ ବନ୍ଧୁ ବସେ-। ଗପ ସଫ କରିବାକୁ ପାଖେଇ ଆସେ । ନିମନ୍ତ୍ରଣ କରିବା ଦରକାର ନାହିଁ ।

 

କିଶୋର ବାବୁଙ୍କୁ ବି ସେ’ ଭଲ ପାଏ । ତାଙ୍କ ସହିତ ଗପ ସଫ କରେ । କେବେ କେମିତି ଘରକୁ ଆସେ । ନିରୁପମା ସହିତ ଦୁଃଖ ସୁଖ ହୁଏ । କିଶୋର ବାବୁଙ୍କ ସହ ଆଲୋଚନା କରେ, ଦେଶର କଥା, ଧର୍ମତତ୍ତ୍ୱ, ସମାଜ ହାଲ, ଶରୀର ବିଜ୍ଞାନ ଇତ୍ୟାଦି ।

 

ଖୁବ୍‌ସୁଖରେ ଅଛି । ଦେଶର ସ୍ୱେଚ୍ଛା ସେବିକା ସେ । କାହାଠୁ କୌଣସି ପାଉଣା ଗ୍ରହଣ କରେ ବୋଲି କେହି ଜାଣନ୍ତି ନାହିଁ । ଜାଣିବାର ଉପାୟ ଥାଏନା । କିନ୍ତୁ ଖବର କାଗଜରେ ବାହାରେ, ସୁଷମା ଦେବୀ ଏକ ସୁନ୍ଦର ପ୍ରୀତି ଭୋଜନର ବ୍ୟବସ୍ଥା କରିଥିଲେ । ଉଡ଼ାଜାହାଜ ଯୋଗେ ଆଜି ରାତି ଦିଲ୍ଲୀରୁ କଟକ ଫେରିଲେ । ଶ୍ରୀଚରଣ ବାବୁଙ୍କ ନାଟ୍ୟ ପରିଷଦକୁ ଦେଢ଼ ହଜାର ଟଙ୍କା ଦାନ କଲେ । ଇତ୍ୟାଦି ।

 

ତେଣୁ ନିରୁ ସବୁ ଦିନେ ତାକୁ ସନ୍ଦେହ ଆଖିରେ ଦେଖେ । ପାଖରେ ବସାଏ । ହସ ହସ ହୁଏ । କିନ୍ତୁ ମନ ଖୋଲେ ନାହିଁ । ସ୍ତ୍ରୀର ସ୍ୱାଭାବିକ ଚଞ୍ଚଳତାକୁ ଦାବି ଦେଇ ରୋକି ଦିଏ ।

 

ଯାହାହେଉ ଏ ଅସଲଟିଆ ମୁହୂର୍ତ୍ତଟାରେ ସେ’ କାହିଁକି ହାଜର ହେଲା ?

 

ଭାଗ୍ୟର ଉପହାସ !

 

ନିରୁ ଭାବୁଥିଲା, କେଉଁ ଭାବରେ ସେ’ ସୁଷମା ପାଖରୁ ମନ କଥାକୁ ଲୁଚେଇ ପାରିବ ? ମୁହଁଟାକୁ ସ୍ୱାଭାବିକ ରଙ୍ଗରେ ରଙ୍ଗେଇ ହସ ହସ ହୋଇ କଥା କହି ପାରିବ ?

 

ସୁଷମା ପାଖେଇ ନ ଆସୁଣୁ ଠିଆ ହୋଇ ସେ’ ନମସ୍କାର କଲା । –ବଡ଼ ସୌଭାଗ୍ୟ ଆଜି । ବସନ୍ତୁ ।

 

ଚଉକିଟାକୁ ଟିକିଏ ବୁଲେଇ ନେଇ ସୁଷମା ବସିଲା । ଫେତାଳିଆ ମୁହଁରେ ବିଲେଇର ଆଖି ଭଳି ମିଟିମିଟି ସାନ ସାନ ଆଖି ଦୁଇଟା । ସେଥିରେ ଝୁଣା ନିଆଁ ପରି ଶିଖାହୀନ ଅନଳ ଜଳୁଚି ।

 

ଅନେଇ ନ ପାରି ନିରୁ ଆଖି ତଳକୁ କଲା । ପଚାରିଲା, କଟକ ଯାଇଥିଲ ପରା ? ସମ୍ମିଳନୀଟା କିମିତି ହୋଇଥିଲା ?

 

ବଢ଼ିଆ । ଭାରତର ସବୁ ଅଞ୍ଚଳରୁ ନେତାମାନେ ଆସିଥିଲେ । କଟକ ଜିଲ୍ଲା କମିଟିର ଅଭ୍ୟର୍ଥନା ଆୟୋଜନଟା ବି ଖୁବ୍ ସୁନ୍ଦର ହୋଇଥିଲା ।

 

ତମେ ଆଲୋଚନାରେ ଯୋଗ ଦେଇଥିଲ ? କି’ ବିଷୟ ସବୁ ପଡ଼ିଥିଲା ?

 

ହଁ, ସେମିତି ଟିକିଏ ଯୋଗ ଦେଇଥିଲି । ନାରୀ ସ୍ୱାଧୀନତା ଓ ହିନ୍ଦୁ ବିବାହ ପଦ୍ଧତିର ସମାଲୋଚନା କରିଥିଲି ।

 

ନିରୁ ତୁନି ହେଲା । ସୁଷମାର ଗର୍ବ ଜର୍ଜର ମୁହଁକୁ ଅନେଇ ଈର୍ଷାରେ କୁହୁଳି ଉଠିଲା ତାର ଅନ୍ତର । ଏଡ଼େ ଅସମୟରେ କାହିଁକି ଆସିଲା ଅଲକ୍ଷଣିଟା ?

 

ସୁଷମା ବଡ଼ ଗମ୍ଭିର ଦିଶୁଥିଲା । ଚିନ୍ତା କରି କରି କହିଲା, ପିଲାଟା ଭଲ ଅଛି ନିରୁ ? କିଶୋରଙ୍କୁ କଟକରେ ଦେଖିଥିଲି ।

 

କଟକରେ ? ହଠାତ୍‌ ନିରୁ ଚମକିଲା ପରି ପଚାରି ଦେଲା ।

 

ସୁଷମା ନିରୁର ମୁହଁକୁ ତୀବ୍ର ଦୃଷ୍ଟିରେ ଅନେଇ ରହିଥିଲା ।

 

ନିରୁ ପଚାରିଲା, କେବେ ଦେଖିଥିଲ ?

 

–ଛ’ ଦିନ ତଳେ । ମୁଁ ଆସିବା ପୂର୍ବରୁ ।

 

–କଥାବାର୍ତ୍ତା କରିଥିଲ ।

 

–ନା ସୁବିଧା ପାଇ ନଥିଲି । ଏଥର ଖୁବ୍‌ ବ୍ୟସ୍ତ ଥିଲି ନା । ଆସି ନାହାନ୍ତି କି ?

 

ଏଥର ନିରୁର ମୁହଁ ଖୁବ୍‌ ବ୍ୟସ୍ତ ଦେଖାଗଲା । ସେ ଘଡ଼ିଏ ଇତସ୍ତତ ହେଲା ପରି କହିଲା–କାହିଁ, ନାଇଁତ ।

 

ସେ ଦିନ ରାତି କିଏ ଜଣେ କହୁଥିଲା ଯେ, ବସ୍‌ଷ୍ଟାଣ୍ଡରେ ଦେଖିଲି ବୋଲି ।

 

କାଇଁ, ଏ ଯାଏ ତ ଘରେ ପହଞ୍ଚି ନାହାନ୍ତି ।

 

ଥକି ପଡ଼ିଲା ପରି ନିରୁର ସ୍ୱରରେ ବିଚିକାଟିଆ ନିସ୍ତେଜତା ।

 

କେବେ ଆସିବେ ବୋଲି ଚିଠି ଲେଖି ନଥିଲେ କି ?

 

ବୋଧହୁଏ ଆଜି ଆସିବେ ।

 

ସୁଷମା ମନେ ମନେ ହସୁଥିଲା ।

 

ତଥାପି ଆଗ ବଢ଼ି କିଛି, କହିବାକୁ ମନ ତାର ମାନିଲା ନାହିଁ । ନିରୁ ପରି ସରଳ ଗୃହିଣୀର ମନ ଜଳେଇବାକୁ ଇଚ୍ଛା ହେଲା ନାହିଁ ।

 

ଆଉ କେତେଟା ମାମୁଲି କଥାବାର୍ତ୍ତା ପରେ ସେ’ ଫେରି ଆସିଲା ।

 

ସୁଷମା ଫେରିଗଲା ।

 

ତା’ର ଯିବା ରାସ୍ତାକୁ କ୍ରୋଧାକ୍ତ ଆଖିରେ ଅନେଇ ଅନେଇ ନିରୁ ଭାବିଲା, ପୁଣି ସେ କଟକ ଚାଲିଗଲେ ? କିଛି କହି ନାହାନ୍ତି । ଜଣାଇ ନାହାନ୍ତି । ତେବେ କଣ ସେ’ ଦିନର ଦୁର୍ଘଟଣାରେ ବ୍ୟଥିତ ହୋଇ ତାକୁ ପରିତ୍ୟାଗ କରିଚନ୍ତି ?

 

ଚିଠି ତ ଲେଖନ୍ତେ ।

 

ମଳିନ କପାଳରେ ଟୋପା ଟୋପା ଝାଳ ଜକେଇ ଆସିଲା । ବାର ଆଡ଼ୁ ତେର ଚିନ୍ତା ଆସି କାମୁଡ଼ି ଲାଗିଲେ ମୁଣ୍ଡ ଭିତରଟାକୁ ।

 

କଣ କରିବ ? ରାତି ଅଧିଆ ଆସି ଝଡ଼ ପରି ପୁଣି ଲେଉଟି ଗଲେ । ଜୀବନରେ ଚରମ ଆଘାତ ପାଇଚନ୍ତି । ଓଃ କି’ ନିଦାରୁଣ ଦୁର୍ବିପାକ । କାହିଁଥିଲା ରୁଦ୍ର–କାହିଁଥିଲା ସେ–କାହିଁଥିଲା କିଶୋର–

 

ସମୁଦ୍ର ତୁଠର ଧୂଳି ରାଇଜରେ ବତାସିଆ ଚକ୍ର ପବନ ପରି.....

 

‘‘କିଶୋରଙ୍କୁ କଟକରେ ଦେଖିଥିଲି ।’’

 

କେବଳ ଏଇ ଖବର ଦେବାପାଇଁ ଆସିଥିଲା ସୁଷମା । ଉଦ୍ଦେଶ୍ୟ ?

 

ନିରୁର ମନରେ ସନ୍ଦେହ ହେଲା । ସତରେ କଣ ସେ’ କଟକରେ ଦେଖିଚି ? ନା ତା’ ମନକୁ ଜଳେଇବା ପାଇଁ ଦିଆସିଲି କାଠିଟେ ଧରି ଆସିଥିଲା ?

 

ନିରୁର ଆତ୍ମା ଭିତରେ ଭିତରେ ବିକ୍ଷୋଭ କରି ଉଠୁଛି । ତୁନେଇ ତୁନେଇ ହୃଦୟ ତାର ଆଖି ବୁଜି ତପସ୍ୟା କରୁଚି, ଧ୍ୟାନ କରୁଚି ଜାଣିବା ପାଇଁ । ନିଜେ ପଚାରିବା ପ୍ରଶ୍ନର ଜବାବ ନିଜେ ଦେବା ପାଇଁ । ତାର ନିସ୍ତେଜ ମନ, କଅଁଳ କଲିଜାକୁ ଫାଡ଼ି ଅତୀତ ତାର ତୀକ୍ଷ୍ଣ ଛୁରୀ ବନେଇଚି । ସେ’ କଣ ସେମିତି ଲୋକ ? କେବେ ସନ୍ଧ୍ୟାବେଳେ ଘଣ୍ଟାକ ପାଇଁ ବି ବାହାରକୁ ଗଲେ କେତେ ଯତ୍ନ କରି ତିଆରି ଯାଆନ୍ତି–ଯାଉଚି । ବୁଝିଲ ? ଅନ୍ଧାରରେ ଛୁଆଟିକୁ ଏକୁଟିଆ ଏକୁଟିଆ ଛାଡ଼ିବ ନାହିଁ । ବାରିକି ଯିବ ନାହିଁ । କବାଟ ବନ୍ଦ କର । ଇତ୍ୟାଦି । ପକ୍କା ମୁରବୀ ପଣ !

 

ଦିନ ଦି’ ପହର ।

 

ସଡ଼କ ସେ ପାଖ ସପ୍ଲାଇ ଅଫିସରୁ ଭାସି ଆସୁଥିଲା ଟାଇପ୍‌ ମେସିନ୍‌ର ଶବ୍ଦ ତରଙ୍ଗ–ଟକ୍‌ ଟକ୍‌ ଟକ୍‌ ଟଟକ୍‌ ଟକ୍‌ ଟକ୍‌ ଟଟକ୍‌ ଟଟ....

 

ନିରୁ ସେମିତି ଚିତ୍ ହୋଇ ଶୋଇଥିଲା ।

 

କଅଁଳିଆ ନାଲି ଖେଳନାଟାକୁ ମୁଠେଇ ଧରି ଛୁଆଟା ବାଡ଼େଇ ଲାଗିଚି ମାର ମୁହଁରେ, କପାଳ ଉପରେ । ଆନନ୍ଦରେ ସେ’ ହଲୁଚି ।

 

ଆନନ୍ଦ !

 

ପିଲା ମଣିଷ ଜୀବନର ନିର୍ମଳ ଆନନ୍ଦ । ସବୁ ଦିନେ ଏଇ ଆନନ୍ଦ ଯେବେ ମନ ପୁରେଇ ଭରି ରହୁଥାନ୍ତା ? କେତେ ଆନନ୍ଦ ଆସେ, ଯାଏ । କୁଆଡ଼େ ? କର୍ତ୍ତବ୍ୟ ଭିତରେ ଆନନ୍ଦକୁ ହତ୍ୟା କରେ ମଣିଷ । ଧନ୍ଦିହୁଏ । ଚାଲୁ ଚାଲୁ, ଧରୁ ଧରୁ, ଆନନ୍ଦ ଫିସିଲି ପଡ଼େ ।

 

ସେମିତି ଜୀବନରୁ ଖସି ଯାଇଚି ଆନନ୍ଦ । ବୋଝିଆ ବିଷାଦର ଚାପା ତଳେ ନିରୁ ଶୋଇଚି ।

 

ସପ୍ଲାଇ ଅଫିସର ନିକୁଞ୍ଜ ବାବୁଙ୍କ ଝିଅ ସରସୀ ଆସି ଠିଆ ହେଲା । ଅଳ୍ପ ବୟସ । ପାଠ ପଢୁଚି । ଓଡ଼ିଆ ଘରର ବଢିଆଳ ଝିଅ । ନିରୁପମା ତାକୁ ସ୍ନେହ କରେ । ସେ’ ନିରୁକୁ କରେ ଭକ୍ତି । ଖବର କାଗଜର କଥା ପକେଇ ଆଲୋଚନା ଶିଖେ । ଘର କରଣା ସମ୍ୱନ୍ଧେ ଦି’ ଚାରି ପଦ ପଚାରେ । ଟିକିଏ ମୋଟି । ବଟ ପତ୍ର ପରି ବହଳିଆ ଛେପର ମୁହଁ । ସ୍ନୋ ଆଉ ପାଉଡର ଗୁଣ୍ଡର ବାସ୍ନା ଭରଭର ସ୍ନିଗ୍‌ଧ ପରିପାଟୀ ।

 

–ଆସ ସରସୀ । ମା କଣ କରୁଛନ୍ତି ? ବାପା ମଫସଲ ଗସ୍ତରେ ଯାଇଥିଲେ ପରା ? ଫେରଲେଣି ?

 

ସରସୀର ମୁହଁ ଶୁଖିଯାଇ ଥିଲା । ଯଥାସମ୍ଭବ ଚେଷ୍ଟା କରି ସାଦା କଣ୍ଠରେ କହିଲା, ହଁ, ଫେରିଲେଣି କାଲି ।

 

ମନର କଥାକୁ ମନରେ ଛପେଇ ହସ ହସ ହୋଇ ସେ’ କଥା ଆରମ୍ଭ କଲା, ବେଶ୍‌ ତେଣୁ ମା ଆଉ ଆସୁ ନାହାନ୍ତି । କଣ ଆଜି ଛୁଟି ଅଛି କି ?

 

–ଭଲ ଲାଗୁ ନାହିଁ । କଲେଜ ଯାଇନାହିଁ ।

 

–କଣ ହୋଇଚି କି ?

 

ମୁହଁଟାକୁ ଧାନ ଉସୁନା ହାଣ୍ଡି ପରି ଭୁର୍କୁଣ୍ଡା କରି ସରସୀ ତୁନି ହେଲା ।

 

–ସତେ, କଣ ହୋଇଚି ସରସୀ ? ଜର ହେଉଚି ?

 

–ନାଇଁ ।

 

–ଆଉ ?

 

–ମନ ସୁଖ ନାହିଁ ।

 

–କହ, ମୋ’ ରାଣ, କହ କଣ ହେଲା କି ?

 

–ମୋ’ ନେଇ ଘରେ ଝଗଡ଼ା ।

 

–ଝଗଡ଼ା । କାହା କାହାର ?

 

–ବାପା, ବୋଉଙ୍କର ।

 

–କାହିଁକି ?

 

–ମୋର ବିବାହ ପ୍ରସଙ୍ଗ....

 

ସରସୀ ଚୁପ୍‌ହେଲା ।

 

–ଓଃ ବାହା ଘରତ ଆଷାଢ଼ ଶୁକ୍ଳରେ ନା’ କେବେ ତିଥି ଠିକ୍‌ ହୋଇଥିଲା । କଣ ହେଲା କି ?

 

‘ମା ମୋର ପାଠ ପଢ଼ା ବନ୍ଦ ଦାବୀ କରୁଚି ।’

 

‘କାହିଁକି ?’

 

ଘର କରଣା ଶିଖିବ, ଗୃହିଣୀ ହେବାର ଅଭ୍ୟାସ କରିବ ବୋଲି କହୁଚି ।

 

ସତେ ସରସୀ.....

 

ନିରୁ ଅନେକ ସମୟ ନୀରବ ହୋଇ ଭାବିବାକୁ ଲାଗିଲା । ସରସୀର କଥା । ପରାମର୍ଶ ଦେବାକୁ କାହିଁ ତାର ସମୟ ? କେବଳ କିଶୋରଙ୍କ ପଳାୟନ କଥା ସେ’ ଭାବୁଚି ।

 

ସରସୀ କହିଲା, କଲେଜରେ ପଢ଼ିବାକୁ ଛାଡ଼ି ଦେଇ ଝିଅକୁ ବେଶ୍ୟା ସାଜିବାକୁ ସ୍ୱାଧୀନତା ଦେଉଚ ବୋଲି କହୁଚି ।

 

କିଏ ?

 

ମା....

 

କହି ହେଉନାହିଁ ସରସୀ । ସେ’ ବାଟ ଭଲ କି ଏ ବାଟ ଭଲ । ତେବେ କଲେଜ ଯାଇ ଯାଇ ବୁଢ଼ୀ ହେବ ସିନା ଗୃହିଣୀ ହେବାର ଶିକ୍ଷା ସେଠି ମିଳିବ ନାହିଁ । ଦେଶ, ଜାତି, ସଂସାର, ସମାଜ–ଏହି ବଡ଼ ବଡ଼ କଥାର ଢୋଲ ବାଡ଼େଇ ପ୍ରବନ୍ଧ ପଢ଼ିବ । ଲେକ୍‌ଚର ଶୁଣିବ । କେବଳ ସେତିକି । ସାନ ବଖୁରିଏ ଘର, ସ୍ତ୍ରୀ ପୁରୁଷ, ଶାଶୁ, ଦିଅର ଭାଉଜ, ନଣନ୍ଦଙ୍କର ସାନ ସଂସାର ସମ୍ୱନ୍ଧେ ସାନ ସାନ ଉପଦେଶ, ରନ୍ଧା ବଢ଼ା, ଧୁଆ ପୋଛା, ଆଦର ଅଲିଅଳ ଶିଖିବା ପାଇଁ ରାହା ସେଠି ନାହିଁ ।

 

କହିଦେଲା ଓ ଚିତ୍‌ହୋଇ ପଡ଼ିଗଲା ନିରୁପମା ।

 

ବହୁତ ସମୟ ଭାବି ଭାବି ସରସୀ ପଚାରିଲା, ଗୋଟିଏ କଥା ପଚାରିବି, ରାଗିବ ନାହିଁ-

 

ତୋ’ ମୁହଁରେ ମୋର ରାଗିବା କଥା; ପସନ୍ଦ ଆଉଚି ମନକୁ ? କହ, କଣ ?

 

ୟା’ ଭିତରେ ସାର୍‌ କେବେ ଆସିଥିଲେ ? ନିରୁ ନିତାନ୍ତ ଅଖାଡ଼ୁଆ ବୋଧକଲା । କଥା କଣ ପଦାରେ ପଡ଼ିଚି ?

 

ନାଇଁ ତ ।

 

କଲେଜରେ କଥା ପଡ଼ିଥିଲା । ସେ ଆସି, ଫେରି ଗଲେ । ତମରି ନାଁରେ କେତେ ଦୁର୍ନାମ ରଟୁଚି ।

 

ମୋର ଦୁର୍ନାମ !! ନିରୁର ଆଖିରେ ଝଲସି ଝଲସି ଉଠିଲା ସେ’ ଛବି । ସେ ଆଉ କିଛି ପଚାରିଲା ନାହିଁ ।

 

ଦୁଇ ଦିନ ବାଦ–

 

ସନ୍ଧ୍ୟା ଗଡ଼ି ଆସୁଥିଲା ।

 

ଝାପ୍‌ସା ଆଲୁଅରେ ସତେଜ ଚେହେରାଟାକୁ ଦର୍ପଣରେ ଉଜ୍ଜ୍ୱଳ ଗର୍ଭ ଭିତରେ ନିଠେଇ ନିଠେଇ ଅନେଇ ସାରି ସୁଷମା ଘରୁ ବାହାରିଲା ।

 

ହାତରେ ଖବର କାଗଜଟିଏ ଧରିଚି । ଅଣ୍ଟିରେ ଭରି ରହିଚି କାମନାର ନରମ ଜ୍ୱଳନ । ଦେହରେ ବୟସ ବିକାରର ମୃଦୁ ଆଲୋଡ଼ନ । ଆଖିରେ ଚଷମା । ମନରେ ଦେଶ, ଜାତି, ସମାଜ ବନ୍ଧନରେ ଆବଦ୍ଧ ନର ନାରୀଙ୍କ ନିର୍ମମ ଛଟପଟ ଉପଭୋଗ କରିବାର ସଜ୍ଜିତ ଆଗ୍ରହ ।

 

ନିରୁପମାର ଦୁଆର ମୁହଁକୁ କୁଟିଳ ଦୃଷ୍ଟିରେ ଅନେଇ ଦେଇ ସେ‘ ଚାଲିଗଲା ପ୍ରିନ୍‌ସପାଲ ରବି ବାବୁଙ୍କ ବସାକୁ ।

 

ରବି ବାବୁ ଠିକ୍‌ସେତିକି ବେଳେ ସାନ୍ଧ୍ୟ ଭ୍ରମଣରୁ ଫେରି ଦିବସ ପୋଷାକଟାକୁ ଉତାରୁ ଥିଲେ । ହସ ହସ ମୁଖ । ଦିବ୍ୟ ବପୁ । ପ୍ରଶସ୍ତ ଲଲାଟ । ପ୍ରଶାନ୍ତ ଦୃଷ୍ଟି । ଏକତିରିଶି ବର୍ଷର ବିଲାତ ଫେରନ୍ତା ଯୁବକ । ଅବିବାହିତ । ଅଳ୍ପ ବୟସରେ ପ୍ରଚୁର ଜ୍ଞାନ ଅର୍ଜନ କରି ପାରିଛନ୍ତି ।

 

ସେ ମଧ୍ୟ କିଶୋର ନ ଆସିବା କଥାହିଁ ଭାବୁଥିଲେ । ଛୁଟିତ ତାର କାଲି ଶେଷ ହୋଇଚି-। ଚିଠି ପତ୍ର ତ କିଛି ଦେଇ ନାହିଁ । ଅର୍ଥାତ୍‌.....

 

ପ୍ରଫେସର ବିରଞ୍ଚି ଯାହା କହୁଥିଲା–ପତ୍ନୀର ଭ୍ରଷ୍ଟାଚାର ଦେଖି ଫେରି ଯାଇଚି । କୁଆଡ଼େ ଗଲା । ଇଉନିଭରମିଟି ଅଫିସକୁ ଚିଠି ଲେଖି ସେ’ ଯାହା ଜବାବ ପାଇଛନ୍ତି, ସେଥିରେ ତାଙ୍କର ସନ୍ଦେହ ଆହୁରି ବଳବତ୍ତର ହୋଇଚି । ସେ’ କଟକରେ ନାହିଁ । ଜୟପୁରରେ ନାହିଁ । ଆଉ ତ କେଉଁଠି ଥିବାର ସମ୍ୱାଦ ସେ ପାଇ ନାହାନ୍ତି । ତେବେ ?

ଅଦୃଶ୍ୟ ଆଶୀର୍ବାଦ

 

ରବି ବାବୁ ଅନେକ ଥର ନିରୁକୁ ଦେଖିଛନ୍ତି । ତାର ସୁନ୍ଦର ପଣ ତଳେ ଦେହ ଅଜାଡ଼ି ଦେବା ପାଇଁ ତାଙ୍କର ମନ ବି ହାଇଁପାଇଁ ହୋଇଚି । ତଥାପି ବହୁତ ଇଚ୍ଛା ଥିଲେ ବି ଓ ଚେଷ୍ଟା କରୁଥିଲେ ମଧ୍ୟ ନିରୋଳାରେ ଭେଟିବା ପାଇଁ ନିରୁ ତାଙ୍କୁ କେବେ ସୁବିଧା ଦେଇ ନାହିଁ । ତେଣୁ ତାର ଚରିତ୍ର ଖୁବ୍‌ ଦୃଢ଼ ବୋଲି ତାଙ୍କର ଧାରଣା ଥିଲା । କିନ୍ତୁ ଏ କଣ ?

 

ଆଚ୍ଛା, ଦେଖାଯାଉ । ସେ’ ଭାବନାରୁ ବିରତ ହେଲେ ।

 

ପନ୍ଦର ଦିନ ହେଲା ଦେହ ବେମାର ଥିଲା । ତେଣୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ଯାଇ ନ ପାରି କିଶୋରକୁ ପଠାଇ ଥିଲେ । ବେଶ୍‌ ସଂସ୍କାର ପ୍ରିୟ । ଆଖି ପିଛୁଡ଼ାକେ ଭାରତର ନିଦା ସଭ୍ୟତାଟାକୁ ଫଟେଇ ଦେଇ ସେ’ ଦେଶର ରବର ବେଲୁନ ସମାଜ ପରି ଆକାଶରେ ଉଡ଼େଇ ଦେବାକୁ ଆଗ୍ରହ ଦେଖାନ୍ତି ।

 

ସୁଷମା ସହିତ ବେଶୀ ସମୟ ଧରି ସେ’ ନାନା ସମସ୍ୟାର ଆଲୋଚନା କରନ୍ତି । ପ୍ରସୂତି ବୋହୂଙ୍କ ପଥି ନିମନ୍ତେ ଜେଜେମା ପୁଟୁଳିରେ ବନ୍ଧା ଉତ୍କଟ ହିଙ୍ଗୁ ଆଘ୍ରାଣ କଲା ପରି ମୁହଁଟାକୁ ବିଚିକାଟିଆ କରି ସେ’ ଚଳିତ ହିନ୍ଦୁ ସଂସ୍କୃତିର ଯାବତୀୟ କୁସଂସ୍କାର ସବୁ ପଦାରେ ପକାନ୍ତି ।

 

ସୁଷମା ନମସ୍କାର କଲା । ରାତି ପିନ୍ଧା ସିଲ୍‌କ ଡୋରିଆ ଧଳା ପାଇଜାମାର ବୋତାମ ଲଗଉ ଲଗଉ ରବି ବାବୁ କହିଲେ, ବସନ୍ତୁ । ଖୁବ୍‌ ଭଲ ବେଳାଟାରେ ଆସି ପାରିଚନ୍ତି । କହନ୍ତୁ ତ ଆପଣଙ୍କ ସାଂସ୍କୃତିକ ସମ୍ମିଳନୀ କଥା । ବର୍ତ୍ତମାନ କେଉଁଠୁ ଆସୁଚନ୍ତି ?

 

–କୁଆଡ଼େ ଯାଇନାହିଁ । ଭାବିଥିଲି, କିଶୋରର ଘର ଆଡ଼େ ଯିବି ।

 

ରବି ବାବୁଙ୍କ ତଳି ପେଟର ଥନ୍ତଲ ଅବସ୍ଥିତିଟାକୁ ଦେଖି ସୁଷମା ସଢ଼ି ଯାଉଥିଲା ସର୍ମରେ ।

 

ଚଳ ଚିନ୍ତ୍ରର ଫିଲିମ୍‌ ଉପରେ ପ୍ରେମିକର ବାହୁ ବନ୍ଧନରେ ବନ୍ଦୀ ନାୟିକା ପରି ଇହିଂ ଇହିଂ ହୋଇ ଚାପା କୌତୁହଳରେ ହସି ଉଠିଲା ସୁଷମା ।

 

ହଁ, ହଁ କଣ ଏ ଘଟଣା ? କିଶୋରର ପତା ତ ମିଳୁ ନାହିଁ । ତା’ ସ୍ତ୍ରୀ କଣ କହୁଥିଲା ?

 

କିଛି କହୁ ନାହିଁ । ସାହାସ କଣ କମ୍‌? ସେ’ ଆଦୌ କହିବାକୁ ଚାହେଁନା ଯେ, କିଶୋର ସେ’ ଦିନ ରାତି ଆସିଥିଲା ଆଉ ଫେରିଗଲା । କିନ୍ତୁ ବିଚାରି ଜାଣି ନାହିଁ, ସାରା ସହରରେ କଥାଟା ରାଷ୍ଟ୍ର ହୋଇ ଗଲାଣି ।

 

ଆଚ୍ଛା ସେ’ ଗଲା କୁଆଡ଼େ ?

 

କଟକ ଯାଇଥାଇ ପାରେ ।

 

କିନ୍ତୁ ବର୍ତ୍ତମାନ ସେ’ କଟକରେ ନାହିଁ ।

 

କିମିତି ଜାଣିଲେ ?

 

ଅଫିସରୁ ଖବର ଆସିଚି ।

 

ତା’ ହେଲେ ବିନା ଛୁଟିରେ ସେ’ ଅଛି ?

 

ହଁ, ଛୁଟି ନାହିଁ କି ଖବର ନାହିଁ ।

 

ଆରେ, କି ଅଦ୍ଭୁତ ଲୋକଟା । ତା’ ହେଲେ କଣ କରିବେ ଆପଣ ?

 

ମୁଁ କଣ କରିବି ? ସେ ନିରୁଦ୍ଦିଷ୍ଟ ହେବା କଥା କାଲି ତ ଲେଖି ଦେଉଚି ।

ଲୋକଟା ପାଗଳ ହୋଇ ଗଲାଣି ନା କଣ ?

 

ଅସମ୍ଭବ ନୁହେଁ । ସେ’ ଯେମିତିଆ ସରଳ ପ୍ରକୃତିର ଲୋକ । ଏପରି ଦୁର୍ନୀତି ସହ୍ୟ କରିବା ବୋଧହୁଏ ତା’ ପକ୍ଷରେ ଏକବାରେ ଅସମ୍ଭବ ହୋଇ ପଡ଼ିଚି ।

 

କହି ହେଉ ନାହିଁ, ବିଚାରି ନିରୁର ଅବସ୍ଥା ହେବ କଣ !

 

ହେବ କଣ ? କାଲି ହୁଏତ ତାଙ୍କୁ ଏ ଘର ଛାଡ଼ି ଚାଲି ଯିବାକୁ ପଡ଼ିବ ।

 

ସତେ ?

 

ହଁ, ହଁ । ସରକାରୀ କଥା ନା । ହଁ କିଶୋରର ଘର କେଉଁଠି ?

 

ନବରଙ୍ଗପୁର । ପକ୍କା ଘର ଦୁଇ ବଖରା ଅଛି ।

 

ଜମି ବାଡ଼ି ?

 

କିଛି ନାହିଁ । ନିରୁପମାର ବାପାଙ୍କର ଯାହା ଖଣ୍ଡେ ଜମି ଅଛି ରାୟଗଡ଼ରେ ।

 

ତାଙ୍କର ଘର ?

 

ବିକା ହେଲାଣି । ଏଠି କେଉଁଠି ବଖୁରିଏ ହୋଇଅଛି ।

 

ତା’ ହେଲେ ହତ ଭାଗିନୀର ନବରଙ୍ଗପୁର ଚାଲିଯିବା ଛଡ଼ା ଅନ୍ୟ ଗତି ନାହିଁ ।

 

ଜୟପୁରରେ ରହିପାରେ । କିନ୍ତୁ......ସତରେ ମୁଁ ଯଦି ହୋଇଥାନ୍ତି, ଏ ଅପବାଦ ସହିବା ଅପେକ୍ଷା ମରଣ ଶତଗୁଣେ ଶ୍ରେୟ ମଣିଥାନ୍ତି । ସହରରେ ଯୁ’ ଉତ୍କଟ ଦୁର୍ନାମ ବ୍ୟାପିଛି !

 

ପ୍ରଥମେ ଏ ଖବର କିଏ ପଦାରେ ପକେଇଲା ?

 

ଯିଏ ଆସାମୀ । ରାତି ଅଧରେ ପର ଘରକୁ ସିଂହ ପରି ପଶି ଯାଇଥିଲା ।

 

ପୁଣି ସେ’ ହସିଲା ।

ସତେ ? କିଏ ସେ’ ପୁରୁଷ ସିଂହ ?

 

ଛେପ ଢୋକି ସୁଷମା କହିଲା, ଜଣା ପଡ଼ି ନାହିଁ ।

 

ତୁମେ କିଛି ଜାଣ ?

 

ମୋଟା ମୋଟି ।

 

ଆରେ କହନା–

 

ସୁଷମା ଆଖିରୁ ଚଷମାଟା କାଢ଼ିଆଣି ଗପ ଜମେଇ ଦେଲା । କହୁଥିଲା ଓ ଖିଁ ଖିଁ ହୋଇ ହସୁଥିଲା ।

 

ସକାଳର କଅଁଳ ଖରାକୁ ପିଠି ଦେଖେଇ ନିରୁ ଠିଆ ହୋଇଥିଲା । କାଖରେ ଆଗାମୀ ସଂସାରର ପୂର୍ଣ୍ଣ ମଣିଷ ହେବ ଯେଉଁ ପୁଅଟି, ସେ ହସୁଚି ।

 

ସକାଳେ ଗଉଡ଼ ଆସି ନାହିଁ । ଗାଈ ଅଦୁହାଁ ରହିଚି ।

 

‘‘ଆଲୋ ଶୁତ୍ରୀ, ଗଉଡ଼ ତ କାହିଁକି ଆସିଲା ନାହିଁ । ମହାନ୍ତି ବାବୁଙ୍କ ଘରୁ ଚାରି ଅଣାର କ୍ଷୀର ନେଇ ଆ ।’’

 

ଶୁତ୍ରୀ ଗଲା ।

 

ମହାନ୍ତି ବାବୁ ଗାଧଉ ଥିଲେ । ତାଙ୍କ ସ୍ତ୍ରୀକୁ କ୍ଷୀର ମାଗିଲା ଶୁତ୍ରୀ ।

 

କିଏ ? ମହାନ୍ତି ବାବୁ ପଚାରିଲେ ।

 

ପ୍ରଫେସର ଘର ଚାକରାଣୀ !

 

ଓଃ ଆଲୋ ଶୁତ୍ରୀ, ବାବୁ ଆସିଲେ ?

 

ନାଇଁ ତ ।

 

ଆ, ଏଣିକି ଆ କହୁଚି ।

 

ଶୁତ୍ରୀ ପାଖକୁ ଆସିଲା ।

 

ବାବୁ କୁଆଡ଼େ ଯାଇଚନ୍ତି କି ?

 

ମୁଇଁ ଜାନି ନାଇ ବାବୁ ।

 

ମା କଣ କହୁଥିଲେ, ଶୁଣିନୁ ?

 

ନାଇଁ ।

 

ହଇଲୋ, ସେ ଦିନ ରାତିରେ କଣ ଗୋଳମାଳ ହେଲା ? ବାବୁ ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକ ବାଡ଼େଇ ଘରୁ ଚାଲିଯିବା କଥା କଣ ସତ ?

 

ଶୁତ୍ରୀ ଅବାକ୍‌ହେଲା ।

 

ନାହିଁ ବାବୁ । ମାତର.........

 

କହ, ମୁଁ କଣ କାହାକୁ କହୁଚି ।

 

ବାବୁ ରିସାରେ ଘରକୁ ଆସୁନାଇଁ ବୋଲି ବୋଲବା ଆଚତ୍‌।

 

କି’ ବୋଲି ?

 

ଶୁତ୍ରୀର ମୁଣ୍ଡ କୁହୁଳି ଉଠିଲା । ବଡ଼ କଷ୍ଟରେ ସେ’ କହିଲା, ସେତେ କଥା ମୁଇଁ ଜାଣି ନାଇଁ ବାବୁ ।

 

ସ୍ତ୍ରୀଙ୍କ ମୁହଁକୁ ଚାହିଁ ମହାନ୍ତି ହସିଲେ ।

 

ମହେଶ୍ୱର ମହାନ୍ତି–ନାମଜାଦା ଲୋକ । ଆୟୁଷ ଟଳି ନାହିଁ । ସାହିତ୍ୟିକ । ବି.ଏ. ପାଶ୍‌ କରି ଘରେ ରୁହନ୍ତି । ଜମି ବାଡ଼ି ଅଛି । ଗୋଟାଏ ସାହିତ୍ୟ ମାସିକୀ ପ୍ରକାଶ କରନ୍ତି । ସେହିଟାହିଁ ତାଙ୍କର ସବୁ ଦିନିଆ କାମ । ପ୍ରଫେସର କିଶୋରଙ୍କ ଠାରୁ ବେଳେ ବେଳେ ଭଲ ପ୍ରବନ୍ଧ ପା’ନ୍ତି ବୋଲି ତାଙ୍କ ସହିତ ବନ୍ଧୁତା ଅଛି ।

 

‘କ୍ଷୀର କଣ କରିବେ ଲୋ ?’

 

‘‘ପିଲା ପାଇଁ ।’’

 

‘‘ପୋଡ଼ିଯାଉ ନିଆଁ ଲାଗିର ପିଲା ଝିଲା, ଘର ସଂସାର । ଏଡ଼ିକି ଦୋଚାରୁଣୀ ! ତା’ ପରା ଭେଣ୍ଡା ଘଇତା ଥାଉ ଥାଉ !! ଛି’....’’

 

ଗୋରସ ମାଠିଆରେ କଞ୍ଚା ପାଣି ଢାଳେ ଅଜାଡ଼ୁ ଅଜାଡ଼ୁ ମହାନ୍ତି ବାବୁଙ୍କ ସ୍ତ୍ରୀ କହି ଚାଲିଥିଲେ ।

 

ବସନ ଭୂଷଣ ବେଳକୁ ଅତି ଆଧୁନିକା ହେଲେ ବି ଘର କରିବାରେ କଟକଣାଟା ବେଶୀ ଅଛି । ଚାରି ପଇସା ସଞ୍ଚି ଦଉଲତ ଗର୍ବ ସୃଷ୍ଟି କରିବାରେ ତାଙ୍କର ଅଛି ଆନନ୍ଦ ।

 

ହଳେ ଗାଈ ଆଉ ପଟେ ମହିଁଷି କ୍ଷୀରରେ ବାଲ୍‌ଟି ବାଲ୍‌ଟି ପାଣି ମିଶାଇ ପଇସା କମେଇବାର କାରବାର ତାଙ୍କର ନିତି ଦିନିଆ ।

 

ସାହିତ୍ୟ ସେବୀ, ଦରଦି ପୁରୁଷର ପତ୍ନୀ ! ପର ଦୁଃଖରେ ହୃଦୟ କଂପି ଉଠେ !!

 

ସବୁ ହୁଏ ।

 

ଗିଲାସ ଗିଲାସ କରି କ୍ଷୀର ମାପୁ ମାପୁ କହିଲେ, ମାଙ୍କୁ କହିଦେବୁ ଶୁତ୍ରୀ, ବାଳୁତ ପିଲାକୁ ଖୋଇବେ ବୋଲି ଟିକିଏ ବେଶୀ ଦେଇଚି । ସବୁ ଦିନେ ନେଲେ ଆଉ ଟିକିଏ ଦେବି ।

 

ଶୁତ୍ରୀ ଫେରି ଆସୁଥିଲା ।

 

ମହାନ୍ତି ବାବୁ କହିଲେ, ମୁଁ କହୁଥିଲି ବୋଲି ମାଙ୍କୁ କହିଦେବୁ, ବାବୁ କେଉଁଠି ଅଛନ୍ତି ଠିକଣାଟା ପଠାଇ ଦେବେ ।

 

ଦିନ ସାରା ବ୍ରତ ବେଦୀରେ ବକ୍‌ ବକ୍‌ ହୋଇ ଫେରିଥିବା ପୁରୋହିତର ଗଳା ଖଙ୍କାର ପରି ଖଙ୍କାରି କଂସା ବାସନ ଛେଚା ସ୍ୱରରେ ଉତ୍କଟ ହସଟିଏ ହସି ଦେଲେ ମହାନ୍ତି ବାବୁ । ସାହିତ୍ୟିକ !

ତାଚ୍ଛଲ୍ୟ ! ବିପଦ୍‌ଗ୍ରସ୍ତ ପ୍ରତି ଉପହାସ !!

 

ସବୁ ମଣିଷ ପାଇଁ ସଂସାରରେ ଏମିତି ବେଳା ଆସିଥାଏ । ସେ’ ସାହିତ୍ୟିକ ହେଲେ ବି ବୁଝିବାକୁ ବାକି ରହି ଯାଇଚି ଯେମିତି ।

 

ମଣିଷର ମରଣାନ୍ତକ ଦୁଃଖ ଲାଞ୍ଛନାରେ ମଧ୍ୟ ମଣିଷର ପୈଶାଚିକ ଆନନ୍ଦ !

 

ଏଇଥି ପାଇଁ ତ କହି ହୁଏ ନାହିଁ, ସଂସାରରେ ଦୁଃଖ କଣ ? ଆନନ୍ଦ କଣ ?

 

ପ୍ରଶ୍ନ, କେବଳ ପ୍ରଶ୍ନ–

 

ସ୍ୱପ୍ନ ନୁହେଁ । ଜାଣିବାର ମଣିଷ ହିସାବରେ, ଅଧ୍ୟାପକ ହିସାବରେ ସେ’ କର୍ତ୍ତବ୍ୟର ପନ୍ଥା ପାଖରେ ପହଞ୍ଚିଛନ୍ତି ।

 

ସାରା ଦେଶର ଆତ୍ମା ଲୁଚି ରହିଚି ଯେଉଁ ଛୋଟ ଛୋଟ ଗାଁ ଗୁଡ଼ିକର ଅନୁଭୂତି, ଅଭିରୁଚି ଓ ଚଳନ ଛଟା ଭିତରେ, ସେହି ଗାଁ ଭିତରେ ନିଜକୁ ମିଳେଇ ଦେଇ ଆନନ୍ଦ ପାଇବା ପାଇଁ ରାହା ପାଇଚନ୍ତି ।

 

ତେଣ୍ଟା ଯାଇଛି । ପିଲା ଦିନୁ ପର ସଭ୍ୟତାରୁ ଆମଦାନୀ କରା ଆଚରଣ ଭିତରେ ସଢ଼ି ସଢ଼ି ନିଜେ ଦେଶର ଏ କୋଟି କୋଟି ଗାଁ ଲୋକଙ୍କ ଠାରୁ ସାତ ଅଲଗା ହୋଇ ରହିବା ପନ୍ଥାରୁ ଖସି ପାରିଛନ୍ତି । ତାଙ୍କ ଜୀବନରେ ସତେ ଏ ଗାଁ ଲୋକଙ୍କ ସହିତ ଖାପ ଖାଇଲା ଭଳି କି’ ଅବଲମ୍ୱନ ଥିଲା ? ପୋଥି, ଖବର କାଗଜ ପଢ଼ା, ସିନେମା ଦେଖା, ରେଡ଼ିଓ ଶୁଣା, ବଡ଼ ବଡ଼ କଥାର ଆଲୋଚନା, ଭଲ ପିନ୍ଧିବା, ଭଲ ଖାଇବା, ବଡ଼ ହେବା, ମଟର ଚଢ଼ି ହାୱା ଖାଇବା, ଡିନେର, ପିକ୍‌ନିକ୍‌, ସଭା ସମିତି, ବିଂଶ ଶତାବ୍ଦୀର ବିଜ୍ଞାନ ଦ୍ୱାରା ଉଦ୍ଭାବିତ ସମସ୍ତ ରକମର ବିଳାସ । ୟା’ ଭିତରେ ତ ଚବିଶି ଘଣ୍ଟା ଖତମ୍‌।

 

ଆଜି ଆଶ୍ୱସ୍ତିର ଶୀତଳ ନିଶ୍ୱାସ ନେଇ ପାରିଛନ୍ତି ।

 

ଜଞ୍ଜାଳ ନାହିଁ ।

 

ମଫସଲ ବଣ ପର୍ବତର ମଝିରେ ଏଠି ସେଠି ପଡ଼ି ରହିଥିବା ପଥର ଖଣ୍ଡ ପରି, ନିଦା ନିଦା ଘର ଗୁଡ଼ିକ । ଧାଡ଼ି ଧାଡ଼ି । ଏଠି ସେଠି ।

 

ଶୃଙ୍ଖଳା ନାହିଁ ।

 

ସଂସାରଟାତ ଗୋଟାଏ ବିରାଟ ବିଶୃଙ୍ଖଳାର ବେଦ ପାଠ ।

 

ଶୃଙ୍ଖଳା କାହିଁ ? ମଣିଷ ! ଦୁଇଟି ଆଖି ଦେଖିଲା ଭଳି; ଯୋଡ଼ିଏ କାଳ ଶୁଣିଲା ଭଳି; ଯୋଡ଼ିଏ ହାତ ପାରିଲା ପରି ଇତ୍ୟାଦି । କିନ୍ତୁ ଦାଣ୍ଡ ବାଟରେ ଏ କଣ ?

 

ପୁରୁଷଟିଏ ଚାଲିଚି । ଆଖିଟିଏ ନାହିଁ । ସ୍ତ୍ରୀଟିଏ ବସିଚି । ଦେଖିବାର ଶକ୍ତି ନାହିଁ । ପିଲାଟିଏ ହାମୁଡ଼ୁଚି–ଗୋଟିଏ ଗୋଡ଼ ଖଣ୍ଡିଆ ।

 

ଖବର କାଗଜରେ ବାହାରିଚି, ଜନ୍ମ ହୋଇ ମରି ଯାଇଚି । ଯୋଡ଼ିଏ ମୁଣ୍ଡ !

 

ବୁଢୀଟିଏ ଆସିଥିଲା, କାନ ନାହିଁ । ହାତରେ ଆଠଟା ଆଙ୍ଗୁଠି ।

 

ଏଟା କଣ ବିଶୃଙ୍ଖଳା ନୁହେଁ ? ତେବେ ସୃଷ୍ଟିଟା କଣ ପରିତ୍ୟଜ୍ୟ ?

 

ଗାଁ ଗୁଡ଼ିକ ପରିତ୍ୟକ୍ତ ?

 

କିଶୋର ବାବୁ ଭାବୁଥିଲେ । ସାମାଜିକ ଆଚାରର ଗର୍ହିତ ସମ୍ପର୍କ ଗତ ଆଘାତରେ ବ୍ୟଥିତ ଭାବନା ତାଙ୍କୁ ଏଇ କେତେ ଦିନ ହେଲା ପାଗଳ କରିଥିଲା ।

 

ତେଣୁ ରାତି ଦିନ, ଖିଆ ପିଆ, କର୍ତ୍ତବ୍ୟ ଅକର୍ତ୍ତବ୍ୟ ବାରି ନ ପାରି, ଚାଲି ଚାଲି ଆଜି ଠିକଣା ଛକରେ ପହଞ୍ଚିଛନ୍ତି ।

 

ଘରକୁ ଫେରି ନାହାନ୍ତି ।

 

ଛୁଟି ନେଇ ନାହାନ୍ତି ।

 

ଇସ୍ତାଫା ପତ୍ର ଲେଖିବା ଦରକାର ବୋଧ କରି ନାହାନ୍ତି ।

 

ନିରୁପମାକୁ ମନରୁ ପେଲେଇ ପାରିଚନ୍ତି । ପୁଅଟିକୁ କୋଳ କରିବାର ଲୋଭ ଦୂରେଇ ଦେଇଚନ୍ତି । ସଭ୍ୟ ସଂସାରର ଲହରୀ ଉପରେ ଲହରୀ ପରି ବଡ଼ ହେବାର ସ୍ୱପ୍ନକୁ ସେ’ ଚଇତ ମଙ୍ଗଳବାରରେ ଠାକୁରାଣୀ ଘଟ ଉଇବା ପରି ଉଇ ଦେଇଚନ୍ତି ।

 

ହୃଦୟ ଦୋହଲିଚି । ଜୀବନ ଆତୁର ହୋଇନାହିଁ । ମନ ଧନ୍ଦି ହୋଇଚି, ବିବେଚନା ହାଲିଆ ହୋଇନାହିଁ । କାମନା ଲହ ଲହ ହୋଇ ବାହୁନିଚି । ଅନ୍ତର ନିଗିଡ଼ି ଧଇର୍ଯ୍ୟ ନିଃଶେଷ ହୋଇ ଯାଇନି ।

 

କିଶୋର ପହଞ୍ଚିଛନ୍ତି ଗୋଟିଏ ଗାଁରେ । କେହି ଜାଣନ୍ତି ନାହିଁ । କାହାକୁ ସେ’ କହି ନାହାନ୍ତି । ସବୁ ପରିଚିତ ଲୋକଙ୍କ ପାଖରୁ ହଟି ଆସିଛନ୍ତି ।

 

ପ୍ରାୟ ୭୦ ମାଇଲ ବାଟ ଚାଲି ଚାଲି ଆସିଛନ୍ତି । ବାଟ ଖର୍ଚ୍ଚ ଦରକାର ହୋଇ ନାହିଁ । ବାଟରେ ଆସୁ ଆସୁ ଯେଉଁ ଗାଁ ପାଖରେ ଭୋକ ହେଲା, ପଥରର ଇଣ୍ଡା ବସେଇ ଚୁଲ୍ଲୀ ଲଗେଇ ଭାତ ରାନ୍ଧିଛନ୍ତି । ଅଡ଼ୁଆ ଲାଗି ନାହିଁ । ପାଟି ଲେସଡ଼ିବାକୁ ପଡ଼ି ନାହିଁ । ଗାଁର ନାଇକ (ମୁଣ୍ଡିଆଳ) ଯୋଗେଇ ଦେଇଚି ସବୁ । ନିଆଁ, କାଠ, ପାଣି, ଚାଉଳ, ନୁଣ, ମରିଚ, ଗୋଟିଏ ପିଆଜ ଓ ଦି’ଟା ବାଇଗଣ ।

 

ସେଥିରେ ବଞ୍ଚିବା ଆଶା ପଛରେ ଜୀବନର ସ୍ୱଚ୍ଛ ଆନନ୍ଦ ! ଇନ୍ଦ୍ରିୟର ଗଭୀର ପରିତୃପ୍ତି-। ଭୋକ ଅପସରିଛି ।

 

ଚାଲି ଚାଲି ସେ ଅପନ୍ତରା ବାଟରେ ୭୦ ମାଇଲ ଅତିକ୍ରମ କରି ଆସିଛନ୍ତି । ଏଠାକୁ ଆସି କିଶୋର ଓଡ଼ିଶାର ପ୍ରାୟ ଏକାବନ ହଜାର ଗାଁର କଥା ଭାବୁଥିଲେ । ନୂଆ ଓଡ଼ିଶା ଦେଶର ଗୋଟିଏ ନଗର ସହିତ ଅଠତିରିଶି ସହରକୁ ମିଶେଇ ଏକାବନ ହଜାର ଗାଁର ପ୍ରାୟ ଦୁଇ କୋଟି ମଣିଷଙ୍କ ଭିତରେ ସ’ ଲୋଡ଼ୁଥିଲେ ଭାରତୀୟ ମଣିଷ ସଭ୍ୟତାର ବିବର୍ତ୍ତନ କେଉଁ ପଥରେ ପୃଥ୍ୱୀର ଯଶସ୍ୱୀ ଆଲୋକ ରଶ୍ମି ଶୋଷଣ କରି ପବିତ୍ର ହୋଇ ପାରିବ, ତେଜିୟାନ ହୋଇ ପାରିବ ।

 

ତେଣୁ–

 

ତେଣୁ ସେ ପାଗଳ ହୋଇଚନ୍ତି ।

 

ଖରା ଦିନିଆ ମଲ୍ଲୀ ଫୁଲ ପାଖୁଡ଼ାର ଥଣ୍ଡା ପରି ଆନନ୍ଦଦାୟକ ଏହି ସଂସାରରେ ଘର କରି ରହିବାର ଅଭିଳାଷ–ଗୃହିଣୀ, ସନ୍ତାନ, ସୁଖରେ କାଳ ବିତେଇବାର ବାସନା । ଏ ସବୁ ପାଖରୁ ନିଜକୁ ଘୁଞ୍ଚେଇ ଆଣି ପାରିଚନ୍ତି ସେ । ଛୋଟ ମଣିଷ ମନରେ ତାଙ୍କର ବିରାଟ ମାନବତ୍ୱର ଆଦର୍ଶ, ଦିବ୍ୟ ଚିନ୍ତା ତପସ୍ୟା କରୁଚି ।

 

ଯୁବକ ହେଲେ ବି, କନ୍ଦର୍ପର ପଞ୍ଚବାଣର ତାଜା ଶିକାର ହୋଇ ବଞ୍ଚିଥିଲେ ବି, ରତିପତିଙ୍କ ସବୁ ଫୁଲ ଶରକୁ ଦୂରେଇ ନ ପାରି ଥିଲେ ବି ଦମନ କରି ସେ’ ନିରୁପମାର ପାଖ ଛାଡ଼ିଛନ୍ତି ।

 

ଛଡ଼ାଇଚି ତାଙ୍କର ବିବେକ ।

 

ସେ ଦୋଚାରୁଣୀ !

 

କାହା କଥା ଆଉ ତାଙ୍କ ମନକୁ ଛୁଁ ନାହିଁ । ନିରୁ କଣ କରୁଥିବ ? ପିଲାଟି କେମିତି ଥିବ-? ସରକାରୀ କାମ । ଏ ସବୁ ଚିନ୍ତାକୁ ଫଟେଇ ମନ ଭିତରେ ଆସନ ଜମେଇଚି ଭବିଷ୍ୟତ କର୍ମପନ୍ଥାର ରୁନ୍ଧାସୁନ୍ଧା ଯୋଜନା । ଯୋଜନାର ଆୟୋଜନ ।

 

ଗାଁ ମୁଣ୍ଡର ଗୁଡ଼ି ଘର ପାଖେ ସେ’ ତପସ୍ୟା କରୁଛନ୍ତି । କେଉଁଠି କାମ ଆରମ୍ଭ କରିବେ-? ସଂସାର ଚକିତ ହେବ । ନିରୁ ହେବ ଅବାକ । ରୁଦ୍ର ପ୍ରସାଦ ମସ୍ତକ ନୁଆଁଇବ । ସେ’ ଜିତିବେ । ସାଧନା ସଫଳ ହେବ ।

 

କିଶୋର ଚିନ୍ତା କରୁଥିଲେ ।

 

ସେ ଜିତିବେ । ବିଂଶ ଶତାବ୍ଦୀ ମୁଣ୍ଡ ନୁଆଁଇ ଓଳଗି ହେବ । ତା’ ପରର ଶତାବ୍ଦୀ ହେବ ଆନନ୍ଦ ମୁଖର । ମଲେ ବି ସେ’ ହସୁଥିବେ ।

 

ଦେଶ, ସମାଜ, ସଭ୍ୟତା–ପୃଥ୍ୱୀର ଗତାନୁଗତିକତା ଭିତରେ ମଣିଷର ରୀତିମତ ସାଉଁଟା ଫୁଲ; କିପରି ତାହା ବାସନା ଜର୍ଜର ହେବ, ଏହି ହେଲା ତାଙ୍କର ଚିନ୍ତା ।

 

ସେ’ ଭାବୁଥିଲେ, ସଭ୍ୟତାର ଉନ୍ନତି ନା’ରେ, ଜାତୀୟ ବିକାଶ ନାଁରେ, ସାମାଜିକ ଅଭିରୁଚି ନା’ରେ ଆଜି ଯେଉଁ ଜଟିଳତା ସବୁ ମଣିଷର ପ୍ରତି ପଦକ୍ଷେପ ମଝିରେ ବିଶୃଙ୍ଖଳା ସୃଷ୍ଟି କରିଚି, କରି ଚାଲିଚି, ଖାଇବା ପିଇବା, ଖୋଇବା, ଆଦର କରିବା, ବିଶ୍ୱାସ ଥାପିବା, ହଲିବା ବୁଲିବା, କିଣିବା, ଘେନିବା ଭିତରେ ଗୁପ୍ତ ଅତ୍ୟାଚାର ଭେଇ ଚାଲିଚି, କେଉଁ ପଦ୍ଧତିରେ ସେ’ ସବୁରି ନିବାରଣ ସହଜ ହେବ ? ମାନବ ଜାତି ହେବ ବଳିଷ୍ଠ, ହସ ହସ । ଆନନ୍ଦ ବିଳାସୀ !

 

ଏହି ସମାଜ, ଦେଶର ଆଚାର ବ୍ୟବହାର, ସଭ୍ୟତାର ଦେଣ ନେଣ, ତାଙ୍କୁ ପିତା ଲାଗିଥିଲା । ତେଣୁ ସେ’ ଭାବୁଥିଲେ, ସୁଆଦିଆ, ଚିର ଉଜ୍ଜ୍ୱଳ ସଭ୍ୟତାର ସଙ୍କେତ ଦେବାକୁ କେଉଁ ପନ୍ଥା ଧରିବେ ।

 

ସହରର ସବୁ ଜଞ୍ଜାଳର ପ୍ରତ୍ୟକ୍ଷ ସମ୍ପର୍କ ବିହୀନ ଗୋଟିଏ ପଲ୍ଲୀର ପୂଜାରୀ ରୂପରେ କିଶୋର ଆଜି ଅନେକ କଥା ଭାବୁଛନ୍ତି ।

 

ପ୍ରଫେସର କିଶୋର ଆଜି ଏକ ସନ୍ତସନ୍ତିଆ ଛୋଟ ପଲ୍ଲୀ ଗ୍ରାମର ସରଳ ଅତିଥି । ଗାଁ ମୁଣ୍ଡରେ ବସି ଚିନ୍ତା କରୁଛନ୍ତି, କାହା ଘରକୁ ଯିବେ ? କିଏ ଅଛି ଏଠି ?

 

ଗାଁର ସେ ମୁଣ୍ଡରେ ଯେଉଁ ଘରଟା ଟିକିଏ ବଡ଼ ଦିଶୁଥିଲା, ସେଠିକି ଗଲେ । କୋରାପୁଟ ଜିଲ୍ଲାର ନାୟକ (ଗାଁ ମୁଣ୍ଡିଆଳର) ଘର । ଅଧିକାରୀ ଆସିଚି । ସେ’ ଜୁହାର କଲା । ଘଡ଼ିକରେ ଜମେଇ ଦେଲା ରନ୍ଧା ସରଞ୍ଜାମ ! ହସି ହସି କରି କିଶୋର ରାନ୍ଧିଲେ । ଖାଇ ସାରି ଗାଁ ବୁଲି ଦେଖିଲେ । ଆଠଟା ଘର ଗାଁ । ସବୁ ଅଶିକ୍ଷିତ । କନ୍ଧ ଗାଁ ନା’ ଏଠି ନୁହେଁ । ଚାଲିଲେ ସେ ଅନ୍ୟ ଗାଁକୁ ।

 

ନିରୁ ସବୁ ଶୁଣେ ।

 

ଶିକ୍ଷିତା, ବୁଦ୍ଧିମତୀ ନାରୀ । ବେଳେ ବେଳେ କପାଳକୁ ନିନ୍ଦିବାର ଦୁର୍ବଳତାକୁ ସେ’ ସ୍ୱୀକାର କରେ ନାହିଁ ।

 

ସେ’ ଅନୁମାନ କରେ, ଶୁତ୍ରୀର ମୁହଁକୁ ଅନେଇ ସବୁ ତଥ୍ୟର ଖିଅ ବାହାର କରେ । ଚହଲେ ନାହିଁ । ଦୋହଲେ ନାହିଁ।

 

ସବୁ ଦିନ ଠାରୁ ଆଉ ଟିକିଏ ସରଗରମ୍‌ହୁଏ ତା’ ଘର, ସାହି ପଡ଼ିଶା, ଚିହ୍ନା ପରିଚୟଙ୍କ ଆସ ଯା’ରେ । ସମସ୍ତିଙ୍କି ସେ’ ଆଦର କରେ । ମନା କରେ ନାହିଁ । ମିଶେ । ହସେ । ଦୁଃଖ, ସୁଖ ହୁଏ ।

 

ମନ କଥା ମନରେ ସାଇତେ ରାତି ପାଇଁ, ନିର୍ଜନ ବେଳ ପାଇଁ । ନିଛାଟିଆ ପହର ନିମନ୍ତେ ।

 

ସେ’ ଟାଣ ହୋଇଚି ।

 

ସେ’ ବୁଝିଚି, ଅଧୀର ହେଲେ ନିଜକୁ ନିଜେହିଁ ଠକିବ । କିଶୋର ଫେରି ଆସିବେ । ଅଭିମାନ ମେଣ୍ଟିଲେ ଲେଉଟି ଆସିବେ । ମନସ୍ତତ୍ତ୍ୱର ଅନ୍ଧାରିଆ ପାତାଳ ପୁରର ଅନ୍ଦାଜକୁ ବିଶ୍ଳେଷଣ କରି ସେ’ ମୀମାଂସା ଆବିଷ୍କାର କରିଚି ।

 

ସେ’ କାନ୍ଦିଚି । ବାହୁନିଚି । ଅସ୍ଥିର ହୋଇଚି । କିନ୍ତୁ ଭାଙ୍ଗି ପଡ଼ି ନାହିଁ । ତଥାପି ଭାବେ–

 

ଗୋଟି ଗୋଟି ହୋଇ ସବୁ କଥା ତା’ର ମନେ ପଡ଼ୁଚି । ପ୍ରେମିକ ଓ ଗେରସ୍ତ ହେଲାଠୁଁ କେତେ ସ୍ନେହ ସମାଦରର ଭିତରେ କିଶୋରଙ୍କ ସହିତ ଚଳି ଆସୁଥିଲା । ଏତେ ନିଜର ଯେ’ କରିପାରେ, ସେ’ କଣ ହଠାତ୍‌ ପର କରିଦେବ ? ପାରିବ ?

 

କେଜାଣି । ସେ’ କିନ୍ତୁ କଲେଜର କିରାନି ରଥ ବାବୁଙ୍କୁ ଡକେଇ ସବୁ କଥା ପଚାରେ । ଅନୁସନ୍ଧାନ କରାଏ ।

 

ଇତରର ମନ ମାପିବା ପାଇଁ ସାହସ କରେ ନାହିଁ । କାହିଁକି କରିବ ? ଅନ୍ୟର ମନକୁ ଝୁଣି ବସିଲେ, ପିଟାପିଟି କରି ଚିପାଚିପି କରି ବସିଲେ ନିଜ ମନକୁ କାଟିବ ସିନା ! ଲାଭ କଣ ?

 

ସୁଷମା ଆଉ ତା’ ଘରକୁ ଆସେ ନାହିଁ । ମାନ୍ତ୍ର ପ୍ରଫେସର ସୁରେନ୍ଦ୍ର ବାବୁଙ୍କ ସ୍ତ୍ରୀ ଶକୁନ୍ତଳା ଆସିଥିଲା । କହୁଥିଲା, ‘‘ସୁଷମା କହୁଥିଲା ନିରୁ, ତୁ’ ପୁଣି କୁଆଡ଼େ ଚାଲି ଯାଉଚୁ ।’’

 

ନିରୁ ବୁଝେ । ବାଆଁରେଇ ଜବାବ ଦେଇ ବୁଝେଇ ବୋଧ କରିଦିଏ । କିନ୍ତୁ କୁନ୍ଥେଇ କୁନ୍ଥେଇ ସେ’ ଅଭିମାନ କରେ । ମାଇପି ଜାତିଟା କଣ ଏମିତି ? ଦାଣ୍ଡ ବାଟରେ ପର ଛିଦ୍ରର ଛୁଙ୍କ ଚହଲେଇ ବାସନା ଶୁଘିଂବାରେ ତାର ଏତେ ଆନନ୍ଦ !

 

ସୁଷମା ମୁହଁରୁ ବାର କଥା ଶୁଣି ଶକୁନ୍ତଳା କଣ ଭାବେ, ତା’ ବି ସେ’ ଜାଣେ । କଲିଜାକୁ କାଟେ । ତୁନି ହୁଏ ।

 

ଭବିଷ୍ୟତକୁ ନିଠେଇ ନିଠେଇ ଅନାଏ । ପିଲାର ସାନ ଥୋମଣିରୁ ଲାଳ ପୋଛି ଆଣେ-

 

ଆଖି ପୋଛେ ନାହିଁ । ଲୁହ ଗଡ଼ାଏ ନାହିଁ ।

 

ତାର ମେଘୁଆ ରଙ୍ଗର ଭଉଁରୀ ଭଉଁରୀଆ ପତଳା ଛାପା ଶାଢ଼ୀ ଆଡ଼ ପୁରୁଣା ହୋଇଚି-। ମଳିଆ ହୋଇଚି । ତାର ମନେ ପଡ଼ୁଚି, ‘‘ଛି’ ନିରୁ । ଏତେ ଅପରିଷ୍କାର ! ଏତେ ପାଠ ପଢ଼ି ଆଉ କଣ ଶିଖିଚ ?

 

ସେ’ ଜାଣି ପାରନ୍ତି ନାହିଁ । କେତେ ପାଠ ପଢ଼ିଲେ ମଧ୍ୟ, କେତେ ସଭ୍ୟ ମାର୍ଜିତ ରୁଚି ଅନୁସାରେ ଆଚରଣ ଚଳିଲେ ମଧ୍ୟ, ମା ଆଉ ଗୃହିଣୀ ହେବାର ଆବେଶ ଭିତରେ କିଶୋରୀ, ଛାତ୍ରୀ ମନର ସଉକିଆ ଅଝଟ ରହେ ନାହିଁ । ସେ’ ଗୋଟାଏ ଭିନ୍ନ ଆନନ୍ଦ । ସଜନା ଶାଗ ଭଜା ପାକୁଳେଇଲା ପରି ନୁହେଁ । ମୁନିଗା ଫଳର ଲମ୍ୱ ଲମ୍ୱ, ଖଣ୍ଡ ଖଣ୍ଡ ଭଜା ଚୋବେଇ ଲାଳ ଢୋକିଲା ପରି ।

 

ସେ’ ଦିନକୁ ଦି’ଥର ଲୁଗା ପାଲଟେ ନାହିଁ । ମୁଣ୍ଡ କୁଣ୍ଡାଏ ନାହିଁ । ଦେଖିଲା ଲୋକେ ବାଛନ୍ତି । ସେ ଢଳି ପଡ଼େ । ହାରିଲା ପରି କଥା କହେ ।

 

ବଗିଚାରେ ଫୁଲ ଫୁଟେ । ସେ’ ତୋଳେ ନାହିଁ । ମାଳ ଗୁନ୍ଥେ ନାହିଁ । ପିନ୍ଧେ ନାହିଁ ।

 

ପିଲାକୁ କ୍ଷୀର ଖୁଆଏ । ଆଦର କରେ । ଛାତିରେ ଜାକି ଧରି ଦୁନିଆଟାର କଥା ମନେ ପକାଏ । ମନେ ପକାଏ ସନ୍ତାନ ଜନମ ନହେବା ଦିନର କଥା । ଉଃ ! ତା’ର ମୁଣ୍ଡ ବିନ୍ଧେ !

 

ସନ୍ଧ୍ୟା ସାତଟା ।

 

‘କିଏ ?’

 

ଟିକିଏ ରାଢ଼ ଗଳାରେ ନିରୁ ପଚାରିଲା । ସେ’ ଅନ୍ୟ ମନସ୍କ ଥିଲା । ଦୁଆର ସେ’ ପାଖେ କାହାର ରହି ରହି ଖୁଁ ଖୁଁ କାଶ ଶୁଣି ଅଖାଡ଼ୁଆ ବୋଧ କଲା ।

‘ମୁଁ’ ।

 

ବୁଢ଼ାଟିଏ । ସପ୍ତାହେ ତଳର ଇସ୍ତ୍ରୀ କରା କମିଜ୍‌ଟାଏ ପିନ୍ଧିଛନ୍ତି । ବୋତାମ ଖସିଚି । ମେଲା ବୁକ । କଲେଜରେ କିରାନି ରଥ ବାବୁ ।

 

‘‘ଆସନ୍ତୁ ରଥ ବାବୁ । ମନେ ମନେ ମୁଁତ ଆପଣଙ୍କୁ ଖୋଜୁ ଥିଲି ।’’

 

‘‘ପ୍ରିନ୍‌ସପାଲ ଦାଣ୍ଡରେ ଠିଆ ହୋଇଚନ୍ତି ।’’

 

‘‘କାହିଁକି ?’’

 

ମୋ’ ହାତରେ ପଚାରି ପଠେଇଚନ୍ତି.....

 

କ’ଣ ?

 

ଆପତ୍ତି ନଥିଲେ, କଥା ହେବେ ।

 

ମୋ’ ସହିତ ?

 

ହଁ ।

 

ତାଙ୍କୁ ଡାକନ୍ତୁ । କହିଦେବେ ମୁଁ ନମସ୍କାର କରୁଚି । ଘରକୁ ଡାକନ୍ତୁ ।

 

ନିରୁର ମୁଣ୍ଡଟା କେମିତି ଝିମିଝିମେଇ ଉଠିଲା । କାହିଁକି ସେ’ ଆସିଚନ୍ତି ? ସୁଷମା କିଛି ଲଗାଲଗି କରି ଦେଇ ନାହିଁତ ? ନା ଚିଠି ଆସିଚି । ଆଧୁନିକା ହେଲେ ବି ରବି ବାବୁଙ୍କ ଆଗରେ ନିରୁ କେବେ ମୁଣ୍ଡ ଟେକି ଠିଆ ହୁଏ ନାହିଁ ।

 

କଳା ମିଚି ମିଚି ଚକଚକିଆ ପୋଷାକ । ଦୀପ୍ତ ମୁଖ ମଣ୍ଡଳରେ ହସ ଫୁଟେଇ ରବି ବାବୁ ଆସିଲେ । ନିରୁ ଘର ଭିତରୁ ନମସ୍କାର କଲା ।

 

ଆଚ୍ଛା, କିଶୋର ବାବୁ କୁଆଡ଼େ ଯାଇଚନ୍ତି ଆପଣ କହି ପାରିବେ ?

 

ନାଁ.....

 

କଟକରୁ ମଝିରେ କେବେ ଆସିଥିଲେ ?

 

ହଁ ।

 

ସାହସ ସଞ୍ଚୟ କରି ନିରୁ କହିଲା ।

 

କେବେ ?

 

ମନେ ନାହିଁ ।

 

ଆପଣ ମନରେ କିଛି ଖରାପ ଭାବୁ ନାହାନ୍ତି ତ ? ନହେଲେ ମୁଁ କିଛି ପଚାରିବି ନାହିଁ ।

 

କ୍ଷମା କରିବେ । କେମିତି ଖରାପ ଭାବିବାକୁ ହୁଏ, ମୁଁ ଜାଣେ ନାହିଁ ।

 

ଆଚ୍ଛା, କିଶୋର ବାବୁ କେବେ ଫେରିବେ ବୋଲି ଆପଣ ଭାବୁଛନ୍ତି ?

 

କହିପାରୁ ନାହିଁ ।

 

ସେ’ କେଉଁଠି ଥିବା କଥା ଅନୁମାନ କରୁଛନ୍ତି ?

 

କିଛି ଅନୁମାନ ବି କରିପାରୁ ନାହିଁ ।

 

ବିନା ଛୁଟିରେ ସେ’ ସରକାରୀ କାର୍ଯ୍ୟରେ ଯୋଗ ନ ଦେବାର କାରଣ କିଛି କହି ପାରିବେ କି ?

 

ନାଁ.....

 

ବଡ଼ ଦୁଃଖର କଥା, କିଶୋରକୁ ମୁଁ ଭାରି ଭଲ ପାଉଥିଲି । ଖୁବ୍‌ ବଳିଷ୍ଠମନା । ପରିଶ୍ରମୀ ଥିଲା ।

 

ହଁ ।

 

ସରକାର ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରି ଦେଇଚନ୍ତି ।

 

ଏଁ ? ନିରୁ ମନେ ମନେ ଛାନିଆଁ ହେଲା । ସତେତ, ଆଉ କଣ କରିଥାନ୍ତେ ? ତା’ ହେଲେ.....

 

ସେ’ କିଛି ଜବାବ ଦେଇ ପାରିଲା ନାହିଁ । ଆଉ ଥରେ ରବି ବାବୁ ପଚାରିଲେ–

 

ତା’ ହେଲେ ଆପଣ ମୋର ଗୋଟିଏ ଅନୁରୋଧ ରଖିବେ ?

 

କହନ୍ତୁ ।

 

ମୁଁ ବି ବିଚରାର ଅନେକ ଅନୁସନ୍ଧାନ କଲି । କିଛି ସମ୍ୱାଦ ପାଇଲି ନାହିଁ । ତେବେ.....କହନ୍ତୁ, ଆଉ କଣ କରନ୍ତି ? ଜାଣୁଚନ୍ତି ଏଟା ସରକାରୀ ଘର । ଆପଣ ଏଠି ରହି ପାରିବେ ନାହିଁ । ମନ କଷ୍ଟ କରନ୍ତୁ ନାହିଁ । ଭାବନ୍ତୁ, ମୁଁ ଆଉ କଣ କରନ୍ତି ? ମୋତେ ବି ଖୁବ୍‌ ବାଧୁଚି; ଛୋଟ ପିଲାଟାକୁ ଧରି ସ୍ତ୍ରୀଟିଏ କେମିତି ବା ଦାଣ୍ଡକୁ ବାହାରି ପଡ଼ିବ ? ତେବେ....

 

ବୁଝିଲି । ହଁ, ସେଇୟା କରିବି ।

 

କଣ କରିବେ ?

 

ଘରୁ ବାହାରି ପଡ଼ିବି ।

 

କେଉଁଠିକି ଯିବେ ?

 

ନିଜର ଘରକୁ ।

 

ଅସୁବିଧା ହେବ ନାହିଁ ?

 

ହେବ ।

 

ତେବେ, ଭାରି ଖରାପ କଥା ।

 

ଆଉ କଣ କରନ୍ତି ?

 

ଗୋଟିଏ କଥା କରି ପାରିବେ ?

 

କଣ, କହନ୍ତୁ ।

 

କିଶୋର ଫେରିଲା ଯାଏ ଅନ୍ତତଃ ମୋ’ ଘରେ ରହିଯାନ୍ତୁ । ନାଁ....ହଁ, ଯଦି ଆପତ୍ତି ନଥାଏ ରହି ପାରନ୍ତି । ମୁଁ ଯେ ଜଣେ କେବଳ ଘରେ ତା’ ନୁହେଁ । ମା ବୁଢ଼ୀ ଅଛି, ବିଧବା ଭଉଣୀ ଅଛି । ଅସୁବିଧା ହୁଅନ୍ତା ନାହିଁ । ୟା’ ମୁଁ କହି ନଥାନ୍ତି । କିନ୍ତୁ କିଶୋର ପରେ ମୋତେ ନିନ୍ଦା କରିବ-

 

ହଉ, ଦେଖିବା । କାଲିକି କହିବି ।

 

ନିରୁ ଆଉ କିଛି କହିଲା ନାହିଁ । ସେ ଭାବିଲା, ରବି ବାବୁ ଆଜି ଏତେ ଆଦର କରୁଛନ୍ତି କାହିଁକି ? ସତରେ ସେ’ କଣ ତା’ ସ୍ୱାମୀଙ୍କ ସ୍ନେହ ନେଇ ? ଯା’ ହଉ ଏପରି ଜଣେ ଅବିବାହିତର ଆଶ୍ରାରେ ମୁଣ୍ଡ ଗୁଞ୍ଜିବା ପାଇଁ ହଠାତ୍‌ ସ୍ୱୀକୃତି ଦେଇ ଦେବ?

 

‘‘ଆଚ୍ଛା, ମୋତେ ଖବର ଦେବେ ।’’

 

ପ୍ରିନ୍‌ସପାଲ ଚାଲିଗଲେ ।

 

ନିରୁ ଦୀର୍ଘ ନିଶ୍ୱାସ ଛାଡ଼ି ଆଁ କରି ରହିଲା । ରଥ ବାବୁ ରହି ଗଲେ । ନିରୁ ତାଙ୍କୁ ଅନୁନୟ କରି କହିଲା, କଣ କରିବି ରଥ ବାବୁ !

 

ଆପଣ ଟିକିଏ ସାହାଯ୍ୟ କରନ୍ତୁ ।

 

–କଣ କରିବି କହନ୍ତୁ ?

 

–ମନେ ରଖି ଚାରିଆଡ଼େ ନିଘା ରଖିବେ । ୟା’କୁ ତାକୁ ପଚାରି ବୁଝୁଥିବେ । ଚାରିଆଡ଼େ ଚିଠି ପତ୍ର ଲେଖି କେଉଁଠି ସେ’ ଅଛନ୍ତି ଖବର ନେବାକୁ ଚେଷ୍ଟା କରୁଥିବେ ।

 

–ହଉ ।

 

ସେ ବି ଚାଲିଗଲେ ।

 

ଆଉ ଗୋଟିଏ ଗାଁ–

 

ବଟ ଗଛ ମୂଳେ ବସିଛନ୍ତି । ବେଳ ଉପରକୁ ଉଠିଲାଣି । ଦେହ ଅସକତ । ଅପରିଚିତ ପଲ୍ଲୀ ଗାଁ । ଏଠି ଭାତ ହୋଟେଲ ନାହିଁ । ସଡ଼କ ନାହିଁ । ଥାନା ନାହିଁ । ଡାକ ଘର ନାହିଁ । କେଉଁଠି ଆଶ୍ରୟ ନେବେ ?

 

ବଟ ଗଛକୁ ଲାଗି ଇସ୍କୁଲ । ବଡ଼ ଆକୃତିର ଘରଟା । ସାଇନ୍‌ ବୋର୍ଡ଼ ଲେଖା ହୋଇଚି ।

 

ଝାଡ଼ି ଝୁଡ଼ି ଠିଆ ହୋଇ କିଶୋର ଟିକିଏ ଭାବିଲେ ।

 

ପଶି ଆସିଲେ ସେ’ ଇସ୍କୁଲ ଭିତରକୁ । ନମସ୍କାର ।

 

ବୁଢ଼ା ହେଡ଼ମାଷ୍ଟ୍ର ବିଚରା ତ୍ରସ୍ତ ହୋଇ ପଡ଼ି ନମସ୍କାର କରୁ କରୁ ପଚାରିଲେ, କ୍ଷମା କରିବେ ଆଜ୍ଞା, ଚିହ୍ନି ପାରିଲି ନାହିଁ।

 

ଚିହ୍ନିବେ । ମୁଁ ଆପଣଙ୍କର ଅତିଥି । କିଶୋର ହସି ହସି କହିଲେ ।

 

ବେଶ୍‌ । କେଉଁଠୁ ଆସିଛନ୍ତି ?

 

ପନ୍ଦର ଦିନ ହେଲା କୋରାପୁଟ ଜିଲ୍ଲାର ପଲ୍ଲୀ ଗସ୍ତରେ ବୁଲୁଚି । ନବରଙ୍ଗପୁରରେ ଆପଣ ଥିଲେ ନା ?

 

–ମାଷ୍ଟ୍ର ହୋଇଥିଲି । କିନ୍ତୁ ଆପଣଙ୍କୁ ?

 

–ସେଠି ମୋର ଘର ଅଛି । ବିଲାତରେ ପଢ଼ୁଥିଲି ।

 

ସହକାରୀ ଶିକ୍ଷକ ଉମେଶ କହିଲେ, ମୁଁ ଏହାଙ୍କୁ ଜୟପୁରରେ ଦେଖିଥିଲି ।

 

–ଖୁସି ହେଲି । ଆପଣ ଆନନ୍ଦରେ ମୋ’ ଘରେ ରହି ପାରନ୍ତି । ଯେତେ ଦିନ ଯାଏ ଏ ଅଞ୍ଚଳରେ ଆପଣଙ୍କର କାମ ସରି ନାହିଁ, ସେତେ ଦିନ ଯାଏ ମୁଁ ଆପଣଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିବି ।

 

–ଧନ୍ୟବାଦ ! ମୁଁ କିଛି ଦିନ ଏଠି ରହିବି ବୋଲି ଭାବୁଚି ।

 

–ଚିନ୍ତା ନାହିଁ । କିନ୍ତୁ ଜାଣି ପାରିଲି ନାହିଁ ଗସ୍ତର ଉଦ୍ଦେଶ୍ୟ ?

 

–ମଫସଲ ଜୀବନର ଗବେଷଣା । ମଣିଷ ଜୀବନର ଦୁଃଖ ଦୈନ୍ୟର ପ୍ରତିକାର ପନ୍ଥା ଅନୁସନ୍ଧାନ କରିବା ।

 

–ମହତ କାମ । ଚାଲନ୍ତୁ ଘରକୁ ଯିବା ।

 

କିଶୋର ସନ୍ତୋଷରେ ଭାବୁଥିଲେ, ଭଗବାନ ଗୋଟାଏ ଭଲ ସ୍ଥାନରେ ଆଣି ଜୁଟେଇଛନ୍ତି । ବୋଧହୁଏ ଏଠି ଅନେକ ଦିନ ଧରି ରହିବାକୁ ସୁବିଧା ପାଇବା ସଙ୍ଗେ ସଙ୍ଗେ କଳ୍ପନାକୁ ମଧ୍ୟ କାର୍ଯ୍ୟତଃ ସଫଳ କରିବା ପାଇଁ ସୁବିଧା ସୁଯୋଗ ମିଳିପାରେ ।

 

ସହରର ସବୁ ମୁଖରିତ ଜଞ୍ଜାଳରୁ ମୁକ୍ତ । ଏହି ନୀରବ ପଲ୍ଲୀରେ ମାନବ ସମାଜର ସେବା ପାଇଁ ଯେତେ ଅଗଣନ ସୁବିଧା ରହିଚି, ସେ ସବୁକୁ ଗ୍ରହଣ କରି ପାରିଲେ ତ ତାଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟଟା ବିରାଟ ଆକାରରେ ସଫଳ ହୋଇ ପାରିବ ।

 

ଆଉ ପଛ ଜୀବନର ସବୁ ଦୁଶ୍ଚିନ୍ତା, ଅପବାଦ ଏବଂ ଲାଞ୍ଛନାରୁ ନିଜର ସାମାଜିକ ବ୍ୟକ୍ତିତ୍ୱ ସହଜରେ ବଞ୍ଚେଇ ପାରିବେ ? ଏ ଯେଉଁ ବିଷାକ୍ତ ଶର ଘାତରେ ସେ ବିକ୍ଷତ ହୋଇ ପଡ଼ିଛନ୍ତି, ତାର ଉତ୍କଟ ବେଦନା ଏଠି ଆଉ ରହିବ ନାହିଁ ? ବାଧିବ ନାହିଁ ?

 

ନିରୁ, ରୁଦ୍ର, କଲେଜ, ପ୍ରିନ୍‌ସପାଲ, ସହର ସବୁ ଆଜି ବହୁ ଦୂରରେ । ସେ ନିଶ୍ଚିନ୍ତ । ଅବିଚଳିତ ।

 

କିଶୋର ବାବୁ ଅତି ସନ୍ତୋଷରେ ଫୁଲି ଉଠୁଥିଲେ ।

 

ସେଠି ସିନା ନିରୁକୁ ପରିତ୍ୟାଗ କଲେ ନିନ୍ଦା କରିବା ପାଇଁ ସହସ୍ର ଜ୍ୱିହା ଲହ ଲହ ହୋଇ ଉଠନ୍ତା ! ତା’ ସହିତ ସଂସାର କରି ବସିଲେ ଦୁର୍ନାମ ରଟେଇବାକୁ ହଜାର ଲୋକ ପାଟି ଆଁ କରିଥାନ୍ତେ ! କିନ୍ତୁ ଏଠି ?

 

ମାଷ୍ଟ୍ର ବାବୁ କହିଲେ, ଆଗ ଗାଧେଇ ପକାନ୍ତୁ ।

 

ହସି ହସି କିଶୋର କୂଅ ମୂଳକୁ ଗଲେ । ନୂଆ ଜୀବନ । ସରଳ ଜୀବନକୁ ଲାଗିଲା ଭଳି ନୂତନ ଅନୁଭୂତି ।

 

କଲେଜର ଗବେଷଣାଗାରକୁ ଗଲାବେଳେ କିଶୋର ବାବୁଙ୍କ ଘରର ଛାତ ଦିଶେ ।

 

ଡୁଡ଼ୁ ଖେଳ ମଝିରେ ଧଇଁ ସଇଁ ହୋଇ ଥବ୍‌କି ଗଲା ପରି ହଠାତ୍‌ ଠିଆ ହୋଇଯାଇ ହାଲିଆ ଆଖିରେ ରୁଦ୍ର ପ୍ରସାଦ ସେଇ ଆଡ଼କୁ ଚାହିଁଲା । ଚାରି ବର୍ଷ ହେଲାଣି ଏଇ ଗବେଷଣାଗାରର ଦୁଆର ଉପରୁ ସେ’ ଛାତ ସହିତ ପରିଚିତ । କିନ୍ତୁ ଆଜି, ଆଜି ତେଣିକି ଚାହିଁଲା ବେଳେ ପୁଚୁକା ନଡ଼ିଆର ତୀବ୍ର ଗନ୍ଧ ହୃଦୟରେ ଗୁରାଳି ହେଉଚି ।

 

ଆଇ.ଏସ୍‌.ସି. ସେକେଣ୍ଡ ଇୟରରେ ତିନି ବର୍ଷ କାଳ ଥକି ପଡ଼ି ସେ’ ଅସୁଆଦ ପାଠ ପଢ଼ାର ନିସତ ଘୋଷଣା କରି ଚାଲିଚି । କେବଳ ଢେଙ୍କି କୁଟିଛି । ଫେଲ୍‌ ଫେଲ୍‌ ଫେଲ୍‌। ଟଙ୍କା ଖର୍ଚ୍ଚ କରିଚି, ବାପାଙ୍କର ମନଟା ବି ଖାଲି ହୋଇ ଆସିଲାଣି । ତଥାପି ପାଠ । ପୁଅ ପାଠ ପଢ଼ିଲେ ସିନା ଉପାର୍ଜନ କ୍ଷମ ହୋଇ ପାରିବ । ନ ହେଲେ ଅନ୍ୟ ବାଟ ନାହିଁ । ସେ’ ଥରକୁ ଥର ମନ ଫିକା କରି ଟଙ୍କା ପଠେଇଚନ୍ତି ।

 

ଘରେ ଥିଲେ ମୁରବୀ ହୋଇ ସାରନ୍ତାଣି । ବୟସ ୨୫କି ଡେଇଁ ପଡ଼ି କେଳାର ମନ୍ତ୍ର, ମୁଗ୍‌ଧ ସାପକୁ ଖେଳେଇଲା ପରି ରୁଦ୍ରକୁ ଖେଳଉଚି । ରୁଦ୍ର ଖେଳୁଚି । ପାଠ । ରାତି ରାତି ଉନ୍ନିଦ୍ର ହୋଇ ପାଠ ପଢ଼ିଚି । ବର୍ଷ ବର୍ଷ କରି ତିନି ବର୍ଷ ଫେଲ୍‌ କରିଛି । ଗଧ । ଅନ୍ୟ କାମରେ ମନ ଦିଏ-। ଅଭିଭାବକଙ୍କ ସ୍ନେହ ରଜ୍ଜୁର ଫାନ୍ଦରୁ ବହୁ ଦୂରକୁ, ଗାଁରୁ ସହରକୁ ପଳେଇ ଆସିଚି।

 

ଘଣ୍ଟା ବାଜିଲେ କ୍ଲାସରେ ହାଜର ହେବା ପରେ ତା’ର ମନ ହୋଇଚି ନୀଳ ସମୁଦ୍ରର ନାବିକ ନଥିବା ନାବ । ମନ ଇଚ୍ଛା ଚାଲିଛି ଯୁବକ ମନ ।

 

ଏହି ତ କିଶୋର ବାବୁଙ୍କ ଘରର ଛାତ । ଗବେଷଣା ମନ୍ଦିରରୁ ଉଚୁକି ନେଉଚି ଲୟ, ସାଧନା, ଅଭିନିବେଶ, ସବୁକୁ । କାହାକୁ ନେଇ ସେ’ ଆଉ ପାଠ ପଢ଼ିବ ?

 

ବଖୁରିଏ ହୋଇ ଏକଲା ଘରଟାରେ ତାର ବସା । ଲାଡ଼୍‌ଜ । ହୋଟେଲ୍‌ରେ ଖାଏ । ଅନ୍ୟ ହୋଟେଲ୍‌ରେ ଜଳଖିଆ । ଦୋକାନରେ ସିଗାରେଟ, ପାନ, ଟୁଥ୍‌ପାଉଡର, ବ୍ରାସ, ଜୋତା, ବେଟ୍ରି, ବଲ୍‌ବ, ସ୍ନୋ, ଅଏଲ, ସୋପ ଏମିତି ଯେତେ ସବୁ ଦରକାର ।

 

ଯେତେ ଆବଶ୍ୟକତା ତାର ଅମେଣ୍ଟ ରହେ ନାହିଁ । ବାପା ତ ଟଙ୍କା ପଠଉଚନ୍ତି । ଚାଲିଚି ! ସିନେମା ଥିଏଟର, ରାତି ବୁଲା, ବନ୍ଧୁ ମିଳନ, ଗୁପ୍ତ ମନ୍ତ୍ରଣା; ଲଗାମ ଛିଣ୍ଡା ଯୁବକ ଜୀବନରେ ଯେତେ ଆକାଂକ୍ଷାର ଆଗ୍ରହର, ଉଷୁମ୍‌ କାମନାର ପରିତୃପ୍ତି ସମ୍ଭବ । ହେଁ ହେଁ, ପେଁ ପେଁ-। ଗଭୀର ଅନ୍ଧାରରେ କାହା ଝରକା କୋଣେ ଆଖି ଗଳେଇ ଅନେଇବା, ଯା’କୁ ବାହାର ଲୋକ କହନ୍ତି ଅନାଚାର । ଛାତ୍ର ସେ । କି ଭୟ ? ମନ ଭିତରେ ବୁଢ଼ୀଆଣି ପରି କେତେ ଅଠାଳିଆ ସୂତା ସାଇତି ରଖିଛି, ଜାଲ ବୁଣିବାକୁ, ଯଦି ଜାଲ ବୁଣିବା ପାଇଁ ଦରକାର ପଡ଼େ ।

 

ଆଇ.ଏ.ଫାଷ୍ଟ ଇଅରରେ ନାଁ ଲେଖେଇଲା ବେଳେ ନିରୁକୁ ପ୍ରଥମେ ସେ ଦେଖିଥିଲା । ବାସ୍‌ ସେତିକି । ସେ’ ଚେଷ୍ଟା କରିଚି କି ନାହିଁ କେଜାଣି, କିନ୍ତୁ ତା’ ମନକୁ ସବୁ ହୋଇଚି । ନିରୁ ତାର ବାନ୍ଧବୀ, ସହପାଠିନୀ । ତାର ସୁନ୍ଦର ପଣକୁ ଝୁରି ହୋଇଚି ରୁଦ୍ର । ଆପେ ଆପେ ସବୁ ହୋଇ ଯାଇଚି । କଲେଜ ଯିବା ଆସିବା, ଏତିକି ଭିତରେ ସବୁ ହୋଇତ ଯାଇଚି !!

 

ରୁଦ୍ର ଆଜି ନିଷ୍ଠୁର ଭୂତଙ୍କ ପରି ସେହି ଛାତ ଆଡ଼କୁ ଅନେଇ ରହିଚି । ସେଠି ରହିଯାଇଚି ତା’ ଜୀବନର ଗୋଟାଏ ବଡ଼ ଭୁଲ୍‍ । ଭୁଲ୍‌ର ଗଗନ ଫଟା ଫୁତ୍କାର । ଆଜି ସେ’ ନୂଆ କରି ଭୁଲ୍‌ ଅନୁଭବ କରୁଚି ଯେମିତି ।

ସହପାଠିନୀ । ନିଜ ବାହୁ ବନ୍ଧନ ଭିତରେ ତାର କୋମଳ ଦେହଟି ଜାକି ଧରିବା ପାଇଁ କେତେ ଦିନୁ ସେ ମନାସି ଆସିଚି । ନିରୁର ସେହି ଫୋଟୋ ପରି ଦେହଟାକୁ କେତେ ଥର ଘସି ହୋଇ ବସିଚି । କିନ୍ତୁ ଯେଉଁ ଗୋଟାଏ ଜୀବନ୍ତ ଉତ୍ତେଜନା, ଆକୁଳ ଶିହରଣ, ଅସ୍ଥିର କାମନା ମନ ଭିତରେ ରହି ଯାଇଚି, ରହି ଯାଇଚି ।

 

ରୁଦ୍ର ୨ୟ ବର୍ଷ ଫେଲ୍‌ ମାରିଚି । ପାଶ୍‌ କରି ନିରୁ କଲେଜ ଛାଡ଼ି କିଶୋରକୁ ବାହା ହୋଇ ସେହି ଘରେ ଲୁଚି ଯାଇଚି । ଅନେକ ଚେଷ୍ଟା କରି ରୁଦ୍ର ପାରି ନାହିଁ । ସେ’ ଛାତକୁ ବାର ବାର, ଘଡ଼ି ଘଡ଼ି, ଅନେଇ ରହିଚି । ଆଜି ବି ।

 

ଆଜି ବି ଅନେଇ ରହିଚି ସେ । ପଛ ଆଡ଼ୁ ନିରଞ୍ଜନ ଆସି କହିଲା, ‘‘କିବେ ? ତୋ’ର ପ୍ରେମ କରା ନିକିଲି ପଡ଼ିଚି ?

 

ରୁଦ୍ର ଚମକି ପଡ଼ିଲା । ନିରଞ୍ଜନ ତାର ସହପାଠୀ । ସାଙ୍ଗ । ଦୋସ୍ତ୍‍ । କଣ କହୁଚି ସେ’-। ପ୍ରେମ–କରା ନିକିଲି ପଡ଼ିଚି ? କଣ କହୁଚି ଇଏ ?

 

ରୁଦ୍ର ଜବାବ ଦେବାକୁ ଆଗେଇ ଆସିଲା । ତୁନେଇ ତୁନେଇ ପଚାରିଲା, କଣ ହେଲାରେ ?

 

ପ୍ରଫେସର ଏବ୍‌ସ୍କଣ୍ଡ.....

 

ପଳାତକ ହୋଇଛନ୍ତି ପ୍ରଫେସର କିଶୋର ! ଭଲ ଲୋକ । ଯା’ର ନା’ ଶୁଣିଲେ ପିଲାମାନେ ଭକ୍ତିରେ ହେଉ କି ଲାଜରେ ହେଉ କି ଅଭିମାନରେ ହେଉ, ମୁଣ୍ଡ ନୁଆନ୍ତି । ହଁ ସେଇ । ସେ’ ଆଜି ପଳାତକ । ରୁଦ୍ର ଲାଗି । ତାର ବ୍ୟର୍ଥ ଚେଷ୍ଟା ଲାଗି ।

ଓଃ କି ମାରାତ୍ମକ ଭୁଲ୍‌!

ତା’ ଛାତ୍ର ଜୀବନର ଏହା ଛାତି ଫଟା ଭୁଲ୍‌ ନୁହେଁ ଆଉ କଣ ? ତଥାପି ରୁଦ୍ରର ମନରେ କୁଳୁ କୁଳୁ ହୋଇ ଆତ୍ମ ବିଭୋରତାର ଝରଣା ଛୁଟିଛି ।

ସତେରେ ନିର, ନିରୁ ଉପରେ ଏବେ ବିପଦ୍‌। ଦେଖ୍‌ତି ମୋ’ ନାଁ କେଉଁଠି ପ୍ରକାଶ କରିବୁ ନାହିଁ ।

ନିରଞ୍ଜନ ହସିଲା ।

ରୁଦ୍ର ବି !

ଏମିତି ହସରେ ଆନନ୍ଦ ଅଛି । ବୟସର ନିର୍ଲ୍ଲଜ ଅଭିରୁଚିରେ ଜୀବନଟା, ମଣିଷର ଓଜନିଆ ସଂସ୍ଥା ଠାରୁ ଯେଉଁ ଗୋଟାଏ ଶାଗ କିଆରିର ହିଡ଼ ପରି ବ୍ୟବଧାନ ସରଜି ଦିଏ, ସେହି ବ୍ୟବଧାନ ଭିତରେ ଏ ହସର ଫୂର୍ତ୍ତି ଅଛି ।

ଏବେ ହୁଏତ ରୁଦ୍ରର ମନେହୁଏ, ତା’ର ତରୁଣ ବନ୍ଧୁଗଣ କେତେ ବାହାପିଆ ଦେଖେଇଲେ ବି କଣ ଏମିତି ଗୋଟିଏ ଉଦାହରଣ ଦେଇ ପାରିବେ ?

ସେଥିପାଇଁ ତାକୁ ଏକ୍ଷଣି ହସ ମାଡ଼ୁଚି ।

ନର୍ତ୍ତକୀର ଗହୀରିଆ ହସ ପରି ଟିକିଏ ମୁଚୁକି ମାରିଦେବା ଭିତରେ ଉଗାଳି ପକଉଚି ସବୁ ଇତିହାସ । ବିଗତ କାହାଣୀ !

କେବଳ ପୋଢ଼ ଆଉ ଗୋରୁ ଗୋଠ ନେଇ ଘାଣ୍ଟି ହେଉଥିବା ଲୋକଙ୍କ ମଝିରେ ଓଟ ଟିଏ ଖେଁ ଖେଁ କରି ଖିଁଙ୍କାରି ହେଉଥିଲା ଭଳି ବିବାହର ବାସ୍ନା ଶୁଘିଂ ନଥିବା ଟୋକା ଟାକିଳିଆଙ୍କ ଖିଙ୍କାର ଭିତରେ ସେ’ ଗୋଟାଏ ପ୍ରେମିକ !

ରୁଦ୍ର ପ୍ରସାଦ ଯାହାକୁ ପାରି ପ୍ରେମ କରେ; ନ ହେଲେ ପ୍ରେମ କରିବାକୁ ଚେଷ୍ଟା କରେ; ଏତିକି ତା’ ଛାତ୍ର ଜୀବନର ନିରାଟ ସତ୍ୟକୁ ସେ’ ଛପାଏ ନାହିଁ ।

କାହାକୁ ନ କହିଲେ ମଧ୍ୟ, ଯେତେ ଲୁଚେଇ ଲୁଚେଇ କରି ଥିଲେ ବି ମଣିଷର ସବୁ ଭଲ ମନ୍ଦ କଥା ପଦାକୁ ଆପେ ଫୁଟି ଆସେ । ଚାରିଆଡ଼େ ଚହଟି ଯାଏ ।

କିନ୍ତୁ ଏ ସବୁ ଭାବିଲା ବେଳେ ରୁଦ୍ର କେବେ ନିଜର ପଛ ଓ ଏବେ ଜୀବନ କଥା ଭାବେ ନାହିଁ । ଭାବୁଥିଲେ ବୋଧହୁଏ ସେ’ ଏପରି ଖୁସ୍‌ ମିଜାଜ୍ ହୋଇ ରହିପାରି ନଥାନ୍ତା । ହସି ପାରୁ ନଥାନ୍ତା । ଆଉ ଚାରି ସାଙ୍ଗକୁ ହସେଇ ପାରୁ ନଥାନ୍ତା ।

କେବେ ସେ’ କଣ ହୋଇଥିଲା କି ନ ହୋଇଥିଲା, ଏବେ କଣ ଅଛି ଏବଂ ତେଣୁ ତା’ର କଣ କରିବା ଓ ନ କରିବା ଉଚିତ, କିଛି ସେ’ ଭାବେ ନାହିଁ । ହୁଏତ ଭାବିବାରେ ତାର ଲୟ ନାହିଁ କିମ୍ୱା ସେ’ ଭାବି ପାରେ ନାହିଁ ।

ସୁତରାଂ ପରିସ୍ଥିତି କେବେ ହଟିଯାଏ ନା । ଏହି ସହରର ବହୁତ ଦୂରରେ ତାର ଅତୀତ ଆଉ ବର୍ତ୍ତମାନର ସବୁ ଅବସ୍ଥିତିକି ଛାଡ଼ି ଦେଇ ଆସିଥିଲେ ବି ସେ’ ଗୁଡ଼ିକ ମରି ନାହାନ୍ତି । ସେ ଏଠି କୌଣସି କଥାକୁ ଦେହ ନ ଲଗେଇ ମନ ଖୁସିରେ ଧାଇଁ ବୁଲୁଥିଲେ ବି ନିଜର ସାମାଜିକ ଓ ନାଗରିକ ଅବସ୍ଥାର ଲାଞ୍ଜ ସେ’ ମୁଣ୍ଡ ଯାଏ ଲମ୍ୱି ରହିଚି । ସୁବିଧା ପାଇଲେ ସେହି ମୁନିଆ ଲାଞ୍ଜଟା ତାଳୁରେ ଭୁଷି ହୋଇଯିବ । ଦେହ ଚହଲି ପଡ଼ିବ । ମନରେ ଗରଳ ଚଢିବ ।

ଜଗତରେ ଏମିତି ଲୋକ ଗୁଡ଼ାଙ୍କୁ ସହଜେ ବୁଝି ହୁଏ ନାହିଁ । ତେଣୁ ହଠାତ୍‌ ବିଶ୍ୱାସ କରି ହୋଇଯାଏ । ଫଳରେ ସମାଜ ହୁଏ ନିନ୍ଦନୀୟ । ଜୀବନରେ କଳଙ୍କର ମସିଆ ଦାଗ ଲାଗେ ।

 

ସେ’ କିଏ ଏବଂ କଣ ?

 

କେବେ ହେଲେ ମନ ଖୋଲି କାହାକୁ ଜଣେଇ ନାହିଁ । ନ ବୁଝି ନ ସୁଝି ଯେଉଁମାନେ ତାର ହୃଦୟ ଭିତରକୁ ଲାଗି ଆସିଛନ୍ତି, ସମସ୍ତଙ୍କୁ ସେ ଯନ୍ତ୍ରଣାର ଇଞ୍ଜେକ୍‌ସନ୍‌ ଦେଇ ଚିତା କାଟିଛି-। ଯେମିତି କି ନୀଳିମା ତାକୁ ବିଭା ହେବି ବୋଲି ବୋଲି ନିରାଶ ହୋଇଚି । ପିଲା ଦିନୁହିଁ ସେମିତିଟା ସେ ।

 

ମଫସଲର ବ୍ରାହ୍ମଣ କୂଳରେ ଜନମ ଲଭିଚି ବୋଲି ସବୁଠାରେ ଟିକିଏ ଆଖି ଦୃଷ୍ଟିଆ ହୋଇ ଛିଡ଼ା ହୋଇପାରେ । ମଫସଲିଆ ଆବ୍‌ହାଉଆ ତାକୁ ଏ ସୁବିଧା ଦେଇଥିଲା ।

 

ଗାଁର ଟିକିଏ ଟିକିଏ ଇଂରାଜୀ ଜାଣିଥିବା ଲୋକ ହିସାବରେ ହରେକୃଷ୍ଣ ମିଶ୍ରଙ୍କର ଏ ପାଖେ ସେ’ ପାଖେ ଟିକିଏ ନା ଥିଲା । ରୁଦ୍ର ପ୍ରସାଦ ତାଙ୍କର ଜ୍ୟେଷ୍ଠ ପୁଅ ।

 

ନିଜେ ଜଣେ ତଥାକଥିତ ଜାଣିମା ଲୋକ ହୋଇ ହରେକୃଷ୍ଣ ପୁଅକୁ ପାଠ ନ ପଢ଼ାନ୍ତେ କିପରି ? ଜାଣିମା ଲୋକ ! ହଁ ହଁ ସେ’ତ ମନେ କରନ୍ତି ଭାରତର ପ୍ରାୟ ଚାଳିଶି କୋଟି ଲୋକଙ୍କ ଭିତରୁ ଅନେକ ଲୋକଙ୍କ ସଙ୍ଗେ ତାଙ୍କର ପରିଚୟ ଅଛି । ଶାସନ ଆଉ ସାଧାରଣ ଜୀବନ ଭିତରେ ଯେଉଁ ସମ୍ପର୍କର କ୍ଷେତ୍ର କେତେ ଏକର ରହିଥାଏ, ସେଥିରେ କଲମ ଚାଷ କରିବାରେ ସେ’ କେବଳ ଧୁରନ୍ଧର ଜଣେ ।

 

ବହୁତ ଦିନ ତଳର କଥା ।

 

ସେତେବେଳେ ଏହି ମଫସଲ ଅଞ୍ଚଳରେ ଆଉ କେହି ଇଂରାଜୀ ପଢ଼ୁଆ ନଥିଲେ । ଇଂରାଜୀ ପଢ଼ିଛନ୍ତି ବୋଲି ତାଙ୍କର ବେଶ ଭୂଷା, ଚାଲି ଚଳଣ, ସବୁଥିରେ ଥିଲା ସ୍ୱାତନ୍ତ୍ର୍ୟ । ତେଣୁ ସେ’ ସାଧାରଣ ଲୋକଙ୍କଠୁ ଅଧିକ ସୁବିଧା ବି ପାଇଥିଲେ । ଯଦି କେଉଁଠି ଚୋରୀ, ଜୁଆଚୋରୀ କି ଦଙ୍ଗା ହଙ୍ଗାମା ହେଉଥିଲା, ଡାକରା ଆସୁଥିଲା ।

 

‘‘ବୁଝିଲେ ହରେକୃଷ୍ଣ ବାବୁ, ଆପଣଙ୍କ ପରି ଜାଣିମା ଲୋକେ ଯଦି ଆମ୍ଭମାନଙ୍କୁ ସାହାଯ୍ୟ ନ କରିବେ, ଆମେ ଆଉ କଣ କରିବୁ ?’’ ସିଗାରେଟ ଖଣ୍ଡେ ବଢ଼େଇ ଦେଉ ଦେଉ ଇନ୍ସପେକ୍ଟର ବାବୁ ଖୁସାମତ କରୁଥିଲେ ।

 

ଯଦି ତାଲୁକ ଅଫିସର ବାଟରେ ଦେଖନ୍ତି, ପଚାରନ୍ତି ‘‘ଓଃ ହରେକୃଷ୍ଣ ବାବୁ, ଆସନ୍ତୁ ଆସନ୍ତୁ–ସବୁ ଭଲ ତ ? ବହୁତ ଦିନ ହେଲା ଆପଣଙ୍କ ଅଞ୍ଚଳକୁ ଯାଇପାରି ନାହିଁ । ସେ’ କଥାଟା କଣ ହେଲା ?’’

 

କେଡ଼େ ଗୌରବ !

 

‘‘ଆପଣ ଗନ୍ତାୟତ ବାବୁଙ୍କ ଭାଈ ଭାଗ ସାଲିସ୍‌ କରିବାକୁ ଗଲା ଦିନୁ ଆମେ ଅପେକ୍ଷା କରିଚୁ ଆଜ୍ଞା; ଆଜି ଟିକିଏ ଆମ କଥାଟା ବୁଝି ଦିଅନ୍ତୁ ।’’

 

‘‘ବୁଝିଲେ ଆଜ୍ଞା, ମୁଁ ପିଟିସନ କରିଥିଲି । ଆପଣ ତ ଲେଖିଥିଲେ, ସବୁ ଜାଣନ୍ତି । ମାତ୍ର ସେ ପିଟିସନ କଥା ପୁଲିସ କିଛି ବୁଝିଲେ ନାହିଁ । ଅନୁମାନ ହେଉଚି, ଭିତରେ ଭିତରେ ହଜାରେ ଖଣ୍ଡେ ବାଜି ଯାଇଚି । କହନ୍ତୁ, ଏବେ କଣ ଆଉ ଉପରକୁ ନେଖିବା ?’’

 

ଥୋମଣୀ ଅଣ୍ଡାଳି ହରେକୃଷ୍ଣ ନିଜ ଜାଣିମା ପଣିଆରେ ଦୋଳି ଖେଳନ୍ତି । ତେଣୁ ନିଜ ମୁତାବକ ପୁଅକୁ ଗଢ଼ିବା ପାଇଁ ସେ’ ପାଞ୍ଚ ବର୍ଷ ବେଳୁ ରୁଦ୍ରକୁ ଗାଁ ଇସ୍କୁଲରେ ଭର୍ତ୍ତି କରି ଦେଇଥିଲେ ।

 

ପିଲାବେଳେ–

 

ଜାଣିବାର ବାପା ଓ ଉଚ୍ଚ ଜାତିର ଚହଟ ଚିକ୍କଣ ବାହାପିଆ ପଣର ଉଲୁଗୁଣା ଭିତରେ ରୁଦ୍ର ପ୍ରସାଦର ଉଦ୍ଦଣ୍ଡ ଜୀବନ ଗଜରି ଉଠିଥିଲା ।

 

ସେ’ ବଡ଼ ଜିଦ୍‌ଖୋର ଥିଲା । ଯାହା ଚାହୁଁଥିଲା, ଶତମନା ଓ ମାଡ଼ କହୁଣି ସତ୍ୱେ ତା’ ନହେଲା ଯାଏ ଛାଡ଼ୁ ନଥିଲା ।

 

ଇସ୍କୁଲରେ ନା’ ଲେଖାଇଲା ।

 

ଗାଁ ଇସ୍କୁଲ ପାଠ । କ, ମ, ଚ । କଣ ଅଛି ସେଥିରେ ? ଜୀବନ, ଆନ୍ତରିକତା, ନା ନିଆଁ ଦରହପୋଡ଼ା ?

 

ହକ୍‌ପଇସା ଗଣି ପିଲେ କିଣୁଛନ୍ତି ବହି । ପାଠ ପଢ଼ା ଚାଲିଚି ।

 

କଟକରୁ ଅର୍ଡର ପାଇ ଢେଙ୍କାନାଳର ନିଧି ପଟ୍ଟନାୟକ ଶିକ୍ଷକ ନିଯୁକ୍ତ ହୋଇଥିଲା । କୋରାପୁଟର ଏହି ଲଷମିଆ ମୁହଁ ପରି ବଣୁଆ ଜାଗାଟାରେ । ରୁଦ୍ର ହେଲା ତାଙ୍କରି ଛାତ୍ର ।

 

ନିଧି ମାଷ୍ଟ୍ର ତ ସବୁରି ସଙ୍ଗାତ । ଯେଉଁଠି ଚିଲମ୍‌ର ବାଷ୍ପ ବିସ୍ଫୋରଣ, ସେଠି ତ ତା’ର ଘର ।

 

ମାଷ୍ଟ୍ର ହେଇଚି ଯାହା !! ଆଉ କଣ କରନ୍ତା ? ଢେଙ୍କାନାଳର ଦୁର୍ଗନ୍ଧ ପଚ ପଚ ପାଣି ନାଳିଆ ପାଖ ଘରଟାରେ ଜନମ ହେଇଥିଲା । ବାପାଙ୍କର ନାଲି ଆଖି, ବିଧା ଚାପଡ଼ା, ମା’ଙ୍କର କାନ୍ଦ କାନ୍ଦ ଅନୁରୋଧ, ଆଉ ରୁନ୍ଧା ଆଖିର ତତଲା ପାଣିର ଆବେଦନ ଭିତରେ କଷ୍ଟେମଷ୍ଟେ ପ୍ରାଇମେରୀ ଯାଏ ଉଠିଥିଲା । ତା’ ପରେ ଆଉ ଜମା ଇସ୍କୁଲ ଗଲା ନାହିଁ କି ଘରକୁ ଗଲା ନାହିଁ । ବାପା ବିଚରା ବିସ୍‌କୁ ହୋଇ ତାର ଭଲ ପଣ ଆଶା ଛାଡ଼ି ନୀରବ ହେଲେ । ଘରୁ ତଡ଼ିଲେ । ସବୁବେଳେ ଗାଳି ମନ୍ଦ । ବାହା ବି କରେଇଲେ ନାହିଁ ।

 

ଆଉ କଣ କରନ୍ତା ? ଆଠ ବରଷ କାଳ ଏଠି ସେଠି ବୁଲିଲା । ଦୋକାନ, ହୋଟେଲ, ଦେବାଳୟ କେତେଠି ଚାକିରୀ କଲା । ସବୁଠି ତ କଷ୍ଟ ପଡ଼ିବାକୁ ହୁଏ । ଗାଳି ଶୁଣିବାକୁ ପଡ଼େ । ବିରକ୍ତ ହୋଇ କାର୍ଯ୍ୟ ଛାଡ଼ିଲା । ତଡ଼ା ଖାଇଲା । ଆଉ କଣ କରନ୍ତା ?

 

ଶେଷରେ ମାଷ୍ଟ୍ର ! ଶସ୍ତା ଚାକିରୀ । ଦରମା କମ୍‌ ହେଲେ କି ହେଲା, ମନ ଇଚ୍ଛା ଚଳିବାକୁ ସୁବିଧା ଅଛି । ଯେତେ ଯେତେ ସ୍ୱେଚ୍ଛାଚାର କଲେ ବି ଦରମା ଗଣ୍ଡାକ ଦୁଆର ପଇଠ । ବେଶ୍‌ ବାଟ ପାଇଚି । ସୁଖରେ ଅଛି ।

 

ନିଧି ମାଷ୍ଟ୍ରକୁ ରୁଦ୍ର ବେଶ୍‌ ପସନ୍ଦ କରୁଥିଲା । ଓଳିଏ ପାଠ କହି ତିନି ଦିନ ଛୁଟି । ହେଣ୍ଡି ମାରି ବୁଲିବାକୁ ତାକୁ ସୁବିଧା ମିଳେ ।

 

ଯଦି ଅକାଳେ ସକାଳେ ନିସତ ଲାଗିଲା, ‘ଇସ୍କୁଲ ଯାଉଚି’ କହି ଗାଁ ତଳ ସାହିରେ ଆତ୍ମ ଗୋପନ କରି ଖେଳରେ ମନ ଦେଲେ ବି ଅଭିଯୋଗ ଉଠେ ନାହିଁ । ‘ଆଜି ମାଛ ତିଅଣ ଟିକିଏ ଆଣିଦେବି ମାଷ୍ଟ୍ରେ’ ? ଆଗତୁରା ସେ’ ମାଷ୍ଟ୍ରଙ୍କୁ ହାତ କରିନିଏ ।

 

୧୩ବର୍ଷ ବୟସ ବେଳକୁ ରୁଦ୍ର ନିମ୍ନ ପ୍ରାଇମେରୀ ପାଶ୍‌କରିଥିଲା । ପାଶ୍‌କଣ ?

 

ନିଧି ମାଷ୍ଟ୍ରତ ସବୁ ବର୍ଷ ତାକୁ ପାଶ୍‌କରି ଦେଉଥିଲା । ମାତ୍ର ପାତ୍ର ମାଷ୍ଟ୍ରେ ତାକୁ ‘ଗଧ’ ‘ଗଧ’ ବୋଲି ଗାଳି ଦିଅନ୍ତି । ଗୋଟିଏ କ୍ଲାସରେ ଦି’ ଦି ବରଷ ଅଟକାନ୍ତି । କେତେ ଅଟକେଇବେ । ପିଲାଙ୍କୁ ବେଶୀ ଅଟକେଇ ରଖିଲେ ବି କଣ ରକ୍ଷା ଅଛି ? ଇନ୍ସପେକ୍ଟର ରିମାର୍କ ଲେଖି ଦେବେ, ଏ ମାଷ୍ଟ୍ର ଭଲ ପଢ଼ାନ୍ତି ନାହିଁ । ଜୀବନରେ ଗୋଟିଏ କଳା ଦାଗ । ଅଙ୍କ ଖର୍ଚ୍ଚ କରି ସେ’ ପାଶ୍‌କରେଇ ନିଅନ୍ତି ।

 

ଚଉଦ ବର୍ଷ ବୟସରେ ରୁଦ୍ର ପ୍ରାଇଭେଟରେ ପଢ଼ିଲା । ପାଠରେ ଏତେ ନିଉନ ଦେଖି ଚଲାକ ହରେକୃଷ୍ଣ ହଠାତ୍‌ ସହରର ବଡ଼ ଇସ୍କୁଲରେ ତାର ନା ଲେଖେଇଲେ ନାହିଁ । ଏତେ ତର ତର କାହିଁକି ? ବର୍ଷେ ଫେଲ୍‌ କଲେ ହଜାରେ ଟଙ୍କା ମାରା ହେବ । ବୟସ ଯେତେ ବଢ଼ୁଚି ବଢ଼ୁ । ନା’ ଲେଖେଇଲା ବେଳକୁ କିଏ ଆଉ ଜାତକ ଗଣଉଚି କି ?

 

‘‘କହନ୍ତୁ, ପିଲାର ବୟସ କେତେ ?’’

 

ଷୋହଳ ପାଖରେ ଦଶ କହିଦେଲେ କାମ ତୁଟେ ।

 

ସେମିତି ହିଁ ହୋଇଥିଲା ।

 

ପନ୍ଦର ବର୍ଷ ଗଡ଼ିଗଲା ପରେ ଅଷ୍ଟମ ଶ୍ରେଣୀରେ ରୁଦ୍ର ବଡ଼ ଇସ୍କୁଲରେ ଜଏନ କରିଥିଲା । ତା’ ପରେ ଗାଡ଼ି ଗାଡ଼ି ପୋଥି କିଣା ଆଉ ବିଡ଼ା ବିଡ଼ା ନୋଟ ନଷ୍ଟ ପଛରେ ଇତିହାସ ଗଢ଼ି ଗଢ଼ି ସେ’ ଆଜି ଯାକେ ଚାଲିଚି ।

 

ପନ୍ଦର ବର୍ଷର ଭେଣ୍ଡା ପୁଅଟା ଯେତେବେଳେ ସହରରେ ଘର କରି ରହିଲା, ମା କାନ୍ଦିଥିଲେ, ‘ଧନଟା ମୋର, ବାଇଆଟା । ଏକୁଟିଆ ଯାଇ କେଉଁଠି କଣ ଖାଇବୁ ? କେତେ ଗାଳି ତକରାଳରେ ଦି’ ଓଳି ଦି ଗୁଣ୍ଡା ଖାଏ । ଆଜି ଭଲ ଟିକିଏ କି ଅସାର ଟିକିଏ । କେଜାଣି ମା, କେମିତି ତୁଣ୍ଡ ମୁଣ୍ଡ ମେଲାଇ ପଡ଼ି ରହିବ ସେଠି ।’

 

ତହିଁ ଆର ବର୍ଷ ମାଙ୍କ ସାଙ୍ଗରେ ରୁଦ୍ର ମାମୁଁ ଘରକୁ ନବରଙ୍ଗପୁର ଯାଇଥିଲା । ମାମୁଙ୍କ ପଡ଼ିଶା, ଇସ୍କୁଲ ମାଷ୍ଟ୍ରଙ୍କ ଘରେ ତାର ସମ୍ୱନ୍ଧ ପଡ଼ିଥିଲା । କଥା ପଡ଼ୁ ପଡ଼ୁ ମାଷ୍ଟରାଣୀ କହିଥିଲେ, ‘ମୋ’ର ଏ ଝିଅଟାକୁ ନେଇ ଯାଆନ୍ତ କି ହେଲେ ?’

 

ପଚାରିଲା ଆଖିରେ ସେ’ ଚାରି ଆଡ଼କୁ ଚାହିଁଥିଲେ । ରୁଦ୍ରର ମାଇଁ କହିଥିଲେ, ମୁଁ କଣ କହୁଥିଲି କି ? ତର ତର ହେଲେ ହେବ କେମିତି ?

 

ମାତୃତ୍ୱର ହକ୍‌ ମଝିରୁ, ସ୍ୱାଭାବିକ ଅନୁରାଗର ପ୍ରେରଣାରେ, ଗୌରବର ଖଜା ଖାଇବାକୁ ରୁଦ୍ରର ମା ଆଗେଇ ପଡ଼ି ମାଷ୍ଟ୍ରଙ୍କ ଝିଅ ମଞ୍ଜୁଳାର ବେକରେ ମାଳଟିଏ ପିନ୍ଧାଇ ଦେଇଥିଲେ ।

 

ପ୍ରଥା–

 

କିଏ କଣ କରିବ ? ଯାହା ପ୍ରଥା ହୋଇ ଦେହ ଦେହକ ଦେଇ ଗଡ଼ି ଆସିଚି, ତାର ଗଡ଼ନ୍ତି ପଥରେ ଗଡ଼ିବା ପାଇଁ ବାରଣ କରିବାରୁ ସାହସ କାହାରି ଥାଏ ନାହିଁ । ହୁଏ ବି ନାହିଁ ।

 

ଇଚ୍ଛା ନଥିଲେ ବି ହରେକୃଷ୍ଣ ବାବୁ ବାରଣ କରି ନ ଥିଲେ । ସ୍ତ୍ରୀଙ୍କର ଲମ୍ୱିଲା ଓଦାଳିଆ ଆଗ୍ରହ ନିକଟରେ ନିଜର ଆଧୁନିକ ଇଚ୍ଛାକୁ ହତ୍ୟା କରିବାକୁ ବାଧ୍ୟ ହେଲେ ।

 

‘‘କଣ କରନ୍ତି ଆଉ ? ଘରେ ତ ରଖେଇ ଥୋଇ ଦେଲେ ନାହିଁ । ବୋହୂ ପିଲାର ମାଙ୍କୁ କେବେ କଣ କହିଦେଇ ଥିଲେ ଯେ, ସେୟା ହିଁ ହେବାଚେଇଁ । ନ ହେଲେ ଏଡ଼େ ମୁହଁ । ଫଣ ଫଣ, ଗଣ ଗଣ । କଣ କରାଯାଏ ? ଏ ଅକୁହାର ମାଇପି ଜାତି ତ ଆମ ଲୋକଙ୍କୁ ଶତ୍ରୁ ! ଅଧିକରେ ଧିକ ଏ ଓଡ଼ିଆ ମାଇପିଙ୍କୁ ! ପୁଅର ଭବିଷ୍ୟତକୁ କଣ ନିଘା ଅଛି ? ସେତେବେଳେ ମୁହଁରେ ଲୁଗା ଦେଇ ବାହୁନି ବସିବେ ।’’

 

ରୁଦ୍ର ବି ବାରଣ କରି ନଥିଲା । ଯାହା ହେବାର ତା’ ହିଁ ହେବ । ସେ’ କୌଣସି ଦୁଶ୍ଚିନ୍ତାକୁ ମନରେ ଥାନ ଦେଇ ନାହିଁ । ବାହା ହେବା ପଛରେ ତା’ ମନରେ ଟିକିଏ ‘କିନ୍ତୁ’ ଥିଲେ ବି ରହିଥିଲା ପ୍ରଚ୍ଛନ୍ନ ଆନନ୍ଦ ! ଶ୍ୱଶୁର ଶିକ୍ଷିତ । ଝିଅଟା ବି ପଢ଼ା ପଢ଼ି କରୁଚି । ବାସ୍‌, ଏତିକି ।

 

ଅନଭିଜ୍ଞ ତରୁଣ ମନରେ ଆଉ କି ବିବେଚନାର ସ୍ତର ଉଠନ୍ତା ? ତରୁଣ ମନର ତରଳ କଳ୍ପନା ସ୍ୱଚ୍ଛନ୍ଦ ଯେମିତି ସରଳ ସେମିତି । ସମାଜର ଦାଢ଼ ଆଁ ଭିତରେ ପଡ଼ିଲେ ଲିଆବଡ଼ି ଭଜା ପରି କାଡ଼ୁମ୍‌ କାଡ଼ୁମ୍‌ ଚୋବେଇ ହେବାକୁ ହୁଏ ବୋଲି ସେ’ ଜାଣି ନଥିଲା । ସ୍ୱଚ୍ଛନ୍ଦ କଳ୍ପନା ରୁଦ୍ରର ଚଲ୍‌ ଚଲ୍‌ ଜଘଂ ଉପରେ ମଞ୍ଜୁଳାର ଗାଢ଼ ମଞ୍ଜୁଳ ଦେହଟିକୁ ବସେଇ ଦେଇ ନଚଉ ଥିଲା । କଲମର ହୋଲଡର ପରି ତାର ମୁଠେ ଅଣ୍ଟା ପାଖରେ ଦୁଇ ହାତକୁ ଗୁଡ଼େଇ ରଖୁଥିଲା ।

 

ସୁନ୍ଦର ! ମାରବାଡ଼ି ଦୋକାନର ନୀଳ ବିଜୁଳି ଆଲୁଅ ପରି ସ୍ୱଚ୍ଛ ସୁନ୍ଦର ଭବିଷ୍ୟତର ଦିହ ଲଗା ଲଗି କଳ୍ପନା ମନରେ ଛୁଟେଇ ଥିଲା ଚଇତ ପରବ ଗୀତର ମୂର୍ଚ୍ଛନା ।

 

ସେ’ ଏମ.ଏ. ପାଶ କରିବା ପରେ ହୁଏତ ଡେପୁଟି ଫେପୁଟି ଖଣ୍ଡେ । ଚକା ଚକା ସୁନା ଫ୍ରେମ ବନ୍ଧା ଚଷମା, ମୋଟର, ଦୋ’ମହଲା, ହସ ଆଉ ସନ୍ତୋଷ ଖଳ ଖଳ ଜୀବନ । ତା’ ଭିତରେ ବିରହୀ ଶଯ୍ୟାର ପବନ ଭରା ତକିଆ ପରି ନରମ ଝିଅ–ଦେହଟିଏ, ମଞ୍ଜୁଳା ! କି ସୁନ୍ଦର ।

 

ବେଳ ପାଇଲେ ଏପରି କେତେ ସେ’ କଳ୍ପନାର ଦୋଳିରେ ଝୁଲି ଉଲ୍ଲସି ଉଠୁଥିଲା ।

 

ଯେତେବେଳେ ତାକୁ ବାଇଶି ବର୍ଷ, କଲେଜର ସେକେଣ୍ଡ ଇୟରରେ ଚକା ଚକା ଭଉଁରୀ ଖେଳି ବୁଲୁଥିଲା, ସେତେବେଳେ ମଞ୍ଜୁଳା ରୁଦ୍ରର କଳ୍ପନାର ସଙ୍ଗିନୀ ନୁହେଁ, ହରେକୃଷ୍ଣ ବାବୁଙ୍କ ବୋହୂ ଓ ରୁଦ୍ରର ପତ୍ନୀ ଓ ସହଧର୍ମ୍ମିଣୀ ହୋଇ ଘରକୁ ଆସିଲା ।

 

ପ୍ରଥମ ଦିନ ରୁଦ୍ର ମଞ୍ଜୁଳାକୁ ତା’ କଳ୍ପନାର ମଞ୍ଜୁଳା କରି ପାଇଥିଲା । ତା’ ପରେ ?

 

ହଁ । କିନ୍ତୁ....

 

ସେ’ କିଛି ଭାବି ପାରିଲା ନାହିଁ । କିଛି ବାରି ପାରିଲା ନାହିଁ । ଏଇ ମଞ୍ଜୁଳା ତା’ କଳ୍ପନାର ମଞ୍ଜୁଳା ନୁହେଁ । ସେ’ ଅସ୍ତବ୍ୟସ୍ତ ହୋଇ ପଡ଼ିଲା । ସୁତରାଂ ତା’ ବିଚାରରେ ସ୍ୱାଭାବିକ ଗଭୀରତା ନ ଥିବାରୁ କୌଣସି ମୀମାଂସାରେ ନ ପହଞ୍ଚି କଲେଜ ଆଉ ସ୍ୱାଧୀନ ଛାତ୍ରାବସ୍ଥାର ସୁଯୋଗ ଭିତରେ ହୃଦୟ ଓ ମନକୁ ହଜେଇ ହଜେଇ ଚାଲୁଥିଲା ।

 

ପାଇଖାନାର ଇଟା ଉପରେ ବସି କୁନ୍ଥେଇଲା ବେଳେ ବି ନିରୁପମାର ଛାଇକି ସେ’ ଖୋଜୁଥିଲା ମନ ଭିତରେ, ଦୋ’ ତାଲାର ପରଦା ଫାଙ୍କରେ । ମଞ୍ଜୁଳାର ଆଖି ପଛରେ ।

ଅବଶ୍ୟ ମଞ୍ଜୁଳାକୁ ଭୁଲିପାରୁ ନଥିଲା । ତଥାପି ନିଜର ଅଜଣାରେ ଭୁଲିଯିବା ପାଇଁ ସାଧନା କରୁଥିଲା ସେ ।

 

ସେଥିପାଇଁ–

 

ନିରୁପମାର ମନରେ ତୀବ୍ର ପବନରୁ ବତାସର ସୃଷ୍ଟି କରିଚି ଚିନ୍ତା । ଘର ତାର ଉଜୁଡ଼ି ଯାଉଚି । ତାକୁ ଏ ଘର, ଏ ଫୁଲ ବଗିଚା ଛାଡ଼ି ଚାଲି ଯିବାକୁ ପଡ଼ିବ । ବିବାହ ପରେ ପରେ ଯେଉଁ ଘରେ ତାର ସୁଖର ସଂସାର ଗଢ଼ି ଉଠିଥିଲା ତରୁଣ ପୁରୁଷର ହାତ ଧରି, ଚଞ୍ଚଳ କାମନାକୁ ଶାଣ ଦେଇ ଦେଇ ମାଜିଥିଲା ନିଜର ଚପଳ ଦେହ ଦେଇ; କୋଳ ପୁରେଇ ସନ୍ତାନ ଜନ୍ମ କରିଥିଲା ।

 

ସେହି ଘର ଛାଡ଼ି ଚାଲି ଯିବାକୁ ପଡ଼ିବ ! କି’ ସାଘାଂତିକ !

 

ଅବିବାହିତ ତରୁଣ ପ୍ରିନ୍ସପାଲ କହୁଥିଲେ । ‘‘ମୋ’ ଘରକୁ ଆସ ।’’ ତାଙ୍କରି ଘର ! ଇସ୍‌! ପର ଘରେ ଶେଷରେ ତାକୁ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବ ? ଓଡ଼ିଆ ଘରର କୂଳ ବୋହୂ ! ସ୍ୱାମୀଙ୍କର ଅନୁପସ୍ଥିତିରେ ଏକ ସବଳ ପୁରୁଷର ଆଶ୍ରୟ ନେବ ? କି’ ଦୁଃସାହସ ଲୋକଟାର ! କି ନିର୍ଲ୍ଲଜ ।

 

କଣ କରାଯାଏ ? ଅବସ୍ଥା ତାକୁ ଆଜି ଏଇୟା ଶୁଣିବାକୁ ବାଧ୍ୟ କରିଚି ! ତଥାପି ରକ୍ତ ବୋହୁଚି ଶରୀରରେ । ତାର ନାସା, କର୍ଣ୍ଣ ଓ ଜିହ୍ୱା ଜଡ଼ ହୋଇ ଯାଇନି । ତାର ଆତ୍ମସମାନ ମରି ନାହିଁ ।

 

ନା ସେ’ କାହାରି ଘରକୁ ଯିବ ନାହିଁ । ସେ’ ବାଟ କଡ଼ର ଆମ୍ୱ ଗଛ ମୂଳେ ଆଶ୍ରା ନେବ ପଛେ । ପଳାତକ ରେଫ୍ୟୁଜିଙ୍କ ପରି ରାସ୍ତା ସେ ପାଖ ପଡ଼ିଆରେ କୁଡ଼ିଆ ତୋଳିବ ପଛେ !

 

କାହିଁକି ? କ’ଣ ତାର ଘର ନାହିଁ ? ସ୍ୱାମୀଙ୍କର ଦୋ’ମହଲା ନ ଥାଇ ପାରେ । ପିତୃ ଅର୍ଜିତ ବଖରାଟିଏ ଅଛି ତ !

 

ନିରୁ ଚାକରାଣୀକି ଡାକି ଜିନିଷ ପତ୍ର ସଜଡ଼ା ସଜଡ଼ି କରିବାରେ ଲାଗି ପଡ଼ିଲା ।

 

‘‘ଆଉ କଣ କରିବା ଶୁତ୍ରୀ, ବାବୁ ଆସିଲା ଯାଏ ହେଲେ ସେଠି ପଡ଼ି ରହିଥିବା ।’’

 

ବଲ ବଲ ଚାହିଁ ଶୁତ୍ରୀ ପଚାରିଲା, ‘‘କେନେ ଗଲା ଆଚତ୍‌ ମା ?’’

 

ନିରୁର ଆଖି ଅପଲକ ହୋଇ ରହିଲା । ସେ’ କିଛି କହି ପାରିଲା ନାହିଁ ।

 

ସନ୍ଧ୍ୟାବେଳ ।

 

ପ୍ରଥମ ଦିନ–ସୁଶୀଳ ବାବୁଙ୍କ ସହ କିଶୋର ଗାଁ ବୁଲି ଯାଇ ଥିଲେ । ସୁନ୍ଦର ଗାଁଟି । ତେତେ ଜନ ଗହଳି ନାହିଁ । ପୋଷ୍ଟ ଅଫିସ ବା ଡାକ୍ତରଖାନା ନାହିଁ । ପ୍ରାୟ ଶହେ ସତୁରି ଘରର ମଣିଷକୁ ଏଠି ରୋଗ ବଇରାଗ ହୁଏ, ଚିଠି ଲେଖିବାକୁ ପଡ଼େ । ତଥାପି ସେମାନେ ସେମିତି ପଡ଼ି ରହିଛନ୍ତି । ଏ ଅଞ୍ଚଳର ଗୋଟାଏ କେନ୍ଦ୍ର ସ୍ଥାନ ଓ ବାଣିଜ୍ୟ ପୀଠ ହିସାବରେ ଗାଁଟାର ନା ଅଛି । ଗାଁ ଚାରିଆଡ଼େ ଦୁଇ ମାଇଲ ଭିତରେ ଆହୁରି ସାତ ଆଠଟା ଗାଁ ଲଗାଲଗି ହୋଇଅଛି । ମଝି ଜାଗା ବୋଲି, ଗାଁର ଜଣେ ଭଦ୍ର ଓ ଧନୀ ବ୍ୟକ୍ତି ତ୍ରିଲୋଚନ ବାବୁ ଲଢ଼ି ଲଢ଼ି ଇସ୍କୁଲଟିଏ ବସେଇବାକୁ ସରକାରଙ୍କୁ ବାଧ୍ୟ କରିଛନ୍ତି । ହାତରୁ ପଇସା ଦେଇ ସେ’ ଘର ତୋଳେଇ ଦେଇଛନ୍ତି । ତା’ ଛଡ଼ା ଆଉ କିଛି ଅନୁଷ୍ଠାନ ଏଠି ନାହିଁ ।

 

ଫର୍ଚା ଦାଣ୍ଡ । କେତେବେଳେ ଦୁଇ ତିନୋଟି କି ଗୋଟିଏ ଗୋଟିଏ ଲୋକ ଯା’ ଆସ କରନ୍ତି । ନ ହେଲେ ଶାନ୍ତ ନିର୍ଜନ । ଚିନ୍ତାଶୀଳ କିଶୋର ବାବୁଙ୍କ ମନକୁ ଏଟାହିଁ ଭଲ ଲାଗିଚି ।

 

ଗାଁ । ଚାରିଟାରୁ ପାଞ୍ଚଟା ସାହି ନାହିଁ । ଆଉ ବୁଲିବେ କୁଆଡ଼େ ? ଇସ୍କୁଲ ପାଖରୁ ସେ ମୁଣ୍ଡ ବନ୍ଧ ଯାଏ ଯାଇ ଫେରି ଆସିଲେ । ବାଟରେ ଦେଖା ହେଲା ଏ ଗାଁର ଉଚ୍ଚ ଶିକ୍ଷିତ ଓ ଉତ୍ସାହୀ ଯୁବକ ତ୍ରିଲୋଚନ ସହିତ । ଚେହେରାରୁ ସରଳ ଓ ହୃଦୟବାନ ପରି ଜଣା ପଡ଼େ ।

 

ସୁଶୀଳ ବାବୁ କିଶୋର ସହିତ ପରିଚୟ କରେଇ ଦେଲେ । ତ୍ରିଲୋଚନ ଦିହିଁଙ୍କୁ ଡାକି ନେଲା ଘରକୁ । ଭଲ ଘରଟିଏ ତୋଳିଛନ୍ତି; ସହରର ଧଳା ଘର ପରି । କିଶୋର ଓ ସୁଶୀଳ ବାବୁଙ୍କୁ ଚାହା ଜଳଖିଆ ଦେଇ ସେ’ ଚରଚା କଲା । ପରିଚୟ କରେଇ ଦେଲା ତାର ଶିକ୍ଷିତା, ଆଧୁନିକା ଓ ଅବିବାହିତା ଭଉଣୀ ନିର୍ମଳା ସହିତ । ନିର୍ମଳା ହସି ହସି ହାତ ଉଠେଇ କିଶୋର ବାବୁଙ୍କୁ ନମସ୍କାର କଲା ।

 

ସେ ଦିନୁ ନିତି ଦିନ କିଶୋର ଗାଁ ବୁଲିଯାନ୍ତି । ତ୍ରିଲୋଚନ ଘରେ ବସନ୍ତି । ଅନ୍ୟମାନଙ୍କ ସଙ୍ଗରେ କଥାବାର୍ତ୍ତା ବି ହୁଅନ୍ତି । ଦିନ ଚାରିଟା ଭିତରେ ଗାଁ ସାରା କିଶୋର ବାବୁଙ୍କ ସରଳ ବ୍ୟବହାର ଓ ନିଷ୍କପଟ ହୃଦୟବତ୍ତାର ପରିଚୟ ପ୍ରସରି ଯାଇଚି । କିଶୋର ସମସ୍ତଙ୍କୁ ପରିଚୟ ଦେଇଚନ୍ତି, ସେ’ ଏ ଦେଶର ଜଣେ ମଫସଲ ପରିଦର୍ଶକ ବୋଲି । ସବୁ ଗାଁ ବାଲା ତାଙ୍କୁ ସମ୍ମାନ ଦେଖେଇଛନ୍ତି । କେତେ କଥା ପଚାରି ବୁଦ୍ଧି କଳିଛନ୍ତି ।

 

ମୋଟ ଉପରେ କିଶୋର ଗାଁର ହାଲ ଦେଖି ବିଶେଷ ଖୁସି ହୋଇଚନ୍ତି ।

 

ରୁଦ୍ରର ପତ୍ନୀ ମଞ୍ଜୁଳା–

 

କଲମ ମୁହଁରେ ନାଲି ସ୍ୟାହି ପରି ବୟସ ଭିତରେ ଯୌବନ ପୁଚୁ ପୁଚୁ ହେଉଚି । ନାରୀ ଜନମ ପାଇଚି ବୋଲି ବାହା ହୋଇଚି । ବାହା ତ ହେଇଚି, ଆଇଚି ଶାଶୁ ଘରକୁ । ୟା’ ଭିତରେ ତା’ ମନରେ କଳ୍ପନାର ମାଙ୍କଡ଼ସା ଅସରନ୍ତି ଜାଲ ବୁଣିଚି । ତା’ ମନ ହାକୁ ହାକୁ ହୋଇ ପହଁରି ବୁଲିଚି ସପନ ରାଇଜର ସୁନୀଳ ସାଗରରେ ।

 

ଆଜି ସେ’ବି ଅନୁଭବ କରୁଚି ଏ ମପା ଜୁପା ଜୀବନରେ ସଢ଼ା କୁକ୍କୁର ଗଣ୍ଡିର ନିପଟ ଗନ୍ଧ । ଯୁବତୀ ହେବାରେ ଉପର ସଉକ ଅଛି । ମନ ଭିତରେ ପାଖାପାଖି ହେବା ସୁଆଦିଆ କାମନା ଜାତ ହେଉଛି ।

 

ଲାଳ ବହୁଚି; ପରିତୃପ୍ତିରେ ସ୍ୱପ୍ନିଳ ଆବେଶ ନାହିଁ; ସଫଳ ସନ୍ତୁଷ୍ଟ ନାହିଁ ।

 

ପାଠ ପାଠ ବୋଲି ସ୍ୱାମୀ ଦୂରରେ ରହନ୍ତି । ସେ’ ହୋଇଚି ମଫସଲର ବୋହୂ ।

 

ମା ଶିଖେଇ ଥିଲେ, ବାପା ପଢ଼େଇ ଥିଲେ, ସାହି ପଡ଼ିଶାଙ୍କ ହାବ ଭାବରୁ ସେ ଶିଖିଥିଲା, ବୋହୂ ହୋଇ କିମିତି ଚଳିବାକୁ ହୁଏ । ବୋହୂ ହୋଇଥିଲା ।

 

ବାପା ତ ମାଷ୍ଟ୍ର । ଚାକିରୀ ଜ୍ୱାଳାରେ ଅସ୍ତବ୍ୟସ୍ତ ହୋଇ ବୁଲୁଛନ୍ତି ଏଠି ସେଠି । କେବେ କେବେ ସେ’ ଡାକି ଆସନ୍ତି । ଯାଏ । ମାସକରୁ ବେଶୀ ରଖେଇ ଦିଅନ୍ତି ନାହିଁ ଶ୍ୱଶୁର ।

 

ମା ଘରେ ଟିକିଏ ବିଶ୍ରାମ ନେଇ ଫେରି ଆସେ ପତ୍ନୀ ହେବାର ସରାଗ, ବୋହୂ ହେବାର ଜଞ୍ଜାଳ ଭିତରକୁ ।

 

ରୁଦ୍ରକୁ ସେ’ ଲାଜ କରେ । ଭକ୍ତି କରେ । ସେ’ ପର ପୁରୁଷକୁ ଅନାଏ ନାହିଁ । ପୋଥି ପୁରାଣ ପଢ଼ି, ଅର୍ଥ କରି ଭାବ ସମଝେ । ଅବସର ବେଳ ଏମିତିରେ କଟାଏ । ପାଠ ପଢ଼ିଚି । ଗର୍ବ କରେ ନାହିଁ ।

 

ଛୁଟିରେ ରୁଦ୍ର ଯଦି ଘରକୁ ଆସେ, ସେ’ ତାର ସେବା କରେ ।

 

ସେବା କରେ କଣ ? ଦିନ ସାରା ନିରୋଳାରେ ଟିକିଏ କଥା ହୋଇପାରେ ନାହିଁ । କେବଳ ରାତିରେ; ରାତିରେ ସେ ସ୍ୱାମୀ ସେବା କରେ ।

 

ନୂଆ ବୋହୂ–

 

ଦିନ ଦି’ ପହରେ ଘଇତା ପାଖରେ ପଶି ପାରେ ନାହିଁ । ସାହି ପଡ଼ିଶା ଶାଶୁ ପିଉଷୀର ଆଖି ଆଁ କରି ଜଗି ରହିଚି । ଟିକିଏ ଖୁଣ ଦେଖିଲେ ଗିଳି ପକେଇବେ । ତା’ଙ୍କୁ ସେ’ ଜଗେ ।

 

ରୁଦ୍ର ହୁଏ ବିରକ୍ତ ।

 

ମଞ୍ଜୁଳା ତା’ ମନକୁ ପାଇଲା ଭଳି ଚଳେ ନାହିଁ । କିମିତି ଚଳନ୍ତା ? ଘର କରିବାକୁ ଗଲେ ଏକା ସ୍ୱାମୀ ମନକୁ ତ ଜଗିଲେ ଚଳେ ନାହିଁ । ସ୍ୱାମୀଙ୍କର ଭଲ ପତ୍ନୀ ବୋଲି ନାଁ ପାଇବାକୁ ହେଲେ ଆହୁରି ସହସ୍ରେ ଆଖିକୁ, ମନକୁ, ଦିଗକୁ ଜଗିବାକୁ, ଆକଟିବାକୁ ପଡ଼େ ।

 

ରୁଦ୍ର ବୁଝେ ନାହିଁ ।

 

ମଞ୍ଜୁଳାକୁ ଝିଙ୍ଗାସେ ।

 

ମଞ୍ଜୁଳା ସହେ । ତୁନେଇ ତୁନେଇ କାନ୍ଦେ । ଅଧୀରତା ତାକୁ ହଲେଇ ହଲେଇ ଖେଳେ-

 

ଗର୍‌ ଗର୍‌ ହୋଇ ରୁଦ୍ର ଚାଲିଯାଏ ସହରକୁ । ଭଗବାନଙ୍କ ଠାରେ ଶୁଭାଶୀଷ କାମନା କରି ମଞ୍ଜୁଳା ଅଶ୍ରୁ ଅଜାଡ଼େ ।

 

ପୁଣି କେବେ–

 

ରୁଦ୍ର ଆସେ ଛୁଟିରେ । ସରାଗର ପାଚିଲା ହଳଦିରେ ମନଟା ତାର ଗର୍‌ ଗର୍‌ ହୋଇଥାଏ । କେତେ ଉପହାର ଧରି ସେ’ ଆସେ । ଆଦର କରେ । କୋଳକୁ ନିଏ, ପହର ପହର ଲାଗି କେତେ ଯତ୍ନରେ କାନ ପାଖର ବାଳକୁ ସଜାଡ଼ି ଦିଏ, ଚୁମ୍ୱନ ଦିଏ ।

 

ଦିନ ଗଡ଼େ ।

 

ମାନ ଅଭିମାନ, ହସ ଖୁସି, କେତେ ଭଙ୍ଗୀର ଏ ଜୀବନ ! କଳନା କରିପାରେ ନାହିଁ ମଞ୍ଜୁଳା । ପିଲାଟିଏ ନା ! କଣ ଜାଣିଚି ସେ’ ସଂସାର କଥା ?

 

ରୁଦ୍ରକୁ ବୁଝି ବୁଝିପାରେ ନାହିଁ । ଦୁନିଆ କେଡ଼େ ଅବୁଝା ! ସେହି ଦୂର ଆକାଶର ତାର ମଣ୍ଡଳ ପରି ।

 

ରୁଦ୍ରର ପାଖରେ ଅଳି କରି ସାକୁଲେଇ ହେବାକୁ ତାକୁ ଭଲ ଲାଗେ । କିନ୍ତୁ ରୁଦ୍ର କହେ, ‘‘ତୁମେ ମୋ’ କଥା ଶୁଣ । ଯାହା କହିବି ସେ’ପରି କର ।’’

 

ତା’ ମନ ଚିଡ଼ି ଉଠେ ।

 

ତା’ର କଣ ସ୍ୱାଧୀନତା ନାହିଁ ? ତା’ ମନ କଣ ଏକଲା କରି କିଛି ଚାହେଁନା ?

 

ନିଜେ ନିଜ ଠାରେ ଅବୁଝା ହୋଇଯାଏ । କିଛି କହେ ନାହିଁ ।

 

ଏମିତିରେ ଏମିତିରେ ତିନି ବର୍ଷ ଗଡ଼ିଥିଲା ।

 

ରୁଦ୍ର, ଫେରେ, ଯାଏ ।

 

ସେ’ ପଡ଼ି ରହେ । ଶାଶୁ, ଶ୍ୱଶୁର, ନଣନ୍ଦ, ପୀଉସୀ, ଟାଆଁସା ଟାଆଁସା ସ୍ପର୍ଶ ଆଲୋଡ଼ନ ଭିତରେ ।

 

‘‘ସବୁ ଦିନେ ଏମିତି କେତେ ପଢୁଥିବ ? ମୋତେ ଦୂରରେ ଛାଡ଼ି ଦେଉଥିବ ?’’

 

କେତେ ଥର ସେ’ ଗେହ୍ଲେଇ ହୋଇ ପଚାରେ ।

 

–ନାଇଁ ମ । ହେଇତ ହାତ ବଢେଇଲେ ଏମ୍‌.ଏ. କ୍ଲାସ୍‌ଟା, ଆଉ କେତେ ବର୍ଷ କି ?

 

–ଉଁ ହୁଁ, ମୋତେ ସାଙ୍ଗରେ ନେବାକୁ ହେବ ।

 

ସେ ଅଳି କରେ । ରୁଦ୍ରର ସିଲ୍‍କ ସାଟ୍‍ର ମଙ୍ଗଟାକୁ ଜୋର୍‌କରି ଟାଣେ ।

 

ମନ ଭିତରେ ଛିଞ୍ଚାଡ଼ି ହୁଏ ରୁଦ୍ର । ଧେତ୍‌, କି ନିର୍ବୋଧ ମାଇକିନାଟେ ! ୟାକୁ କଣ କରିବି କଲେଜକୁ ନେଇ ?

 

ସେ ମୁଣ୍ଡ ଖେଳାଇ ଜାଣିବାକୁ ଚେଷ୍ଟା କରେ ନାହିଁ, ମଞ୍ଜୁଳା କଣ କହୁଚି । ଚିଡ଼ି ଚିଡ଼ି ହୁଏ ।

 

ଅଭିମାନରେ ପାଚିଲା ପିତା ବୋଦା ପରି ମୁହଁଟାକୁ ଫଣଫଣେଇ ଦିଏ ମଞ୍ଜୁଳା ।

 

ଦିନ ସରେ ।

 

ଦୁନିଆ ହସିଚି ।

 

ସଭ୍ୟତା ଉପହାସ କରିଚି ।

 

ସମାଜ ଛିଗୁଲେଇଚି ।

 

ଦାଣ୍ଡ ବାଟ ଚହଲି ପଡ଼ିଚି ଅପବାଦର ଅସରନ୍ତି ତାଡ଼ନାରେ । ନିରୁ ଦୋଚାରୁଣୀ । ସଭ୍ୟତା ସାହସ କରି ଘୋଷଣା କରି ଦେଇ ପାରିଚି । ସୁଷମା ଡିଣ୍ଡିମ ପିଟି ପିଟି ଖବର ବୁଲେଇଚି-। ପ୍ରିନ୍ସପାଲ ତାଳ ପକେଇଚନ୍ତି । ମୁଣ୍ଡ ହଲେଇଛନ୍ତି ।

 

ଏମାନେ ବଡ଼ ଲୋକ ।

 

ନର୍ସ ମାଧବୀ ବଞ୍ଚିଛି, ସୁଷମା ବଞ୍ଚିଛି, ନିରୁପମା ବଞ୍ଚିଛି । ଭିନ୍ନେ ଭିନ୍ନେ ନୁହେଁ, ଗୋଟିଏ ସମାଜରେ, ଗୋଟିଏ ସଭ୍ୟତାର ଛନ୍ଦଣି ଭିତରେ । କାହାର ନା ପଡ଼ି ନାହିଁ । ପଡ଼ିଚି ଅନ୍ୟ ରକମରେ, ଫୁସ୍‌ ଫୁସ୍‌ ଚାପା ସ୍ୱରରେ । କିନ୍ତୁ ଚାଲି ଯାଉଥିବା ଲୋକର କାନରେ ଅତଡ଼ା ପକାଇ ସମାଲୋଚନାର ଉତ୍ୟକ୍ତ ଶବ୍ଦ ତରଙ୍ଗ ପହଁରି ବୁଲୁଛି ପବନରେ । ନିରୁପମା ଦୋଚାରୁଣୀ ! ପ୍ରଫେସର ପଳାତକ !!

 

ନିରୁ ବି ଅନୁଭବ କରିଚି, ସେ’ ବାହା ହୋଇଚି ଏଇ ତାର ଦୋଷ । ସେତିକି ତାର ପାପ-। ତେଣୁ ଏ ଅପବାଦର କାଉଁରିଆ କାଠି ଆକାଶକୁ ବୋଲି ଶିଖା ମେଲେଇଛି ।

 

ଅନେକ ସହାନୁଭୂତିର ଚିରାଳ ଉଡ଼େଇ ଉଡ଼େଇ ତୁଣ୍ଡ ପାଖକୁ କାନ ଲଗେଇ ଆଣି ପଚାରିଛନ୍ତି, ‘କଣ ନିରୁପମା ଦେବୀ, କଥା ସତ ? ଖୁବ୍‌ ଶୁଖି ଯାଇଚ ଯେ–’

 

ନିରୁ ମନ କଥା ଖୋଲି ନାହିଁ । ଆଶ୍ୱାସନା ଚାହିଁ ନାହିଁ । କେବଳ ସ୍ୱାମୀଙ୍କି ଅପେକ୍ଷା କରି ନୀରବରେ ଲୁହ ଗଡ଼େଇଚି । ଏମାନେ କଣ କରିବେ ? ମନର କଥାକୁ ଓଟାରି ଓଟାରି ଦାଣ୍ଡରେ ନେଇ ପସରା ମେଲିବେ ସିନା, ଆଉ କଣ କରିବେ ? ଯେ’ କରି ପାରିବେ, ତାକୁ ଦେଇ ପାରିବେ ଆନନ୍ଦ, ସୁଖ, ଐଶ୍ୱର୍ଯ୍ୟ, ସେହି କିଶୋର–ଯଦି ପଚାରନ୍ତେ, ତାଙ୍କରି ଚରଣ ତଳେ ଦେହ ଲପଟାଇ ସବୁ କଥା ସେ’ ଖୋଲି ଦିଅନ୍ତା । ଭଲ ବି ହୁଅନ୍ତା । କିନ୍ତୁ ଏମାନେ–ଛ’କୁ ନ’ କରି ଅତି ଜାଣିମା ପଣିଆ ଦେଖେଇ ବସି, ଶୁଣିବା ଲୋକକୁ ତଟସ୍ଥ କରେଇବେ । ଜାଳିବେ ତାକୁ ।

 

ନିରୁ କାହାକୁ କିଛି କହିନାହିଁ । ଦର୍କାର ବୋଧ କରି ନାହିଁ । ପିଲାଟିକୁ କୋଳରେ ଚପେଇ ଧରି ବୁକ ଭିତରେ ଧୈର୍ଯ୍ୟର ଦୀପ ଜାଳି ବସିଚି । ବତାଶ ବହୁଛି । ଶିଖା ହେଉଛି ଅସ୍ଥିର, ଦପ ଦପ । ଲିଭୁ ନାହିଁ ।

 

‘‘ନା, ମୋ’ ଘରକୁ ମୁଁ ଯିବି । ସେ’ ଯେ ନ’ ଆସିବେ ୟା’ର କିଛି କାରଣ ନାହିଁ । ଆପଣଙ୍କ ଘରକୁ ଯିବାର ଆବଶ୍ୟକତା ନାହିଁ । ମନରେ କିଛି ଭାବିବେ ନାହିଁ ।’’

 

କଟମଟ୍‌ ଆଖିରେ ଅନେଇ ଅନେଇ ତହିଁ ଆର ଦିନ ପ୍ରିନ୍ସପାଲଙ୍କ ଠାକୁ ନିରୁ ଖବର ପଠେଇ ଦେଇଛି ।

 

ସେ ନିଜ ଘରକୁ ଯିବା ପାଇଁ ସଜ ହେଲା ।

 

ନିଜ ଘର–

 

ନିଜର ପିତୃ ଅର୍ଜିତ, ପାଣିନାଳିଆ ସାହିର ଏକ ବଖୁରିଆ ଖଣ୍ଡେ ଟିଣ ପିଟା ଘର । କେତେ କାଳର ଜୀର୍ଣ୍ଣ ଇତିହାସକୁ କୋଳରେ ଝୁଲେଇ ଘରଟି ଛିଡ଼ା ହୋଇଚି । ଘରର କୂଳ ଝିଅ–ନିରୁକୁ ସେ’ ଆଦରରେ ନିମନ୍ତ୍ରଣ କରୁଚି ଯେମିତି ।

 

ପାହାନ୍ତି ପହରର ଲିଭି ଆସୁଥିବା ତାରକାର ତେଜ ପରି, ଲାଞ୍ଛିତ ଆତ୍ମାର ନିଷ୍ପ୍ରଭ ଜ୍ୟୋତି ନେଇ ନିରୁ ସେଠିକି ଆସିଚି । ଅସଂଲଗ୍ନ ବେଶ । ମଉଳା ଅଭିରୁଚି । ଦର ନିଦୁଆଙ୍କ ପରି ମିଟି ମିଟି ଆଖି । ବ୍ୟସ୍ତ ଭାବନାରେ ରେଖାଇତ ଲଲାଟ । ପିଲାଟିକୁ କାଖରେ ଧରି ନିରୁ ସେହି ଘରେ ପଶିଚି ।

 

ସାଙ୍ଗରେ ଶୁତ୍ରୀ, ଗଦାଏ ଲୁଗା ପଟା, ବହି, ଚାଉଳ, ଡାଲି, ହାଣ୍ଡି, ଚଟୁ ଯାବତୀୟ ଘର କରଣା । ଗାଈ ଓ ବାଛୁରୀଟିଏ ।

 

କଣ ତାର ଅଭାବ ଥିଲା ?

 

ଅଭାବ କିଛି ସେ’ ଜାଣି ନଥିଲା ।

 

ଲୋକେ କିମିତି ଦରିଦ୍ର ହୁଅନ୍ତି, ତାର ଧାରଣା ବି ନଥିଲା । କିନ୍ତୁ ଏବେ ଯେଉଁ ଅସହନୀୟ ଦାରିଦ୍ର୍ୟ ତା’ ମନ ସଂସାରରେ ଘଟିଛି, ସେଥିରେ ହୋଇ ପଡ଼ିଚି ବିବ୍ରତ । ଅଭାବ ତାକୁ ବାଧିଚି । ଅଭାବ !

 

ଅଭାବ କଣ ?

 

ଟଙ୍କା ନୁହେଁ । ଧନ ନୁହେଁ । ଖାଇବା ପିଇବା ନୁହେଁ । ଏ ଅଭାବ ଗୁଡ଼ିକ ମଣିଷର ଅଭାବ ବି ନୁହେଁ । ଅଭାବ ଜୀବନର, ମନର, ଆତ୍ମାର !

 

ସ୍ତ୍ରୀ ପୁରୁଷ–ଦୁଇଟି ଆତ୍ମା । ପୃଥକ ନୁହେଁ । ଅଧା ଅଧା ମିଶି ଏକ । ଏକର ବିହୁନେ ଅନ୍ୟ ହୁଏ ଖଣ୍ଡିଆ, ଅଭାବ ଗ୍ରସ୍ତ । କାହିଁକି ? ସେମିତି ତ ହୁଏ । ଯେମିତି କି ସୁଷମାର ଅଭାବ ରହିଚି ? ନା ନା ତାର ହୋଇ ନାହିଁ । ହେବାକୁ ଦେଉ ନାହିଁ ସେ । ଫନ୍ଦି ଫିକର କରି ଅଭାବ ସେ’ ପୂରଣ କରି ଚାଲିଚି । ନିଜକୁ ଜଟଉଚି ନିଜେ । କିନ୍ତୁ ସବୁ ଦିନେ ଜଟେଇ ପାରିବ ନାହିଁ । ଆତ୍ମାକୁ ଠକି ପାରିବ ନାହିଁ । ନୀଚ ମଣିଷର ଦେହ, ମନ ଓ ଆଚାର ବଜାରୀ ହୋଇ ପାରେ । ଆତ୍ମା ନୁହେଁ-। ଆତ୍ମା ସବୁ ଦିନେ ପବିତ୍ର, ମହତ୍‌। ସେ’ ଅନୁତାପ କରିବ । ନିଜ ଆତ୍ମାର ବ୍ୟାକୁଳତାକୁ ଠକା ଠକି କରି ଦିନ ଗଡ଼େଇ ନେଲେ ଦିନ ଗଡ଼ିଯିବ ସିନା, କାଳ ସରିବ ନାହିଁ ।
 

ନିରୁ ଭାବୁଚି, ନାରୀର ଆତ୍ମା ଉଦାର, ସକ୍ରିୟ । ପୁରାଣରେ ବହୁ ପୂର୍ବ କାଳରୁ ବର୍ଣ୍ଣିତ ହୋଇ ଆସୁଚି । ଅତଏବ....

 

ପିଲା କାନ୍ଦୁଚି ।

 

ସକ୍ରିୟ ଆତ୍ମାର ଅଭିନବ ସର୍ଜନା; ସୃଷ୍ଟିର ସୁମହତ ଯୋଜନା । ତା’ ଭିତରୁ ବାଦ୍‌ ପଡ଼ିବାକୁ ହେଲେ ସୁଷମା ପରି, ମାଧବୀ ପରି ହେବାକୁ ହୁଏ ନାହିଁ । ହେଲେ ଚଳେ ନାହିଁ । ହେବାକୁ ହୁଏ ବେଶ୍ୟା । ନହେଲେ ନିସ୍ତାର ନାହିଁ ।

 

ନିରୁର ଅଭାବ–ସ୍ୱାମୀଙ୍କର ଅନୁପସ୍ଥିତି । ଅଭାବ ତାର, ପାରିବାରିକ ପରିତୃପ୍ତି । ସାଂସାରିକ ନିତି ଦିନିଆ ଜୀବନ ବିଳାସ ।

 

ନିରୁ ଏଠି ଟିକିଏ ସ୍ୱପ୍ତିର ନିଶ୍ୱାସ ମାରିଚି । ମାତ୍ର ଉପସ୍ଥିତ ପରିସ୍ଥିତିର ସବୁ ବାସ୍ତବତାକୁ ତଡ଼ି ରାଜୁତି ଘୋଷଣା କରୁଚି ସ୍ୱାଭାବିକତା; ନାରୀ ମନର ସ୍ୱାଭାବ ସମ୍ଭୁତ ଅଭିମାନ ।

 

ସ୍ୱାମୀ ଉପରେ ତାର ଅଭିମାନ ଗଡ଼େଇ ତଡ଼େଇ ହୋଇ ଲୋଟି ପଡ଼ୁଚି ।

 

ବିନା କାରଣରେ ତା’ ଉପରେ ଏତେ ରାଗ କରିଛନ୍ତି । ଘରକୁ ଫେରୁ ନାହାନ୍ତି । ଚିଠି ଦେଉ ନାହାନ୍ତି । ତଥାପି ସେ’ ଆଶ୍ଚର୍ଯ୍ୟ ହୋଇ ପଡ଼ୁଚି, ଛୁଟି ନେଇ ନାହାନ୍ତି କି ପ୍ରିନ୍ସପାଲଙ୍କୁ ଜଣେଇ ନାହାନ୍ତି । ଅର୍ଥାତ୍‌?

 

ଅର୍ଥାତ୍‌ ସେ’ କୁଆଡ଼େ ଆତ୍ମଗୋପନ କରିଛନ୍ତି । କାହିଁକି ? ହୁଏତ ମନ କୁହୁଳିଚି । ପତ୍ନୀ ଉପରେ ଆସିଚି ହିଂସା, ଈର୍ଷା–ତେଣୁ ।

 

ନିରୁ ପବନରେ ହଲୁଥିବା ଇଟଳା ଫୁଲ ଭଣ୍ଡା ପରି ଏପଟ ସେପଟ ମୁଣ୍ଡ ଗଡ଼େଇ ଗଡ଼େଇ ଭାବୁଚି, ତା’ ହେଲେ ଫେରିବାକୁ ଆହୁରି କେତେ ଡେରି ହେବ ?

 

ପିଲାଟି ବେଳେ ବେଳେ ଅତି ବ୍ୟାକୁଳ ଆଖିରେ ତାକୁ ଚାହୁଁଚି । ପଚାରିଲା ଦୃଷ୍ଟିରେ ଅନେଇ ରହି ପଚାରିଲା ଭଙ୍ଗିରେ ପାଟି କରୁଚି ମା–ମା–ବା, ବା–

 

ନିରୁ ତାକୁ ଛାତିକି ଓଟାରି ଆଣି ଗମ୍ଭୀର ହୋଇ ଭାବୁଚି । ଖାଲି ଭାବୁଚି ।

 

ଶୁତ୍ରୀ ମୁହଁ ଶୁଖେଇ ଦେଇ ପାଖରେ ଠିଆ ହୋଇ ଥାଉଚି । ସେ’ କିଛି କଳନା କରି ପାରୁ ନାହିଁ । କିଶୋର ବାବୁଙ୍କୁ ମନେ ମନେ ସେ’ ନିନ୍ଦା କରୁଛି ।

 

ସେ ଦିନ କିଶୋର ଯେଉଁ ବେଗ୍‌ଟି ପକେଇ ଦେଇ ଯାଇଥିଲେ, ସେଟାକୁ କାଡ଼ି ଆଣି ନିରୁ ଫିଟେଇଲା ।

 

ତା’ ଭିତରେ ଫାଇଲ, ଡାଇରୀ । ତା’ ତଳକୁ ସତୀଲକ୍ଷ୍ମୀ ସିନ୍ଦୂର !

 

କାନ୍ଥାରିଡ଼ିନ ବାସ୍ନା ତେଲ ।

 

ବ୍ରହ୍ମପୁରି ପାଟ ବ୍ଲାଉଜ !

 

ସମ୍ବଲପୁରୀ ଶାଢ଼ୀ !

 

ଗ୍ରାଇପୱାଟର ଶିଶିଟିଏ !

 

ଅନ୍ତର ଦୁହିଁ ହୋଇ ରକତ ନିଗିଡ଼ି ପଡ଼ିଲା । ନିରୁ ଖାଲି ଜୀବନଟାକୁ ତିଳ ତିଳ କରି ଭିଣି, ଭାବିବାକୁ ଲାଗିଲା; ଏପଟ–ସେ’ ପଟ ।

 

ଫୁପୁଗାଁ–

 

ଭାରତ ମହାଦେଶର ଦକ୍ଷିଣ ଆଡ଼କୁ, ଟିକିଏ ଏକଡ଼କୁ, ଓଡ଼ିଶା ଭିତରକୁ କୋରାପୁଟ ଜିଲ୍ଲା–ଜୟପୁର ରାଜ୍ୟ–

 

ଟିକିଏ ଉଚ୍ଚା, ସନ୍ତସନ୍ତିଆ ଜାଗା, ବଣୁଆ ମାଟି । ପାଖରେ ପର୍ବତ ଅଛି, ବଣ ଅଛି, ଜମି, ଡୋଙ୍ଗର, ତୋଟା ମାଳ, ପଦର ପଙ୍କାଳ ଅଛି । ଗୋଟିଏ ଗାଁ । ଫୁପୁଗାଁ ।

 

ଖୋଲା ଦାଣ୍ଡ । ଗୋଟିଏ ପଟକୁ ଧାଡ଼ି ହୋଇ ସାହିଟିଏ । ସେଠି ଅଛି କେତେ ଥିଲା ଥିଲା ଲୋକଙ୍କର ଘର, ସେମିତି ଟିକିଏ ଥିଲା ଥିଲା । ହଁ ହଁ ଏଠିକା ଲୋକେ କହନ୍ତି, ଟିକିଏ ଥିଲା ଥିଲା ଘର ବୋଲି । ସାମାନ୍ୟ ଉଞ୍ଚ ଉଞ୍ଚ ଚାଳ । ନୂଆ ଲୋକ ହେଲେ, ଅଳ୍ପ ଅସାବଧାନତାରେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବ ସିନା, ଚାରି ଆଡ଼କୁ ଦେଖିଲା ବେଳକୁ ଏ ଘରଟିମାନ ଟିକିଏ ବଡ଼ ।

 

ତଳେ ପାହାଡ଼ ପାହାଡ଼ ଜମି । ଉପରେ ଡୋଙ୍ଗର । ପଦର ମଝିରେ ଛିନ୍ନ ବିଛିନ୍ନ ସାହି, ଏଠି ସେଠି ଘର । ମଣିଷର ଗୃହ–ଆଶ୍ରମ । ମେଞ୍ଚା ମେଞ୍ଚି । ଚଢ଼େଇ ଗୁଡ଼ା ପରି ପାଖ ପାଖ ମଣିଷ ଗୁଡ଼ା । ମୋଟେ ଶହେ ସତୁରିଟା ଘର । ଡମ୍ୱ, ସଉରା, ଭତରା, ଭୁମିୟା, ରଣା, ସୁଣ୍ଡି, ପରଜା, କନ୍ଧ, ବ୍ରାହ୍ମଣ, କରଣ, ଭଲ ଲୋକ–ଅସାର ଲୋକ, ସାନ ଜାତି–ବଡ଼ ଜାତି, ସଭ୍ୟ–ଅସଭ୍ୟ, ଆଦିବାସୀ–ଆଧୁନିକ ବିଳାସୀ, ଗୋଟିଏ ପାଖରେ ଚୁଟିକି ଚୁଟି ଗଣ୍ଠେଇ ପଡ଼ିଛନ୍ତି । ଚାଳକୁ ଚାଳ ଲାଗିଚି । ଘର ସଂସାର କରିଚନ୍ତି ।

 

ଦକ୍ଷିଣ ଦିଗକୁ କଣ୍ଟାଳିଆ, ଛାରୁଆ ଛାରୁଆ ରୁକ୍ଷ ମୁର୍ଗା ବାଡ଼ । ଆମ୍ୱ ତୋଟା ଟିକିଏ ଛାଡ଼ି ପୋଖରୀ । ତେଣିକି ଟିକିଏ ଜଙ୍ଗଲ, ପର୍ବତ । ପୂରୁବ ଦିଗକୁ ଗହୀର ନୁହେଁ, ଗଭାର ଜମି, ଅଟ୍ଟାଳ, ନଦୀ ତଡ଼ । ସେ’ ପାଖକୁ ନଦୀ । ଖଳ ଖଳ ଜଳ ସ୍ରୋତ । ମୁଗ୍ଧ ଜୀବନର ଅମୃତ କାହାଣୀ ଶୁଣି ଶୁଣି ଅବିରତ ଗଡ଼ି ଚାଲିଚି ଭାଷାହୀନ ମନ୍ତ୍ର ଗାଇ ଗାଇ । ଉତ୍ତର ଦିଗକୁ ବଟ ଗଛ-। ସେ ପାଖକୁ ଇସ୍କୁଲ । ଚାଟଶାଳୀ ହୁଏତ ନୁହେଁ । ଇସ୍କୁଲ । ଇସ୍କୁଲ ପିଣ୍ଢାରେ ବସିଲେ, ବୁଢା ବଟ ଗଛର ବହଳ ଛାଇ ମୁଣ୍ଡରେ ପଡ଼େ ।

 

କିଶୋର ବାବୁ ନିତି ଦିନ ସେଇଠି ବସନ୍ତି । ସେହି ବଟ ଗଛର ସ୍ନିଗ୍ଧ ଥର ଥର ଦରକଳା ଛାଇ ତଳେ ହୁଏ ତାଙ୍କ ଚିନ୍ତାର ବିକାଶ । ଭଲ ଲାଗେ ।

 

ଇସ୍କୁଲର ସବା ବଡ଼ ମାଷ୍ଟ୍ର ସୁଶୀଳ ବାବୁ । ଦର ବୁଢ଼ା । ଗୋଟାଏ କୁଟୁମ୍ୱର ସେବା ପ୍ରଥମ ମେମ୍ୱର । ଦରମା ଶହେରୁ କମ୍‌ । ସବୁ ଦିନେ ନିଅଣ୍ଟିଆ ବଜେଟ ଭିତରେ କୁଦି କୁଦି, ଚାଲି ଚାଲି ଥକି ପଡ଼ିଲେଣି । ପରିଶ୍ରମ କରନ୍ତି । କୌଶଳ ଭିଆନ୍ତି । ଜୀବନ ଗଡ଼େ । ଦିନ ଲୁଚେ ।

 

ତାଙ୍କରି ଅତିଥି ହୋଇଛନ୍ତି କିଶୋର ବାବୁ ।

 

ସେ ଦିନ ଅଦ୍‌ଭୁତିଆ ଭାବେ ଆଡ଼ ପୁରୁଣା ମଲ୍‌ ମଲ୍‌ ଲେଡ଼ିକି ଲମ୍ୱିଲା ଜଘିଂଆ ଆଉ ଏ ମୁଣ୍ଡରୁ ସେ’ ମୁଣ୍ଡ ଯାଏ ବୋତାମ ଭିଡ଼ା କୁରୁତା ପିନ୍ଧି କିଶୋର ଯେତେବେଳେ ପ୍ରଥମେ ଇସ୍କୁଲକୁ ଆସନ୍ତି, ସୁଶୀଳ ପଚାରିଲେ, ‘‘କ୍ଷମା କରିବେ ଆଜ୍ଞା, ଆପଣଙ୍କୁ ଚିହ୍ନି ପାରିଲି ନାହିଁ ?’’

 

ହସି ନହସି କିଶୋର କହିଥିଲେ, ‘‘ଚିହ୍ନିବେ । ମୁଁ ଆପଣଙ୍କର ଅତିଥି ।’’

 

ସେ ଦିନଠୁ କିଶୋର ତାଙ୍କର ଅତିଥି ହୋଇଛନ୍ତି । ବୁଢ଼ା ବୁଢ଼ୀ ଦୁଇଟା ପେଟ ମଝିରେ ଏ ଆଧୁନିକିଆ ପୁରି, ଚା’ ଖିଆ ସଭ୍ୟ ପେଟଟେ ଖୁନ୍ଦି ହୋଇ ଯାଇଚି । ତଥାପି ସୁଶୀଳ ମାଷ୍ଟ୍ରଙ୍କର ବଡ଼ ଆନନ୍ଦ । ଝିଅଟିଏ ଜନମ କରି ତିନିଟା ପେଟକୁ ଏକ ହାଣ୍ଡିରୁ ଭାତ ଖୁଆଉ ଥିଲେ । ସମାଜର ନିୟମ ଅଧା ଦିନରୁ କାଟି ଦେଲା । ଝିଅ ଗଲା ପର ଘରକୁ ।

 

କିଶୋର ବାବୁ ନିଜର ସ୍ପଷ୍ଟ ପରିଚୟ ଦେଇ ନାହାନ୍ତି । କିନ୍ତୁ ସୁଶୀଳ ବାବୁଙ୍କ ପତ୍ନୀ ଭାନୁମତୀ ପରିଚୟର ପୁଟୁଳା ଖୋଲି ଦେଇଚନ୍ତି । ‘‘ଇଏତ ମୋ’ ମାମୁଁଙ୍କ ଶଳାର ପୁତୁରା ହେବେ ପରି ନାଗୁଚି ।’’

 

‘‘ହୋଇପାରେ, ଏମିତି କେତେ ସମ୍ୱନ୍ଧ ଭୁଲି ହୋଇଯାଏ ।’’

 

କିଶୋର ମୁଣ୍ଡ ପୋତିଲେ ।

 

‘ହେ ହେ ହେ’ ସୁଶୀଳ କିଶୋରଙ୍କୁ କୁଣ୍ଢେଇ ଧରି ଆଖିରୁ ଲୁହ ଗଡ଼େଇଚନ୍ତି ।

 

‘‘ଏକା ପେଟ ବୋଲି କିଶୋର ବାବୁ, ଦେଶ ଛାଡ଼ି, ରାଇଜ ଛାଡ଼ି, ବନ୍ଧୁ ବାନ୍ଧବ ଛାଡ଼ି ବଣ ଭିତରେ ଘର କରିଚୁ । ଘର ତ ନୁହେଁ, ପଡ଼ି ରହିଚୁ । ଏଠି ବନ୍ଧୁ ? ଧନ୍ୟ ହୋଇଚୁ ଆଜି ।’’

 

ଟାଣି ନେଇ କିଶୋରଙ୍କୁ ମଝି କୁଠାରେ ବସେଇଚନ୍ତି । ପିଢ଼ା ଦେଇଛନ୍ତି । ପାଣି ଢାଳେ ଦେଇ ଗୋଡ଼ ଧୋଇବାକୁ ଅନୁରୋଧ କରିଛନ୍ତି ।

 

କିଶୋର ହସିଛନ୍ତି । ଖାଲି ହସିଛନ୍ତି ।

 

ଆଉ ଦିନେ–

 

‘‘କୁଆଡ଼େ ଚାଲି ଆସିଲେ ଯେ ! ୟାଙ୍କର ବ୍ରତ ଘରକୁ ଆଇଙ୍କ ସଙ୍ଗେ ମୁଁ ଯାଇଥିଲି । ମନେ ପଡ଼ିଲେ ଲାଳ ଗଡ଼ି ଆସୁଚି । ବହୁତ ଦିନ ତଳର କଥା । ସେ’ ଗାଁ, ସେ’ କଥା ଆଉ କାହିଁ-?’’

 

ଘର ଭିତରୁ ପ୍ରଶ୍ନ କରିଥିଲେ ଭାନୁମତୀ ।

 

ସୁଶୀଳ ଚାହିଁଥିଲେ କିଶୋର ବାବୁଙ୍କୁ । କିଶୋର ଜବାବ ଦେଇଥିଲେ–

 

‘‘ବୁଲିଲା ପରି ଆସିଥିଲି । ଏତେ ପାଠ ପଢ଼ିଛୁନା । ଏ ଜିଲ୍ଲାର ମଫସଲ ଅଞ୍ଚଳରେ କିଛି ଗୋଟାଏ ଗବେଷଣା କରି ଆମ ପାଠ ପଢ଼ାର ମହତ ଦେଖାଇବା ଇଚ୍ଛା ଅଛି ।’’

 

ସାବାସ୍‌ ସାବାସ୍‌ ବୋଲି ତାଳି ମାରିଛନ୍ତି ସୁଶୀଳ । ଭାନୁମତୀ ମନ ଖୋଲି ଆଗ୍ରହ ଦେଖାଇଛନ୍ତି ।

 

ସୁଶୀଳ ବାବୁଙ୍କ ଘରେ ଅତିଥି ହୋଇ କିଶୋର ଆହୁରି ବିବ୍ରତ, ଆହୁରି ଚିନ୍ତିତ ହୋଇ ପଡ଼ିଲେଣି ।

 

ନୂତନ ମାୟା, ନୂଆ ମମତା କାୟା ବିସ୍ତାର କରି ତାଙ୍କୁ ଗ୍ରାସିବାକୁ ବସିଛି । ଦିନୁ ଦିନ ସ୍ନେହ ବନ୍ଧନ ଭିଡ଼ି ଭିଡ଼ି ଆସୁଛି । ଏମିତି ହେଲେ ସେ’ କଣ ବଞ୍ଚି ପାରିବେ ?

 

ସକାଳ ପାଏ । ଏକା ସଙ୍ଗରେ ଦୁଇ ଜଣ ଗାଧୁଆ ପାଧୁଆ କରି ଘରୁ ବାହାରନ୍ତି, ଇସ୍କୁଲ ଯାଏ । ସୁଶୀଳ ରହନ୍ତି ସେଠି । କିଶୋର ଯାଆନ୍ତି ଗାଁ ଭିତରକୁ । ଘର ଘର ବୁଲି ଦୁଃଖ ସୁଖ ହୁଅନ୍ତି । ଅନ୍ୟ ଜୀବନର ଦୁଃଖ ସୁଖ ଜର୍ଜର ଇତିହାସକୁ ପାକୁଳେଇ ପାକୁଳେଇ ପରେ ମନ ଭିତରେ ସାଇତି ରଖନ୍ତି ଲେନ୍ଥା ଲେନ୍ଥି କରି । ଫେରନ୍ତି ।

 

ଇସ୍କୁଲ ପିଣ୍ଢାରେ, ସେଇ ବଟ ଗଛ ଛାଇରେ ବସି ଆରମ୍ଭ କରନ୍ତି ତପସ୍ୟା, ଧ୍ୟାନ ! ମନ କଥା ମନରେ ଛିଣ୍ଡେ ନାହିଁ । କାର୍ଯ୍ୟ ଆରମ୍ଭ କରିବା ପାଇଁ ହୃଦୟ ହୁଏ ବ୍ୟାକୁଳ । ଅନ୍ତରରୁ ଶଙ୍ଖ ନାଦ ଶୁଭେ । ସେ’ ଦେହ ଝାଡ଼ି ଉତ୍ସାହ ସଂଗ୍ରହ କରନ୍ତି ।

 

‘‘ଆସନ୍ତୁ ଖାଇବାକୁ ଯିବା ।’’ ସୁଶୀଳ ସାଙ୍ଗରେ ଖାଇବାକୁ ଯାଆନ୍ତି । ଖାଇ ବସି କଥା ପଡ଼େ । ନାନା ପ୍ରକାର କଥା । ରାଇଜଟା ଯାକର କଥା ପିଲା ବୁଢା, ଯୁବକ ଯୁବତୀ । ସମସ୍ତଙ୍କର କଥା ।

 

–ଦିନୁ ଦିନ ଜଗତଟା ଧ୍ୱଂସ ଆଡ଼କୁ ଚାଲିଚି କାହିଁକି ?

 

ସୁଶୀଳ ପଚାରନ୍ତି ।

 

ସବୁ ଜାଣିବା କଥା । ଆମେଇତ ପିଲାଙ୍କୁ ବତାଉ । ‘ମିଛ କହିବା ମହାପାପ ।’ କିନ୍ତୁ ମିଛ ଆମେହିଁ କହୁଚୁ ପ୍ରଥମେ । ଏପରି ନାନା କାରଣରୁ ।

 

କିଶୋର ଜବାବ ଦିଅନ୍ତି ।

 

–ସତରେ ଏବ କାଳର ପିଲାଏ ବଡ଼ ଉତ୍ପାତ ହେଲେଣି । ରାକ୍ଷସ ପରି ଜଘନ୍ୟ ଆଚରଣ ।

 

–ସତ । କିନ୍ତୁ ଆମେଇତ ତାଙ୍କୁ ସୃଷ୍ଟି କରୁ । ଗଢ଼ୁ ।

 

–ଅର୍ଥାତ୍‌ ?

 

–ଆମେ ତାଙ୍କୁ ଯେମିତି ଢଙ୍ଗରେ ଗଢ଼ୁ ସେମାନେ ସେମିତି ହୁଅନ୍ତି ।

 

–ତା’ ହେଲେ ମୁଁ କଣ ଚାହେଁ, ପିଲାଟା ମୋର ଖରାପ ହୋଇଯାଉ ?

 

–ନା ।

 

–ଆଉ ?

 

–ଗଢ଼ିବାରେ ଅକ୍ଷମତା । ସ୍ପର୍ଶ, ଦର୍ଶନ ଏବଂ ଶ୍ରବଣ ସ୍ପୃହାରୁ ଯେଉଁ ଟିକକ ଅନୁରାଗ ମଣିଷ ମନରେ ଥରଥର କାମନାର ପସରା ବାଢ଼େ, ସେହି କାମନାର ଗତିକୁ ଆୟତ୍ତ କରିବାକୁ ହୁଗୁଳା ଗାର୍ହସ୍ଥ୍ୟ ଜୀବନ ସକ୍ଷମ ହୋଇପାରେ ନାହିଁ । ସେଥିପାଇଁ ଠିକଣା ଛାଞ୍ଚରେ ଆମେ ପିଲାଙ୍କୁ ଗଢ଼ି ପାରୁନୁ । ସେମାନେ ଅମଣିଷ ହେଉଛନ୍ତି ।
 

–ବଡ଼ ଦୁଃଖର କଥା ।

 

ସୁଶୀଳ ହାତ ଧୁଅନ୍ତି ।

 

କିଶୋର ତାଙ୍କ ହାତରୁ ପାନ ଖଣ୍ଡେ ବଢ଼େଇ ନେଉଁ ନେଉଁ କହନ୍ତି, ‘‘ବହୁତ ବ୍ୟସ୍ତ କଲିଣି ଆପଣଙ୍କୁ । ଆଜି ବିଦାୟ ଦିଅନ୍ତୁ ।’’

 

–କୁଆଡ଼େ ଯିବେ ? ଏଠି କଣ ଗବେଷଣା କରିବେ ପରା ?

 

–ହଁ । ଯେ.....

 

–ବାପ୍‌ରେ ବାପ୍‌, ୟା’ନା ଗୋଟେ କଥା ! ଆପଣ କିଏ ଆଉ ମୋ’ ଘର କିଏ ? ଦିନା କେତେ ଏ ଘରକୁ ଚହଳ କରନ୍ତୁ ନା ।

 

ଖାଇ ସାରି ସୁଶୀଳ ଟିକିଏ ଶୋଇ ପଡ଼ନ୍ତି ।

କିଶୋର ପଶି ଆସନ୍ତି ଗାଁ ଭିତରକୁ । ବାଛୁରୀ ହଜେଇ ଥିବା ଗାଈଙ୍କ ପରି ଛନ୍ନ ଛନ୍ନ ହୋଇ ଢୁକି ବୁଲନ୍ତି, ୟା’ ଘର, ତା’ ଘର–ଗାଁ ସେ ମୁଣ୍ଡରୁ ଏ ମୁଣ୍ଡ; ବଣ, ପର୍ବତ–

ବୁଲନ୍ତି । ନିରେଖି ନିରେଖି ପ୍ରତ୍ୟେକ ଥାନ ଅଥାନ, ଦେହ ମନ ପରଖ କଲା ପରି ଅନାନ୍ତି । ଅନେକ ଭାବନ୍ତି । ଫେରନ୍ତି ସନ୍ଧ୍ୟାକୁ ।

ଗାଁର ତଥାକଥିତ ଜଣେ ସଭ୍ୟ ଶିକ୍ଷିତ ଗୃହସ୍ଥ ତ୍ରିଲୋଚନ ବାବୁ । କିଶୋରଙ୍କୁ ଡାକି ଘରେ ବସାନ୍ତି । ଚାହା ଜଳଖିଆ ଆସେ । ଗପ ଜମେ ।

‘‘ଆପଣ କଣ କରନ୍ତି ?’’

‘‘ପାଠ ପଢ଼ାତ ଇଲାଗେ ସରିଛି । ବୁଲୁଚି ଖାଲି ଏ ଦେଶରୁ ସେ’ ଦେଶ, ଏଇ ଜିଲ୍ଲାରୁ ସେଇ ଜିଲ୍ଲା । ପ୍ରତ୍ୟେକ ସ୍ଥାନରୁ କିଛି ଗୋଟାଏ ଆବିଷ୍କାର କରିବା ମୋ’ ଇଚ୍ଛା ।’’

–ବେଶ୍‌ କରିଛନ୍ତି । ଏ ଲୋକ ଗୁଡ଼ାକ କ’ଣ ହୁଅନ୍ତି ଏପରି ! ପାଠ ଟିକିଏ ପଡ଼ିଚନ୍ତି କି ନ ଚାକିରୀ, ଚାକିରୀ, ଚାକିରୀ । ମୋତେ ଜମା ସୁଖ ଲାଗେନି ।

–ଆଉ କଣ କରିବେ ତ୍ରିଲୋଚନ ବାବୁ ? ଏ ଯେଉଁ ପାଠ ! ଏଥିରେ ଆୟୁଷର ଅଧେ ବିତେଇ ସାରି ଲୋକେ ଆଉ କରିବେ କଣ ? ଚାକିରୀ ଛଡ଼ା ଅନ୍ୟଥିକି ତ ଏ ପଢ଼ୁଆ ମୁଣ୍ଡ ଲାଏକ ନାହିଁ ।

ଗପ ଜମେ । ଆନନ୍ଦ ହୁଏ ।

ମଜଲିସ୍‌ ସାରି କିଶୋର ଫେରନ୍ତି ଇସ୍କୁଲକୁ । ଟଙ୍ଗ୍‌ ଟଂ ଟଂ ଟଙ୍ଗ୍‌ ବେଲ୍‌ବାଜେ । ବହି ଜାକି, ସିଲଟ କାଖେଇ ପିଲେ ଧାଇଁ ଆସନ୍ତି । ଘଣ୍ଟାକୁ ଅନେଇ ଅନେଇ ଶିକ୍ଷକ ପାଠ ପଢ଼ା ଆରମ୍ଭନ୍ତି ।

ବାରଣ୍ଡାରେ ବସିରହି କିଶୋର ସବୁ ଶୁଣନ୍ତି । ମନରେ ତାଙ୍କର ଆଡ଼ ପୁରୁଣା ଲଣ୍ଠନର ଉପର ପରି କଳା ଜମେ । ହୃଦୟକୁ ଗନ୍ଧେ । ଏମାନେ ହେବେ ପୃଥ୍ୱୀର ଭବିଷ୍ୟତ–ମାନବ ଜାତି !

ଦୁଃଖ ଘାଲେ ।

ମାଷ୍ଟ୍ରେ ଡକା ପାଡ଼ନ୍ତି, ଆରେ ଏ ଗଧ, ଆରେ ଦାମ, ତୁମ କ୍ଲାସର ପିଲାଏ ପଦ୍ୟଟି ମୁଖସ୍ଥ କର । ଆରେ ହେ ଅଗାଧୁ, ତମେ ‘ଦେଖି ଲେଖା’ ଲେଖ ! ହେ, ତମେ ସେ’ ପାଠଟା ପଢ଼-

 

ପାଠ ପଢ଼ା ଚାଲେ–ମା–ରମା–ରମାର ମା ।

 

ଶିକ୍ଷକ ଢୁଳାନ୍ତି ଚଉକିରେ ।

 

ମଫସଲର ପାଠ ।

 

ଘଣ୍ଟା ବାଜେ ।

 

ହେଣ୍ଡିମାରି ଧାଅଁନ୍ତି ସବୁ ପିଲାଏ ।

 

ପାଠ ସରେ ।

 

ସବୁ ଗାଁ ଇସ୍କୁଲର ପାଠ ସରେ ଏମିତିରେହିଁ । ଆଖ ପାଖ ଦଶ ପନ୍ଦର ଖଣ୍ଡ ଗାଁର ପିଲାଙ୍କୁ ମଣିଷ କରିବା ପାଇଁ ସରକାରଙ୍କର ଏହି ଗୋଟାଏ ହିଁ ଅନୁଷ୍ଠାନ ଏଠି । ସୁଶୀଳ ବାବୁଙ୍କୁ ବାଦ ଦେଲେ ଅନ୍ୟ ମାଷ୍ଟ୍ରଙ୍କ ଚଳନୀ ଦେଖି କିଶୋର ବାବୁଙ୍କ ହାଡ଼ କଡ଼ କଡ଼ ହୁଏ । ଦେଶ ଭଲ ହେବ କେମିତି ?

 

ସେହି ଫୁପୁଗାଁ–

 

‘‘ହାସ୍‌’’

 

ଗୋଲାପି ନାଲି ସିଲ୍‌କ ପଣତ ଫେରଟା ମୁହଁ ପାଖରେ ଝୁଲେଇ ଦେଇ ନିର୍ମଳା କିଲ୍‌–କିଲେଇ ହସି ତାସ୍‌ପଟ ପିଟେ।

 

କିଶୋର ଅବାକ୍‌ ହୁଅନ୍ତି, ତାଙ୍କୁ କଣ ସେ’ ହରାଇ ଦେବ ?

 

ତ୍ରିଲୋଚନ ସାହସ ଦେଇ କହେ, ଡରି ଯାଅନ୍ତୁନି କିଶୋର ଭାଇ, ମୁଁ ସେ’ ଚାନ୍‌ସ ତାକୁ ଦେଉନି । ତମେ ଖେଳ !

 

ତ୍ରିଲୋଚନ, ନିର୍ମଳା, ଅନ୍ୟ ଜଣେ ଶିକ୍ଷକ ଓ କିଶୋର । ତାସ୍‌ ଖେଳନ୍ତି ।

 

କିଶୋରର ଇଚ୍ଛା ଥାଏ ନାହିଁ । କିନ୍ତୁ ନିଜେ ନିର୍ମଳା ସୁଶୀଳ ବାବୁଙ୍କ ଘରକୁ ଯାଇ ତାଙ୍କୁ ଟାଣି ଆଣେ । ରାଣ ପକାଇ ଡାକେ ।

 

ନିର୍ମଳା ତ୍ରିଲୋଚନର ସାନ ଭଉଣୀ । ମାଟ୍ରିକୁଲେଶନ୍‌ଯାଏ ପଢ଼ିଚି । ଏ ବି ବାହା ହୋଇନାହିଁ । ବାପା ସଞ୍ଚିଛନ୍ତି ଜମି ବାଡ଼ି, ଭାଇ ଅର୍ଜୁଛନ୍ତି ସମ୍ପତ୍ତି, ବିଳାସରେ ସେ’ କାଟୁଚି ଦିନ । ମଫସଲର ନିସତୁଆ ହାଉଆ ଭିତରେ ଢୁଳେଇ ଢୁଳେଇ ଚାଲିଛି।

 

ଖେଳ ସରେ ।

 

‘‘ଚାଲନ୍ତୁ କିଶୋର ବାବୁ, ଭାତ ବଢ଼ା ହେଲାଣି ।’’ କିଶୋର ଆଉ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ-। ସେ ଜାଣନ୍ତି ନ ଖାଇଲେ ଏମାନେ ଛାଡ଼ିବେ ନାହିଁ । ଖାଇ ବସନ୍ତି । ନିର୍ମଳା ତାଙ୍କୁ ହସାଏ । ତ୍ରିଲୋଚନ ଯୋଗଦିଏ । କିଶୋର ହସନ୍ତି–ମନରେ ଅଦା ରସର ରାଗୁଆ ବାସ୍ନା । ସେ’ ନିତାନ୍ତ ଅନ୍ୟ ମନସ୍କ ହୋଇ ପଡ଼ନ୍ତି ।

 

ରାତି ବଢ଼େ ।

 

ନା ଏ ସବୁ ଦୂର ଆକାଶର ସୂର୍ଯ୍ୟ ତେଜ ଭଳି ଦାଉ ଦାଉ ବନ୍ଧୁତ୍ୱକୁ ଟାଳିବାକୁ ପଡ଼ିବ । ଏ ନୂଆ ମାୟା ମମତାରେ ଗୁନ୍ଥା ଜାଲକୁ ଛେଦିବାକୁ ପଡ଼ିବ ।

 

କିଶୋରଙ୍କ ମୁଣ୍ଡରେ ଚିନ୍ତା ପଶେ । ମତ୍ତ ଆଧୁନିକ ସଭ୍ୟତାର ମୁହଁବାଟେ ନିକାଲି ପଡ଼ୁଥିବା ଫେନ ପରି ଧୋବ ଧାଉଳିଆ ସହରକୁ ତ୍ୟାଗକରି ଆସିଛନ୍ତି କଣ ମଫସଲର ଏଇ ସରାଗ ଦେଖା ନୀରବ ବନ୍ଧୁତ୍ୱ ଭିତରେ ବାନ୍ଧି ହେବାକୁ ? ନୁହେଁ ।

 

ସେ’ ନିର୍ମଳା, ତ୍ରିଲୋଚନ ଆଉ ସୁଶୀଳ ବାବୁଙ୍କ ଆଡ଼ୁ ଭାବନା ବୁଲେଇ ନିଅନ୍ତି । ମନଟା ଖାଲି ହୋଇଯାଏ । ଧୀରେ, ଦୂର ପର୍ବତ ଶିଖରେ ବିଜୁଳି ପରି ନିରୁ ଆସନ ପାତେ । ଛୁଆଟାକୁ କୋଳରେ ଧରି କନ୍ଦାଏ । ତା’ ଆଖିର ଲୁହ ଦାରୁଣ ଭାବେ ରାଗିଣୀ ସର୍ଜନା କରେ ।

 

କିଶୋର ନିତାନ୍ତ ନିଛାଟିଆ ବୋଧ କରନ୍ତି । ମନ ବିକଳ ହୁଏ ।

 

ଟିକିଏ ଯାଏ ।

 

ଅସମ୍ଭବ ଈର୍ଷାର ଖଣ୍ଡା ଧରି ଓହ୍ଲେଇ ଆସେ ରୁଦ୍ର ପ୍ରସାଦ ।

 

କଦଳୀ ପତ୍ର ଉପରେ ବସନ୍ତ ପବନର ତରଙ୍ଗ ପରି ହୃଦୟରେ ତାଙ୍କର ଅସ୍ଥିରତା ଝପଟି ଆସେ । ବଳେ ବଳେ ସେ’ ଏକାଗ୍ରତାର ଆଶ୍ରୟ ନିଅନ୍ତି ।

 

ମନ ବୁଲେ । ଏଇ ଗାଁ ତଡ଼ ପର୍ବତ ସନ୍ଧିରେ ଆରମ୍ଭ ହେବ ତାଙ୍କର ସାଧନା । ସେଠି ସେ’ ସମସ୍ତଙ୍କ କାର୍ଯ୍ୟର ଜବାବ ଦେବେ । ନିର୍ମଳା ହେଉ କି ନିରୁପମା ହେଉ କାହାରି ସମ୍ପର୍କକୁ ସେ’ ସହିବେ ନାହିଁ ।

 

ମନକୁ ମନ ମନରେ ତାଙ୍କର ପ୍ରଶ୍ନର ଛତୁ ଫୁଟି ଉଠେ । ବର୍ଷା ଭିତରେ ଘଡ଼ଘଡ଼ି ପରି, ଜୀବନର ଚଲା ବାଟରେ ଆକସ୍ମିକ ଆଘାତ, ତାଙ୍କ ମନରେ ପ୍ରଶ୍ନର ଉତ୍ତରରେ ଛତୁ ଫୁଟେଇଚି, ଫୁଟେଇ ଚାଲିଚି । ସକାଳ ପାଏ । କିଶୋର ଇସ୍କୁଲ ପଡ଼ିଆରେ ବୁଲୁ ବୁଲୁ ଭାବନ୍ତି–

 

କାହିଁକି ଏମାନଙ୍କ ସହିତ ଘାଣ୍ଟି ହେବେ ସେ ? ନିରୁ ତ ଯାହା କରିଚି । ଦେବତା ଦେବତା ବୋଲି କୋଳରେ ଉଚୁକି ହୋଇ ଦେହର ସରାଗ ଚୁଚୁମି ଚୁଚୁମି ଚିତା କାଟିବାକୁ ବସିଚି । ନିର୍ମଳା ହୁଏତ କାଲି ଦିନ ଦି’ପହରେ କହିପାରେ, ‘‘ଆସ ପ୍ରିୟ, ଆସ, ମୋର ହୃଦୟର ନିରୋଳା କୁଟିରରେ ଆସନ ପାତ ।’’

 

ଗୀତ ଗାଇ ଗାଇ ନାଚି ନାଚି ତାଙ୍କ ଛାତି ଉପରେ ମାଡ଼ି ଚାଲିପାରେ ।

 

ସେ ଉପରକୁ ଚାହୁଁଥିଲେ । ଭାବନାମଗ୍ନ । ଯୋଗ ସାଧୁଛନ୍ତି ଯେପରି ସତେ ।

 

ତ୍ରିଲୋଚନ ଆସିଲା । ସାଙ୍ଗରେ ତାର ଜଣେ ଦେଶ ସେବକ । ଗଲା ଇଲେକ୍‌ସନରେ ପଞ୍ଚାନବେ ଅଧିକା ଭୋଟରେ ନିର୍ବାଚିତ ହୋଇଛନ୍ତି ।

 

ତ୍ରିଲୋଚନ ପରିଚୟ କରେଇ ଦେଲା–ଗଳ୍ପ ଲେଖକ ମାଧବ ବାବୁ । ଏମ.ଏଲ.ଏ.–ଦେଶ ସେବକ ।

 

ହସ ହସ ହୋଇ କିଶୋର କଥାବାର୍ତ୍ତା ହେଲେ । ଅନେକ ବିଷୟ ପଡ଼ିଲା ।

 

ତ୍ରିଲୋଚନ କହିଲା–ମାଧବ ବାବୁ ପିଲାରୁ ସେବକ । ଏଇ ପାଖ ଗାଁରେ ରହନ୍ତି । ଚାଲନ୍ତୁ ଘର ଆଡ଼େ ଯିବା । ବସିବା । ଶୁଣିଲେ କିଶୋର ବାବୁ, ମାଧବ ହେଉଛନ୍ତି ଜଣେ ବିଖ୍ୟାତ ସିନେମା ସମାଲୋଚକ ମଧ୍ୟ ।

 

କଥା ହୋଇ ହୋଇ ସମସ୍ତେ ତ୍ରିଲୋଚନର ବୈଠକ ଖାନାରେ ବସିଲେ । ଚା ବିସ୍କୁଟ ଆସିଲା । ସାଙ୍ଗରେ ନିର୍ମଳା ବି । ସଜ ନଡ଼ିଆ ପାଣିରେ ଫଗୁଗୁଣ୍ଡ ଅଳ୍ପ ପକେଇଲେ ଯେମିତି ଦିଶିବ, ସେମିତି ଦିଶୁଚି ମୁହଁଟା । ଲୋଭନୀୟ । କିଶୋର ସେ’ ଆଡ଼କୁ ଚାହିଁ ମୁହଁ ବୁଲାଇଲେ । ନିର୍ମଳା ବସି ପଡ଼ିଲା । ସେହିତ ତାର ଗର୍ବ । ବୋଧହୁଏ ମଲାଯାଏ ନାରୀଙ୍କର ଏ ପିଲା ବୁଦ୍ଧି ମରେ ନାହିଁ । ଅକାଳେ ସକାଳେ କେହି ଯଦି ଟିକିଏ ନିରେଖି ଦେଖି ଦିଅନ୍ତିତ କଣ ହୋଇଯାଏ ତାଙ୍କର ମନ, ଭଗବାନ ଜାଣନ୍ତି ! ନିର୍ମଳା ଶୀହରି ପଡ଼େ ।

 

‘‘କିଶୋର ବାବୁ, ନିର୍ମଳା ଠାରୁ ଆପଣଙ୍କ ବିଷୟ ଯାହା ଶୁଣିଲି–ଭାବୁଚି ଭଗବାନ ଆପଣଙ୍କୁ ଯଶସ୍ୱୀ କରାଇବା ପାଇଁ ଇଆଡ଼େ ପଠେଇଚନ୍ତି । ହୁଏତ ମୁଁ ବିଶେଷ ଭାବେ ଉପକୃତ ହେବି ।’’

 

ଏମ.ଏଲ.ଏ. ମାଧବ କହିଲେ ।

 

‘‘କାହିଁକି ? କଣ ହେଲା କି ?’’

 

‘‘ମୁଁ ଏଥର ସିନେମା ସମାଲୋଚନା କରିବାକୁ ବେଶୀ ବେଳ ପାଇବି ।’’

 

କିଶୋରଙ୍କର ମନେ ପଡ଼ିଲା, ଏ ସିନେମା ବିଷୟ ସମାଲୋଚନା କରନ୍ତି । କରନ୍ତି ଯେତେ ସବୁ ବାଜେ ଦିଗରୁ । ସାବାସ୍‌ ପାଇବା ପାଇଁ ।

 

ଘରର ନାନା ସମସ୍ୟାରେ ଘାଣ୍ଟି ହୋଇ ଗାଁ କାମକୁ ବେଳ ପାଉନାହିଁ । ଘରର ଅବସ୍ଥା, ଦେଶର ଅବସ୍ଥା ଏବଂ ଅନ୍ତର୍ଜାତିକ ସମସ୍ୟା ଭୀଷଣରୁ ଭୀଷଣତର ହେଲାଣି । ଆପଣ ଏଇ ଗାଁରେ ରହିବାକୁ ଇଚ୍ଛା କରିଛନ୍ତି, ଏତିକି ଯଥେଷ୍ଟ । ହସି ହସି କହିଲେ ମାଧବ ।

 

କିଶୋର ମନେ ମନେ ହସିଲେ, ଏଇମାନେ ଫେର୍‍ ଦେଶର ହର୍ତ୍ତାକର୍ତ୍ତା ।

 

ସକ୍ରୋଧେ ଭାବନା ପଶି ଆସିଲା ମନ ଭିତରକୁ । ତେଣୁ ତ ସମାଜଟା ଆଜି ଧ୍ୱଂସ ହେବା ଉପରେ । ଯେଉଁ ଦେଶର ବ୍ୟକ୍ତିଗତ, ପାରିବାରିକ ତଥା ସମଷ୍ଟିଗତ ଜୀବନ ଆଜି ଘୋର ନୈରାଶ୍ୟ ଧୂଆଁର କୁଣ୍ଡଳି ଭିତରେ ଆଉଟୁ ପାଉଟୁ, ସେ ଦେଶର ନେତା ବ୍ୟସ୍ତ ରହେ ଘର କାମରେ ! ସେ’ ଦେଶର ସିନେମା ଆଲୋଚକ, ଲଙ୍ଗଳା କାମନାକୁ ସାବାସ୍‌ ଦିଏ ।

 

ଅନିଚ୍ଛା ସତ୍ୱେ ସେ’ କହି ପକାଇଲେ, ‘କଣ ଚାହୁଁଛନ୍ତି ମାଧବ ବାବୁ, ତକିଆ ତଳେ ଥୋଇ ଦିଅନ୍ତୁ ଆପଣଙ୍କ ଘରର କାମ ! ଦେଖନ୍ତୁ ନା ପୃଥ୍ୱୀର ବ୍ୟକ୍ତିଗତ ଜୀବନ ଆଜି କଣ ହେଲାଣି ? ଘରେ ଘରେ କିପରି ଅଶାନ୍ତିର ବୀଜ ଗଜରି ଉଠିଲାଣି । ମୁଁ ଆପଣଙ୍କର ଲେଖା କେତେ ପଡ଼ିଚି । କିନ୍ତୁ ଅସଲି ଦିଗଟା ଛାଡ଼ି ଦେଉଛନ୍ତି ।

 

ଛାଡ଼ନ୍ତୁ କିଶୋର ବାବୁ, ତା’ କଣ ଆମ ଦେଇ ସମ୍ଭବ । ଯେ’ ଯାହାର ବୁଝି ବିଚାରି ଆଗେଇ ଆସିବା କଥା । ସାଧାରଣ ଲୋକଙ୍କର ମନକୁ ଚାହିଁ ଲେଖାଲେଖି କରିବାର କଥା–

 

ସତ, କିନ୍ତୁ ନିଜର ଉଚ୍ଚ ଚିନ୍ତା ତ ଅଛି । ହଁ, ବାଟ ଛାଡ଼ିଲେ ସିନା ଯେ’ ଯାହାର ଆଗେଇ ଯାଆନ୍ତେ !

 

‘‘କିଏ ମନା କରୁଚି ?’’

 

‘‘ଆପଣମାନେ ।’’

 

‘‘କଣ କହୁଛନ୍ତି କିଶୋର ବାବୁ ?’’

 

‘‘ଠିକ୍‌କଥା ।’’

 

‘‘ଆରେ ଆପଣ କଣ ପାଗଳ ହେଲେଣି କି ? ଦେଶ ପାଇଁ ବ୍ୟାକୁଳିତ ସବୁବେଳେ ଆମେ । ଆମେ କେଉଁ କାମରେ ବାଧା ଦେଉଚୁ ?’’

 

‘‘ବାଧା ଦେଉ ନାହାନ୍ତି । ଦେଉଛନ୍ତି ପ୍ରସ୍ରୟ ।’’

 

‘‘କାହାକୁ ?’’

 

‘‘ଦୁର୍ନୀତି, ଧପ୍‌ପାବାଜି, ଚୋର ପଣିଆକୁ ।’’

 

‘‘କିମିତି ?’’

 

‘‘ଗୁପ୍ତରେ ନୂଆ ସଭ୍ୟତା ନାରେ ସାମାଜିକ ଆଦର୍ଶକୁ ହତ୍ୟା କରିବାରେ ।’’

 

ମାଧବ ତୁନି ହେଲେ । କିଶୋର ଉଠି ଆସିଲେ ।

 

ସେଠୁ ଫେରି ଆସିଲା ପରେ ମଧ୍ୟ କିଶୋରଙ୍କ ମନରେ ଭାବନା ପହଁରୁ ଥିଲା–

 

ହଁ, ଏଇମାନେ । ଏଇମାନେ ହିଁ ଭାରତୀୟ ସଂସ୍କୃତିର ଧ୍ୱଂସକାରୀ ।

 

‘‘ପରକୁ ନିନ୍ଦା କରିବା ଦୀକ୍ଷାରେ ଲୋକସେବା କରିବା ପନ୍ଥା ଧରି ନାହାନ୍ତି ତ ?’’

 

ହଠାତ୍‌ ମୁହଁରେ ଛିଡ଼ା ହୋଇ ନିର୍ମଳା ପଚାରିଲା । ଆଖି ମଳି ମଳି ଆଶ୍ଚର୍ଯ୍ୟ ହେଲା ଭଳି ଚାହିଁ ରହିଲେ କିଶୋର ।

 

‘‘ନିଜକୁ ଟିକିଏ ସଜେଇ ନିଅନ୍ତୁ କିଶୋର ବାବୁ । ଆପଣଙ୍କ ମୁହଁରେ ପର ନିନ୍ଦା ସାଜେ ନାହିଁ ।’’

 

‘‘ପର ନିନ୍ଦା ?’’

 

‘‘ହଁ, ସମାଲୋଚନାରେ ପର ନିନ୍ଦା–’’

 

‘‘ବେଶ୍‌ । ଶାସନ, ସଭ୍ୟତା, ସମାଜ–ଏ ଗୁଡ଼ାକର ବି କିଛି ଆଦର୍ଶ ନାହିଁ ? ଦୃଢ଼ ନୀତି ନାହିଁ ?’’

 

‘‘କିଏ ନାହିଁ କଲା ?’’

 

‘‘ତା’ ହେଲେ ଯିଏ ଯାହା କରୁ ପାଟି ଫିଟେଇବା ନାହିଁ ।’’

 

‘‘କିଏ ମନା କରୁଚି ?’’

 

‘‘କହୁଚ ପରା ପର ନିନ୍ଦା !’’

 

ନିର୍ମଳା ମୁହଁ ତଳକୁ କଲା । ଓଠରେ ମୁରୁକି ମୁରୁକି ହସ । ତାଙ୍କ ଅଜ୍ଞାତସାରରେ କିଶୋରଙ୍କ ଦିହରେ ଖେଳିଗଲା କମ୍ପନ ।

 

‘‘ବୁଝୁ ନାହାନ୍ତି ହିନ୍ଦୁ ସଂସ୍କୃତିର ବିଶେଷତ୍ୱ କଣ ? ତମେ ପରା ଇତିହାସ ପଢ଼ିଛ ? ମାନବତ୍ୱର ଚରମ ବିକାଶ ସାଧନ କରି ହିନ୍ଦୁ ଧର୍ମ ଆମକୁ ଯାହା ଦେଇଥିଲା, ଯାହା ବଳରେ ସମାଜ ଆମର ଶାନ୍ତିମୟ, ପାରିବାରିକ ଜୀବନ ଆମର ଅତି ପବିତ୍ର ଓ ନିବିଡ଼ ହୋଇ ପାରିଥିଲା, ସେହି ହିନ୍ଦୁ ସମାଜର ନୀତି, ସତୀତ୍ୱ ଓ ମାତୃତ୍ୱର ବନ୍ଧନ ଆଜି ଭାରତୀୟ ନାରୀ ଜୀବନରେ କେତେଦୂର ସତ୍ୟ ? ହିନ୍ଦୁ ସମାଜରେ କେତେଦୂର ବାସ୍ତବ ? ହିନ୍ଦୁ ନାରୀର ସତୀତ୍ୱ, ମାତୃତ୍ୱ ତଥା ସଚ୍ଚା ଗୃହିଣୀ ପଣିଆର କ୍ରମବିକାଶ ଭୁଲି ଯାଇଛ ତମେମାନେ ।’’ ନିର୍ମଳା ଆଖି ଖୋଲି ଚାହିଁଲା ନାହିଁ ।

 

‘‘କଣ ଆଖି ବୁଜିଚ ନିର୍ମଳା ? ଆଖି ବୁଜିଦେଲେ ନିଜକୁ ନିଜେ ଅନ୍ଧାରରେ ପକାଇ ହୁଏ, କିନ୍ତୁ ସତ୍ୟ ରହିଥାଏ ସବୁବେଳେ ଉଜ୍ଜ୍ୱଳରେ । କହୁନ କିଆଁ, ସେଥିପାଇଁ କଣ ଏମାନେ ଦାୟୀ ନୁହନ୍ତି ? ଏଇ ମାଧବ ବାବୁ ପରା ଜଣେ ସିନେମା ଗଳ୍ପ ଲେଖକ ? କହନ୍ତୁ ଦେଖି, ନିଜ ଗଳ୍ପରେ ଏ କି କି ଚିତ୍ର ସବୁ ଜନତାର ଉପକାର ପାଇଁ ଦେଖାନ୍ତି ? କହନ୍ତି ପରା, ଭାରତୀୟ ଚିତ୍ର କଳାର ଉତ୍କର୍ଷ ତାଙ୍କର ଚରମ ଲକ୍ଷ ? କିନ୍ତୁ ତାଙ୍କର ସିନେମାରେ ଏହି ସତୀତ୍ୱ ଓ ମାତୃତ୍ୱର ଗଭୀର ଚର୍ଚ୍ଚା କେଉଁଠି ହୁଏ ? ସେ’ ପରା କଳା ଦିହରେ ନୂଆ ସଭ୍ୟତାର ସଙ୍କେତ ଦିଅନ୍ତି ? କିନ୍ତୁ କି ପ୍ରକାର ସେଟା ?

 

ପ୍ରେମର ମରମ ଚହଲା ତରଙ୍ଗ ଉପରେ ଘଟଣାର ଝଲ୍‌ ମଲ୍‌ ଜାଲ ବୁଣି ମଣିଷର ଦୁର୍ବଳ ପ୍ରବୃତ୍ତିକୁ ଟାଣି ନେବା ଛଡ଼ା କଣ ଥାଏ ବିଶେଷରେ ? କହୁଚ ପର ନିନ୍ଦା ! ଏମିତି ଯଦି ନିନ୍ଦା ନହୁଏ, ଦିନେ କଣ ହେବ ଏ ଦେଶ, ଏ ପୃଥ୍ୱୀ ?’’

 

ନୀରବରେ ବାଁଆରେଇ ହୋଇ ନିର୍ମଳା ଫେରିଗଲା ।

 

ବେଶ୍‌! ଏଇମାନଙ୍କ ସଙ୍ଗରେ ଠିକ୍‌ ଏହି ସମ୍ୱନ୍ଧ ଉତ୍କୃଷ୍ଟ । ଏମିତି ଦି’ ଚାରି ପାନ ଦେଲେ ଆଉ ଦିହ ପାଖରେ ଘଷି ହେବେ ନାହିଁ । କର୍ତ୍ତବ୍ୟରେ ବାଧା ଆସିବ ନାହିଁ ।

 

କିଶୋର ଖୁସି ହେଲେ ।

 

ସେ’ ଭାବୁଥିଲେ, ତାଙ୍କ ସାଧନାର ବିକାଶ ପାଇଁ କିନ୍ତୁ ଲୋଡ଼ା ଏମାନଙ୍କର ସାହାଯ୍ୟ ! ସାହାଯ୍ୟ ଲୋଡ଼ା ବୋଲି ହାଁଜୀ, ହାଁଜୀ କରି ଘସର ଘସର ହେବେ କାହିଁକି ? ଆପଣେ ଯଦି ଠିକ୍‌ ଥିବେ, ବଳେ ବଳେ ସାହାଯ୍ୟ କରିବାକୁ ଶତ୍ରୁବି ବାହାରି ପଡ଼ିବେ ।

ମଧ୍ୟାହ୍ନ–

ଘରଟାକୁ ସଜଡ଼ା ସଜଡ଼ି କରିବାକୁ ଇଚ୍ଛା ହେଉ ନଥାଏ । କାଲିଠୁ ଜର ଦେଲା ପରି ଲାଗୁଚି । ନୂଆ ଘରକୁ ଆସି କେତେ ନୂଆ ଚିନ୍ତା ଦେଖା ଦେଉଚି ମନ ରାଇଜରେ । ଶୁତ୍ରୀକି ପଠେଇ ନିରୁ ଖବର କାଗଜ ମଗେଇଲା । କେଉଁଠୁ ହେଲେ ସମ୍ୱାଦ ପାଇବ ପରା ! ନିତି ସେ’ କାଗଜ ପଢ଼େ । ପ୍ରତି ସ୍ତମ୍ଭକୁ ନିରେଖି ନିରେଖି ଦେଖେ । କାହିଁ ? କେଉଁଠି ରହିଲେ ସେ ?

ଦେହ ଶୀତେଇ ଉଠୁଛି । ବାରମ୍ୱାର ଆସୁଚି ହାଇ । ସେ’ ଯଦି ଥାଆନ୍ତେ ? ଏହି ମଳିଆ ଲେପଟିଲା ପରି ନ ହାତ ଲମ୍ୱର ବଖରା ଖଣ୍ଡକରେ ଆଉଟୁ ପାଉଟୁ ହେଉଥାନ୍ତା ସେ ?

ଏକୁଟିଆ ସେ’ ବସି ରହେ । ଦିନ ସରେ ନାହିଁ । କିଶୋର ମନେ ପଡ଼ନ୍ତି । ମନେ ପଡ଼େ ସେ ଦିନର ଘଟଣା, ଯା’ ଫଳରେ ତା’ ଭାଗ୍ୟ ପଥରେ ଦେଖା ଦେଇଛି; ଅଦିନିଆ ଝଡ଼, ବତାସ; ତୋଫାନ ହୋଇଚି ଆରମ୍ଭ !

ରୁଦ୍ର ପ୍ରସାଦ ବି ମନେ ପଡ଼େ । ସେ’ ଯେମିତି ସବୁବେଳେ ତା’ ପଛ ପଛ ଗୋଡ଼େଇଚି-। ତୋଳି ନେବା ପାଇଁ ହାତ ବଢ଼ଉଚି ।

ଶୀହରି ଉଠେ ନିରୁପମା ।

ସେ ଦିନ ଏକୁଟିଆ ବସି ବସି ତାକୁ ବଡ଼ ବିରକ୍ତ ଲାଗୁଥିଲା । ଶୁତ୍ରୀକି ପଠେଇଲା ସରସୀକି ଡାକି ଦେବା ପାଇଁ । ଫେରି ଆସି ଶୁତ୍ରୀ କହିଲା, ‘‘ମା ତାର ମନା କଲେ । କହିଲେ, ଯା’ ନା ସେ’ ଦୋଚାରୁଣୀର ଘରକୁ ।’’

ହାୟ ! ନିରୁର କପାଳ ତାତି ଉଠିଛି । ଜର ବଢ଼ିଚି । ଶେଯକୁ ଲାଗିଯାଇ ସେ ବୁଡ଼ି ଯାଉଚି ଚିନ୍ତାରେ ।

ପିଲାଟି ଛାତି ତଳେ ଝୁଣି ହେଉଚି ସେମିତି । ପୁଙ୍ଗୁଳା ଦେହରେ ତାର ହାତ ବୁଲେଇ ଆଣି ଆତୁର ଆଖିରେ ଚାହୁଁଛି ।

ହା ଭଗବାନ ! ଶେଷରେ ଏଇୟା ଶୁଣିବାକୁ ଥିଲା !

ମାସ ପୁରି ଆଗେଇ ଚାଲିଚି ପକ୍ଷ–

ଫୁପୁଗାଁର ମିଶାମିଶି ପ୍ରାୟ ଆଠ ଶହ ଲୋକଙ୍କ ଭିତରେ କିଶୋର ବାବୁ ଏ ପଟ ସେ ପଟ ହେଉଚନ୍ତି । ଗାଁ–ଘଞ୍ଚ ଭାରତର ଏହି ମଣିଷମାନଙ୍କ ପ୍ରତ୍ୟେକ କିସମର ଜୀବନକୁ ବିଶ୍ଳେଷଣ କରି କରି କିଶୋର ଭାବି ଚାଲିଛନ୍ତି; ଭବିଷ୍ୟତ ? ନିଜର, ଦେଶର, ସମାଜର ସଭ୍ୟତା ଓ ଜଗତର ଭବିଷ୍ୟତ ?

ଗୋଟି ଗୋଟି କରି ଫୁପୁଗାଁର ପ୍ରତି ଜୀବନୁ ଅନୁଭୂତି ଭିତରେ ଟିପି ରଖୁଛନ୍ତି ।

ଏହି ଗାଁର ପୁଅ ତ୍ରିଲୋଚନ–ଗରୀବ ନୁହେଁ । ଥିଲା ଘରର ପୁଅ । ଚଲା ବୁଲା ଆଉ ଖିଆ ପିଆକୁ ପାରିଲା ଭଳି ମଣିଷ ହୋଇ ମା କାଖରୁ ଓହ୍ଲେଇଲା ଦିନୁ ଦଉଲତ ଆଡ଼ମ୍ୱର ଭିତରେ ଦିନ କାଟିଛି । ବଡ଼ ଘର ପୁଅ, ଊଣା ବୟସରୁ ପାଠ ପଢ଼ା ଆରମ୍ଭ କରିଚି । କେବେ ଜାଣି ନାହିଁ, ପାଠ ପଢ଼ା ଗୋଟାଏ ସାଧନା । ସେ’ତ ଅନୁଭବ କରୁଥିଲା, ଚହଟ ଚିକ୍କଣ ହୋଇ, ସାହେବୀ ପୋଷାକ ପିନ୍ଧି ଇସ୍କୁଲ ଯିବା, ମୁଣାରେ କଲମ ଖୋସିବା, ଜୋତା ପିନ୍ଧିବା ଗୋଟାଏ ସୌଖିନ୍‌। ପାଠ ପଢ଼ା ଗୋଟାଏ ବିଳାସ । ସେହି ଦୃଷ୍ଟିରୁହିଁ ବଡ଼ ହେଲା ପର୍ଯ୍ୟନ୍ତ ସେ’ ପାଠ ପଢ଼ିଥିଲା ।

ପଇସା ଅଛି ବୋଲି ବାପା ତ୍ରିଲୋଚନକୁ ସହରକୁ ପଠେଇ ପାଠ ପଢ଼େଇ ଥିଲେ ।

କି’ ପାଠ ?

ତ୍ରିଲୋଚନ ପାଠ ପଢ଼ିଲା ସହରରେ–ଗାମୁଛା ପିନ୍ଧା ଛାଡ଼ି ଆଣ୍ଠୁଏ ଜଘିଂଆ ପିନ୍ଧିଲା । ତା’ପରେ ଲେଡ଼ିକି ଲମ୍ୱିଲା ଭଳି ମୁଣା । ପାନ ଛାଡ଼ି ସିଗାରେଟ ଖାଇଲା । ସିନେମା ଦେଖି ସେ ଦେଶର ଆଚାର ଶିଖିଲା ।

ପଖାଳ ଛାଡ଼ି ଚାହା, କରିଆ ଛାଡ଼ି ଲୁଙ୍ଗି, ଠିଆ ଠିଆ ଏକ ଯିବା, ନିଜ ଜାତି ଓ ସମାଜ ପ୍ରତି ଅନାସ୍ଥା ଭାବ ଦେଖେଇବା ।

ତ୍ରିଲୋଚନ ବ୍ରାହ୍ମଣ ପିଲା । ପାଠ ପଢ଼ି ତାର ଆଶ୍ଚର୍ଯ୍ୟ ଉନ୍ନତି ହୋଇଚି । ଦି’ ହଜାର ଟଙ୍କା ଖର୍ଚ୍ଚ କରି ଦଶ କର୍ମରେ ଶୁଦ୍ଧ କରାଇ ବାପା ତାକୁ ବ୍ରତ ବେଦୀରେ ଯେଉଁ ପଇତା ଖିଏ ପକାଇ ଅଶ୍ରୁ ଆକୁଳ ଆଖିରେ ପିତୃତ୍ୱର ଚରମ ଗୌରବ ଲଭିଥିଲେ, ପାଠ ପଢ଼ି ସେହି ପଇତାଟିକୁ ତ୍ରିଲୋଚନ ଟିକିଟିକି କରି ଛିଣ୍ଡାଇ ଦେଇଛି । ସବୁ ନୈଷ୍ଠିକ କର୍ମ ପଦ୍ଧତିକୁ ନିର୍ମମଭାବେ ଅବମାନନା କରି ଚାଲିଚି । ବ୍ରାହ୍ମଣର ସନ୍ଧ୍ୟା ଜପ, ଓଁକାର ଫୋକାର ସବୁ ଫନ୍ଦିକୁ ସେ’ ଜଳାଞ୍ଜଳି ଦେଇ ସରଳ ଜୀବନ ଆରମ୍ଭ କରିଚି ।

ସରଳ ଜୀବନ !

କିଶୋର ଭାବୁଚନ୍ତି । ବର୍ବରତା ଆଉ କେଉଁଟା ? ଯେଉଁମାନେ ନିଜର ସମାଜର ସହସ୍ର ସହସ୍ର ବର୍ଷର ଅଭିଜ୍ଞତାରେ ସମୃଦ୍ଧ ପରମ୍ପରାକୁ ନ ବୁଝି ହଠାତ୍‌ ପରର ନୀତିରେ ପ୍ରଭାବିତ ହୋଇ ପଡ଼ନ୍ତି ସେମାନେ ମୂଳଟାକୁ ଛାଡ଼ି ଚୋପା କାମୁଡ଼ନ୍ତି । ଏଇତ ଦ୍ରୁତ ଉନ୍ନତି ସେହିମାନଙ୍କର !

ଦପ୍‌ ଦପ୍‌ ହୋମାଗ୍ନୀରେ ସନ୍ତୁଳି ହୋଇ ଦଶ କର୍ମରେ ଛୁଆଙ୍କୁ କାହିଁକି ବ୍ରତ କରାହୁଏ ? ପଇତା କାହିଁକି ?

ଛ’ ଖିଅ ପଇତା ।

ନ’ ଖିଅ ପଇତା । ପେଣ୍ଡାଏ ସୁତା ।

ହଗି ବସିଲେ କାନକୁ ଫାସି ।

ଏକ ବସିଲେ କାନରେ ପଇତା ।

ପାଟି ବନ୍ଦ–

ଠିଆ ହୋଇ ମୁତିଲେ ମହାପାପ !

ଏ ସବୁ କଣ ଏବଂ କାହିଁକି ?

କେଉଁ ପାଠଟି ହୁଏତ ଆଜି ତ୍ରିଲୋଚନକୁ ଜବାବ ଦେଇ ନାହିଁ; ତେଣୁ ସେଇ ପାଠ ପଢ଼ି, ଯେଉଁ ପ୍ରଥାଟା ତାକୁ ସନ୍ତୋଷ କଲା ନାହିଁ, ସେଟାକୁ ସେ’ ପରିତ୍ୟାଗ କରି ଚାଲିଚି ।

ଦୋଷ କାହାର ?

ତ୍ରିଲୋଚନର ନା ଶିକ୍ଷାର ?

ତେଣୁ ତ୍ରିଲୋଚନ ଏପରି ? ବର୍ବର । କିଶୋର ବାବୁଙ୍କ ମଥା ରାମ୍ପି ହୋଇ ଯାଉଛି ।

ଭଗବାନ, ବୁଦ୍ଧି ଦିଅ ! ଏ ସବୁର ଆଶୁ ପ୍ରତିକାର ପାଇଁ ପନ୍ଥା ଦେଖାଅ !

ସେ’ ମନେ ମନେ ହାତଯୋଡ଼ି ପ୍ରାର୍ଥନା କରୁଥିଲେ ।

ଚଳିତ ଶିକ୍ଷା ପଦ୍ଧତି ବିରୁଦ୍ଧରେ ମନ ତାଙ୍କର ବିଲେଇ ମାଛ ମୁଣ୍ଡ ଝୁଣିଲା ପରି ଝୁଣି ହୋଇ ଯାଉଚି । ସେ’ ଚିନ୍ତା ଭିତରେ ଯୋଜନା କରୁଛନ୍ତି । ଜରୁର ବଦଳେଇବେ ସେ’ ଏ ହୀନ ଶିକ୍ଷା ପଦ୍ଧତିକୁ । ଆଦର୍ଶ ଦେଖେଇ ଦୁନିଆର ଆଖି ଖୋଲି ଦେବେ । ଶିକ୍ଷାହିଁ ମାନବ ଜୀବନର ଚରମ ବିକାଶର ଆଧାର । କିନ୍ତୁ ଶିକ୍ଷା ପଦ୍ଧତି ଏପରି ନୁହେଁ । ତାହା ଭିନ୍ନ । ନିତାନ୍ତ ଭିନ୍ନ ଧରଣର-

ଯେଉଁ ପଦ୍ଧତିରେ ଶିକ୍ଷାର ପ୍ରତ୍ୟେକ ନୀତି ଓ ଉଦ୍ଦେଶ୍ୟ ମଣିଷର ପ୍ରତି ତନ୍ତ୍ରୀରେ ରେକର୍ଡ ହୋଇ ରହିଯାଉ ଥିବ, ସେଟାହିଁ ହେବ ତା’ ଜୀବନ ଯାପନର ମୁଖ୍ୟ ଅବଲମ୍ୱନ; ସେପରି ଶିକ୍ଷା ସେ’ ପ୍ରବର୍ତ୍ତନ କରେଇବେ । ନିଜେ ଆରମ୍ଭ କରିବେ ଶିକ୍ଷାଦାନ । ଫଳାଫଳ ଯାଚି ଦେବେ ଶତାବ୍ଦୀର ହାତରେ !

କିଶୋର ବାବୁଙ୍କୁ ଦାଣ୍ଡରେ ଦେଖି ଏଣିକି ଗାଁ ଲୋକେ ଆଉ ଡବ ଡବ ଆଖିରେ ଅନାନ୍ତି ନାହିଁ । ବର୍ତ୍ତମାନ ସେ’ ଗାଁ ଲୋକ ହୋଇ ଗଲେଣି ।

କିଶୋର ଦାଣ୍ଡ ମଝିରେ ଚାଲି ଯାଉଥିଲେ ।

ସନ୍ଧ୍ୟା ଲଇଁ ନଥିଲା ।

ପୁଅର ମୁଣ୍ଡରେ ତେଲ ଟିକିଏ ଘସି ଘସି ବସିଥିଲା ନିରୁ ।

କବାଟ ପେଲେଇ ପଶି ଆସିଲା ସୁଷମା । ତାରି ପଛେ ପଛେ ସାମ୍ୱାଦିକ ବିନାୟକ ବାବୁ । ଠିଆ ହୋଇପଡ଼ି ନିରୁ ତାଙ୍କୁ ନମସ୍କାର କଲା ।

 

ସୁଷମା କହିଲା, ‘ନିରୁ, ତୁମ ଦୁଃଖରେ ମୁଁ ବିଶେଷ ମର୍ମାହତ । ମୁଁ ଭାବେ, କୌଣସି ଗୋଟାଏ ଗୁପ୍ତ କାରଣରୁ କିଶୋର କେଉଁଠି ଆତ୍ମଗୋପନ କଲେ । ହେଲେ ତୁମ କଥା ଟିକିଏ ତାଙ୍କର ଭାବିବା ଉଚିତ ଥିଲା ।’

 

–ଛାଡ଼ନ୍ତୁ ! ଦୀର୍ଘ ନିଶ୍ୱାସ ପକେଇ ନିରୁ ତୁନି ହେଲା ।

 

–ସତେ ନିରୁ । ନାରୀ ଜାତି ପ୍ରତି ପୁରୁଷମାନଙ୍କର ଏହି ଅତ୍ୟାଚାର ଯୁଗେ ଯୁଗେ ଆମ୍ଭମାନଙ୍କୁ ନିଷ୍ପେଷିତ କରି ରଖିଚି ।

 

–କୁଆଡ଼େ ଚାଲି ଆସିଲେ ଯେ । ବସନ୍ତୁ ।

 

ସାମ୍ୱାଦିକ କହିଲେ, ‘‘ବର୍ତ୍ତମାନ ଶ୍ରୀମତୀ ସୁଷମା ଦେବୀଙ୍କ ଉଦ୍ୟମରେ ଏଠି ଗୋଟାଏ ‘ନାରୀ ସେବା ସଦନ’ ପ୍ରତିଷ୍ଠା କରାଯାଉଛି । ମୁଁ ତହିଁର ଅର୍ଗନାଇଜର । ଆମେ ପ୍ରସ୍ତାବ କରିଚୁ ଯେ, ଆପଣଙ୍କୁ କାର୍ଯ୍ୟନିର୍ବାହିକା ସମିତିରେ ରଖିବୁ ।’’

 

ଉଦ୍ଦେଶ୍ୟ କିଛି ବୁଝି ପାରିଲା ନାହିଁ ନିରୁ । କହିଲା, ‘‘ଧନ୍ୟବାଦ । କିନ୍ତୁ କ୍ଷମା କରିବେ । ବର୍ତ୍ତମାନ ମୁଁ ସେ’ କାମକୁ ପାରିବି ନାହିଁ । ଛୋଟ ପିଲାଟି ସଙ୍ଗରେ ଧରି କଣ କରିବି ମୁଁ । ସୁଷମା ଦେବୀ, କଣ ଭାବୁଛନ୍ତି ? ଦେଖନ୍ତୁ ମୋର ଅବସ୍ଥା, ଆପଣମାନେ କାମ ଆରମ୍ଭ କରନ୍ତୁ । ବଳେ ମୁଁ କାମ କରିବି ।’’

 

ଟିକିଏ ବସି ଦୁହେଁ ଚାଲିଗଲେ । ନାରୀ ସେବା ସଦନ ! ପଙ୍ଗତ ପକେଇ ବସିବ ସୁଷମା !

 

ନିରୁ ଚକିତ ହେଲା । ପ୍ରକୃତରେ ଆଜିକାଲି ଦୁନିଆରେ ବିଜୟ ହୁଏ ଏମାନଙ୍କର ।

 

ଯେ ଚାହେଁ କାୟିକ ଓ ମାନସିକ ନିଷ୍ଠା, ସମାଜରେ ତା’ ପାଇଁ ଧାରଣା ହୁଏ ଭିନ୍ନ ରକମର । ତଥାପି ବୁଝୁଚି କିଏ ?

 

ମନ ଦୁଃଖରେ ନିରୁ ପଡ଼ି ରହିଲା ।

 

କିଶୋର ବାବୁ ତର ତର ହୋଇ ଗାଧୋଇବାକୁ ଚାଲି ଯାଉଥିଲେ ।

 

‘‘ମୋ’ କଥା ରଖନ୍ତୁ । ତେଲ ନ ଲଗେଇ ଗାଧୁଆନ୍ତୁ ନାହିଁ ।’’ ସୁଶୀଳ ଅନୁରୋଧ କଲେ-

‘‘କଣ ହେଲା ?’’

‘‘କିଛି ନାହିଁ ଯେ । ଟିକିଏ ମାଳୁଆ ଯାଗାନା, ପାଣି ଧରିପାରେ ।’’

‘‘ଦୁଃଖର କଥା, ଗୋଟାଏ ଶୁଣା ଧାରଣା ଉପରେ ବିଶ୍ୱାସ ରଖି ଆପଣ ବି ମାଳୁଆ ଯାଗା କହୁଚନ୍ତି ?’’

ସୁଶୀଳ ଘର ଭିତରକୁ ଚାଲିଗଲେ । କିଶୋର ପିଣ୍ଢା ଉପରକୁ ଆସି ତେଲ ଘଷିହେଲେ-। ଘସିଲା ତେଲର ଉଜ୍ଜ୍ୱଳ ଛାଇ ଉପରେ ହଠାତ୍‌ ଠିଆ ହୋଇ ଯାଉଛି ନିରୁପମା–

ସୁନ୍ଦର ଦେହ । ନିତି ସେ ତେଲ ଘଷି ହୁଏ । ସୁନା ପରି ରଙ୍ଗ ଆଉ କେତକୀ ପରି ବାସ୍ନା, ହଳଦୀ ପରି ଶୀତଳ ସେ’ ଦେହରେ ଚକଟି ହୋଇ ଟେଳା ଟେଳା ହୋଇ ଯାଇଛି । ବିଶ୍ୱାସଘାତକୀ ! ସେ’ କଣ ନାରୀ ? ପତ୍ନୀ ହେବାର ଯୋଗ୍ୟ ସେ ?

ଯେଉଁ ମଣିଷର ସାମାଜିକ ପ୍ରତିଷ୍ଠା ନାହିଁ, ଯେଉଁ ନାରୀର କର୍ତ୍ତବ୍ୟ ନିଷ୍ଠା ନାହିଁ, ସେ’ କଣ ସଂସାର ସୁଖ ପାଇଁ ଯୋଗ୍ୟା ? କେବେ ନୁହେଁ । ସେମାନଙ୍କୁ ଏପରି ଶାସ୍ତି ଦେବା ଉଚିତ, ଯହିଁରେ କି ଚିର ଜୀବନ ଅନୁତାପ କରୁଥିବେ ।

ଠିକ୍‌ ଶାସ୍ତି ସେ’ ଦେଇଛନ୍ତି ତ ?

କହି ନାହାନ୍ତି, ପୁଚ୍ଛି ନାହାନ୍ତି, ଛାଡ଼ପତ୍ର ଦେଇ ନାହାନ୍ତି କି ପରିତ୍ୟାଗ କରି ନାହାନ୍ତି । ଚାଲି ଆସିଛନ୍ତି । କ’ଣ କରିଛନ୍ତି ସେ ? ଯାହା କରିଛନ୍ତି, ଠିକ୍‌ ହୋଇଚି ?

 

ଆଉ କଣ କରନ୍ତେ ? ହାତ ଧରି ପରା ସାରା ଜୀବନ ପାଇଁ ସୁଖରେ ସଂସାର କରିବାକୁ ବାହା ହୋଇଥିଲେ ? ଗୋଟାଏ ଜୀବନ ବନ୍ଧନ–ଆତ୍ମାକୁ ଆତ୍ମାରେ ଛନ୍ଦି ସୃଷ୍ଟିର ଅନନ୍ତ ଲୀଳାରେ ନିଜକୁ ହଜେଇ ଚାଲିଥିଲେ ।

 

ଏତେ ସହଜେ ସେ’ ବନ୍ଧନଟାକୁ କତୁରି ଦେଇ ପାରିବେ ? ନିଶ୍ଚୟ ପାରିବେ । ତଥାପି....

 

ନିରୁପମା ମରି ଯାଆନ୍ତା କି–ତାକୁ ସାପ ମାରି ଗଡ଼େଇ ଦିଅନ୍ତା କି !

 

ଇସ୍‌ ! କଣ ଭାବୁଚନ୍ତି ସେ ? ମନରେ ଦୁର୍ବଳତାର ସହଜ ରାଜୁତି !

 

କଣ ହୁଅନ୍ତା ? ଏମିତି ଗୋଟି ଗୋଟି ହୋଇ ଯେତେ ଦୂରାଚାରିଣୀ ସବୁ ମରିଗଲେ ଭଲ ବୋଲେଇ ହେବାକୁ ରହନ୍ତା କିଏ ?

 

ଏମାନଙ୍କୁ ବାଟକୁ ଆଣିବାକୁ ହେବ । କଣ ଆଣିବେ ଆଉ ? ଥରକର ହୀନ ସ୍ପର୍ଶରେ କ୍ରିୟା ଭ୍ରଷ୍ଟ ହୁଏ ପରା ? ସେ’ ଭ୍ରଷ୍ଟ କ୍ରିୟାକୁ ଏବେ ଆଉ ବାଟକୁ ଆଣି ହେବ ? ଲୋକେ ହସିବେ । ତାଳି ଦେଇ ଗୀତ ଯୋଡ଼ିବେ ।

 

ଆଉ ?

 

ଥାଉ । ଯାହା ହେବ । ସେ’ ଠିକ୍‌ କରିଛନ୍ତି !

 

ପିଲାଟି ! ବଡ଼ ହେବ । ପାଠ ପଢ଼ିବ, ତାଙ୍କରି ପରି ଅବା ହୁଏତ କଲେଜରେ ନା ଲେଖେଇ ପାଠ ପଢ଼ିବ, ରୁଦ୍ର ପ୍ରସାଦ ପରି । ସବୁ ଅନିଶ୍ଚିତ ।

 

ଓଃ ଖାଲି ଶିଶିଟାକୁ ପାପୁଲିରେ ଥପ ଥପ ମାରି ତେଲ ନିଗାଡ଼ୁଛନ୍ତି । ବିରକ୍ତ ଲାଗିଲା । କିଶୋର ଗାଧୋଇ ଗଲେ ।

 

ଖାଇ ବସିଥିଲେ ।

 

‘‘ଶୁଣିଲେ ସୁଶୀଳ ବାବୁ ?’’

 

‘‘କଣ ?’’

 

‘‘କାଲି ମୋତେ ବିଦାୟ ଦେବେ । ଆପଣଙ୍କୁ ବହୁତ ବ୍ୟସ୍ତ କଲିଣି ।’’

 

ରନ୍ଧାଶାଳ ଭିତରୁ ଜବାବ ଆସିଲା–

 

‘‘ଆମକୁ କଣ ଏତେ ପର ମନେ କରନ୍ତି ନା ଅନ୍ୟମାନଙ୍କ ପରି ନିଷ୍ଠୁର ଭାବିଛନ୍ତି ? ପରତ ନୁହଁ । ମୁଁ କଣ ଜାଣେ ନାହିଁ ଆମରି ଗାଁର ଆମରି ଘରର ଛୁଆ ବୋଲି ? ବିଚରା ପିଲାରୁ ମା ବାପାଙ୍କୁ ହରେଇ । ଓଃ ସେ ଦୁଃଖ ଚୋର ଚଣ୍ଡାଳଙ୍କୁ ନଥାଉ । ଆଉ ଆପଣାର ବୋଲି କେହି ଅଛନ୍ତି କି ? ଆସିଛନ୍ତି ତ, ଘର ପିଲା ଘରେ ରହିବେ । ପାଠ ପାଠ ବୋଲି ବିଦେଶରେ ପାଟି ଚାପି ପଡ଼ିଥିଲେ । କାଞ୍ଜିକି ତୋରାଣି ଟିକିଏ ସାତ ସପନ । ମନା କରନ୍ତୁନି; ରହନ୍ତୁ ଦିନା କେତେ ।’’

 

‘‘ମୋର କିଛି ଆପତ୍ତି ନଥିଲା । କିନ୍ତୁ କର୍ତ୍ତବ୍ୟ । ଜୀବନଟାକୁ ଟେକା ଟେକା କରି ଜୀଆଇଁ ରଖିବାକୁ ପଡ଼ିବ ।’’

 

‘‘ସତେ କିଶୋର ବାବୁ, ମଞ୍ଜୁ ବୋଉ ଆମର କହୁଥିଲେ, ଏଣିକି ବାହା ଚୂଡ଼ାର ପ୍ରସ୍ତାବ କରନ୍ତୁ । ବୟସ କଣ ଆଉ ଆଉଚି ? ଏମିତି ସମୟରେ ବାଡ଼ୁଅ ସଂସାର ସୁନ୍ଦର ଦିଶେ ନାହିଁ ।’’

 

କିଶୋର ଥମକି ଗଲେ । ଭାତ ଗୁଣ୍ଡା ଅଟକି ଗଲା ।

 

ବିବାହ ! ବିବାହ କରିଚନ୍ତି ବୋଲି ଜାଣନ୍ତି ନାହିଁ ଏମାନେ ? ଭଲ ହୋଇଚି । କିନ୍ତୁ–

 

‘‘ଦୁଃଖ କରିବେ ନାହିଁ ସୁଶୀଳ ବାବୁ, ବିବାହ ନ କରିବାହି ଶ୍ରେୟ ମନେ କରୁଚି ।’’

 

‘‘ଆପଣ ପରା ସୁଶିକ୍ଷିତ ? ସଂସାର କରିବେ ନାହିଁ ? ତେବେ ଅନ୍ୟମାନଙ୍କୁ ଆଦର୍ଶ ଦେବ କିଏ ?’’

 

‘‘କି ଆଦର୍ଶ ?’’

 

‘‘ପବିତ୍ର ଗାର୍ହସ୍ଥ୍ୟ ଜୀବନ ଯାପନର ଉଚ୍ଚ ଆଦର୍ଶ ।’’

 

‘‘ଆଦର୍ଶ ! କିଶୋର ମନେ ମନେ ହସିଲେ । ଆଦର୍ଶ ତ ଖୁବ୍‌ ଦେଖେଇ ସାରିଚି । ନିରୁପମା ପରି ଶିକ୍ଷିତା ସ୍ତ୍ରୀକୁ ବାହା ହୋଇ ଯଥେଷ୍ଟ ଆଦର୍ଶମୟ ଜୀବନ ବିତେଇଚି ! ଆଉ କି’ ଆଦର୍ଶ ?

 

‘‘ଆଦର୍ଶ ତ ଅନେକ ରହିଚି ସୁଶୀଳ ବାବୁ । ଯଥା–ରାମ–ସୀତା, ରାବଣ–ମନ୍ଦୋଦରୀ, ଚନ୍ଦ୍ର–ରୋହୀଣୀ ଇତ୍ୟାଦି ।’’

 

‘‘ଛାଡ଼ନ୍ତୁ । ସେ ସବୁକୁ ଆଜି ଆଉ ପଚାରୁଛି କିଏ ? ଦେଖିଲେଣି ନା, ଆଜି କାଲି ଆଦର୍ଶ ବିନା ପୁଅ ଝିଅ ଗୁଡ଼ାକ କିମିତି ଖରାପ ହୋଇ ଯାଉଛନ୍ତି ।’’

 

‘‘କଣ କରାଯାଏ ?’’

 

‘‘ଏଇ ଗାଁର କଥା ଦେଖନ୍ତୁ । ସେହି ଯୁ’ ତ୍ରିଲୋଚନର ଘରକୁ ଲାଗି ଘରଟା । ଟିକିଏ ଗରୀବ, ବିଧବା ସ୍ତ୍ରୀଟିଏ । ଆଉ କେହି ବୋଲି କେହି ନାହିଁ । ଗୋଟିଏ ବୋଲି ପୁଅ । କେତେ କଷ୍ଟରେ ବିଚାରୀ ଧାନ କୁଟା କୁଟି କରି ପୋଷିଲା, ପାଳିଲା । ବ୍ରତ କରେଇଲା । ବାହା ବି କରେଇ ଦେଲା ।’’

 

‘‘ବେଶ୍‌, ଖୁବ୍‌ଭଲ କରିଚି ।’’

 

‘‘ଆରେ ଶୁଣନ୍ତୁ ନା, ପିଲାଟିର ବୟସ ବର୍ତ୍ତମାନ ବାଇଶି । ବାହା ହୋଇଚି । ମାଇ ପିଲାଟି ଗୃହଯୋଗ୍ୟା ହୋଇ ବାପ ଘରେ ଅଛି ।’’

 

‘ହୁଁ’

 

‘‘ଏ ଚଣ୍ଡାଳ କଣ କରିଚି ନା, ଆର ଗାଁର ଖ୍ରୀଷ୍ଟାନ ଟୋକୀ–ନର୍ସଟାର ଘରେ ରହୁଚି । ଏଣେ ମା ପଡ଼ିଛି ଆଖିରୁ ଲୁହ ଗଡ଼େଇ । ତେଣେ ବାହା ହୋଇଚି । ବଦମାସ୍‌କୁ ଯେତେ ବୁଝେଇଲେ ବୁଝୁ ନାହିଁ । ତା’ ପାଖରୁ ଆସୁ ନାହିଁକି ବିବାହିତା ସ୍ତ୍ରୀକୁ ଆଣୁ ନାହିଁ ।’’

 

‘‘କଣ କହିଲେ ସୁଶୀଳ ବାବୁ, ସେ’ ନର୍ସ ତାକୁ ରଖିଚି ନା ନର୍ସକୁ ରଖିଚି ଇଏ ।’’

 

‘‘ନର୍ସ ପରା ରଖିଚି ୟା’କୁ । କଣ ଅଛି କି ଆଉ ? ଘର ନା ଦ୍ୱାର ? ପାହୁଲାଟେ ଅର୍ଜିବାକୁ ତାକତ୍‌ ନାହିଁ ।’’

‘‘ଦୁନିଆ ବଦଳିଲାଣି ସୁଶୀଳ ବାବୁ ।’’

 

‘‘ମୁଁ କହୁଚି କଣ ? ଏଇ ଯେ ଲୋକମାନେ ପବିତ୍ର ଗାର୍ହସ୍ଥ୍ୟ ଜୀବନକୁ ଭୟ କଲେଣି, ତାଙ୍କୁ ଉଚ୍ଚ ଆଦର୍ଶ ଦେଖେଇ ସମାଜ ଭିତରକୁ ଟାଣି ଆଣିବାକୁ ହେବ ।’’

 

‘‘ଠିକ୍‌କହିଛନ୍ତି । କିନ୍ତୁ ଆଦର୍ଶ ଦେଖେଇବାକୁ ଯାଇ ଉପସ୍ଥିତ ସଭ୍ୟତାର ବାସ୍ତବ ଘଣା ଭିତରେ ନିଜ ଆତ୍ମାଟା ପେଷି ହୋଇ ନ ଗଲେ ତ....’’

 

‘‘କଣ କିଶୋର ବାବୁ, ଡରୁଆ ଲୋକ ପରି କଥା ଗୁଡ଼ା କହୁଛନ୍ତି । ଯିଏ ସଚ୍ଚୋଟ, ସାଧନା ରତ, ତାକୁ ବାସ୍ତବତା ଦବେଇ ଦେଇ ପାରିବ ? ଆପଣ ପରୀକ୍ଷା କରନ୍ତୁ ।’’

 

କିଶୋର ତୁନି ହେଲେ । ମନ କହିଲା ମନରେ, ‘‘ଖୁବ୍‌ ପରୀକ୍ଷା କରିଚି । ହାତେ ହାତେ ଫଳାଫଳ ବି ପାଇଚି ।’’

 

‘‘କିଛି ଜବାବ ଦେଲେ ନାହିଁ ଯେ !’’

 

ହାତ ଧୋଉ ଧୋଉ ପଚାରିଲେ ସୁଶୀଳ ।

 

‘‘ଏଇ ଯେ ସଭ୍ୟତା ମାଡ଼ି ଆଉଚି, ତା’ ଭିତରେ ନାରୀ ଆଉ ପୁରୁଷ ଭିତରେ ଅବିଶ୍ୱାସର ଖର ସ୍ରୋତକୁ ଦେଖି–’’

 

‘‘ବୁଝି ପାରିଲି ନାହିଁ ।’’

 

‘‘ବୁଝି ପାରିବେ ନାହିଁ । ନାରୀ ଯେଉଁଠି ପୁରୁଷକୁ କେବଳ ଶଯ୍ୟାଶାୟୀ ବନ୍ଧୁ ମନେକରେ ସେଠି ପତିତ୍ୱର ଗଭୀର ମମତା କାହିଁ ? ସୀତା–ରାମଙ୍କର ବନ୍ଧାବନ୍ଧି ସମନ୍ଧ କାହିଁ ? ଏଇ ପରା ସ୍ୱାଧୀନତା ଚାହାଁନ୍ତି ସମସ୍ତେ । ଆଜିର ଏ ନିର୍ମଳା, ଯଦି ସେ ଦିନର ସୀତାଙ୍କ ସ୍ଥାନରେ ଥାନ୍ତା, ବାଲ୍ମିକୀ ଆଶ୍ରମରେ ବକ୍ଷ ତିନ୍ତେଇ ଲୁହ ନ ଝରଉଣୁ ଅଯୋଧ୍ୟାକୁ ଆସି କେଉଁ ଗାର୍ଲ ସ୍କୁଲରେ ଶିକ୍ଷୟତ୍ରୀ ହେବାକୁ କି କେଉଁ ହାସ୍‌ପିତାଲରେ ଧାତ୍ରୀ ହେବାକୁ ଆପ୍ଳିକେଶନ ଦିଅନ୍ତା । ଡାଇଭୋର୍ସ ଓ ହିନ୍ଦୁ କୋଡ଼ ବିଲ୍‌ର ସ୍ଳୋଗାନ ଉଠାନ୍ତା ।’’

 

ହା ହା ହୋଇ ସୁଶୀଳ ହସି ଉଠିଲେ ।

 

‘‘ପ୍ରକୃତରେ ଏଇମାନଙ୍କୁ ଦେଖିଲେ ବିବାହ ହେବାକୁ ଆଦୌ ଇଚ୍ଛା ହେଉନାହିଁ ସୁଶୀଳ ବାବୁ ।’’

 

‘‘ତା’ ହେଲେ...’’

 

‘‘ତା’ ହେଲେ କଣ । ଆପଣ ଦେଖିବେ, ଯଦି ଆସନ୍ତା ପଚାଶ କି ଶହେ ବର୍ଷ ଭିତରେ ଏ ଶିକ୍ଷା ପଦ୍ଧତି ଯଦି ନ ବଦଳେ, ତେବେ ମାନବର ଉନ୍ନତି ସଭ୍ୟତା ଆହୁରି ବହୁ ହଜାର ବର୍ଷ ପଛକୁ ପଛେଇ ଚାଲିବ । ଯେଉଁଠି ମଣିଷ ମଧ୍ୟ ଗାଈ ଗୋଠର ଯୌନ ଚର୍ଚ୍ଚାର ଆଦର୍ଶ ଗ୍ରହଣ କରିବ । ଗ୍ରହଣ କରିବାକୁ ବାଧ୍ୟ ହେବ–’’

 

ଦିହେଁ ଗମ୍ଭୀର ହୋଇ ପଡ଼ିଲେ ।

 

‘‘ସେଥିପାଇଁ ତ କହୁଚି, ଆଦର୍ଶ ଦେଖେଇବାକୁ ହେବ ।’’

 

ଲୁଗା ପାଲଟୁ ପାଲଟୁ କିଶୋର ବାବୁ କହିଲେ, ‘‘ହଁ ଆଦର୍ଶର ଶାଣ ଦିଆ ଶିକ୍ଷାର ଟାଣୁଆ ଅସ୍ତ୍ରରେ ପ୍ରତ୍ୟେକ ଜୀବନକୁ ମାଠିବାକୁ ପଡ଼ିବ ।’’

 

ଦିହେଁ କଥା ହେଉ ହେଉ ଅନେକ ଦୂର ଚାଲି ଯାଉଥିଲେ । ଆଧୁନିକ ଜୀବନର ପ୍ରତି ଅନ୍ୟାୟକୁ ଖୋଳି ତାଡ଼ି ତଥ୍ୟ ଓପାଡ଼ୁ ଥିଲେ ।

 

ଗାଁ ଡିସାରି (ଆଦିବାସୀ ଅଞ୍ଚଳର ବଇଦ, ଜ୍ୟୋତିଷ ଓ ପୁରୋହିତ) ସନା ଫାମ୍ପଣିଆ ଚାଉଳ ଗଣ୍ଡେ ମାଗିବା ପାଇଁ ଆସିଥିଲା । ସେ’ ବି କିଶୋର ବାବୁଙ୍କୁ ଜାଣିଲାଣି ।

 

ପଚାରିଲା, ‘‘ବାବୁମନ ଏତେକ ପାଠ ପଢ଼ିଲା ଆଚତ । କେଡ଼େ ବଡ଼ ଲୋକ । ଏ ଆଖି କାନ ନଇଁବା ଦେଶୀୟା ଗାଁ ଆନେ କେମ୍‌ତା ରେଇ ଗାଲାଇ ?’’

 

–ଆଉ କୁଆଡ଼େ ଯିବା ! କିଶୋର ହସିଲେ ।

 

–କେତେକ୍‌ ବଡ଼େ ବଡ଼େ ସହର ଜାଗା ଆଚେ ମହାପ୍ରୁ । କଟକ, କଲିକତା, ମଦାରାସ......

 

–ତମ ଗାଁରେ କିଛି ଗୋଟାଏ କରିବା ପରା ।

 

ହେଁ ଏଁ, ହଇ ମାପ୍ରୁ, ଭଲ୍‍ ବୁଧିୀ ଭଲ୍‍ ବୁଧୀ । କାଇ ହେଲେ ମିଶା କରା ମାହାପ୍ରୁ ! ଆମର ପରା ନ ଜାଣିବା ଲୋକ୍‌ମନ୍‌କେ ବୁଧୀ ଶିକା ।

 

କିଶୋର କେବଳ ତା’ ଆଡ଼କୁ ଚାହିଁ ରହିଥିଲେ ।

 

କିଶୋର ବାବୁଙ୍କ ମନରେ ଚିନ୍ତା ଓ ଉଦ୍‌ବେଗ । ଦେଶୀୟା ଡିଶାରି ବି କହିଗଲା, କିଛି ଗୋଟାଏ କର !

 

ହାତରେ ପଇସାଟିଏ ନାହିଁ । ଯାହା ଅଛି, ଅତି ସାମାନ୍ୟ କଟକଠୁଁ ବାଟ ଖର୍ଚ୍ଚରୁ ବଳିଚି ଯାହା । ପଇସା ସେ’ ଅର୍ଜିଥିଲେ । ସଞ୍ଚିଥିଲେ । କିନ୍ତୁ ନିରୁପମା ସହିତ ସେ ସବୁଙ୍କୁ ମଧ୍ୟ ଛାଡ଼ି ଆସିଛନ୍ତି ।

 

ପଇସା କଣ ହେବକି ? ନୀତି ବଡ଼ ଜିନିଷ । ତାର ଦରକାର; ପଇସାର ଆବଶ୍ୟକତା ଯେଉଁଠି ପ୍ରଥମ, ସେ କାର୍ଯ୍ୟ ନିତାନ୍ତ ବର୍ଜନୀୟ, ନିନ୍ଦନୀୟ ଓ ଘୃଣ୍ୟ ।

 

କିନ୍ତୁ ବଣରେ ଯଦି ଆଶ୍ରମ ଖୋଲିବାକୁ ହୁଏ, ସେ’ ଯୁଗର ପରି ଫଳ ମୂଳତ ନିତି ନିତି ମିଳିବାର ସମ୍ଭାବନା ନାହିଁ । କଣ ଖିଆ ହେବ ? ପିନ୍ଧା ହେବ କଣ ?

 

ବଣରେ ରହି ତପସ୍ୟା କରିବା ଭଲ । ଭାରତର କେତେ ଆର୍ଯ୍ୟ ଋଷି ଆଦର୍ଶ ଦେଖେଇ ଯାଇଛନ୍ତି । ସେଥିପାଇଁ ହୁଏତ ଏହି କୋରାପୁଟର ଗୁପ୍ତେଶ୍ୱର ପାହାଡ଼ ପ୍ରଶସ୍ତ । କିନ୍ତୁ ଖିଆ, ପିନ୍ଧା ? ଖାଲି ଏକଲା ସେଠି ତ ତପସ୍ୟା କରି ଲାଭ ନାହିଁ । ଗୋଟିଏ ଆତ୍ମାର ବିକାଶତ ଯଥେଷ୍ଟ ନୁହେଁ । ଆତ୍ମାଚୟର ବିକାଶ ହେବା ଦରକାର । ତେଣୁ ଏକଲା ନୁହେଁ, କେତେ ଜଣ ନୂଆ ମଣିଷଙ୍କୁ ଧରି ସେଠି ସାଧନା ତଥା ତପସ୍ୟା କରିବା ବିଧେୟ ।

 

ଆଜି ଭାରତର ଆଦର୍ଶଚ୍ୟୁତ ଶିକ୍ଷାକୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ । ଭାରତୀୟ ସଂସ୍କୃତିର ପୁନରଦ୍ଧାର କରିବାକୁ ହେବ । ସଖାଳୁ ଶଯ୍ୟା ତ୍ୟାଗ କରିବା ପର ଠାରୁ ପୁଣି ରାତ୍ରୀର ଗଭୀରତା ଭିତରେ ବିଶ୍ରାମ କରିବା ଯାଏ, ମଣିଷର ପ୍ରତି ସେକେଣ୍ଡକୁ ସଜେଇ ଦେବା ଆଜି ଅତି ଜରୁରୀ । ଆଦର୍ଶବାଦ ସହ ବାସ୍ତବ ବାଦର ସମ୍ମେଳନ କରାଇ ବର୍ତ୍ତମାନର ବ୍ୟକ୍ତି ଏବଂ ମଣିଷ ସମାଜକୁ ଏକ ଉଚ୍ଚ ସ୍ତରକୁ ଘେନିଯିବା ହେଉଚି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିର କର୍ତ୍ତବ୍ୟ ।

 

ଏଇଟା ସମ୍ଭବ ହେବ କିପରି ? କ’ଣ କରିବେ ସେ ?

 

କୋମଳ ମତିର ବାଳକ ବାଳିକାଙ୍କୁ ନେଇ ଗୋଟିଏ ଆଶ୍ରମ ଖୋଲିବେ ? ତେବେ କେତେଟା ପିଲାଙ୍କୁ ନେବେ ପ୍ରଥମେ ?.... ସେଇ ପିଲାଙ୍କୁ ନେଇ ଶିକ୍ଷାଦାନ କରିବେ । ସେମାନଙ୍କୁ ଗଢ଼ି ମଣିଷ କରିବେ । ତାଲିମ୍‌ । ସାଂସାରିକ ଓ ଆଧ୍ୟାତ୍ମିକ ଜୀବନର ସମ୍ମିଶ୍ରଣ ! ଶେଷରେ ଛାଡ଼ିଦେବେ ସଂସାର ଭିତରକୁ......ତାପରେ ପୁଣି ଦଳେ... ତାଲିମ୍‌... ତାପରେ ଚାଲ ସଂସାର କର.... ।

 

ସେମାନଙ୍କୁ ଏଇପରି ଶିକ୍ଷା ଦିଆଯିବ, ଯଦ୍ୱାରା କି ସେମାନେ ନିଜେ ଗୋଟିଏ ସାର୍ଥକ ଆଦର୍ଶ ପଛରେ ପ୍ରଧାବିତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସେହି ଆଦର୍ଶ ପ୍ରାପ୍ତିର ଚେଷ୍ଟା ଲାଗି ଉତ୍ସାହିତ କରାଇବେ । ସେମାନଙ୍କ ଭିତରେ ଏଇପରି ଶକ୍ତି ସକେନ୍ଦ୍ରିତ ଓ ସକ୍ରିୟ କରାଇବା ଉଚିତ ଯଦ୍ୱାରା କି ସେମାନେ ନିଜେ ଉପରକୁ ଉଠିବେ ଓ ଅପରକୁ ଉପରକୁ ଉଠାଇବେ।

 

ପିଲାଏ ଯଦି ଆସନ୍ତି, ତେବେ ଆଶ୍ରମ ଖୋଲା ହେବ । ତେବେ ପେଟ ଆଉ ପିଚା ? ଖାଇବେ ପିଇବେ କ’ଣ ? ଫଳ ମୂଳତ ମିଳିବା ସହଜ ନୁହେଁ । ବୈଜ୍ଞାନିକ ଯୁଗରେ ବଳ୍କଳର ସ୍ଥାନ ବା କେଉଁଠି ? ଚଳ୍କଳ.... ପିଲେ ମଙ୍ଗିବେ ତ ? ବଳ୍କଳ ମଧ୍ୟ ମିଳିବାର ସମ୍ଭାବନା ନାହିଁ । ହଉ, ଲୁଗା ପିନ୍ଧନ୍ତୁ କି ପେଣ୍ଟ ପିନ୍ଧନ୍ତୁ, ଆପତ୍ତି ନାହିଁ । ତେବେ ସେ ସବୁ ପାଇବେ କେଉଁଠୁ ? ସେ ପରା ଅର୍ଥ ବିନା ସମସ୍ତ କାର୍ଯ୍ୟର ସମ୍ଭାବନା ଦେଖାଇ ଦେବେ ?

 

ହୁଏତ ପାଞ୍ଚ ବର୍ଷ ବୟସରୁ ପଚିଶ ବର୍ଷ ବୟସ ଯାକେ ଛାତ୍ରଙ୍କୁ ଆଶ୍ରମରେ ରହିବାକୁ ପଡ଼ିବ । ଏତେ ଦୀର୍ଘ ସମୟ ସେମାନଙ୍କୁ ବଞ୍ଚେଇ ରଖିବେ କିପରି ?

 

ଅଭିଭାବକ ସାହାଯ୍ୟ କରିବେ ନାହିଁ ? ଯଦି ସେମାନଙ୍କୁ ବାଧ୍ୟ କରାଯାଏ, ବିଧିବଦ୍ଧ ନିୟମ ରଖାଯାଏ କିଛି ସାହାଯ୍ୟ କରିବାକୁ, ଆଦର୍ଶ ଆଉ ରହିବ କେଉଁଠି ? ଇସ୍କୁଲ କଲେଜ ପରି ଦରମା ମାଗିବେ ?......ସମ୍ଭବ ନୁହେଁ । .....ତେବେ ?

 

ଯଦି ସେ’ ଦେଖେଇ ଦେବେ, ତାଙ୍କରି ଆଦର୍ଶ ଆଶ୍ରମହିଁ ସଫଳ ମାର୍ଗରେ ମଣିଷକୁ ତାଲିମ୍‌ କରିବାରେ ପାରଙ୍ଗମ, ବେଶ୍‌..... । ଲୋକେ ମନକୁ ଆଗେଇ ଆସି ସାହାଯ୍ୟ କରିବେ ।

 

କରି ପାରନ୍ତି ।

 

କାହିଁକି ନ କରିବେ ? ଗୋଟିଏ ପୁଅକୁ ଯୋଗ୍ୟ କରେଇବା ପାଇଁ ଇସ୍କୁଲ କଲେଜ ଜରୀଆରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯେଉଁମାନେ ଦେଖନ୍ତି ପୁଅ ବେକାର ଆଉ ବୋକା ହୋଇ ଫେରିଛି, ସେମାନେ କଣ ବିନା ଖର୍ଚ୍ଚରେ ଜ୍ଞାନବନ୍ତ, ସୁଯୋଗ୍ୟ ସନ୍ତାନ ଗଢ଼ି ଉଠିବାର ଦେଖି କିଛି ସାହାଯ୍ୟ କରିବେ ନାହିଁ ?

 

ସନ୍ଦେହ ନାହିଁ । ସେମାନେ ସାହାଯ୍ୟ କରିବେ । କିନ୍ତୁ ଗୋଟିଏ ବାପା ଚାହେଁ ତା’ ପୁଅକୁ ବୈଜ୍ଞାନିକ କରେଇବ, ଆଉ ଗୋଟିଏ ବାପ ଚାହେଁ ତା’ ପୁଅକୁ ଡାକ୍ତର କରେଇବ, ଆଉ ଗୋଟିଏ ମା ଚାହେଁ ତାର ସନ୍ତାନକୁ ଚାଷୀ କରେଇବ କି ବେପାରୀ କରାଇବ, ଏକା ସଙ୍ଗରେ କଣ ଆଶ୍ରମ ସେମାନଙ୍କ ପିପାସା ମେଣ୍ଟାଇ ପାରିବ ?

 

କାହିଁକି ନ ପାରିବ ?

 

ବିଭିନ୍ନ ବିଭାଗ ରହିବ । ପୁଅ ଝିଅ ଦଳ ଦଳ ଭାଗ ଭାଗ ହୋଇ ରହିବେ । ପାଞ୍ଚ ବର୍ଷରୁ ଧରି ପଚିଶି ବର୍ଷ ଯାଏ କଠୋର ଦୈହିକ ଓ ମାନସିକ ସଂଯମ ଭିତରେ ଶିକ୍ଷା ତାଙ୍କୁ ଗ୍ରହଣ କରିବାକୁ ପଡ଼ିବ ।

 

ବିଶେଷ ଆର୍ଥିକ ଆବଶ୍ୟକତା ନାହିଁ । ଆଜି କାଲି ଛାତ୍ର ଛାତ୍ରୀଙ୍କୁ ଯେତିକି ପଇସା ଦରମା ଦେବାକୁ ପଡ଼େ, ହୁଏତ ସେତିକି ସାହାଯ୍ୟ ମିଳିଗଲେ ହେବ । କେବଳ ଉପକରଣ ଓ ତାଲିମ୍‌କ୍ଷେତ୍ର ପ୍ରସ୍ତୁତ କରିବାରେ ଯାହା ଖର୍ଚ୍ଚ ।

 

କିଶୋର ବାବୁ ଆହୁରି ଭାବୁଥିଲେ–ନିତାନ୍ତ ଆବଶ୍ୟକୀୟ ଜିନିଷକୁ ଛାଡ଼ି ଛାତ୍ର ଛାତ୍ରୀଙ୍କ ଦୈନନ୍ଦିନ ଜୀବନରୁ ଯଦି ବାଦ୍‌ ଦିଆଯାଏ ଶରୀରର ଅନାବଶ୍ୟକ ଅଗଣନ ବିଳାସ ଆଉ ଚଞ୍ଚଳ ଆକର୍ଷଣମୟ ସାମଗ୍ରୀ ସବୁ, ତା’ ହେଲେ ଖର୍ଚ୍ଚତ ଅନେକ କମିଯିବ । ଜଣା ପଡ଼ୁନାହିଁ ସିନା, ଛାତ୍ର ଛାତ୍ରୀଙ୍କର ଏ ଯେଉଁ ମୂଲ୍ୟବାନ ଦ୍ରବ୍ୟରେ ସଜେଇ ହେବାର ଲୋଭ ଓ ସମୃଦ୍ଧ ସଭ୍ୟତା ଭିତରେ ଉଲ୍ଲସିତ ଜୀବନ ଯାପନ କରିବାର ମୋହ–ଭାବିଲେ ଅବାକ ହେବାକୁ ହୁଏ । ଦିନା କେତେ ହେଲେ ବି କିଶୋର ନିଜେ ସେହି ଆଧୁନିକ ‘ଫେସନ’ ଆଉ ‘ଷ୍ଟାଇଲ’ ପ୍ରିୟ ଶ୍ରେଣୀରେ ବଢ଼ି ଆସିଥିଲେ । ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରିଥିଲେ । ପରେ ସିନା ମନ ବଦଳିଲା । ସରଳ ହୋଇ ପଡ଼ିଲେ ସେ । ନ ହେଲେ ବାଥ୍‌ରୁମ୍‌ ଚପଲ, ଗୋଲ୍‌ଡ ଟିପ୍‌ପଡ଼ ସିଗାରେଟ ଠାରୁ ସିନେମା ଦେଖା, ହୋଟେଲରେ ଚା ଖିଆ ଏବଂ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ପ୍ରତି ତାଙ୍କର ବି ଅନ୍ୟମାନଙ୍କ ପରି ପ୍ରଚୁର ଆସକ୍ତି ଥିଲା । ସେ’ ଭାବୁଚନ୍ତି, ଏ ସବୁ ବାଦ୍‌ ମଲ୍‌ମଲ୍‌ ଜର୍ଜେଟ ଶାଢ଼ୀଠୁଁ ହାଇହିଲ୍‌ ସୁ ଭିତର ଦେଇ ଲିପ୍‌ଷ୍ଟିକ ଓ ରୋଲଡ଼ଗୋଲ୍‌ଡ଼ ଅଳଙ୍କାର ପର୍ଯ୍ୟନ୍ତ ଯେତେସବୁ ବ୍ୟବସାୟିକ ଉତ୍ପତ୍ତି ତା’ ଦେଇ କଣ କମ୍‌ ଅର୍ଥ ବ୍ୟୟ କରା ହେଉଚି ?

 

ଆଜି କିଶୋର ଏ ସବୁରେ ଘୋର ବିରୋଧୀ । ଏ ସବୁକୁ ବାଦ୍‌ ଦେବା ଫଳରେ ହୁଏତ ଆଶ୍ରମ ଛାତ୍ର ଛାତ୍ରୀଙ୍କ ଖର୍ଚ୍ଚ ଖୁବ୍‌ କମ୍‌ ପଡ଼ିବ ।

 

ଆଜି ନୁହେଁ, ବହୁତ ଦିନରୁ କିଶୋର ବାବୁଙ୍କ ମଥାରେ ଏ ଚିନ୍ତା ପଶିଚି । ତେଣୁ ହିଁ ନିଜେ ସେ’ ଛାଡ଼ିଛନ୍ତି । ସିଗାରେଟ ଖାଆନ୍ତି ନାହିଁ ।

 

ପୁଣି ସେ ଭାବୁଛନ୍ତି–

 

ହୁଏତ ମଣିଷର ବିଳାସପ୍ରିୟ ପ୍ରବୃତ୍ତି ତାକୁ ଏ ସବୁ ଜିନିଷ ପ୍ରତି ଆକୃଷ୍ଟ କରେ ଏବଂ ସଖ୍ୟମତେ ସେ ସବୁର ବ୍ୟବହାର ତେତେ ଆପତ୍ତିଜନକ ହୋଇ ନ ପାରେ; କାରଣ ଆନନ୍ଦ ଆଉ ଉତ୍‌ଫୁଲ୍ଲ ପାଇଁ ବ୍ୟାକୁଳିତ ଜୀବନ ଯାହା ଚାହେଁ, ମଣିଷ ତା’ କରେ । ଆୟ ଏବଂ ଆବଶ୍ୟକତାକୁ ଚାହିଁ କରିବାର କଥା ମଧ୍ୟ ।

 

କିନ୍ତୁ ମଣିଷ ହେଲା ପରେ ସେ’ କଥା ବିଚାର କରିବା ଦରକାର । ଯେଉଁମାନେ ମଣିଷ ହେବା ଶିଖିବା ଅବସ୍ଥାରେ ଥାଆନ୍ତି, ସେହି ଛାତ୍ର ଛାତ୍ରୀଙ୍କ ଅପକ୍ୱ ପ୍ରବୃତ୍ତିକୁ ଏତେ ହୁଗୁଳା କରି ବଜାର ଆଉ ଦୋକାନ ଭିତରେ ପୁରେଇ ଦେବା ଉଚିତ ନୁହେଁ ।

 

ସେଥିପାଇଁ ଯଦି ଆଜି ଛାତ୍ରମାନଙ୍କ ଖର୍ଚ୍ଚ ତାଲିକାରୁ ଏତକ ଜିନିଷ କାଟି ଦିଆଯାଏ, ତେବେ ବର୍ଷକରେ ଆର୍ଥିକ ଚିନ୍ତା କେତେ ହ୍ରାସ ନ ପାଇବ ? ଆଶ୍ରମରେ ଯଦି ଏହାହିଁ ହୁଏ ପେଟକୁ ଗଣ୍ଡେ, ପିଠିକି ଖଣ୍ଡେ ପାଇଁ କଣ ଅଭିଭାବକ କିଛି ତୁଲେଇବାକୁ ପଛେଇ ଯିବେ ?

 

କାହିଁକି ପଛେଇବେ ?

 

କିଶୋର ଚିନ୍ତା କରୁଥିଲେ । ନିର୍ମଳା ଆସି ହଲେଇ ହୋଇ ଠିଆ ହେଲା ।

 

‘‘ବିରହଟା ପ୍ରକୃତରେ ମନକୁ ବାଧେ ଆଉ ଦେହକୁ କାଟେ । ନାଇଁ କିଶୋର ବାବୁ ?’’

 

‘‘କଣ ହେଲା କି ?’’ ପଚାରୁ ପଚାରୁ ଭିତରେ ଭିତରେ କିଶୋର ଶୀହରି ଉଠିଲେ–ବିରହ !

 

‘‘ଦୀର୍ଘ ଚାରି ଦିନ ବନ୍ଧୁ ମିଳନ ନ ହେବାଟା କ’ଣ ବିରହ ନୁହେଁ ?’’

 

‘‘ହଁ, ହେଲା କଣ ?’’

 

‘‘ଦୀର୍ଘ ଚାରି ଦିନ ବ୍ୟାପି....’’

 

‘‘ଆରେ ବାଃ ! ଜଲଦି ସିନେମା ଅଭିନେତ୍ରୀ ହୋଇଯାନ୍ତୁ ନା !’’

 

ହେ ହେ ହିଂ ହିଂ ହିଂ ହସି ଉଠିଲା ନିର୍ମଳା ।

 

‘‘ହଁ, ଦୀର୍ଘ ଚାରି ଦିନ ବ୍ୟାପି.... ?’’

 

‘‘ମିଳନ ତ ଛାଡ଼, ଦର୍ଶନ ନାହିଁ ।’’

 

‘‘ତା’ ପରେ ?’’

 

‘‘ଆଜି ଭାଇଙ୍କର ବିଶେଷ ନିମନ୍ତ୍ରଣ ଘେନନ୍ତୁ ।’’

 

‘‘ଆଚ୍ଛା !’’ ନିସତର ନିଶାଣ ଉଡ଼େଇ ହାଇ ମାରୁ ମାରୁ କିଶୋର କହିଲେ ।

 

‘‘ମୋ’ ସଙ୍ଗରେ ଯିବାକୁ ପଡ଼ିବ ।’’

‘‘ବସନ୍ତୁ ନା ।’’

 

ନିର୍ମଳା ବସିଲା ।

 

କିଶୋରଙ୍କ ଗାର୍ହସ୍ଥ୍ୟ ଆତ୍ମାରେ ଛନ୍ଦି ହୋଇଥିବା ନାରୀ, ସହଧର୍ମିଣୀର ପ୍ରତିବିମ୍ୱ ଝଲସି ଉଠିଲା ନିର୍ମଳାର ଉତ୍ତେଜନା ଆକୁଳ ପୁରୁଷର କର ପଲ୍ଲବରେ ଅତୋଳା ତନୁ ଦେଇ ଲହୁଣୀ ପରି କୋମଳ ଆଉ ଟୋଲା ତେଲ ପରି ସ୍ନିଗ୍ଧ ଗୁଲୁଗୁଲୁ ଦେହ ଦେଇ ଯେଉଁଠୁ ଆନନ୍ଦ ଆତୁର ସୃଷ୍ଟି କରିବାର ପ୍ରେରଣା ଝରୁଛି ।

 

ନିର୍ମଳା ଭୁଜ ଟେକି ଅଳସ ଭାଙ୍ଗୁ ଭାଙ୍ଗୁ କିଶୋରଙ୍କ ମନରେ ଲହଡ଼ି ଭାଙ୍ଗିଲା ଅତୀତ । ବିବାହ କରିଥିଲେ ମଧ୍ୟ ନିରୁପମାକୁ ଏଇ ଆଖିରେ ଦେଖି ସେ’ କୋଳକୁ ଟାଣି ନେଉଥିଲେ । ଆନନ୍ଦ ମନରେ ଅଙ୍ଗ ଥରୁଥିଲା, ଆଖି ଖୋସି ହେଉଥିଲା, ଝାଳ ବୋହୁଥିଲା ଓ ପ୍ରଶ୍ୱାସ ତାତୁ ଥିଲା-। କିଶୋର ଅତୀତକୁ ବର୍ତ୍ତମାନ ଭିତରେ ଅନୁଭବ କଲେ ।

 

ନିର୍ମଳା ଆଡ଼ୁ କିଶୋର ଆଖି ଫେରାଇ ଆଣିଲେ । ତାଙ୍କ ମନ ଭିତରେ ଆଦର୍ଶ ଓ ଉତ୍ତେଜନା ଭିତରେ ଭୀଷଣ ସଂଘର୍ଷ । ଆଖିରେ ତାଙ୍କର ଦୁଇ ବିନ୍ଦୁ ଅଶ୍ରୁ !

 

‘‘ଆପଣ ଯାଆନ୍ତୁ । ବର୍ତ୍ତମାନ ମୋତେ ଜମା ଭଲ ଲାଗୁନାହିଁ । ପରେ ଆସିବି ।’’

 

ନିର୍ମଳା ଅବାକ୍‌ ହୋଇ ଚାହିଁ ରହିଲା ।

Image

 

କ୍ଷମା ପ୍ରାର୍ଥନା

 

ଉପନ୍ୟାସ ଏଠି ସରି ନାହିଁ । କିମ୍ବା ଲେଖକଙ୍କର ବିଷୟ ଯୋଜନାର ଶେଷ ଏ ପାଖରେ ହୋଇଯାଇ ନାହିଁ । ମାତ୍ର କେତେକ ପ୍ରତିବନ୍ଧକ ହେତୁ ‘ଅଦୃଶ୍ୟ ଆଶୀର୍ବାଦ’ ପରି ଗୋଟାଏ ବିରାଟ ଉଦ୍ୟମକୁ ଖଣ୍ଡ ଖଣ୍ଡ କରିଦେବା ପାଇଁ ବାଧ୍ୟ ହେଲୁ । ସେଥିପାଇଁ ଲେଖକ ପାଠକ ଉଭୟଙ୍କ ନିକଟରେ ଆମେ କ୍ଷମା ପ୍ରାର୍ଥନା କରୁଚୁ ।

 

ଆମେ ଜାଣୁ, ଉପନ୍ୟାସଟି ଏକତ୍ର ପ୍ରକାଶିତ ନ ହେବାରୁ ରସଭଗ୍ନ କରିଥିବା ଅପରାଧରେ ଆମେ ଅପରାଧି ହେବୁ । ମାତ୍ର ଏହାର କାରଣ ଯେତିକି କରୁଣ, ସେତିକି ଅପରିହାର୍ଯ୍ୟ ମଧ୍ୟ । ତେଣୁ ଏହି ଉପନ୍ୟାସଟିକୁ ବିଭିନ୍ନ ଭାଗରେ ବିଭକ୍ତ କରିବାର ପ୍ରସ୍ତାବ ଗ୍ରହଣ କରିଚୁ । ସୁତରାଂ ନିକଟରେ ଏହାର ଦ୍ୱିତୀୟ ଭାଗ ପ୍ରକାଶିତ ହୋଇ ଯାଉଚି । କେବଳ ସେଥିପାଇଁ ଆମେ ଆଶ୍ୱସ୍ତ ! ଦ୍ୱିତୀୟ ଖଣ୍ଡ ନ ପଢ଼ିଲେ କେହି ଉପନ୍ୟାସର ରହସ୍ୟମୟ ଗଭୀରତା ଭେଦ କରି ପାରିବେ ନାହିଁ । ତେଣୁ ଅତିଶୀଘ୍ର ୨ୟ ଖଣ୍ଡ ଯୋଗାଇ ଦେଇ ପାଠକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଚୁ ।

 

ପ୍ରକାଶକ

Image